ଈଶ୍ବର ଭାବନାର କ୍ରମବିକାଶ: ଏକ ଦୃଷ୍ଟିପାତ
‘ଈଶ୍ବର’ ଏକ ଭାବନା, ଏକ ପ୍ରତ୍ୟୟ। ମାନବ ସଭ୍ୟତାର କ୍ରମବିକାଶର ଧାରାରେ ଏହି ଭାବନାର ମଧ୍ୟ କ୍ରମ ବିବର୍ତ୍ତନ ଘଟିଛି। ବିଶେଷକରି ଧର୍ମ, ଦର୍ଶନ, ଲୋକବିଶ୍ବାସ ଓ କେତେକ ସାମାଜିକ ବିଜ୍ଞାନ ଈଶ୍ବର ଭାବନା ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ମତ ପ୍ରକାଶ କରିଆସିଛନ୍ତି। ସଭ୍ୟତାର କ୍ରମବିକାଶର କାହାଣୀ ବା ମାନବ ଜାତିର ଇତିହାସ ସମ୍ପର୍କରେ ଲେଖାଯାଇଥିବା ବହୁ ପାଣ୍ତିତ୍ବପୂର୍ଣ୍ଣ ଓ ଗବେଷଣାତ୍ମକ କୃତି ମଧ୍ୟରେ ମାନବଜାତିର ଚିନ୍ତା, ଚେତନା, ଦାର୍ଶନିକ ଭାବଧାରା ଇତ୍ୟାଦିର କିପରି କ୍ରମ ବିବର୍ତ୍ତନ ଘଟିଛି ତାହା ଜଣାପଡ଼ିଥାଏ। ଆଧୁନିକ ବିଜ୍ଞାନ ମତରେ ପୃଥିବୀ ପୃଷ୍ଠରେ ଆଧୁନିକ ମଣିଷମାନଙ୍କର ଆବିର୍ଭାବ ପ୍ରାୟ ପଚାଶ ହଜାରରୁ ଏକଲକ୍ଷ ବର୍ଷ ତଳେ ହୋଇଥିଲା। ଆଦିମ ଅବସ୍ଥାରେ ମଣିଷ ଯାଯାବର ଭାବେ ଜୀବନ ନିର୍ବାହ କରୁଥିଲା।
ପ୍ରାୟ ଆଠ ଦଶ ହଜାର ବର୍ଷ ତଳେ କୃଷିର ଧାରଣା ଆସିବା ପରେ ମଣିଷ ବିଭିନ୍ନ ନଦୀକୂଳରେ କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀରେ ରହିଲା। ସ୍ଥାୟୀ ଭାବରେ ରହିବା ପରିଣାମରୁ ପୃଥିବୀରେ ହଜାର ହଜାର ଭାଷାର ଉତ୍ପତ୍ତି ହେଲା, କୃଷିର ଜ୍ଞାନ ବିକଶିତ ହେଲା, ପ୍ରକୃତିରେ ଉପଲବ୍ଧ ହେଉଥିବା ବିଭିନ୍ନ ଉପାଦାନରୁ ବସ୍ତୁ ନିର୍ମାଣ କରିବାର ସାମର୍ଥ୍ୟ ଧୀରେ ଧୀରେ ମଣିଷ ହାସଲ କଲା ଓ ସଭ୍ୟତାର କ୍ରମ ବିକାଶର ଯାତ୍ରା ଆରମ୍ଭ ହେଲା। ଆର୍ନଲଡ ଟଏନବି ‘ଏ ଷ୍ଟଡି ଅଫ୍ ହିଷ୍ଟ୍ରି’ ଶିରୋନାମାରେ ଲେଖିଥିବା ବାର ଖଣ୍ଡ ପୁସ୍ତକରେ ଖ୍ରୀ.ପୂ. ଦୁଇ ହଜାର ବର୍ଷ ବେଳକୁ ପୃଥିବୀର ବିଭିନ୍ନ ଭୂଖଣ୍ଡରେ ଏକୋଇଶିଟି ପ୍ରାଚୀନ ସଭ୍ୟତା ରହିଥିବାର ବର୍ଣ୍ଣନା ଦେଇଛନ୍ତି। ସଭ୍ୟତାର ଆରମ୍ଭ ପର୍ବରେ ମନୁଷ୍ୟର ଜ୍ଞାନ ଅତି ସୀମିତ ରହିଥିଲା, ବିଶାଳ ପ୍ରକୃତି ତା’ ପାଇଁ ରହସ୍ୟମୟ ହୋଇ ରହିଥିଲା। ସଭ୍ୟତାର ଆରମ୍ଭ ପର୍ବରେ ମନୁଷ୍ୟ ପ୍ରାକୃତିକ ବସ୍ତୁ, ଯଥା- ସୂର୍ଯ୍ୟ, ଚନ୍ଦ୍ର, ପାହାଡ଼, ପର୍ବତ, ବୃକ୍ଷ, ନଦୀ ଇତ୍ୟାଦିକୁ ଦେବତା ମନେକରି ପୂଜା କରୁଥିଲା ଓ ପ୍ରତ୍ୟେକରେ ଜୀବନସତ୍ତା ରହିଥିବା ବିଶ୍ବାସ କରୁଥିଲା।
ସଭ୍ୟତାର ସେହି ପର୍ବରେ ଜଡ଼ପ୍ରାଣବାଦ ବା ଆନିମିଜିମର ଭାବନା ସୃଷ୍ଟି ହୋଇଥିଲା। ଯେତେବେଳେ ବିଭିନ୍ନ ଜନଜାତି ରହିଥିବାର ଧାରଣା ଆସିଲା, ସେତେବେଳେ ବିଶ୍ବାସ ସୃଷ୍ଟି ହେଲା ଯେ ପ୍ରତ୍ୟେକ ଜନଜାତି ଏକ ନିର୍ଦିଷ୍ଟ ଦେବତାଙ୍କ ପାଖରୁ ସୃଷ୍ଟି ହୋଇଛି ଓ ଏକ ଜନଜାତିର ଲୋକ ତାଙ୍କ ଦେବତାଙ୍କୁ ପୂଜା କରିବା ଆବଶ୍ୟକ। ଏହି ଭାବନାକୁ ଏକୈକାଧିଦେବବାଦ ବା ହିନୋଥେଇଜିମ୍ କୁହାଗଲା। ଖ୍ରୀ.ପୂ. ଏକ ହଜାର ବର୍ଷଠାରୁ ପ୍ରାୟ ପନ୍ଦର ଶହ ବର୍ଷ ଧରି ବିଭିନ୍ନ ସଭ୍ୟତାରେ କେତେକ ଚିନ୍ତାଶୀଳ ବ୍ୟକ୍ତିତ୍ବଙ୍କ ବିଚାର ଓ ଭାବଧାରାକୁ ନେଇ ଏକ ଏକ କ୍ରାନ୍ତିକାରୀ ସାଂସ୍କୃତିକ ଜାଗରଣ ଆସିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସେହି ସାଂସ୍କୃତିକ ଜାଗରଣକୁ ‘ଧର୍ମ’ କୁହାଗଲା। ଆନୁଷ୍ଠାନିକ ଧର୍ମମାନଙ୍କର ବିକାଶ ପୂର୍ବରୁ ବହୁ ଈଶ୍ବରବାଦ ବା ପଲିଥେଇଜିମ୍ର ଭାବନା ସବୁ ସଭ୍ୟତାରେ ରହିଥିଲା।
ପୁରୁଷକୈନ୍ଦ୍ରିକ ସମାଜ ବ୍ୟବସ୍ଥାରେ ଦେବତାମାନଙ୍କୁ ପୁରୁଷ ବୋଲି ବିଶ୍ବାସ କରାଯାଉଥିଲା, ନାରୀକୈନ୍ଦ୍ରିକ ସମାଜ ବ୍ୟବସ୍ଥାରେ ବହୁ ଦେବୀଙ୍କର ପରିକଳ୍ପନା ସଭ୍ୟତାମାନଙ୍କରେ ସୃଷ୍ଟି ହୋଇଥିଲା। ବିଶ୍ବାସ ଥିଲା ଯେ ପ୍ରକୃତିର ପ୍ରତ୍ୟେକ କ୍ଷେତ୍ର ଓ ଜୀବନର ବିଭିନ୍ନ ବିଭାଗକୁ ଭିନ୍ନ ଭିନ୍ନ ଦେବ ଓ ଦେବୀ ନିୟନ୍ତ୍ରଣ କରୁଛନ୍ତି। ଜୀବନ, ଜନ୍ମ, ମୃତ୍ୟୁ, ଜ୍ଞାନ, ଧନ, ବିବାହ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ର କେହି ଈଶ୍ବରଙ୍କ ଦ୍ବାରା ନିୟନ୍ତ୍ରିତ ହେଉଛି। ସେହିପରି ଜଳ, ବାୟୁ, ଅଗ୍ନି ଇତ୍ୟାଦି ମଧ୍ୟ ଭିନ୍ନ ଭିନ୍ନ ଦେବତାଙ୍କ ଦ୍ବାରା ପରିଚାଳିତ ହେଉଛି। ବହୁ ଦେବବାଦ, ପ୍ରତିମା ପୂଜା, ବଳିପ୍ରଥା ପ୍ରାୟତଃ ସବୁ ପ୍ରାଚୀନ ସଭ୍ୟତାମାନଙ୍କରେ ରହିଥିବା ଜଣାଯାଏ। ତେବେ ବହୁ ଈଶ୍ବରବାଦରୁ ଏକେଶ୍ବରବାଦର ଭାବନା ବିଭିନ୍ନ କ୍ରାନ୍ତିକାରୀ ବ୍ୟକ୍ତିଙ୍କ ଦ୍ବାରା ଆସିଥିବା ସାଂସ୍କୃତିକ ଜାଗରଣରୁ ସୃଷ୍ଟି ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଆନୁଷ୍ଠାନିକ ଧର୍ମର ରୂପ ନେଲା।
ଈଶ୍ବର ଭାବନା ପୃଷ୍ଠଭୂମିରେ ଧର୍ମମାନଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ, ଯଥା- ଈଶ୍ବରବାଦୀ ଧର୍ମ ଓ ନିରୀଶ୍ବରବାଦୀ ଧର୍ମ। ବୌଦ୍ଧଧର୍ମ, ଜୈନଧର୍ମ, ଟାଓଧର୍ମରେ ଈଶ୍ବର ଭାବନା ନାହିଁ। ତେବେ ଏକ ଶୃଙ୍ଖଳିତ ଓ ଉତ୍କର୍ଷ ଜୀବନ ପାଇଁ ନୈତିକତାକୁ ମୁଖ୍ୟ ସ୍ଥାନ ଦିଆଯାଇଛି। ଈଶ୍ବରବାଦୀ ଧର୍ମମାନଙ୍କ ମଧ୍ୟରେ ଇହୁଦୀ ଧର୍ମ, ଜୋରାଷ୍ଟ୍ରିଆନ ଧର୍ମ, ଖ୍ରୀଷ୍ଟଧର୍ମ, ଇସଲାମ ଧର୍ମରେ ଏକେଶ୍ବରବାଦର ପରିକଳ୍ପନା ରହିଛି। ଅର୍ଥାତ୍ ଈଶ୍ବର ଏକ, ଅଦ୍ବିତୀୟ ଓ ଚିରନ୍ତନ ସତ୍ୟ। ହିନ୍ଦୁ ଧର୍ମର କେତେକ ସମ୍ପ୍ରଦାୟରେ ଏକେଶ୍ବରବାଦର ଭାବନା ରହିଛି ଓ ଅନ୍ୟ ଗୋଷ୍ଠୀରେ ବହୁ ଈଶ୍ବରବାଦର ଭାବନା ମଧ୍ୟ ରହିଛି। ପୃଥିବୀର ବିଭିନ୍ନ ସଭ୍ୟତା ଧର୍ମମାନଙ୍କର ଅଭ୍ୟୁଦୟ ପରେ ଧର୍ମର ଭାବନା ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରତ୍ୟେକ ସଭ୍ୟତାର ସାହିତ୍ୟ, ସଂସ୍କୃତି, କଳା, ସ୍ଥାପତ୍ୟ, ରାଜନୀତି, ସମାଜର ନୀତି ନୈତିକତା, ଦାର୍ଶନିକ ଭାବନା ଇତ୍ୟାଦି ଧାର୍ମିକ ଭାବନା ଦ୍ବାରା ପ୍ରଭାବିତ ହୋଇଛି। ବିଭିନ୍ନ ସଭ୍ୟତାରେ ଯେତେବେଳେ ଦର୍ଶନ ମାଧ୍ୟମରେ ବୌଦ୍ଧିକ ଜିଜ୍ଞାସା ପ୍ରକାଶ ପାଇଛି ସେତେବେଳେ ଈଶ୍ବର ଭାବନାକୁ ଆଧାର କରି ବହୁ କାଳ୍ପନିକ ସିଦ୍ଧାନ୍ତମାନଙ୍କର ଅଭ୍ୟୁଦୟ ହୋଇଛି।
ଏହା ସାଧାରଣରେ ବିଶ୍ବାସ କରାଯାଇଛି ଯେ ଈଶ୍ବର ଜଗତର ସୃଷ୍ଟିକର୍ତ୍ତା ଓ ସବୁ କିଛି ସେ ସୃଷ୍ଟି କରିଛନ୍ତି। ଗୋଟିଏ ବିଶ୍ବାସ ହେଉଛି ଈଶ୍ବର ଶୂନ୍ୟରୁ ସବୁକିଛି ସୃଷ୍ଟି କରିଛନ୍ତି। ସୃଷ୍ଟି ପୂର୍ବରୁ କେବଳ ଈଶ୍ବର ଥିଲେ, ଅନ୍ୟ କିଛି ନଥିଲା। ସେ କହିଲେ ଆଲୋକ ହେଉ, ଶୂନ୍ୟରୁ ଆଲୋକ ସୃଷ୍ଟି ହେଲା। ସେହି ଧାରାରେ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ନଦୀ, ସମୁଦ୍ର, ବିଭିନ୍ନ ପ୍ରାଣୀ ଓ ମନୁଷ୍ୟମାନଙ୍କୁ ଈଶ୍ବର ଶୂନ୍ୟରୁ ସୃଷ୍ଟି କଲେ। ଅନ୍ୟ ଏକ ମତରେ ଈଶ୍ବର ସ୍ରଷ୍ଟା; କିନ୍ତୁ ସେ ଶୂନ୍ୟରୁ ସୃଷ୍ଟି କରିନାହାନ୍ତି। ପ୍ରକୃତିର ମୌଳିକ ଉପାଦାନମାନଙ୍କୁ ନେଇ ସେ ସବୁକିଛି ସୃଷ୍ଟି କରିଛନ୍ତି, ସୁତରାଂ ଈଶ୍ବର ଯେପରି ସନାତନ, ପ୍ରକୃତି ମଧ୍ୟ ସେହିପରି ସନାତନ। ଈଶ୍ବର ଜଗତର ନିମିତ୍ତ କାରଣ, ସେ ଉପାଦାନ କାରଣ ନୁହନ୍ତି। କେତେକ ଈଶ୍ବରଙ୍କୁ ଉଭୟ ଉପାଦାନ କାରଣ ଓ ନିମିତ୍ତ କାରଣ ଭାବେ ଗ୍ରହଣ କରନ୍ତି, ଅନ୍ୟ କେତେକ କେବଳ ନିମିତ୍ତ କାରଣ ବୋଲି ନିଅନ୍ତି। ଅନ୍ୟ କେତେକ ଭାବନ୍ତି ଯେ ଈଶ୍ବର କିଛି କାରଣ ହିଁ ନୁହନ୍ତି, କାରଣ ଜଗତ କେବଳ ଏକ ମାୟା, ଏକ ଭ୍ରାନ୍ତି। ଏହାର କୌଣସି ପରମାର୍ଥିକ ଅସ୍ତିତ୍ବ ହିଁ ନାହିଁ। ପୁନଶ୍ଚ ପ୍ରଶ୍ନ ହେଲା ଯଦି ଈଶ୍ବର ଏକ ଓ ଯଦି ଧରାଯାଏ ଯେ ଈଶ୍ବର ଜଗତର ସୃଷ୍ଟିକର୍ତ୍ତା, ତେବେ ଜଗତ ସହ ଈଶ୍ବରଙ୍କର କ’ଣ ସମ୍ବନ୍ଧ ରହିଛି? ଏ କ୍ଷେତ୍ରରେ ମଧ୍ୟ ବିଭିନ୍ନ ମତ, ଧର୍ମ ଓ ଦର୍ଶନ ପରିସରରେ ପରିକଳ୍ପନା କରାଯାଇଛି। ଗୋଟିଏ ମତରେ ଈଶ୍ବର ଜଗତର ଅନ୍ତର୍ବର୍ତ୍ତୀ, ଜଗତର ପ୍ରତ୍ୟେକ ବସ୍ତୁରେ ଈଶ୍ବର ପ୍ରତିଫଳିତ। ଏହି ମତକୁ ସର୍ବେଶ୍ବରବାଦ ବା ପାନ୍ଥେଇଜିମ୍ କୁହାଯାଏ।
ଅନ୍ୟ ଏକ ଦାର୍ଶନିକ ମତରେ ଈଶ୍ବର ଜଗତର ବହିର୍ବର୍ତ୍ତୀ, ଅନ୍ତର୍ବର୍ତ୍ତୀ ନୁହନ୍ତି। ଜଗତକୁ ସେ ନିଖୁଣ ଭାବରେ ନିର୍ମାଣ କରି ଛାଡ଼ିଛନ୍ତି, ଫଳରେ ଜଗତ ପ୍ରକ୍ରିୟା ସ୍ବୟଂକ୍ରିୟ ଭାବରେ କ୍ରିୟାଶୀଳ, ସେଥିରେ ଈଶ୍ବରଙ୍କର କୌଣସି ଭୂମିକା ନାହିଁ। ଏହାକୁ ସୃଷ୍ଟି ସ୍ବାତନ୍ତ୍ରବାଦ ବା ଡେଇଜିମ୍ କୁହାଯାଏ। ଅନ୍ୟ ଏକ ମତରେ ଈଶ୍ବର ଜଗତର ଉଭୟ ଅନ୍ତର୍ବର୍ତ୍ତୀ ଓ ବହିର୍ବର୍ତ୍ତୀ। ସେ ଜଗତ ମଧ୍ୟରେ ଅଛନ୍ତି, ପୁନଶ୍ଚ ଜଗତ ଊର୍ଦ୍ଧ୍ବରେ ମଧ୍ୟ ରହିଛନ୍ତି। ଏହି ମତକୁ ଆନ୍ତରାତୀତ ଈଶ୍ବରବାଦ ବା ପାନେନ୍ଥେଇଜିମ୍ କୁହାଯାଏ। ସର୍ବେଶ୍ବରବାଦ, ସୃଷ୍ଟି ସ୍ବାତନ୍ତ୍ର୍ୟବାଦ ଓ ଆନ୍ତରାତୀତ ଈଶ୍ବରବାଦ ପ୍ରତ୍ୟେକ କେତେକ ଯୁକ୍ତି ଆଧାରରେ ନିଜର ସିଦ୍ଧାନ୍ତର ବିକାଶ କରିଛନ୍ତି, ଯଦିବା ଏହି ସିଦ୍ଧାନ୍ତମାନ ପରସ୍ପର ବିରୋଧୀ ତତ୍ତ୍ବ।
ମଧ୍ୟଯୁଗୀୟ ଦାର୍ଶନିକ ବିଚାର ପରିପ୍ରେକ୍ଷୀରେ ଈଶ୍ବରଙ୍କ ଅସ୍ତିତ୍ବକୁ ଯୁକ୍ତିସିଦ୍ଧ ଭାବେ ପ୍ରମାଣ କରିହେବ ବୋଲି ବିଚାର ପ୍ରକାଶ ପାଇଥିଲା। ଅନେକ ଯୁକ୍ତି ମଧ୍ୟରୁ ଚାରିଟି ଯୁକ୍ତି ବେଶ୍ ଭାବଗର୍ଭକ ମନେହୁଏ। ଗୋଟିଏ ଯୁକ୍ତିରେ କୁହାଯାଏ ଯେ ସଂସାରରେ ପ୍ରତ୍ୟେକ ଘଟଣାର ଏକ କାରଣ ରହିଛି, କାରଣବିହୀନ କାର୍ଯ୍ୟ ନାହିଁ। ସେହିପରି ଏହି ବିଶ୍ବର କାରଣ ହେଉଛନ୍ତି ଈଶ୍ବର, ସେ ସବୁର ଆଦି କାରଣ। ଏହାକୁ ସୃଷ୍ଟିକାରଣ ଯୁକ୍ତି କୁହାଯାଏ।
ଅନ୍ୟ ଏକ ଯୁକ୍ତିରେ କୁହାଯାଏ ଯେ ଜଗତରେ ଯେଉଁ ଶୃଙ୍ଖଳା, ସଂହତି ଓ ଏକରୂପତା ବା ୟୁନିଫର୍ମିଟି ରହିଛି ତାହାର କେହି ନିୟାମକ ରହିଛନ୍ତି। ଯେ ବିଶାଳ ପ୍ରକୃତିକୁ ସୁବ୍ୟବସ୍ଥିତ କରିଛନ୍ତି ସେ ହେଉଛନ୍ତି ଈଶ୍ବର। ଏହାକୁ ଉଦ୍ଦେଶ୍ୟବାଦମୂଳକ ଯୁକ୍ତି କୁହାଯାଏ। ଅନ୍ୟ ଏକ ଯୁକ୍ତିରେ କୁହାଯାଏ ଯେ ନ୍ୟାୟ-ଅନ୍ୟାୟ, ନୀତି-ଅନୀତି, ନୈତିକ-ଅନୈତିକ କର୍ମର ମୂଲ୍ୟାୟନ କରି ଭଲ କାର୍ଯ୍ୟକୁ ସୁଫଳ ଦେବା ଓ ମନ୍ଦ କାର୍ଯ୍ୟକୁ ଦଣ୍ଡବିଧାନ କରିବା ପାଇଁ ଜଣେ ନୀତି ସଂସ୍ଥାପକ ଆବଶ୍ୟକ। ଈଶ୍ବର ସେହି ନୀତି-ସଂସ୍ଥାପକ। ଏହାକୁ ନୀତି-ପରକ ଯୁକ୍ତି ବୋଲି ନିଆଯାଏ। ଅନ୍ୟ ଏକ ଯୁକ୍ତିରେ କୁହାଯାଏ ଯେ ଈଶ୍ବର ଏକ ପୂର୍ଣ୍ଣସତ୍ତା, ତାଙ୍କ ପାଖରେ ଅପୂର୍ଣ୍ଣତା ନାହିଁ। ଯାହାର ଅସ୍ତିତ୍ବ ନାହିଁ ସେ ଅପୂର୍ଣ୍ଣ। ସୁତରାଂ ଈଶ୍ବର ଯେ ପୂର୍ଣ୍ଣସତ୍ତା ଏହି ଭାବନାରୁ ଈଶ୍ବରଙ୍କ ଅସ୍ତିତ୍ବ ପ୍ରମାଣିତ ହେଉଛି। ଏହାକୁ ତାତ୍ତ୍ବିକ ଯୁକ୍ତି କୁହାଯାଏ।
ଏକ ସମୟରେ ଏହି ଯୁକ୍ତିମାନ ପ୍ରଭାବଶାଳୀ ଭାବେ ଚିନ୍ତାମାନସକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ତେବେ ଦର୍ଶନର କ୍ରମବିକାଶ ଧାରାରେ ଏହି ପ୍ରତ୍ୟେକ ଯୁକ୍ତି କିପରି ତାର୍କିକ ମାନଦଣ୍ଡରୁ ଅବୈଧ, ଅସଙ୍ଗତ ଓ ପ୍ରମାଦପୂର୍ଣ୍ଣ ତାହା ଜଣାପଡ଼ିଲା। ପରିଣାମତଃ ବିଚାର ପ୍ରକାଶ ପାଇଲା ଯେ ଈଶ୍ବର ଯୁକ୍ତିର ପ୍ରସଙ୍ଗ ନୁହନ୍ତି ସେ କେବଳ ଉପଲବ୍ଧି ବା ବିଶ୍ବାସର ବିଷୟ। ମନୋବିଜ୍ଞାନୀମାନେ ମଣିଷର ଅନୁଭବ କିପରି ସାମାଜିକ ପ୍ରଥା, ପ୍ରଭାବ ଇତ୍ୟାଦି ଦ୍ବାରା ସର୍ତ୍ତବଦ୍ଧ ହୁଏ ତାହା ଦର୍ଶାଇଥାନ୍ତି। ଅନୁଭବ ଏକ ବ୍ୟକ୍ତିନିଷ୍ଠ ବ୍ୟାପାର, ଏଣୁ ଏହା ଅସତ୍ୟ ହେବା ସ୍ବାଭାବିକ। ବସ୍ତୁନିଷ୍ଠତା ହିଁ ସତ୍ୟର ପରିମାପକ, ବିଶ୍ବାସ କେବଳ ଉତ୍ତର-ସତ୍ୟ ବା ପୋଷ୍ଟ ଟ୍ରୁଥ୍। ସ୍ବର୍ଗ, ନରକ, ପୁନର୍ଜନ୍ମ, ବିଚାର ଦିବସ, ଅବତାର, ଈଶ୍ବର-ପୁତ୍ର, ଈଶ୍ବର-ଦୂତ ଧାର୍ମିକ ବିଶ୍ବାସମାନ କେବଳ ଉତ୍ତର-ସତ୍ୟ।
ଈଶ୍ବରଙ୍କ ବ୍ୟକ୍ତିସତ୍ତା ରହିଛି ନା ସେ ଅବୈକ୍ତିକ ଏହାକୁ ନେଇ ଦର୍ଶନରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଛି। କେତେକଙ୍କ ମତରେ ଈଶ୍ବର ଜଣେ ବ୍ୟକ୍ତି, ତାଙ୍କର ବ୍ୟକ୍ତିସତ୍ତା ରହିଛି ଯାହାକୁ ଦର୍ଶନର ପରିଭାଷାରେ ମାନବତ୍ବାରୋପବାଦ କୁହାଯାଏ। ଅନ୍ୟ ମତରେ ଈଶ୍ବର ବ୍ୟକ୍ତି ନୁହନ୍ତି, ସେ ନିର୍ବୈକ୍ତିକ। ଈଶ୍ବର ଭାବନାକୁ ନେଇ ଏହି ସବୁ ବିରୋଧାଭାସ ପୃଷ୍ଠଭୂମିରେ ଦର୍ଶନ ପରିସରରେ ତିନିଟି ପ୍ରଶ୍ନ ଗମ୍ଭୀରତାର ସହ ଚର୍ଚ୍ଚା ହେବା ଦେଖାଯାଏ। ତାହା ହେଲା (୧) ଜ୍ଞାନର କୌଣସି ବୈଧ ପ୍ରଣାଳୀ ମାଧ୍ୟମରେ ଈଶ୍ବରଙ୍କର ଅସ୍ତିତ୍ବକୁ ଜାଣିହେବ କି? (୨) ଜଗତର ବ୍ୟାଖ୍ୟାନ କ୍ଷେତ୍ରରେ ଈଶ୍ବରଙ୍କୁ ଏକ ଚେତନଶୀଳ ଆଦିସତ୍ତା ଭାବେ ନେବାର କିଛି ଯୁକ୍ତିଶୀଳ ଆଧାର ରହିଛି କି? (୩) ଈଶ୍ବରଙ୍କୁ ନୀତି-ସଂସ୍ଥାପକ ଭାବେ ଗ୍ରହଣ କରାଯିବ କି? ଦର୍ଶନ ଏହି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ନକାରାତ୍ମକ ଦେଇଛି। ବସ୍ତୁତଃ ଈଶ୍ବର ଭାବନାର କ୍ରମବିକାଶ କ୍ଷେତ୍ରରେ ବହୁ ପ୍ରତ୍ୟୟଗତ ବିରୋଧାଭାସ ଯେ ରହିଛି ଏହା କୁହାଯାଇପାରେ।
Comments are closed.