ବିମାନ ବାହିନୀ ପାଇଁ ପରିବହନ ବିମାନ ଉତ୍ପାଦନ କାରଖାନାର ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ଆସନ୍ତାକାଲି) ଗୁଜରାଟର ବଡ଼ୋଦରାଠାରେ ଭାରତୀୟ ବିମାନବାହିନୀ ପାଇଁ ସି୨୯୫ ଏମଡବ୍ଲୁ ପରିବହନ ବିମାନ ଉତ୍ପାଦନ କାରଖାନାରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି କାରଖାନା ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ନୂଆ ଇକୋ ସିଷ୍ଟମ ସୃଷ୍ଟି କରିବ। ଏହି କାରଖାନା ପରିବହନ ବିମାନ ଉତ୍ପାଦନରେ ଭାରତର ସ୍ଥିତିରେ ଉନ୍ନତି ଆଣିବ। ବ୍ୟବସାୟ ସୁଗମତା ପାଇଁ ଏହା ଏକ ବଡ଼ ପଦକ୍ଷେପ ସହ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଦିଗରେ ସହାୟତା କରିବ। ଏହି ଅତ୍ୟାଧୁନିକ ପରିବହନ ବିମାନ ୫ ରୁ ୧୦ ଟନ୍ ଜିନିଷ ପରିବହନ କରିପାରିବ। ଦେଶରେ ପ୍ରଥମ ଥର ପାଇଁ ଏହାର ନିର୍ମାଣ ହେବାକୁ ଯାଉଛି।
ଅନ୍ୟପକ୍ଷରେ ଏହା ହେଉଛି ଏ ଧରଣର ପ୍ରଥମ ପ୍ରକଳ୍ପ, ଯେଉଁଥିରେ ଏକ ବେସରକାରୀ କମ୍ପାନୀ ଦ୍ୱାରା ଭାରତରେ ଯୁଦ୍ଧ ବିମାନ ଉତ୍ପାଦନ କରାଯିବ। ଏହି ବିମାନ ଭାରତୀୟ ବିମାନ ବାହିନୀର ପରିବହନ କ୍ଷମତା ବୃଦ୍ଧି କରିବ। ୧୬ଟି ବିମାନ ଭାରତ ବାହାରୁ ଅଣାଯିବା ବେଳେ ୪୦ଟି ବିମାନ ଭାରତରେ ନିର୍ମାଣ ହେବ। ଗତ ବର୍ଷ ସେପ୍ଟେମ୍ବର ମାସରେ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୫୬ଟି ସି୨୯୫ ଏମଡବ୍ଲୁ ପରିବହନ ବିମାନ ସଂଗ୍ରହକୁ ଅନୁମୋଦନ କରିଥିଲା।
୨୦୨୩ ସେପ୍ଟେମ୍ବର ମାସରୁ ୨୦୨୫ ଅଗଷ୍ଟ ମାସ ମଧ୍ୟରେ ସେହି ବିମାନଗୁଡ଼ିକୁ ଅଣାଯିବ। ୨୦୨୬ ସେପ୍ଟେମ୍ବର ମାସରେ ଭାରତରେ ଏ ଧରଣର ପ୍ରଥମ ବିମାନ ନିର୍ମିତ ହେବ। ଏହି ପ୍ରକଳ୍ପ ବାବଦରେ ୨୧ ହଜାର ୯୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ସେହି ବିମାନ ବେସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ସମସ୍ତ ୫୬ଟି ଯାକ ବିମାନରେ ଦେଶୀୟ ଇଲେକ୍ଟ୍ରୋନିକ ୱାରଫେୟାର ସୁଟ୍ ଖଞ୍ଜାଯିବ। ଏହାଦ୍ୱାରା ଅନେକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରାରମ୍ଭିକ ଅବସ୍ଥାରେ ୬୦୦ ଦକ୍ଷ ପେସାଦାରଙ୍କ ପାଇଁ ନିଯୁକ୍ତି ଓ ୩ ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ୨୪୦ରୁ ଅଧିକ ଇଞ୍ଜିନିୟରଙ୍କୁ
ଏୟାରବସ୍ ପାଇଁ ସ୍ପେନ୍ରେ ତାଲିମ ଦିଆଯିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଗୁଜୁରାତର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Comments are closed.