କୁକୁରଗୁଡ଼ା କୁମାରୀ ହତ୍ୟାକାଣ୍ଡ ମାମଲା; ଅଭିଯୁକ୍ତକୁ ଆଜୀବନ ସହ ୧୦ ହଜାର ଟଙ୍କା ଜରିମାନା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଆଦର୍ଶ ଥାନା ଅନ୍ତର୍ଗତ କୁକୁରଗୁଡ଼ାରେ ୨୩ ଜୁନ୍ ୨୦୨୦ରେ ଘଟିଥିବା କୁମାରୀ ହତ୍ୟାକାଣ୍ଡ ମାମଲାରେ ବୁଧବାର ଅଭିଯୁକ୍ତ ଚନ୍ଦ୍ର ଶବରକୁ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରଜଜ୍‌ ମାନସ ରଞ୍ଜନ ରଥ ମାମଲାର ବିଚାର କରି ସଶ୍ରମ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡ ଏବଂ ଅନାଦେୟ ଅଧିକ ତିନି ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଥିବା ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୩/୬/୨୦୨୦ ତାରିଖ ରାତିରେ ଚନ୍ଦ୍ର ତାଙ୍କ ପତ୍ନୀ କୁମାରୀ ଶବର ଘରେ ଶୋଇଥିବା ବେଳେ ମଦ୍ୟ ପାନ କରି ଘରୋଇ କଳି କରି କୁମାରୀକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଯାହା ଫଳରେ ଘଟଣା ସ୍ଥଳରେ କୁମାରୀଙ୍କ ମୃତ୍ୟୁ ଘଟିଥିଲା ବୋଲି ମୃତ କୁମାରୀଙ୍କ ଭଉଣୀ ଗୁଣପୁର ଥାନାରେ ଏତଲା ଦେଇଥିଲେ। ମାମଲାର ତଦନ୍ତ କରି ଗୁଣପୁର ପୁଲିସ ଅଭିଯୁକ୍ତ ଚନ୍ଦ୍ରକୁ ଗିରଫ କରିଥିଲା। ଏହି ମାମଲାରେ ଗୁଣପୁର ଅତିରିକ୍ତ ଜିଲ୍ଲା ଓ ଦୌରଜଜ୍ ମାନସ ରଞ୍ଜନ ରଥ ୧୪ ଜଣଙ୍କ ସାକ୍ଷ ଗ୍ରହଣ କରିଥିଲେ। ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଚନ୍ଦ୍ର ଶବରକୁ ଆଜି ଏହି ଦଣ୍ଡାଦେଶ ଦେଇଥିବା ଓକିଲ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଚନ୍ଦ୍ର ଶବର ପାଇଁ ଓକିଲ ସନ୍ତୋଷ ସାହୁ ମାମଲା ପରିଚାଳନା କରୁଥିଲେ।

Comments are closed.