ବାଇକ୍‌‌ ସହ ଜଳିଗଲା ସାଇକେଲ

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ୨ନଂ ୱାର୍ଡ ସ୍ଥିତ ଦରଜୀସାହିର ଚାନ୍ଦୁଆ କାରିଗର କାନନ ମହାପାତ୍ରଙ୍କ ବାଇକ୍‌‌ ସହ ଏକ ସାଇକେଲ ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ ଜଳିଯାଇଛି। ଘର ସମ୍ମୁଖରେ ରଖାଯାଇଥିବା ବାଇକ୍‌‌କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା କିମ୍ବା ସଟ୍‌‌ସର୍କିଟ୍‌‌ କାରଣରୁ ଏହି ଅଘଟଣ ଘଟିଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏ ସଂପର୍କରେ କାନନ ଲିଖିତ ଭାବେ ପିପିଲି ପୁଲିସରେ ଅଭିଯୋଗ କରିଥିବା ବେଳେ ପୁଲିସ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣାଟି ପିପିଲି ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ସୂଚନା ଅନୁଯାୟୀ, ଦରଜୀସାହିର ବାସିନ୍ଦା କାନନ ମହାପାତ୍ର ପେଶାରେ ଜଣେ ଚାନ୍ଦୁଆ କାରିଗର ହୋଇଥିବା ବେଳେ ଶନିବାର ସେ ନିଜ ବାଇକ୍‌‌ରେ କଟକ ଯାଇ ରାତିରେ ଘରକୁ ଫେରିଥିଲେ। ନିଜ ଘର ସମ୍ମୁଖରେ ବାଇକ୍‌‌ ଟିକୁ ରଖି ସେ ଶୋଇବାକୁ ଯାଇଥିଲେ। ବାଇକ୍‌‌ ପାଖରେ ତାଙ୍କ ଝିଅର ସାଇକେଲ ମଧ୍ୟ ରହିଥିଲା। ତେବେ ବିଳମ୍ବିତ ରାତିରେ ବାଇକ୍‌‌ଟି ଜଳୁଥିବାର ଦେଖି ସେ ପଡୋଶୀଙ୍କ ସହାୟତାରେ ନିଆଁକୁ ଲିଭାଇଥିଲେ। ଏଥିରେ ବାଇକ୍‌‌ ସହ ତାଙ୍କ ଝିଅର ସାଇକେଲଟି ମଧ୍ୟ ସଂପୂର୍ଣ୍ଣ ଜଳିଯାଇଛି। ତେବେ କେଉଁ କାରଣରୁ ବାଇକ୍‌‌ଟି ଜଳିଗଲା ସେ ସଂପର୍କରେ କାନନ କିଛି ଜାଣିନଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥାଇ ପାରନ୍ତି କିମ୍ବା ସଟ୍‌‌ସର୍କିଟ୍‌‌ରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ସେ ସନ୍ଦେହ କରୁଥିବା ସୂଚନା ମିଳିଛି। ଖବର ପାଇ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ଓ ଏସ୍‌‌ଆଇ ସୁରମା ସ୍ୱାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଥିଲେ। ଏନେଇ କାନନ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଜଣକୁ ଅଟକ ରଖି ପଚରାଉଚୁରା ଚଳାଇଛି।

Comments are closed.