‘୧୩ରେ ମେଲ୍ବୋର୍ଣ୍ଣରେ ବଡ଼ କେକ୍ କାଟିବି’
ମେଲ୍ବୋର୍ଣ୍ଣ: ଶନିବାର ୩୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି। ରବିବାର ଜିମ୍ବାୱେ ବିପକ୍ଷରେ ଗୁରୁତ୍ବପୂର୍ଣ୍ଣ ଗ୍ରୁପ୍-୨ ମୁକାବିଲା ପୂର୍ବରୁ ସାଥୀ ଖେଳାଳିଙ୍କ ସହ କୋହଲି ଜନ୍ମଦିନ ପାଳନ କରିଥିଲେ। ଅଭ୍ୟାସ ପୂର୍ବରୁ ଭାରତୀୟ ଡ୍ରେସିଂରୁମ୍ରେ ସାଥୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ଗହଣରେ କୋହଲି କେକ୍ କାଟି ଜନ୍ମଦିନ ପାଳନ କରିଥିଲେ। ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ ଯେ ଆସନ୍ତା ୧୩ରେ ମେଲ୍ବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍ ଫାଇନାଲରେ ଜିତି ଭାରତ ଚମ୍ପିଆନ୍ ହେବା ପରେ ବଡ଼ କେକ୍ କାଟି ଉତ୍ସବ ପାଳନ କରିବେ।
ଶନିବାର କେକ୍ କାଟିବା ପରେ ସାଥୀ ଖେଳାଳିଙ୍କ ସହ ଏମ୍ସିଜିରେ କୋହଲି ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ। ପରେ ସାମ୍ବାଦିକ ସମ୍ମିଳନୀରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍ ଅପେକ୍ଷା ତାଙ୍କ ଜନ୍ମଦିନ ପାଳନ ବିଷୟରେ ଭାରତୀୟ ସାମ୍ବାଦିକମାନେ କୋହଲି ଅଧିକ ପ୍ରଶ୍ନ ପଚାରିଥିଲେ। ସାମ୍ବାଦିକମାନେ ବି ବିରାଟଙ୍କ ପାଇଁ ଏକ କେକ୍ ଆଣିଥିଲେ। ସାମ୍ବାଦିକ ସମ୍ମିଳନୀରେ କୋହଲି ଏହାକୁ କାଟି ସମସ୍ତଙ୍କୁ ଖୁଆଇଥିଲେ ଏବଂ ନିଜେ ମଧ୍ୟ ଖାଇଥିଲେ। କୋହଲି କହିଥିଲେ- ବହୁତ ସୁନ୍ଦର କେକ୍। ଏହାକୁ କିଏ ଆଣିଛନ୍ତି? ବହୁତ ସୁଆଦିଆ। କୋହଲିଙ୍କୁ ଜନ୍ମଦିନର ଉପହାର ଦେବାକୁ ସାମ୍ବାଦିକମାନେ ରାଜସ୍ଥାନରୁ ଏକ ବିଶେଷ ପେଣ୍ଟିଂ ମଗାଇଥିଲେ। ଏଥିରେ କୋହଲିଙ୍କୁ ରାଜସ୍ଥାନୀ ରାଜା ଭାବେ ଚିତ୍ରଣ କରା ଯାଇଥିଲା ଏବଂ ଲେଖା ଯାଇଥିଲା ‘କିଙ୍ଗ୍ କୋହଲି’। ଏଥିପାଇଁ ସାମ୍ବାଦିକମାନଙ୍କୁ କୋହଲି ବିଶେଷ ଧନ୍ୟବାଦ ଦେଇଥିଲେ। ପରେ ସେ କିଛି ସାମ୍ବାଦିକଙ୍କ ସହ ଫଟୋ ଉଠାଇଥିଲେ। ଯେଉଁମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ; ସେମାନଙ୍କ ସହ ହାତ ମିଳାଇ ଧନ୍ୟବାଦ ଜଣାଇଥିଲେ।
ବିଦେଶରେ ଥାଇ ମଧ୍ୟ ଶନିବାର କୋହଲି ଖୁସିରେ ଜନ୍ମଦିନ ପାଳନ କରିଥିଲେ। ସେ ଏବେ ନିୟମିତ ରନ୍ କରୁଛନ୍ତି ଏବଂ ଭାରତ ମ୍ୟାଚ୍ ଜିତୁଛି। ଆଉ ଗୋଟିଏ ବିଜୟ ପରେ ଭାରତ ବିଶ୍ବକପ୍ର ସେମିଫାଇନାଲ ଖେଳିବ। ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍ର ପ୍ରଥମ ସଂସ୍କରଣରେ ଭାରତ ଚମ୍ପିଆନ୍ ହେବା ପରେ ୧୫ ବର୍ଷ ହେଲା ଭାରତ ଏହି ଟ୍ରଫି ଜିତିନାହିଁ। ଏଥର ଭାରତକୁ ବିଶ୍ବ ଚମ୍ପିଆନ୍ କରିବାକୁ କୋହଲି ଦୃଢ଼ପ୍ରତିଜ୍ଞ ଅଛନ୍ତି। ଦୀର୍ଘ ୨ ବର୍ଷ କାଳ ବ୍ୟାଟିଂ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ବିରାଟ କୋହଲି ଗତ ଏସିଆ କପ୍ରେ ଆଫ୍ଗାନିସ୍ତାନ ବିପକ୍ଷରେ ଅପରାଜିତ ଶତକ (୧୨୨) ହାସଲକରି ଫର୍ମକୁ ଫେରିଛନ୍ତି। ଏହା ପରଠାରୁ କୋହଲି ପଛକୁ ଫେରି ଚାହିଁନାହାନ୍ତି। ୩ ବର୍ଷ ପରେ ଏହା କୋହଲିଙ୍କ ପ୍ରଥମ ଆନ୍ତର୍ଜତିକ ଶତକ ଥିଲା। ଚଳିତ ବିଶ୍ବକପ୍ରେ ସୁପର-୧୨ ପର୍ଯ୍ୟାୟରେ ଏଯାବତ୍ କୋହଲି ସର୍ବାଧିକ ରନ୍ କରିଛନ୍ତି। ସେ ୪ଟି ମ୍ୟାଚ୍ରୁ ପାକିସ୍ତାନ, ନେଦରଲାଣ୍ଡ୍ସ ଓ ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ହାସଲକରି ଅପରାଜିତ ଥିବା ବେଳେ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଉଟ୍ ହୋଇଛନ୍ତି।
ଏହି ୪ଟି ମ୍ୟାଚ୍ରୁ କୋହଲି ୩ଟି ଅର୍ଦ୍ଧଶତକ ବଳରେ ୨୨୦ ଆଭ୍ରେଜ୍ରେ ମୋଟ ୨୨୦ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ରେଟ୍ ୧୪୪.୭୩। ୨୦୦୮ରୁ ନିୟମିତ ଭାବେ ଭାରତ ପାଇଁ ଖେଳି ଆସୁଥିବା ବିରାଟ କୋହଲି ୧୦୨ଟି ଟେଷ୍ଟରୁ ୨୭ଟି ଶତକ ଓ ୨୮ଟି ଅର୍ଦ୍ଧଶତକ ସହ ୮୦୭୪ ରନ୍ କରିଛନ୍ତି। ପୁଣି ୨୪୨ଟି ଦିନିକିଆରୁ କୋହଲି ୪୩ଟି ଶତକ ଓ ୬୪ଟି ଅର୍ଦ୍ଧଶତକ ସହ ୧୨୩୪୪ ରନ୍ କରିଛନ୍ତି। ତାଙ୍କ ଦିନିକିଆ ଆଭ୍ରେଜ୍ ୪୯.୫୩ ଥିବା ବେଳେ ଟେଷ୍ଟ ଆଭ୍ରେଜ୍ ହେଉଛି ୫୭.୬୮। ବିରାଟ ୧୧୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ରୁ ଗୋଟିଏ ଶତକ ଓ ୩୬ଟି ଅର୍ଦ୍ଧଶତକ ସହ ୩୯୩୨ ରନ୍ କରିଛନ୍ତି। ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟ୍ବେଣ୍ଟି୨୦ କ୍ରିକେଟ୍ରେ କୋହଲି ୪ ହଜାର ରନ୍ ପୂରଣ କରିବାକୁ ଯାଉଛନ୍ତି। କୋହଲି ଭାରତୀୟ କ୍ରିକେଟ୍ ଇତିହାସରେ ଅନ୍ୟତମ ସଫଳ ଅଧିନାୟକ।
Comments are closed.