www.samajalive.in
Sunday, December 7, 2025
14.1 C
Bhubaneswar

କାହା ପାଇଁ ସର୍ଭିସ୍ ରାସ୍ତା, ଯାନବାହାନ ନା ମଣିଷ ପାଇଁ ?

ରେଙ୍ଗାଲିକ୍ୟାମ୍ପ : ସଡ଼କ ଦୁର୍ଘଟଣାକୁ ଏଡ଼ାଇ ମୂଲ୍ୟବାନ ଧନ ଜୀବନ ବଞ୍ଚାଇବା ପାଇଁ ସରକାର ଜାତୀୟ ରାଜପଥକୁ ଚାରି ଥାକିଆ କରିବା ସହିତ ଦୁଇ ପାର୍ଶ୍ଵରେ ପଦ ଚାରୀଙ୍କ ପାଇଁ ସର୍ଭିସ୍ ରାସ୍ତା କରିବା ପାଇଁ ଯୋଜନା କରିଥିଲେ । ଏହି ସର୍ଭିସ୍ ରାସ୍ତାରେ କୌଣସି ବଡ ବଡ ଯାନ ବାହନ ଯାଇପାରିବ ନାହିଁ । ତେଣୁ ପଦଚାରୀଙ୍କ ପ୍ରତି ଦୁର୍ଘଟଣାର ସମ୍ଭାବନା ଆଉ ରହିବ ନାହିଁ । ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସମେତ ବୃଦ୍ଧ ବୃଦ୍ଧାମାନେ ବି ନିର୍ବିଘ୍ନରେ ଯାଇପାରିବେ । ଘରୁ ପିଲାଟିଏ ସ୍କୁଲ୍ କିମ୍ଵା କଲେଜ ଯିବା ପାଇଁ ବାହାରିଲେ, ପରିବାରର ଗୁରୁଜନମାନେ ମୁଖ୍ୟ ରାସ୍ତାରେ(ଜାତୀୟ ରାଜପଥ) ନଯାଇ ସର୍ଭିସ୍ ରାସ୍ତାରେ ଯିବା ପାଇଁ ବାରମ୍ବାର ତାଗିଦ୍ କରିଥାନ୍ତି । କିନ୍ତୁ ଏହି ସର୍ଭିସ୍ ରାସ୍ତା ବର୍ତ୍ତମାନ ଜାତୀୟ ରାଜପଥଠାରୁ ବି ଅଧିକ ବିପଦମୁଖା ସାଜିଛି । ଅତାବିରା ବସ୍ ଷ୍ଟାଣ୍ଡରୁ ସମ୍ବଲପୁର ବରଗଡ ରାସ୍ତା କଡ଼ରେ ଥିବା ସର୍ଭିସ୍ ରାସ୍ତାକୁ ଦେଖିଲେ ଲାଗୁଛି ତାହା କୌଣସି ଗୋଟିଏ ଅଫିସର ପାର୍କିଂ ଜାଗା । ରାସ୍ତାର ଗୋଟିଏ ପଟେ ଦୋକାନ ଆଉ ଅନ୍ୟ ପଟେ ଦୈନିକ ବଜାରର ପସରା । ରାସ୍ତା ମଝିରେ ଉଭୟ ପଟର ଗ୍ରାହକ ତଥା ଦୋକାନୀମାନଙ୍କ ବାଇକଗୁଡ଼ିକର ଲମ୍ବା ଲାଇନର ପାର୍କିଂ । ୨୦୦ ମିଟର ଆଗରେ ରହିଛି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କିଶୋରୀ, ବାଳିକାମାନେ ପ୍ରତ୍ୟହ ଯିବା ଆସିବା କରିଥାନ୍ତି । କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଜୀବନର ସୁରକ୍ଷା ଦୃଷ୍ଟିରୁ ସର୍ଭିସ୍ ରାସ୍ତାରେ ଯିବା ଆସିବା କରିଥାନ୍ତି । ହେଲେ ବର୍ତ୍ତମାନ ଏହି ସର୍ଭିସ୍ ରାସ୍ତାରେ ପାଦରେ ଚାଲିକି ଯିବା ମଧ୍ୟ କଷ୍ଟକର ହୋଇ ପଡୁଛି । ବାଇକର ପାର୍କିଂ ଯୋଗୁଁ ରାସ୍ତା କାଟି ଆଗକୁ ଯିବା ବେଳେ କେତେବେଳେ କାହାର ସାଇକେଲର ହ୍ୟାଣ୍ଡିଲରେ କାହା ହାତ ବାଜୁଛି ତ କେତେବେଳେ ବାଇକ୍ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟୁଛି । ପୁଣି କେତେବେଳେ କିଶୋରୀ ବାଳିକାମାନେ ଯିବା ବେଳେ ତାଙ୍କର ସୁରକ୍ଷା ପ୍ରତି ବିଶେଷ ସତର୍କତା ରଖିବାକୁ ପଡୁଛି ଭିଡ଼ ଯୋଗୁଁ । ଦୁଇ ପଟେ ଦୋକାନ ବଜାର ତ ଥିଲା ଏବେ ପୁଣି ବଡ ବଡ଼ ଛତା ଟାଙ୍ଗୀ ଉଠା ଦୋକାନୀମାନେ ରାସ୍ତାକୁ ଏକ ପ୍ରକାର ବନ୍ଦ କରିବା ଭଳି ଅବସ୍ଥାରେ । ତେବେ ସର୍ଭିସ୍ ରାସ୍ତାର କ’ଣ ମୂଲ୍ୟ ଥାଇ କି ନଥାଇ।

ତଥାପି ପ୍ରଶାସନ ନୀରବ। ଆହୁରି ଆଶ୍ଚର୍ଯ୍ୟ ଲାଗେ ଏହି ରାସ୍ତା ଦେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିତି ଦିନିଆ ଭାବେ ଚାଲି ଚାଲି କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି । କିନ୍ତୁ ତାଙ୍କ ଆଖିକୁ ମଧ୍ୟ କିଛି ଦିଶୁ ନଥିବା ବଡ ପରିତାପର ବିଷୟ । ପ୍ରଶ୍ନ ଉଠୁଛି ସେ ପ୍ରକୃତରେ ଅନଭିଜ୍ଞ ନା ଜାଣି ଶୁଣି ଚୁପ୍ ରହୁଛନ୍ତି ? ସର୍ବସାଧାରଣଙ୍କ ସୁବିଧା କଥା ଚିନ୍ତା କରିବା କ’ଣ ତାଙ୍କର ଦାୟିତ୍ଵ ବାହାରେ କି ? ଏହି ସର୍ଭିସ୍ ରାସ୍ତା ପାଇଁ ଅନେକ ଥର ଅନେକ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇସାରିଛି କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ପାଇଁ । ଜବରଦଖଲକାରୀମାନେ ନିଜର ସାମ୍ରାଜ୍ୟ ବିସ୍ତାର କାୟା ବିସ୍ତାର କରି ଚାଲିଛନ୍ତି । ରାସ୍ତା, ପରେ ଡ୍ରେନ ଏବଂ ଏବେ ପୁଣି ଆହୁରି ଆଗକୁ ଆଗକୁ ବଢ଼ି ଚାଲିଛି ଦୋକାନ ବଜାର । ତଥାପି କୌଣସି ପ୍ରକାର ଆକଟ କିମ୍ବା କଡାକଡ଼ି ନିୟମ କରାଯାଇନାହିଁ । ତେବେ ଏହା ପଛରେ ଏନଏସିର ମସୁଧା କଣ୍ ବୋଲି ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେଥିରେ ପୁଣି ଅତାବିରା ଏନଏସି ଓଡ଼ିଶାରେ ଦ୍ଵିତୀୟ ସ୍ଥାନରେ ରହିଥିବା ଖବର ଅଞ୍ଚଳବାସୀଙ୍କ ମନରେ ବିସ୍ମୟ ସୃଷ୍ଟି କରୁଛି । ଏନଏସି କର୍ତ୍ତୃପକ୍ଷ ଏଥିପ୍ରତି ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଜନ ସାଧାରଣରେ ଦାବି ହେଉଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories