ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ରକ୍ତ ରଞ୍ଜିତ ହେଲା ଭବାନୀପାଟଣା ସହର
ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ହଜାର ହଜାର ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହେଲା ଭବାନୀପାଟଣା ସହର। ଭବାନୀପାଟଣା ସହରର ୪ କି.ମି ମୁଖ୍ୟ ରାଜରାସ୍ତା ଉପରେ ମା’ ମାଣିକେଶ୍ୱରୀ ଝୁମି ଝୁମି ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବା ସହିତ ଆନନ୍ଦ ଉଲ୍ଲାସରେ ମୁଖ୍ୟ ମନ୍ଦିରକୁ ପ୍ରବେଶ କରିଥିଲେ। ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରର ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଅବସରରେ ୨୬ ନମ୍ବର ଜାତୀୟ ରାଜପଥର ପ୍ରାୟ ୪ କିମି ରୁ ଉର୍ଦ୍ଧ ଜେନାଖାଲ ଠାରୁ ମାଣିକେଶ୍ୱରୀଙ୍କ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ରାଜରାସ୍ତାର ଉଭୟ ପାର୍ଶ୍ବ ଏବଂ ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ସମସ୍ତ ରାଜରାସ୍ତାରେ ଲକ୍ଷାଧିକ ଦର୍ଶକଙ୍କ ଭିଡ ଲାଗି ରହିଥିଲା। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ପଶୁ ହତ୍ୟା ଉପରେ କଡା ନିର୍ଦ୍ଦେଶନାମା ଜାରି କରିବା ଏବଂ ଜିଲା ପ୍ରଶାସନ ପଶୁବଳି ନିରୁତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ହଜାର ହଜାର ଭକ୍ତ ସେମାନଙ୍କର ମାନସିକ ଅନୁଯାୟୀ ପଶୁ ଓ ପକ୍ଷୀବଳି ପକାଇଥିବା ଦେଖିବାକୁ ମିଳିଥିଲା। ଆଜି ହଜାର ହଜାର ପଶୁ ଓ ପକ୍ଷୀଙ୍କ ରକ୍ତରେ ଭବାନୀପାଟଣା ସହରର ସମସ୍ତ ରାଜରାସ୍ତା ରକ୍ତ ରଞ୍ଜିତ ହୋଇପଡିଥିଲା।
ଗତ ୨ ବର୍ଷ ଧରି କରୋନା ମହାମାରୀର କଟକଣା ଯୋଗୁଁ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା। ନିଜର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କୁ ନିଜ ପାଖରେ ଦର୍ଶନ କରିବାର ସୁଯୋଗ ପାଇନଥିଲେ। ଗତ ୨ ତାରିଖ ଦିନ ମୁଖ୍ୟ ପୂଜକ ବିଶିକେଶନ ତ୍ରୀପାଠୀଙ୍କ ଦ୍ୱାରା ମୁଖ୍ୟ ପୂଜାର୍ଚ୍ଚନା କରାଯିବା ସହିତ ମହାଅଷ୍ଟମୀ ମଧ୍ୟ ରାତ୍ରିରେ ମହାବଳୀ ପରେ ମାଣିକେଶ୍ୱରୀ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା (ଭୈରବ)ଙ୍କ ସମ୍ମୁଖରେ ପୁଣି ପୋଢବଳୀ ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ଭବାନୀପାଟଣାର ପଶ୍ଚିମ ଦିଗରେ ଥିବା ଜେନାଖାଲ ପର୍ଯ୍ୟନ୍ତ ଯାଇଥିଲା। ଆଜି ଜେନାଖାଲରେ ବୋଦା ବଳି ଓ ଗୁପ୍ତ ପୂଜା ପାଠ ପରେ ଭୋର ଘ.୫.୧୮ ମି. ସମୟରେ ମା’ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାଣ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମୁଖ୍ୟ ୨୬ ନମ୍ବର ଜାତୀୟ ରାଜପଥର ୪ କି.ମି. ଦେଇ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଚଳିତ ବର୍ଷ ଛତରକୁ ମାନସିକ କରିଥିବା ଭକ୍ତମାନେ ହଜାର ହଜାର କୁକୁଡା, ପାରା, ବୋଦା, ମେଣ୍ଢା ଆଦି ମୁଖ୍ୟ ଜାତୀୟ ରାଜପଥ ସମେତ ଏହି ରାଜପଥକୁ ସଂଯୋଗ କରୁଥିବା ସହରର ବିଭିନ୍ନ ରାଜ ରାସ୍ତାର ଦୁଇ ପାର୍ଶ୍ବରେ ବଳି ଦେବା ଫଳରେ ସମଗ୍ର ରାଜରାସ୍ତା ସହିତ ଭବାନୀପାଟଣା ସହର ଏକ ପ୍ରକାର ରକ୍ତ ରଞ୍ଜିତ ହୋଇଯାଇଥିଲା। ଯେଉଁ ଆଡେ ଦେଖିବ କେବଳ ରକ୍ତ ହିଁ ରକ୍ତ। ପୂର୍ବବର୍ଷ ଅପେକ୍ଷା ଚଳନ୍ତି ବର୍ଷ ବହୁ ଅଧିକ ସଂଖ୍ୟାର ବଳି ପଡିଥିବା ଦେଖିବାକୁ ମିଳିଥିଲା। ଲକ୍ଷାଧିକ ଭକ୍ତ ଛତରକୁ ଛିଟକନା, ଶାଢୀ, ନଡିଆ, ମନ୍ଦାରଫୁଲ, ପାରା ଓ ବେଲପତ୍ରମାନ ଅର୍ପଣ କରିଥିଲେ। ଛତର ସମ୍ମୁଖରେ ବିଭିନ୍ନ ନିଶାନ ଦଳ, ଜୁନିୟର ମାଣିିକେଶ୍ୱରୀ କ୍ଲବ, ଶ୍ରୀ ଘଣ୍ଟଦଳ, ବଜାର ପଡାର ଘଣ୍ଟବାଦ୍ୟ, ଅର୍କାବାହାଲିପଡାର ଆଦିବାସୀ ଓ ଶବର ନୃତ୍ୟ, ଗୋପବନ୍ଧୁନଗର ବଡପଡାର ନିଶାନ ବାଦ୍ୟ, ଭବାନୀଶଙ୍କର ଘଣ୍ଟ ଦଳ, ବଜରଙ୍ଗ ଦଳ, ମା’ ଦୈବୀ ଶକ୍ତି ଘଣ୍ଟ ଦଳ, କଶାକେନ୍ଦୁ, ବାବାଦୁର ବଗିଚାପଡାର ମା’ ବୃନ୍ଦାବତୀ ବାଦ୍ୟ ଦଳ, ସର୍ଦାର ବଲ୍ଲଭଭାଇ ପଟେଲ କ୍ଲବ ସମେତ ଅନ୍ୟାନ୍ୟ ମୋଟ ୨୨ରୁ ଅଧିକ ସାଂସ୍କୃତିକ ଦଳ ସେମାନଙ୍କ ନୃତ୍ୟ ଦଳ ଏବଂ ଗତ ୨ ତାରିଖ ରାତିରେ ରାଜବାଟି ସଭା ମଣ୍ଡପରେ ଅନୁଷ୍ଠିତ ଘୁମୁରା ନୃତ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ଘୁମୁରା ଦଳ ସହିତ ଅନ୍ୟାନ୍ୟ ଘୁମୁରା ଦଳ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି କଳାକାରମାନେ ବାଜା ବଜାଇ ନାଚିନାଚି ନିଜକୁ ହଜେଇ ଦେଇଥିଲେ ମା’ଙ୍କ ପାଖରେ। ଜେନାଖାଲଠାରୁ ବାହରିଥିବା ଛତର ମୁଖ୍ୟ ମନ୍ଦିରର ସିଂହ ଦ୍ୱାରା ନିକଟରେ ପହଞ୍ଚିଥିଲା। ଦୀର୍ଘ ସମୟଧରି ମା’ଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଦୀର୍ଘ ସମୟ ଧରି ମାଁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ମା’ଙ୍କ ଛତର ମୁଖ୍ୟ ମନ୍ଦିରରେ ପହଞ୍ଚିବା କ୍ଷଣି ମହାରାଜ ଅନନ୍ତ ପ୍ରତାପ ଦେଓ ସମେତ ତାଙ୍କ ସପରିବାର ସଦସ୍ୟମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମାଣିକେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ବିଶିକେଶନ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୂର୍ବବର୍ଷ ପରି ଚଳନ୍ତି ବର୍ଷ ମା’ଙ୍କ ଛତରକୁ ପୂଜକ ମଧୁସୁଦନ ବେହେରା ଓ ଧବଳେଶ୍ୱର ବାହୁକ ପାଟ୍ଟଖଣ୍ଡା ବହନ କରିଥିଲେ। ଏଥିରେ ସେମାନଙ୍କୁ ପ୍ରେମାନନ୍ଦ ଧଙ୍ଗଡାମାଝୀ ସହଯୋଗ କରିଥିଲେ। ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଶ ଜୀ, ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଅତିରିକ୍ତ ଜିଲାପାଳ ସୁଶାନ୍ତ କୁମାର ପଟେଲ, ଭବାନୀପାଟଣା ଉପଜିଲାପାଳ ଡ. ବିଶ୍ୱଜିତ ଦାସ ଏବଂ ଅତିରିକ୍ତ ଏସପି ବିଜୟ କୁମାର ନନ୍ଦ, ଏସଡିପିଓ ଭବାନୀପାଟଣା ଟାଉନ୍ ଥାନା ଆଇଆଇସି ସମେତ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଏହି ଛତରଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ନର୍ଲା ବିଦାୟକ ଭୁପେନ୍ଦ୍ର ସିଂହ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ନଗରପାଳ ସଂଯୁକ୍ତା ବେହେରା ଓ ଉପନଗରପାଳ ବିଷ୍ଣୁ ପ୍ରଧାନ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୂର୍ବତନ ବିଧାୟକ ଅନାମ ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ, ପୁର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ଚଳନ୍ତି ବର୍ଷ ଜନଗହଳି ସାଙ୍ଗକୁ ପୁର୍ବ ବର୍ଷମାନଙ୍କ ଠାରୁ ଅଧିକ ବଳି ପଡିଥିବା ଦେଖିବାକୁ ମିଳିଥିଲା।
ଚଳନ୍ତି ବର୍ଷ ଛତର ଜେନାଖାଲରୁ ଆସିବା ସମୟରେ ସମାଗମ ହୋଇଥିବା ଲକ୍ଷାଧିକ ଭକ୍ତ, ଛତର ଉପରକୁ ନଡିଆ ଖଣ୍ଡ, ଛିଟକନା, ବେଲପତ୍ର, ମନ୍ଦାରମାଳ ପକାଉଥିବା ସତ୍ତ୍ବେ ଛତର ଉପରେ ବସିଥିବା ପାରାଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପଡିନଥିଲା।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣେ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୧୮ ଜଣ ଇନ୍ସିପେକ୍ଟର, ୩୨ ଜଣ ସବ୍ଇନ୍ସିପେକ୍ଟର, ୫୦ ଜଣ ଏଏସ୍ଆଇ, ୯ ଜଣ ହେଡ୍କନଷ୍ଟେବଲ୍ ଓ ଜଣେ ଟ୍ରାଫିକ୍ ହାବିଲଦାର ସହିତ ୯୩ ଜଣ ରିର୍ଜଭ ପୁଲିସ, ୧୫ ଜଣ ମହିଳା କନେଷ୍ଟେବଲ୍, ୧୪୦ ଜଣ ହୋମ୍ଗାଡ୍ ସହିତ ଏସ୍ଓଜି, ଡିଭିଏଫ୍ ଏବଂ ଆଇଆର୍ବି ଯବାନଙ୍କ ସହିତ ୪ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଥିଲେ। ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଘୋଡାଘାଟ୍ ଛକ ଓ ମନ୍ଦିର ନିକଟରେ ଅହରହ ଧାରା ବିବରଣୀ ପ୍ରଦାନ କରାଯାଇଥିଲା।
Comments are closed.