ନିଶାଗଡ଼ିଆ-ସୁନାପଶି ପୋଲ ଭାଙ୍ଗିବାର ୪ ମାସ ବିତିଲା; ତଥାପି ହେଲାନି ମରାମତି

ଝୁମ୍ପୁରା: କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡରୁ ରାଜ୍ୟ ସରକାରଙ୍କ ପାଖକୁ ସର୍ବାଧିକ ରାଜସ୍ୱ ଯାଉଥିଲେ ମଧ୍ୟ ଏହି ଉପଖଣ୍ଡରେ ଆଜି ଅନେକ ସ୍ଥାନରେ ଦୁର୍ବଳ ପୋଲ ରହିଛି। ହେଲେ ଦୁର୍ବଳ ପୋଲଗୁଡିକୁ ମରାମତି କରିବା ଦିଗରେ ନା ଆଗ୍ରହ ପ୍ରକାଶ କରୁଛନ୍ତି ସରକାର ନା ଆଗ୍ରାହ ପ୍ରକାଶ କରୁଛି ସ୍ଥାନୀୟ ପ୍ରଶାସନ। ଦୁର୍ବଳ ପୋଲଗୁଡିକୁ ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ପ୍ରଶାସନକୁ ଅବଗତ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପୋଲଗୁଡିକୁ ମରାମତି କରିବା ଦିଗରେ ଆଦୌ ଆଗ୍ରହ ପ୍ରକାଶ କରୁନଥିବାରୁ ଜନସାଧାରଣ ଭଙ୍ଗା ପୋଲରେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି।

ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ନିଶାଗଡ଼଼ିଆ-ସୁନାପଶି ମଧ୍ୟରେ ପ୍ରବାହିତ ହେଉଥିବା ନାଳରେ ବହୁ ପୂର୍ବରୁ ଏକ ପୋଲ ନିର୍ମାଣ ହୋଇଥିଲା। ଏହି ପୋଲଟି ପୁରାତନ ହୋଇଥିବାରୁ ପୋଲଟି ଦୁର୍ବଳ ହୋଇ ଯାଇଥିଲା। ଚଳିତ ବର୍ଷ ଅଧିକ ବର୍ଷା ପାଣି ଆସିବାରୁ ଉକ୍ତ ପୋଲର ଗୋଟାଏ ପାର୍ଶ୍ବ ସଂପୂର୍ଣ୍ଣ ଭାବରେ ଧୋଇ ହୋଇ ଯାଇଛି। ପୋଲ ଧୋଇଯିବା ଫଳରେ ଜନସାଧାରଣ ଉକ୍ତ ପୋଲରେ ଆଉ ଯାତାୟତ କରିପାରୁ ନାହାନ୍ତି। ପୋଲ ଭାଙ୍ଗିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଭାଙ୍ଗିଥିବା ପୋଲ ନିକଟରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା କରିନଥିବା ଦେଖିବାକୁ ମିଳିଛି। ପୋଲ ଭାଙ୍ଗି ଯାଇଥିବାରୁ ଚାରି ଚକିଆ ଯାନା ଯାତାୟତ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଛି। ଭାଙ୍ଗିଥିବା ପୋଲକୁ ମରାମତି କରିବା ପାଇଁ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବିଧାୟିକା ପର୍ଯ୍ୟନ୍ତ ଭଙ୍ଗା ପୋଲକୁ ମରାମତି କରିବା ପାଇଁ ଦାବି କରିଥିଲେ ମଧ୍ୟ ଭଙ୍ଗା ପୋଲକୁ ମରାମତି କରିବାତ ଦୂରର କଥା ଲୋକ ଯାତାୟତ କରିବା ପାଇଁ ଆଜି ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ମାଟି ଝୁଡିଏ ମଧ୍ୟ ପକାଇ ସମତୁଲ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପଞ୍ଚାୟତ ନିର୍ବାଚନ ହେଉ ବା ସାଧାରଣ ନିର୍ବାଚନ ହେଉ ନେତା, କୁଜି ନେତାମାନେ ଆସି ଗ୍ରାମର ଭୋଟରମାନଙ୍କୁ ହାତଗୋଡ ଧରି ଗାଁର ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥାନ୍ତି ଭୋଟରମାନଙ୍କର ଭୋଟକୁ ହାତେଇବା ପାଇଁ। ନିର୍ବାଚନରେ ବିଜୟ ହେବା ପରେ ନେତାମାନେ ଗାଁର ସମସ୍ୟା କଥା ସଂପୂର୍ଣ୍ଣ ଭୁଲିଯାଆନ୍ତି ଏବଂ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶୃତି ମିଛ ପାଲଟିଯାଏ। ସୁନାପଶି ନିଶାଗଡ଼଼ିଆ ପୋଲକୁ ମରାମତି କରିବା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚମ୍ପୁଆ ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜନସାଧାରଣ କିନ୍ତୁ ବିଧାୟିକା ପୋଲର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରୁ ନାହାନ୍ତି ନା ବିଧାୟିକାଙ୍କ ପୋଲ ମରାମତି କରାଇବାରେ ଆଗ୍ରହ ରହୁନାହିଁ ତାହା ଜଣାପଡୁ ନାହିଁ। ଏହି ଭଙ୍ଗା ପୋଲକୁ ମରାମତି କରିବା ଦିଗରେ ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି।

Comments are closed.