‘ବିଷାଦ’ ପରିହାର କରି…
‘ଗୀତା’ର ବାଣୀ, ଯୋଗୀକୁ ମୁକ୍ତିପଥ, ଭୋଗୀକୁ ଜୀବନପଥ ଏବଂ ଶୋକାତୁରକୁ ପ୍ରଶମନର ମାର୍ଗ ପ୍ରଦର୍ଶିତ କରିପାରେ। ଏହା ଏକ ଜୀବନୀଶକ୍ତିରେ ପରିପୂର୍ଣ୍ଣ, ବହୁ ଅର୍ଥ, ତତ୍ତ୍ୱ, ଦର୍ଶନରେ ସମୃଦ୍ଧ ପ୍ରାମାଣିକ ଗ୍ରନ୍ଥ; କିନ୍ତୁ ଧର୍ମନିରପେକ୍ଷ ଅଧ୍ୟୟନରେ ଆଗ୍ରହୀ ପାଠକଙ୍କୁ ଏହାର ସଂରଚନା ଏବଂ କଥାବସ୍ତୁ ଏକ ମହତ୍ତର ଜୀବନର ଅନୁଭବ ପ୍ରଦାନ କରିବାକୁ ସମର୍ଥ ମନେହୁଏ। ଗୀତା ଗ୍ରନ୍ଥର ପ୍ରଥମ ଅଧ୍ୟାୟ ‘ବିଷାଦଯୋଗ’କୁ ଆଧାର କରି ଏହି ପ୍ରତିବେଦନଟି ପ୍ରସ୍ତୁତ କରାଯାଇଛି। ଯୁଦ୍ଧ କ୍ଷେତ୍ରରେ କୁରୁପାଣ୍ଡବ ସେନାନୀଙ୍କ ସମରସଜ୍ଜା ଅବଲୋକନ ନିମିତ୍ତ, ଅର୍ଜୁନଙ୍କ ରଥର ସାରଥି ଶ୍ରୀକୃଷ୍ଣ, ପାର୍ଥଙ୍କର ନିର୍ଦେଶ ଅନୁସାରେ ଉଭୟ ସେନାର ମଧ୍ୟକ୍ଷେତ୍ରରେ ତାଙ୍କ ରଥର ସ୍ଥାପନା କରିଛନ୍ତି। ପ୍ରତିପକ୍ଷରେ ଉପସ୍ଥିତ ବୀର ମହାବୀରମାନଙ୍କର ପ୍ରଭୂତ ପରାକ୍ରମ ଅର୍ଜୁନଙ୍କୁ ଭୟଭୀତ କରି ନାହିଁ; କିନ୍ତୁ ସେମାନଙ୍କ ସହ ଆପଣାର ସମ୍ପର୍କ ସ୍ମରଣ କରି ସେ ଏକ ବିଷମ ଧର୍ମ ସଙ୍କଟରେ ନିଜକୁ ଆବିଷ୍କାର କରି ବସନ୍ତି। ଆପଣାର ପ୍ରିୟ ପରିଜନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମିତ୍ତ ସେ ରଣାଙ୍ଗନରେ ଉପସ୍ଥିତ। ବିରୋଧୀ ଶିବିରରେ ଅଛନ୍ତି ପିତାମହ, ସଖା, ସୋଦର, ଶିକ୍ଷାଗୁରୁ, କୁଳଗୁରୁ, ଭ୍ରାତା, ଶ୍ୱଶୁର, ଶାଳକ, ସମନ୍ଧୀ ଏବଂ ସ୍ନେହ ଅନୁରାଗର ପାତ୍ର ଆହୁରି ଅନେକ ଜନ।
ନ୍ୟାୟତଃ ଓ ଧର୍ମତଃ ସେମାନଙ୍କର ସୁରକ୍ଷା ଓ ପ୍ରତିପାଳନ ତାଙ୍କର ପ୍ରକୃତ ‘କର୍ତ୍ତବ୍ୟ’, ସେମାନଙ୍କୁ ‘ବଧ’ କରିବା ନୁହେଁ। ବିଚଳିତ ଅର୍ଜୁନ ଆସନ୍ନ ମହାଯୁଦ୍ଧର ସମ୍ଭାବିତ ‘ପରିଣତି’ ପ୍ରତି ସଚେତନ ହୋଇ ଚିନ୍ତାକୁଳ। ଯେଉଁମାନଙ୍କର ରକ୍ଷଣ ତାଙ୍କର ପରମ କର୍ତ୍ତବ୍ୟ, ସେମାନଙ୍କର ନିଧନ ପଶ୍ଚାତରେ ପୁରୁଷକାରର କ’ଣ ବା ଅର୍ଥ ଥାଇପାରେ ! ଏହି ଚିନ୍ତାରେ ମ୍ରିୟମାଣ ଅର୍ଜୁନ ଅସ୍ତ୍ରତ୍ୟାଗ କରିବସନ୍ତି। ଏବେ ସେ ମୋହଗ୍ରସ୍ତ ଏବଂ ‘ବିଷାଦ’ ଗ୍ରସ୍ତ। ନିରପେକ୍ଷ ଦୃଷ୍ଟିରେ ପରିସ୍ଥିତିର ଅନୁଶୀଳନ କଲେ ଅନୁଭବ କରିହେବ ଯେ, ଅର୍ଜୁନଙ୍କର ପରିବେଶ ଓ ତହିଁରୁ ଉତ୍ପନ୍ନ ଜଟିଳ ସମସ୍ୟା ସଂସାରର ଯେ କୌଣସି ସାଧାରଣ ମଣିଷର ସମସ୍ୟା ସହ ସାଦୃଶ୍ୟ ବହନ କରେ। ସେହି ଦୃଷ୍ଟିରୁ ଅର୍ଜୁନ ଆମ ସମସ୍ତଙ୍କର ପ୍ରତିଭୂ। ଆମେମାନେ ସମସ୍ତେ ଆପଣା ଜୀବନ କୁରୁକ୍ଷେତ୍ରରେ ଜଣେ ଜଣେ ଅର୍ଜୁନ ଏବଂ ଜୀବନ ସଂଘର୍ଷର ଭୟାବହତାରେ ବ୍ୟତିବ୍ୟସ୍ତ। ଏଠାରେ ସମାଧାନର ସମ୍ଭାବନା ବହନ କରୁଥିବା କୌଣସି ଏକ ଅଲୌକିକ ଘଟଣ-ଅଘଟଣର ଆବିର୍ଭାବ ଆଶାକରାଯାଇ ନପାରେ।
ଏହି ସନ୍ଦର୍ଭରେ ‘ବିଷାଦ’ ଶବ୍ଦର ଭାବଗତ ପାଠୋଦ୍ଧାର ସର୍ବପ୍ରଥମ ଆବଶ୍ୟକତା ମନେହୁଏ। ‘ବିଷାଦ’ ବ୍ୟକ୍ତିର ମାନସିକ ଅବସ୍ଥାର ସୂଚନା /ଚିତ୍ର ପ୍ରଦାନ କରିଥାଏ। ଦୈହିକ ସ୍ତରରେ ବିଷାଦର ରୂପାୟନର ଲକ୍ଷଣ ହେଲା , ଅସନ୍ତୁଳିତ ଆଚାର ବ୍ୟବହାର ଏବଂ ଶକ୍ତିହୀନ ସ୍ଥବିର ଦେହ। ଏହା ହିଁ ଅର୍ଜୁନଙ୍କର ବର୍ତ୍ତମାନ ଅବସ୍ଥା। ସେ ଆପଣାର ‘କର୍ତ୍ତବ୍ୟ’ ଏବଂ ‘ପରିଚୟ’ ସମ୍ବନ୍ଧରେ ମାନସିକ ସ୍ତରରେ ସନ୍ଦିଗ୍ଧ ହେବା ଫଳରେ, ଆପଣାର ସିଦ୍ଧାନ୍ତରେ ମଧ୍ୟ ଭୁଲ ଉପସଂହାରରେ ଉପସ୍ଥିତ ହେଉଛନ୍ତି। ଫଳରେ ସେ ‘ବିଷାଦ’ ଗ୍ରସ୍ତ। ‘କର୍ତ୍ତବ୍ୟ’ ର ଅର୍ଥ ନୁହେଁ ଯେ ବ୍ୟକ୍ତିଦ୍ୱାରା ସମ୍ପନ୍ନ ହୋଇପାରୁଥିବା ସବୁ କର୍ମ, କର୍ତ୍ତବ୍ୟର ପର୍ଯ୍ୟାୟଭୁକ୍ତ ହେବା ନିମିତ୍ତ ଉପଯୁକ୍ତ। ଯାହା ‘କରଣୀୟ’ ତାହା ହିଁ କର୍ତ୍ତବ୍ୟ। ଅର୍ଥାତ୍ ଯେଉଁ କାର୍ଯ୍ୟ/ଦାୟିତ୍ୱ, ଧର୍ମତଃ, ନ୍ୟାୟତଃ, ମୂଲ୍ୟବୋଧ ଦୃଷ୍ଟିରୁ, ନୈତିକ କାରଣରୁ, ସମ୍ପାଦିତ ହେବା ବିଧେୟ, ତାହା ହିଁ ବ୍ୟକ୍ତିର ‘କର୍ତ୍ତବ୍ୟ’। ନୀତି ସମ୍ମୁଖରେ ବ୍ୟକ୍ତିଗତ ସ୍ୱାର୍ଥ, ସମ୍ପର୍କ, ସଂଯୋଗ ଇତ୍ୟାଦି ସ୍ଥୂଳ କ୍ଷଣସ୍ଥାୟୀ ବନ୍ଧନର କୌଣସି ଅର୍ଥ ଥାଇନପାରେ। ସାଧାରଣ ମଣିଷର ସମସ୍ୟା ଅର୍ଜୁନ ନିଜ କ୍ଷେତ୍ରରେ ମଧ୍ୟ ଅନୁଭବ କରୁଛନ୍ତି। ବ୍ୟକ୍ତି ଯେ କର୍ତ୍ତବ୍ୟ ସମ୍ପାଦନ କରିବାର କେବଳ ଏକ ସାଧନ/ମାଧ୍ୟମ, ଜଟିଳ ପରିସ୍ଥିତିରେ ତାହା ହେତୁ କରିବାରେ ଅର୍ଜୁନଙ୍କ ଭଳି ଆମେ ସମସ୍ତେ ବାତୁଳ ହୋଇଯିବା ଅତ୍ୟନ୍ତ ସ୍ୱାଭାବିକ। ଫଳରେ ଅର୍ଜୁନଙ୍କ ଭଳି ଆମେ ସମସ୍ତେ ଆପଣା କର୍ତ୍ତବ୍ୟ ନିରୂପଣରେ ବିଫଳ ହୋଇଥାଉ। ପରିଣାମରେ ଆମେ ବିଚାର ଶକ୍ତି ହରାଇ ପ୍ରଚଣ୍ଡ ବିଫଳତା ଅନୁଭବ କରିଥାଉ। ପରିସ୍ଥିତକୁ ସମ୍ମୁଖୀନ ହେବାର ମାନସିକ ସ୍ଥିରତା ହରାଇ ହୀନମନ୍ୟତା, ମାନସିକ ଦ୍ୱନ୍ଦ୍ୱ, ଆପଣା ପ୍ରତି, ସଂସାର ପ୍ରତି ଏକ ବିତୃଷ୍ଣା ଭାବରେ ଆକ୍ରାନ୍ତ ହୋଇଥାଉ।‘ପରିଣତି’ ପ୍ରତି ଅନାବଶ୍ୟକ ଚିନ୍ତା ପ୍ରକଟ କରି, ପରାଜିତ ହେବାର ଆଶଂକାରେ ଆମେ ଆପଣାର ପରିଚୟ ଭୁଲିଯାଉ; ଆମେ କେବଳ ପ୍ରତ୍ୟେକ ଜଣେ ଜଣେ ବିଧିନିର୍ଦ୍ଦିଷ୍ଟ କର୍ମସମ୍ପାଦନ ନିମିତ୍ତ ନିୟୋଜିତ ପୁରୋହିତ। ଏହି ମହାସତ୍ୟ ପରିବର୍ତ୍ତେ ଆପଣାକୁ ଯଜମାନ / ‘କର୍ତ୍ତା’ ବୋଲି ଅନୁଭବ କରିଥାଉ। ପ୍ରଥମ ପୁରୁଷ ଏକବଚନ, ‘ମୁଁତ୍ୱ’ ଆମର ବିବେକକୁ ଆଚ୍ଛନ୍ନ କରିଦିଏ। ନିଜ ସମ୍ବନ୍ଧରେ ଏକ ଅକାରଣ ସ୍ଫୀତ ଧାରଣା ଆମକୁ ଆତ୍ମଜ୍ଞାନରୁ ଆତ୍ମଶ୍ଲାଘାର ଘନ ଅନ୍ଧକାରକୁ ନିକ୍ଷେପ କରି ଦିଏ।
ଆମର ସମସ୍ୟା ଜନ୍ମନିଏ ଆମ ନିଜସ୍ୱ ଦୁନିଆର ସମ୍ପର୍କରୁ ନିଜସ୍ୱ ସଂରଚନାରୁ, ସ୍ୱାର୍ଥପରତାରୁ ଏବଂ ଅନୈତିକ ସ୍ୱାଭିମାନରୁ। ଅର୍ଜୁନଙ୍କ ସମସ୍ୟାର ରୂପରେଖ ଠିକ୍ ଆମ ଦୁନିଆର ଚିତ୍ର ପ୍ରଦାନ କରିଥାଏ। ତାଙ୍କ ଚାରିପଟେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ଜନସମୁଦ୍ର ତାଙ୍କର ଅତି ଆପଣାର। ଉପସ୍ଥିତ ବୀରମହାବୀରମାନଙ୍କ ସହ ଅର୍ଜୁନ ରକ୍ତ ସମ୍ପର୍କ ସହ ସାମାଜିକ, ରାଜନୈତିକ, ନୈତିକ, ଶିକ୍ଷାଗତ, ସ୍ନେହ-ଆଦର ସମ୍ଭୂତ ବିଭିନ୍ନ ସମ୍ପର୍କ ଡୋରିରେ ଅନୁବନ୍ଧିତ। ବିଚାର କଲେ; ସାଧାରଣ ମଣିଷର ଜୀବନ କ୍ଷେତ୍ରରେ ମଧ୍ୟ ସବୁ ସମସ୍ୟା ଆପଣାର ପରିବେଶ ଓ ସମ୍ପର୍କରୁ ଜନ୍ମ ନେଇଥାଏ। ସମ୍ପର୍କ ଯେତେ ସୁଦୂର ପ୍ରସାରୀ ହୁଏ, ସମସ୍ୟା ମଧ୍ୟ ସେହି ପରିମାଣରେ କଠିନ ଓ ଦୁଃଖଦାୟକ ହୋଇଥାଏ। ପିତାମହ ଭୀଷ୍ମ, ଗୁରୁଦ୍ରୋଣ, ଭ୍ରାତା କୌରବକୁଳଠାରୁ ସାଧାରଣ ସୈନିକ ପର୍ଯ୍ୟନ୍ତ – ସମସ୍ତଙ୍କ ସହ ସାଧାରଣ ମଣିଷ ଭଳି ଅର୍ଜୁନ ମଧ୍ୟ ସମ୍ପର୍କିତ ଓ ବିଭିନ୍ନ ଭାବରେ ସେମାନଙ୍କ ନିଟକରେ ଋଣୀ। ସମସ୍ୟାର ସମାଧାନ ଲାଗି ଯେତେସବୁ ଶାନ୍ତି ପ୍ରକ୍ରିୟା ସେ ସବୁ ପାଣ୍ଡବକୁଳ ପ୍ରୟୋଗ କରିସାରିଛନ୍ତି; ଆପୋଷ ଆଲୋଚନା, ମଧ୍ୟସ୍ଥ ପ୍ରେରଣ, ସ୍ୱାର୍ଥ ଅଧିକାର ପରିତ୍ୟାଗର ଆଶ୍ୱାସନା, ତାଙ୍କ ପ୍ରତି କରାଯାଇଥିବା ସମସ୍ତ ଅବହେଳା, ଅତ୍ୟାଚାରର ଆପାତଃ କ୍ଷମା ପ୍ରଦାନ ଇତ୍ୟାଦି। ସାଧାରଣ ମଣିଷର ମଧ୍ୟ ସମାନ ଅବସ୍ଥା ହୋଇଥାଏ। ଯୁଦ୍ଧ/ହିଂସା କେବଳ ଶେଷ ଉପାୟ ଭାବରେ ଗ୍ରହଣ କରାଯାଇଥାଏ। ଆପଣାର ଅଧିକାର ସାବ୍ୟସ୍ତ କରିବା ପାଇଁ ଯାହା ନୀତି, ଯାହା ସତ୍ୟ ଧର୍ମ ଓ ଶାଶ୍ୱତ ତା’ର ସୁରକ୍ଷା ନିମିତ୍ତ ମଣିଷ ଅର୍ଜୁନ ପାଲଟିବାକୁ ବାଧ୍ୟ, ଯୁଦ୍ଧ ହିଁ ଏଠାରେ ‘କର୍ତ୍ତବ୍ୟ’ ଏବଂ ତାହା ହିଁ ‘କରଣୀୟ’।
ମହାଭାରତରେ ପାଣ୍ଡବମାନଙ୍କର ସମସ୍ୟାର ମୂଳକାରଣ ହେଲେ ଦ୍ରୌପଦୀ। ଯୁଦ୍ଧ କ୍ଷେତ୍ରରେ ସେ ଉପସ୍ଥିତ ନାହାନ୍ତି ସତ; କିନ୍ତୁ ସାଙ୍କେତିକ ଦୃଷ୍ଟିରୁ ସେ ହିଁ ଭାରତ ଯୁଦ୍ଧର ନାଭି କେନ୍ଦ୍ରରେ ବିଦ୍ୟମାନ। ତାଙ୍କୁ ସାମାନ୍ୟ ନାରୀ ବୋଲି ଜ୍ଞାନ କରାଯାଇନପାରେ। ଦ୍ରୌପଦୀ ହେଉଛନ୍ତି ନୀତି, ଧର୍ମ, ଆଦର୍ଶ, ସମ୍ମାନ, ଅଧିକାର, ସତ୍ୟ, ନ୍ୟାୟ ଭଳି ଅର୍ବୁଦ ସଦ୍ଗୁଣର ମହାଦେବୀ; ତାଙ୍କର ମାନମର୍ଯ୍ୟାଦାର ସୁରକ୍ଷା ନହେଲେ ସଂସାରର କୌଣସି ଅର୍ଥ ରହିବନାହିଁ। ସାଧାରଣ ମଣିଷ ଦେଶ ଲାଗି ପ୍ରାଣବଳି ଦିଏ, ଆପଣାର ଆସ୍ଥା, ବିଶ୍ୱାସ ଲାଗି ଜୀବନକୁ ବାଜି ଲଗାଇପାରେ, ହାରଜିତ କିମ୍ବା ଜୀବନମୃତ୍ୟୁର ହିସାବ କରେ ନାହିଁ, କ୍ଷମତା ଅକ୍ଷମତାର ତଉଲ କରିବାକୁ ଅଟକି ଯାଏ ନାହିଁ, ଅନାଗତ ପରିଣତି ଚିନ୍ତାକରି ବିଷାଦଗ୍ରସ୍ତ ହୁଏନାହିଁ; କିନ୍ତୁ ଅର୍ଜୁନ ଏଠାରେ ବିଷାଦଗ୍ରସ୍ତ। କାରଣ ସେ ଆପଣାର ‘କର୍ତ୍ତବ୍ୟ’ ପ୍ରତି ଅନୁବନ୍ଧିତ ହେବାରେ ବିଫଳ ହେବା ସହ, ଆପଣାର କ୍ଷମତା ସମ୍ବନ୍ଧରେ ମଧ୍ୟ ଉଦାସୀନ ହୋଇପଡ଼ିଛନ୍ତି। ଆତ୍ମିକ ସ୍ତରରେ ଏହା ଏକ ପ୍ରାୟାନ୍ଧକାର ଅବସ୍ଥା। କର୍ତ୍ତବ୍ୟ ଓ ପରିଣତି ମଧ୍ୟରେ ଥିବା ପ୍ରଭେଦ ଓ ଦୂରତ୍ୱ ସମ୍ବନ୍ଧରେ ଅର୍ଜୁନ ପ୍ରାୟତଃ ଅଚେତନ। ବହୁ ସମୟରେ ମଣିଷର ସମସ୍ୟାର କାରଣ ସେ ନିଜେ ନ ହୋଇ ଥାଇପାରେ। ପରିସ୍ଥିତି, ଭାଗ୍ୟ ବ୍ୟକ୍ତିକୁ ଜୀବନର ବିଚିତ୍ର ସନ୍ଧିକ୍ଷଣରେ ଉପସ୍ଥିତ କରାଇ ଦେଇପାରେ। ସେ ସମସ୍ୟାର ସୂତ୍ରଧର/କାରଣ ନହୋଇ ମଧ୍ୟ ଉପସଂହାରରେ ସମାଧାନର ସୂତ୍ର ଲେଖିବାକୁ ବାଧ୍ୟ ହୋଇପାରେ; ଯେପରି ଅର୍ଜୁନଙ୍କର ସମସ୍ୟା ନିମିତ୍ତ ସେ ଯେ ସମ୍ପୂର୍ଣ୍ଣ ଦାୟୀ, ଏପରି ଶେଷ କଥା କରାଯାଇ ନପାରେ; କିନ୍ତୁ ସମସ୍ୟାର ସମ୍ମୁଖୀନ ହେବା ଏବଂ ତାର ସମାଧାନ ପ୍ରତି କର୍ମ କରିବା ତାଙ୍କର ଦାୟିତ୍ୱ, ଏହା ହିଁ ସତ୍ୟ। ସାଧାରଣ ମଣିଷ ହେଉ କିମ୍ବା ଅର୍ଜୁନ ହୋଇଥାନ୍ତୁ, ସମସ୍ୟାକୁ ଏଡ଼ାଇ ଦେଇ ଚାଲିଯିବା କାପୁରୁଷପଣିଆ, ଅକରଣୀୟ। ସମସ୍ୟା ଉପୁଜିଲେ ମଣିଷ ଏକୁଟିଆ ପଡ଼ିଯାଏ, ଏହା ସଂସାରର ନିୟମ। ଅର୍ଜୁନଙ୍କ ଅବସ୍ଥା ତଦ୍ରୂପ। ବିଶାଳ ସେନାନୀ ସମ୍ମୁଖରେ ସେ ନିତାନ୍ତ ଭାବରେ ଏକା। ଶ୍ରୀକୃଷ୍ଣ ସାରଥି, ତାଙ୍କ ନିର୍ଦେଶରେ ରଥବାହି ନେବେ; କିନ୍ତୁ ପଥ ଚୟନ, କର୍ମ ସମ୍ପାଦନ, କର୍ତ୍ତବ୍ୟ ପାଳନ ତାଙ୍କର ନିଜସ୍ୱ ସିଦ୍ଧାନ୍ତ। ଶ୍ରୀକୃଷ୍ଣ ତାଙ୍କ କର୍ମରେ ଅଂଶୀଦାର ନୁହନ୍ତି, କର୍ମରୁ ଉତ୍ପନ୍ନ ପରିଣତିରେ ମଧ୍ୟ ଭାଗୀଦାର ନୁହନ୍ତି। ସେ ତାଙ୍କ ପ୍ରେରଣାର ଉତ୍ସ, ସୁରକ୍ଷାର କବଚ କିନ୍ତୁ ସେ ପକ୍ଷଭୁକ୍ତ ନୁହନ୍ତି; ତାଙ୍କ ସପକ୍ଷରେ ଅସ୍ତ୍ରଧାରଣ କରିବେ ନାହିଁ। ଯୁଦ୍ଧ ଅର୍ଜୁନଙ୍କର କର୍ତ୍ତବ୍ୟ। ସମସ୍ୟାର ନିଦାନ, ନିରୂପଣ ଏବଂ ପ୍ରଶମନ ସର୍ବଦା ବ୍ୟକ୍ତିର ନିଜସ୍ୱ ଦାୟିତ୍ୱ।
ଏଠାରେ ଶ୍ରୀକୃଷ୍ଣ-ଅର୍ଜୁନ ସମ୍ପର୍କର ଅନୁଶୀଳନ ଦୁରୂହ ନୁହେଁ। ଶ୍ରୀକୃଷ୍ଣ ଅର୍ଜୁନଙ୍କର ସଖା ଉପଦେଷ୍ଟା, ତତ୍ତ୍ୱଦର୍ଶୀ, ସୁଖଦୁଃଖରେ ସାଥୀ; କିନ୍ତୁ ସମାଧାନର ପନ୍ଥା ନିର୍ଦ୍ଧାରଣ ଏବଂ ଏହାର ସମ୍ପାଦନ ଅର୍ଜୁନଙ୍କର ସମ୍ପୂର୍ଣ୍ଣ ନିଜସ୍ୱ ଦାୟିତ୍ୱ। ଅନ୍ୟ ଦୃଷ୍ଟିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କର ‘ବିବେକ’, ‘ଅନ୍ତଃସ୍ୱର’ର ମୂର୍ତ୍ତିମନ୍ତ ପ୍ରତିରୂପ ମାତ୍ର। ସମସ୍ୟା ମୁହୂର୍ତ୍ତରେ ଏକୁଟିଆ ବ୍ୟକ୍ତିର ଏକାନ୍ତ ସାଥୀ ହେଉଛି ଆପଣାର ବିବେକ ବାଣୀ। ତାହା ହିଁ ବ୍ୟକ୍ତିକୁ ସତ୍ମାର୍ଗରେ ପରିଚାଳିତ କରିବାକୁ ସମର୍ଥ ହୋଇପାରେ। ମନେ ରଖିବାର କଥା ଯେ ବ୍ୟକ୍ତିର ବିବେକ କେବେହେଲେ କୌଣସି ପରିସ୍ଥିତିରେ ବିଚଳିତ କିମ୍ବା ପ୍ରଭାବିତ ହୁଏ ନାହିଁ। ତେଣୁ ଅନ୍ତଃସ୍ୱର ସର୍ବଦା ନ୍ୟାୟ ପ୍ରଦାୟୀ ଓ ଅପରିବର୍ତ୍ତନୀୟ ଥାଏ। କେବଳ ତା’କୁ ଶୁଣିବାର ବୁଝିବାର ପାରଦର୍ଶିତା ବ୍ୟକ୍ତି ଉପରେ ନ୍ୟସ୍ତ ରହିଥାଏ। ସମସ୍ୟାରେ ସବୁ ଅର୍ଜୁନମାନଙ୍କ ନିମିତ୍ତ ସେମାନଙ୍କର ଆପଣା ଅନ୍ତରର ନିର୍ଦେଶ ହିଁ ସେମାନଙ୍କ ନିମିତ୍ତ ଆପଣାର ଶ୍ରୀକୃଷ୍ଣ ସାରଥି। ସାଧାରଣ ଭାବରେ ସମସ୍ତେ ଜାଣନ୍ତି ଯେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଲେ, ‘ନିଷ୍କାମ କର୍ମରେ ବ୍ରତୀ ହୁଅ, ଆପଣା କର୍ତ୍ତବ୍ୟ ସମ୍ପାଦନ କର, ଫଳ ସମ୍ବନ୍ଧରେ ଚିନ୍ତା କରନାହିଁ। କର୍ମ ସମ୍ପାଦନ ଦାୟିତ୍ୱ ବ୍ୟକ୍ତିର ଅଧୀନ; କିନ୍ତୁ ପରିଣତିର ସ୍ୱରୂପ ନିର୍ଦ୍ଧାରଣ/ନିୟନ୍ତ୍ରଣ ତା’ର କ୍ଷମତା ଅନ୍ତର୍ଭୁକ୍ତ ହୋଇନପାରେ।’ କର୍ତ୍ତବ୍ୟ ସମ୍ପାଦନ କାଳରେ ଅନୁଶୋଚନା, ଆବେଗ, ଆକାଂକ୍ଷା ଦ୍ୱାରା ଆକ୍ରାନ୍ତ ହେବା ଅନାବଶ୍ୟକ। କାରଣ ଜୀବନ କ୍ଷେତ୍ରରେ ସୁଖଦୁଃଖର ଅନୁଭବ ମଧ୍ୟ ଏକ ନିରର୍ଥକ ଦେହଜ ପ୍ରକ୍ରିୟା; ସୁଖଦୁଃଖର କାର୍ଯ୍ୟକାରଣ ଇନ୍ଦ୍ରିୟମାନଙ୍କ ଦ୍ୱାରା ସୃଷ୍ଟି ହୋଇଥାନ୍ତି। ସେମାନେ ପରିବର୍ତ୍ତନଶୀଳ, କ୍ଷଣସ୍ଥାୟୀ, ଅସ୍ଥିର ଅବସ୍ଥା ଅଟନ୍ତି। ପରିସ୍ଥିତିର ପରିବର୍ତ୍ତନ ସହ ସେମାନଙ୍କର ଦୃଶ୍ୟାନ୍ତର ହୋଇଯାଏ। ଯେହେତୁ ଦେହ କ୍ଷୟମାଣ, ଜନ୍ମିତ ପ୍ରାଣୀର ମୃତ୍ୟୁ ଅନିବାର୍ଯ୍ୟ, ଇନ୍ଦ୍ରିୟ ଅନୁଭବର ସ୍ଥାୟିତ୍ୱ ଉପରେ ଭରସା କରାଯିବା ସଦାସର୍ବଦା ଅନୁଚିତ। ତେଣୁ ଦୃଶ୍ୟମାନ ଭୌତିକ ଦୁନିଆର ସବୁ ବସ୍ତୁ, ସମ୍ପର୍କ, ବିଭବ, ଭୋଗ, ଅନିଭୋଗ ଅନିଶ୍ଚିତ ଏବଂ ବିନାଶକାରୀ କାଳର ଅଧୀନ। ବାହ୍ୟଜଗତ କେବଳ ପଦ୍ମପତ୍ରେ ନୀର ପ୍ରାୟ, ଦେହର ପିଞ୍ଜରା ମଧ୍ୟରେ ସାମୟିକ ଭାବରେ ଆଶ୍ରୟ ନେଇଥିବା ଆତ୍ମା ହିଁ ଅନନ୍ତ, ଅମୃତ, ଅଜର, ଅମର, ଅକ୍ଷୟ। ସେ ଆଦ୍ୟ-ମଧ୍ୟ-ଅନ୍ତ ବିବର୍ଜିତ। ତେଣୁ ସେ ମୃତ୍ୟୁର ଅଧୀନ ନୁହେଁ। ଆତ୍ମା କାହାରିକି ହତ କରେ ନାହିଁ କିମ୍ବା ନିଜେ ନିହତ ହୁଏ ନାହିଁ। ତେଣୁ ଯାହା ଅନିତ୍ୟ ସେଥିଲାଗି ‘ବିଷାଦ’ ଅନୁଭବ ଅକାରଣ। ଆତ୍ମା ସର୍ବଘଟରେ ସର୍ବଦା ସମାନ ରୂପରେ ବିଦ୍ୟମାନ ରହିଥାଏ। ଅର୍ଜୁନଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଉପଦେଶ ସାଧାରଣ ମଣିଷର ପ୍ରଚଣ୍ଡ ‘ମୃତ୍ୟୁ’ ଭୟକୁ ନିବାରଣ କରିବାକୁ ଯଥେଷ୍ଟ। ସେହି ଦୃଷ୍ଟିରୁ ବ୍ୟକ୍ତି ଆପଣା କର୍ତ୍ତବ୍ୟ କର୍ମ ପ୍ରତି ବିମୁଖ ହେବା ଅନୁଚିତ। ଏହାର କାରଣ ମଧ୍ୟ କୃଷ୍ଣ ଅର୍ଜୁନଙ୍କ ସମ୍ବାଦରେ ମିଳିପାରେ। କର୍ମ ପ୍ରତି ପରାଙ୍ମୁଖ ବ୍ୟକ୍ତି ସଂସାରରେ ଜୀବନ କାଳରେ ଏବଂ ମୃତ୍ୟୁ ପରେ ମଧ୍ୟ ଅପଯଶ ଭୋଗ କରେ। ନ୍ୟାୟର ପକ୍ଷ ସମର୍ଥନ କରି ବିଜୟ ପ୍ରାପ୍ତ ହେଲେ ‘ମହୀ-ଭୋଗ’ ଏବଂ ଜୟ ଜୟ କାର ସୁନିଶ୍ଚିତ; ଯଦି ମୃତ୍ୟୁ ପ୍ରାପ୍ତ ହୁଏ, ତେବେ ‘ସ୍ୱର୍ଗପ୍ରାପ୍ତି’। ସ୍ୱର୍ଗ ଏଠାରେ କୌଣସି ସ୍ଥାନର ଠିକଣା ପ୍ରଦାନ କରେ ନାହିଁ। ଏହା ସାମଗ୍ରିକ ସଦ୍ଗୁଣମାନଙ୍କର ସମନ୍ୱିତ ସଂଜ୍ଞା ବାଚକ ଶବ୍ଦ ରୂପେ ପ୍ରୟୋଗ କରାଯାଇଛି। ଭୌତିକ ସୁଖ ଏବଂ ଅମରତ୍ୱ ଉଭୟରେ କର୍ତ୍ତବ୍ୟ ପ୍ରତି ସମର୍ପିତ ବ୍ୟକ୍ତିର ଅଧିକାର ସ୍ୱୀକାର୍ଯ୍ୟ। ଏହା ହିଁ ଏଠାରେ ଶ୍ରୀକୃଷ୍ଣ ସାବ୍ୟସ୍ତ କରିଛନ୍ତି। ଏହି କ୍ଷେତ୍ରରେ ଅର୍ଜୁନ ଏବଂ ଜଣେ ସାଧାରଣ ମଣିଷ ଏକ ଓ ଅଭିନ୍ନ ମନେହେବା ସହଜ। ଗୀତାର ଅମୃତ ସଂଦେଶ, ‘ହେ ମାନବ! ବନ୍ଧନମୁକ୍ତ ହୋଇ କର୍ମରେ ବ୍ରତୀ ହୁଅ। ପରିଣତି ତୁମର ନିୟନ୍ତ୍ରଣାଧୀନ ନହୋଇପାରେ କିନ୍ତୁ ଯଶକୀର୍ତ୍ତି ପ୍ରାପ୍ତି ସୁନିଶ୍ଚିତ।’
ଶ୍ରୀମଦ୍ ଭଗବଦ୍ ଗୀତା କୌଣସି ନିର୍ଦିଷ୍ଟ ଧର୍ମର ପ୍ରଚାର ପୁସ୍ତିକା ନୁହେଁ। ଏହାକୁ ‘ଧର୍ମଗ୍ରନ୍ଥ’ କହି ଅଧ୍ୟୟନରୁ ଏହାକୁ ପ୍ରତ୍ୟାହୃତ କରିନେବା ମଧ୍ୟ ଅକ୍ଷମଣୀୟ। ନିରପେକ୍ଷ ବିଚାରରେ, ଗୀତା ମଣିଷ ପ୍ରଜାତି ନିମିତ୍ତ, ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ ଓ କାଳ ବିଚାର ଊର୍ଦ୍ଧ୍ବରେ ଭାରତୀୟ ସନାତନ ସଂସ୍କୃତି ଦ୍ୱାରା ପ୍ରସ୍ତୁତ ଶୁଦ୍ଧ ଆଧ୍ୟାତ୍ମିକ ଆଚାର ସଂହିତା। ଏହା ପ୍ରତି ମଣିଷ ନିମିତ୍ତ ଉନ୍ନତ ଜୀବନ ବଞ୍ଚିବାର ଏକମାତ୍ର ପବିତ୍ର ମାର୍ଗଦର୍ଶୀ ନୈତିକ ସମ୍ବିଧାନ।
Comments are closed.