ସ୍ୱଚ୍ଛତାର ପ୍ରାଚୀନ ଯନ୍ତ୍ର ନିର୍ମାଣକାରୀ ଛାଞ୍ଚୁଣୀ କାରିଗରଙ୍କୁ ପ୍ରୋତ୍ସାହନ ନାହିଁ; ସଙ୍କଟରେ ଜୀବିକା

ରେଙ୍ଗାଲି: ଆଧୁନିକତାର ସୁନାମୀରେ ଆମର ପରମ୍ପରା ଦ୍ରୁତଗତିରେ ବିଲୁପ୍ତ ହେବା ସହିତ ଅନେକ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସତ୍ତା ଲୋପ ପାଇଯାଉଛି। ତେବେ ଲୋକେ ବୈଷୟିକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଉନ୍ନତିର ଚରମ ସୀମାରେ ପହଞ୍ଚି ସାରିଥିଲେ ମଧ୍ୟ ଗାଁରୁ ସହର ଯାଏ ଧନୀ ହେଉ କି ଗରିବ ହେଉ ପ୍ରତି ଘରେ ଛାଞ୍ଚୁଣୀର ଚାହିଦା ଏବେ ବି ରହିଛି। ଯଦିଓ ସହରାଞ୍ଚଳର ଧନାଢ୍ୟ ପରିବାରରେ ଛାଞ୍ଚୁଣୀର ବିକଳ୍ପ ରୂପେ ଫୁଳ ଝାଡୁ ଏବଂ ଯନ୍ତ୍ର ଚାଳିତ ସଫେଇ ଉପକରଣ ବ୍ୟବହାର କରାଯାଇଛି ତଥାପି ଏସବୁ ଜିନିଷ ଛାଞ୍ଚୁଣିର ସ୍ଥାନ ନେଇ ପାରିନାହିଁ। ସରକାରୀ ଉଦାସୀନତା ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥାର ଅଭାବ ସହିତ ଦଲାଲ୍‌‌ ଓ ବ୍ୟବସାୟୀମାନଙ୍କ ଶୋଷଣରେ ସ୍ୱଚ୍ଛତାର ପ୍ରାଚୀନ ଯନ୍ତ୍ର ନିର୍ମାଣକାରୀ ଝାଡୁ କାରିଗର ଏହି ଜୀବିକା ପ୍ରତି ବିତସ୍ପୃହ ହୋଇ ବିକଳ୍ପ ରୋଜଗାର ଆଡକୁ ମୁହାଁଉଥିବା ଦେଖିବାକୁ ମିଳୁଛି।

ଅନୁସନ୍ଧାନରୁ ଜଣାପଡେ ଯେ, ବହୁ ପ୍ରାଚୀନ କାଳରୁ ଆଦିମ ଆଦିବାସୀ ସଂପ୍ରଦାୟର ଲୋକେ ବଣ ଜଙ୍ଗଳ ଏବଂ ନିକଟବର୍ତ୍ତି ଖୋଲା ପଡ଼ିଆରେ ବୁଲି ବୁଲି ଖରା, ଶୀତ କାକରରେ ବହୁ କଷ୍ଟରେ ଝାଡୁ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ବିର୍ହେନ୍‌‌(ଝାଡୁଘାସ) ସଂଗ୍ରହ କରିଥାନ୍ତି। ଜଣେ କାରିଗର ଦିନକୁ ବହୁକଷ୍ଟରେ ୮/୧୦ ଟି ଝାଡୁ ତିଆରି ପାଇଁ କଞ୍ଚାମାଲ ସଂଗ୍ରହ କରି ପାରିଥାଏ। ସଂଗୃହୀତ ବିର୍ହେନ୍‌‌ ଅର୍ଥାତ୍‌‌ ଝାଡୁ ଘାସକୁ କଅଁଳ ଖରାରେ ୩ଦିନ ଶୁଖାଇବାକୁ ପଡ଼ିଥାଏ। ତା’ପରେ ସେଥିରୁ ବଛାବଛି କରି ସଫା କରିବା ପରେ ଛାଞ୍ଚୁଣୀ ତିଆରି କରାଯାଏ। ପରିଷ୍କୃତ ବିର୍ହେନରୁ ଜଣେ କାରିଗର ଅକ୍ଳାନ୍ତ ପରିଶ୍ରମ କଲେ ଅତି ବେଶୀରେ ଦିନକୁ ୧୦ଟି ଝାଡୁ ତିଆରି କରିବାର କ୍ଷମତା ରଖେ। ସାଂପ୍ରତିକ ବଜାର ରେ ଝାଡୁ ୨୫ରୁ ୩୦ ଟଙ୍କା ରେ ବିକ୍ରି ହେଉଥିବା ବେଳେ ସହରାଞ୍ଚଳକୁ ନେଲେ ୩୫ ଟଙ୍କାରେ ଝାଡୁ ବିକ୍ରି ହୁଏ। ଝାଡୁ କାରିଗରମାନଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ଏବଂ ଉପଯୁକ୍ତ ବଜାର ବ୍ୟବସ୍ଥା ନାହିଁ। ରାଜ୍ୟ ବାହାରର ବ୍ୟବସାୟୀ ଦଲାଲ୍‌‌ ଲଗାଇ ଝାଡୁ କାରିଗରମାନଙ୍କ ପାଖରୁ କଞ୍ଚାମାଲ(ବିର୍ହେନ୍‌‌) ମୁଠାପ୍ରତି ୧୦ ଟଙ୍କା ରେ କିଣି ନେଇ ରାଜ୍ୟ ବାହାରକୁ ଚାଳାଣ କରି ଚଢା ଦରରେ ବିକ୍ରି କରି ମାଲେମାଲ୍‌‌ ହେଉଥିବାର ଦେଖିବାକୁ ମିଳୁଛି। କାରିଗରମାନଙ୍କ କହିବା ଅନୁଯାୟୀ ଦୁଇ ମୁଠା(ବିର୍ହେନ୍‌‌)ରେ ତନିଟି ଝାଡୁ ତିଆରି ହୁଏ। ୭୫ରୁ ୯୦ ଟଙ୍କାର ଜିନୀଷ ମାତ୍ର ୩୦ ଟଙ୍କାରେ ଦଲାଲ୍‌‌ କିଣି ନେଇ କାରିଗରମାନଙ୍କୁ ଖୋଲାଖୋଲି ଶୋଷଣ କରି ଚାଲିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ଯେ, ଏହା ଲଘୁ ବନଜାତ ଦ୍ରବ୍ୟ ଶ୍ରେଣୀ ଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟ ବାହାରକୁ ନିୟମିତ ଅବାଧ ରେ ଚାଳାଣ ହେଉଛି। ଏଥିପ୍ରତି କୌଣସି ଧରପଗଡ଼ ନାହିଁ କି କଟକଣା ନାହିଁ। ଫଳରେ ବ୍ୟବାସୟୀ ଏବଂ ଦଲାଲ୍‌‌ ସରକାରୀ ରାଜସ୍ୱ ଫାଙ୍କିବା ସହିତ ନିରୀହ କାରିଗରମାନଙ୍କୁ ଶୋଷଣ କରି ଅଜସ୍ର ମୁନାଫା କରୁଛନ୍ତି। ୮୦ ଦଶକ ପୂର୍ବରୁ ଏହା ବନବିଭାଗ ଅଧିନରେ ଥିଲା। ପରେ ସରକାର ନିଜ ନିୟନ୍ତ୍ରଣ ଦାୟିତ୍ୱ ପଞ୍ଚାୟତ କୁ ହସ୍ତାନ୍ତର କରିଛନ୍ତି। ନିୟମ ଅନୁଯାୟୀ ବ୍ୟବସାୟୀମାନେ ପଞ୍ଚାୟତରୁ ବିଧିବଦ୍ଧ ଅନୁମତି ନେଲା ପରେ ରାଜସ୍ୱ ପୈଠ କରି ଝାଡୁ ବ୍ୟବସାୟ କରିବା କଥା। କିନ୍ତୁ ପଞ୍ଚାୟତର ଉଦାସୀନତା ଯୋଗୁଁ ବେଆଇନ୍‌‌ ଭାବରେ ଏହାର କାରବାର ଚାଲିଛି। ଫଳରେ ରାଜସ୍ୱ ହାନି ହେଉଛି।

ସରକାର ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏହି ଅଭିଯାନର ସଫଳତା ପାଇଁ ଝାଡୁ ହେଉଛି ମୁଖ୍ୟ ଅସ୍ତ୍ର। ଝାଡୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ତିଆରି କରୁଥିବା କାରିଗର ମାନଙ୍କ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ନାହିଁ। ଅନ୍ୟ ଜୀବିକା ପାଇଁ ସରକାରୀପ୍ରୋତ୍ସାହନ ଏବଂ ବିଭିନ୍ନ ସହାୟତା ମିଳୁଥିବା ବେଳେ ଝାଡୁ କାରିଗରଙ୍କ ପାଇଁ କୌଣସି ଫଳପ୍ରଦ ଯୋଜନା ନାହିଁ କି ପ୍ରୋତ୍ସାହନ ନାହିଁ। ଯାହାଫଳରେ ଗାଁକୁ ଗାଁ ବୁଲି ହଇରାଣ ହରକତ, ଖର୍ଚ୍ଚାନ୍ତ ହେବା ଅପେକ୍ଷା କ୍ଷତି ହେଉ ପଛକେ ଦଲାଲ୍‌‌, ବ୍ୟବସାୟୀମାନଙ୍କ ପାଖରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ଅବ୍ୟବସ୍ଥା ସହିତ ବ୍ୟାପକ ଜଙ୍ଗଳ କ୍ଷୟ, ଅଣଚାଷ ଜମି ଜବରଦଖଲ, ଶିଳ୍ପାୟନ ପ୍ରକ୍ରିୟା ଆଦି ସମସ୍ୟା ଯୋଗୁଁ ଏବେ ଝାଡୁ ପାଇଁ କଞ୍ଚାମାଲର ଅଭାବ ଦେଖା ଦେଲାଣି। ସରକାର ଜୀବିକା ମିଶିନ ମାଧ୍ୟମରେ ଏହି କାରିଗରମାନଙ୍କୁ ସୁରକ୍ଷା ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେବା ସହିତ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଫଳପ୍ରଦ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି।

Comments are closed.