‘ମନ୍‌ କି ବାତ୍‌’: ଆଇଆଇଟି ଭୁବନେଶ୍ୱରର ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମର ୯୪ତମ ଅଧ୍ୟାୟ ମାଧ୍ୟମରେ ସମଗ୍ର ଦେଶକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ଭୁବନେଶ୍ବର ଆଇଆଇଟି କଥା ଉଠାଇଛନ୍ତି ଓ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଅକ୍ଟୋବର ମାସ ୧୪, ୧୫ ତାରିଖ ସମସ୍ତ ୨୩ଟି ଆଇଆଇଟି ନିଜର ଅଭିନବୀକରଣ ଏବଂ ଗବେଷଣା ପ୍ରୋଜେକ୍ଟକୁ ପ୍ରଦର୍ଶିତ କରିବା ପାଇଁ ପ୍ରଥମଥର ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ। ଏହି ମେଳାରେ ସାରା ଦେଶରୁ ବଛାବଛା ଛାତ୍ର ଏବଂ ଗବେଷକମାନେ ୭୫ଟିରୁ ଅଧିକ ଉନ୍ନତ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ। ଏ ସମସ୍ତ ପ୍ରୋଜେକ୍ଟ ଏକକୁ ଆରେକ ଭଳି ଥିଲେ। କିନ୍ତୁ, କେତୋଟି ପ୍ରୋଜେକ୍ଟ ବିଷୟରେ ମୁଁ ଆପଣମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହେଁ । ଉଦାହରଣ ସ୍ୱରୂପ- ଆଇଆଇଟି ଭୁବନେଶ୍ୱରର ଗୋଟିଏ ଟିମ୍ ଶିଶୁମାନଙ୍କ ପାଇଁ ପୋର୍ଟେବୁଲ୍‌ ଭେଣ୍ଟିଲେଟର ବିକଶିତ କରିଛନ୍ତି । ଏହା ବ୍ୟାଟେରୀ ଦ୍ୱାରା ଚାଲେ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଏହାର ବ୍ୟବହାର ସହଜରେ କରାଯାଇପାରେ । ଏହା ସେଇ ପିଲାମାନଙ୍କର ଜୀବନ ବଞ୍ଚାଇବାରେ ବହୁତ ସହାୟକ ହୋଇପାରିବ, ଯେଉଁମାନେ ଧାର୍ଯ୍ୟ ସମୟ ପୂର୍ବରୁ ଜନ୍ମ ନେଇଥା’ନ୍ତି।

ମୋଦୀ ଆହୁରି କହିଛନ୍ତି, ମୁଁ ଆଶା କରୁଛି କି, ଆଗାମୀ ସମୟରେ ଏହିଭଳି ଆହୁରି ଅନେକ ପ୍ରଚେଷ୍ଟା ଦେଖିବାକୁ ମିଳିବ । ମୋର ଏହା ବି ବିଶ୍ୱାସ ଯେ ଆଇଆଇଟି ଦ୍ୱାରା ପ୍ରେରିତ ହୋଇ ଅନ୍ୟ ସଂସ୍ଥାମାନେ ମଧ୍ୟ ଅନୁସନ୍ଧାନ ଏବଂ ବିକାଶ ସମ୍ବନ୍ଧୀୟ ନିଜର ଗତିବିଧି ବଢ଼ାଇବେ ।

 

Comments are closed.