ଚାକିରି ଦେବା ନାଁରେ ୧.୪୭ କୋଟି ଟଙ୍କା ଠକେଇ
ଭୁବନେଶ୍ବର/ ଚନ୍ଦନପୁର: ସବ୍ ଇନ୍ସପେକ୍ଟର, ସର୍ଜେଣ୍ଟ ଓ ଡେପୁଟି ସୁେବଦାର ଚାକିରି କରାଇଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଶାଖା(ଇଓଡ଼ବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତକୁ ଗିରଫ କରି ଶନିବାର ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଡୁମେଇପୁର ଗାଁର ଜୟନ୍ତ ମହାନ୍ତି। ଏହି ମାମଲାରେ ଇଓଡ଼ବ୍ଲ୍ୟୁ ପୂର୍ବରୁ ବୈକୁଣ୍ଠନାଥ ନାଏକ ଓ ଭୀମସେନ ମହାରଣାକୁ ଗିରଫ କରିଥିଲା। ଜୟନ୍ତ ଦୀର୍ଘଦିନ ଧରି ଫେରାର ଥିଲା। ଗୁଇନ୍ଦା ସୂଚନାକୁ ଅାଧାର କରି ତାଙ୍କୁ ତଦନ୍ତକାରୀ ଦଳ ଗିରଫ କରିବାରେ ସକ୍ଷମ ହୋଇଛି।
୨୦୧୩ରେ ମିଳିତ (କମ୍ବାଇନ୍ଡ) ପୁଲିସ ସର୍ଭିସ ପରୀକ୍ଷା ହୋଇଥିଲା। ୨୦୧୬ରେ ଫଳାଫଳ ପ୍ରକାଶ ପାଇଥିଲା। ଅଭିଯୁକ୍ତ ଜୟନ୍ତ, ବୈକୁଣ୍ଠ ଓ ଭୀମସେନ ନିଜକୁ ବଡ ପଦ ପଦବୀରେ ଥିବା ଦର୍ଶାଇ ପରୀକ୍ଷାରେ ଫେଲ ହୋଇଥିବା ଆଶାୟୀଙ୍କୁ ଠକେଇ କରିବାକୁ ଟାର୍ଗେଟ କରିଥିଲେ। ସପ୍ଲିମେଣ୍ଟାରି ସିଲେକସନ ଲିଷ୍ଟରେ ନାଁ ରଖିଦେବାକୁ କହି ୩୮ ଜଣଙ୍କୁ ଠକିଥିଲେ। ଜଣଙ୍କ ପିଛା ୪ରୁ ୫ ଲକ୍ଷ ଲେଖାଏଁ ନେଇଥିଲେ। ଟଙ୍କା ନେବା ପରେ ମାସ ପରେ ମାସ ଗଡ଼ି ଚାଲିଥିଲା, ହେଲେ ଚାକିରି ଦେବା ତ ଦୂରର କଥା ଟଙ୍କା ବି ଫେରାଇ ନଥିଲେ। ବାରମ୍ବାର ଦୌଡ଼ି ନିରାଶ ହେବା ପରେ ବାଦଲ କୁମାର ରାଉଳ ନାମକ ଯୁବକ ଇଓଡ଼ବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଇଓଡ଼ବ୍ଲ୍ୟୁ ଘଟଣାର ତଦନ୍ତ କରି ଭୀମସେନ ଓ ବୈକୁଣ୍ଠଙ୍କୁ ଗିରଫ କରିଥିଲା। ଗିରଫ ବୈକୁଣ୍ଠ ନିଜକୁ ଗୃହ ବିଭାଗର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଓ ଭୀମସେନ ଏହି ବିଭାଗର ଜଣେ ବଡ଼ ଅଧିକାରୀ ବୋଲି ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ଠକିଥିଲେ। ତଦନ୍ତ ବେଳେ ଭୀମସେନ ଉଚ୍ଚ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ବୋଲି ଜଣାପଡ଼ିଥିଲା। ଗିରଫ ସମୟରେ ବୈକୁଣ୍ଠଙ୍କ ନିକଟରୁ ଇଓଡ଼ବ୍ଲ୍ୟୁ ୧୨ଟି ଏଟିଏମ୍ କାର୍ଡ ଓ ନକଲି ପରିଚୟପତ୍ର ଜବତ କରିଥିଲା।
ଏହି ଘଟଣାରେ ଇଓଡ଼ବ୍ଲ୍ୟୁ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ରୋଗରାର ବିଧାୟକ ଅନନ୍ତ ଦାସ ଉଚ୍ଚ ଶିକ୍ଷା ଓ ପରେ ଶିଳ୍ପ ମନ୍ତ୍ରୀ ଥିଲେ। ସେହି ସମୟରେ ଜୟନ୍ତ ତାଙ୍କର ଗାଡ଼ିଚାଳକ ଭାବରେ କାର୍ଯ୍ୟ କରୁଥିଲେ। ତାହା ପୂର୍ବରୁ ସେ ପ୍ରଥମେ ଭୋଗରାଇର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସ, ବାଲେଶ୍ବର ଜିଲା ପରିଷଦର ପୂର୍ବତନ ସଭାପତି ନିବେଦିତା ମହାନ୍ତିଙ୍କର ମଧ୍ୟ ଗାଡ଼ିଚାଳକ ଥିଲେ।
Comments are closed.