ଗୁଜରାଟରେ ଝୁଲାପୋଲ ଛିଡ଼ିବା ଘଟଣା; ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି
ଗୁଜରାଟ: ମାର୍ବିରେ ଝୁଲାପୋଲ ଛିଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୧୩୨ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏନେଇ ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଂଘଭି ସୂଚନା ଦେଇଥିବା ବେଳେ, ଦୁର୍ଘଟଣାସ୍ଥଳରୁ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି । ତାହାସହ ୧୯ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଏବେ ବି ଅନେକ ଲୋକ ଦୁର୍ଘଟଣାସ୍ଥଳରେ ନିଖୋଜ ରହିଥିବା ଜଣାପଡ଼ିଛି । ସବୁଠାରୁ ବଡ଼ କଥା ହେଉଛି ଗତକାଲି ଏହି ଦୁର୍ଘଟଣା ହୋଇଥିବା ବେଳେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାତି ତମାମ ଉଦ୍ଧାର ପାଇଁ ପ୍ରାୟସ କରିଛନ୍ତି ଉଦ୍ଧାରକାରୀ ଦଳ । ଖାଲି ସେତିକି ନୁହେଁ, ବାୟୁ ସେନା ଓ ନୌସେନା ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଘଟଣାକୁ ଗମ୍ଭୀରତାର ନେବା ସହ ଗୁଜରାଟ ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଏସଆଇଟିର ୫ ଜଣିଆ ସଦସ୍ୟ ଏହାର ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଏହା ଏକ ବଡ଼ ଦୁର୍ଘଟଣା ହୋଇଥିବାରୁ ଘଟଣାକୁ ନେଇ ଏକ ଅପରାଧୀକ ମାମଲା ମଧ୍ୟ ରୁଜୁ କରାଯାଇଛି ।
ସୂଚନା ଥାଉ କି, ଗତକାଲି ସଂଧ୍ୟାରେ ମୋରବୀ ଜିଲାର ମଚ୍ଛୁ ନଦୀରେ ଥିବା ଝୁଲାପୋଲ ଛିଡ଼ିପଡ଼ିଥିଲା । ଫଳରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାକି ବର୍ତ୍ତମାନ ମୃତ୍ୟୁସଂଖ୍ୟା ବଢ଼ି ୧୩୨ରେ ପହଞ୍ଚିଛି । ଏବେବ ବି ଅନେକ ଲୋକ ନିଖୋଜ ହୋଇଥିବା ଜଣାପଡ଼ିଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଝୁଲାପୋଲ ଭୁଶୁଡ଼ିବା ବେଳେ ପୋଲରେ ପ୍ରାୟ ୫୦୦ର ଅଧିକ ଲୋକେ ଥିଲେ । ଝୁଲାପୋଲଟି ଭୁଶୁଡ଼ି ପଡ଼ିବା ଦ୍ବାରା ଅନେକ ପାଣି ଭିତରେ ବୁଡିଯାଇଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ପ୍ରତ୍ୟେକ ଆହତଙ୍କୁ, ୫୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
Comments are closed.