ପଶ୍ଚିମବଙ୍ଗରୁ ଆସିଥିଲା ୨କ୍ବିଣ୍ଟାଲ ରୁପା ଇଟା
ଜିଏସ୍ଟି ଫାଙ୍କି ରୁପା କାରବାର
ସ୍କାନରରେ ଗହଣା ବ୍ୟବସାୟୀ ଅମିତ୍, ଆସ୍କାର ଦୁଇ ବ୍ୟବସାୟୀଙ୍କୁ ଜେରା
କଟକ : ଦ୍ରବ୍ୟ ଓ ସେବା କର (ଜିଏସଟି) ଫାଙ୍କିବା ପାଇଁ ଗହଣା ବ୍ୟବସାୟୀମାନେ ଚୋରାରେ କାରବାର ଚଳାଇଛନ୍ତି। ଗତକାଲି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ରୁପା ଇଟା ଓ ଗହଣା ଧରାପଡିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଓଡ଼ିଶାର ବହୁ ବ୍ୟବସାୟୀ ଅନଲାଇନ୍ରେ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କୁ ବଇନା( ଅର୍ଡର) ଦେଇ ଏଜେଣ୍ଟ ଜରିଆରେ ସୁନା ରୁପା ସେଠାରୁ ଆଣି ଓଡ଼ିଶାରେ ବ୍ୟବସାୟ କରିଥାନ୍ତି। ଏଥିରେ କୌଣସି ଇଓ ବିଲ୍ ଦେଉ ନଥିଲେ। ଲକ୍ଷାଧିକ ଟଙ୍କା ଜିଏସ୍ଟି ଫାଙ୍କି ଦୀର୍ଘଦିନ ହେବ ଏପରି କାରବାର ଚାଲିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଛି ଜିଏସ୍ଟି ବିଭାଗ।
ସୂଚନାଯୋଗ୍ୟ, ଗୁରୁବାର ମଙ୍ଗୁଳିଛକ ନିକଟରୁ ବିପୁଳ ପରିମାଣର ରୁପା ଇଟା ଓ ଅଳଙ୍କାର ଏକ କାରରୁ ଜବତ ହେବା ପରେ ତଦନ୍ତକୁ ଜୋରଦାର କରିଛି ଜିଏସ୍ଟି ବିଭାଗ। ଏହି କାରବାରରେ ଧରାପଡିଥିବା ଦୁଇଜଣଙ୍କୁ ଜିଏସ୍ଟି ବିଭାଗ ଶୁକ୍ରବାର ମାରାଥନ୍ ଜେରା କରିଥିଲା। ସେମାନଙ୍କ ନିକଟରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟା ହାସଲ କରିଛି ବିଭାଗ। ସେମାନଙ୍କ ତଥ୍ୟକୁ ଆଧାର କରି ଆଜି ଆସ୍କାର ଏକାଧିକ ଗହଣା ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଥିଲା। ସମ୍ପୃକ୍ତ ବ୍ୟବସାୟୀମାନେ ଧରାପଡିଥିବା ଦୁଇ ଏଜେଣ୍ଟଙ୍କୁ ଜାଣିଥିବା ସ୍ବୀକାର କରିଥିଲେ ମଧ୍ୟ ସେମାନଙ୍କ ସହ କୌଣସି କାରବାର ନଥିବା କହି ଫାଙ୍କୁଥିବା ଜଣାପଡିଛି। ଜିଏସ୍ଟି ବିଭାଗ ଏବେ ମୁଖ୍ୟ କାର୍ପଟଦାର ତଥା ଓଡ଼ିଶାକୁ ରୁପା ଇଟା ଓ ରୁପା ଗହଣା ପଠାଉଥିବା ବ୍ୟବସାୟୀଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ଧରାପଡିଥିବା ଦୁଇ ଏଜେଣ୍ଟଙ୍କ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ବ୍ୟବସାୟୀ ଅମିତ୍ ମାଝି ଏହି ରୁପା ଇଟା ଓ ଗହଣା ପଠାଇଥିଲେ। ଏଜେଣ୍ଟଙ୍କଠାରୁ ମିଳିଥିବା ମୋବାଇଲ ନମ୍ବର ସୁଇଚ୍ଅଫ୍ ଥିବାରୁ ଅମିତ୍ ସହ ଯୋଗାଯୋଗ ହୋଇପାରି ନାହିଁ। ଅମିତ ସଂକ୍ରାନ୍ତରେ ଅଧିକ ତଥ୍ୟ ହାସଲ କରିବା ଲାଗି ଜିଏସଟି ବିଭାଗ ଉଦ୍ୟମ ଜାରି ରଖିଛି। ଧରାପଡିଥିବା ଏଜେଣ୍ଟ ପଶ୍ଜିମବଙ୍ଗରୁ ଦୁଇ କ୍ବିଣ୍ଟାଲରୁ ଅଧିକ ରୁପା ଇଟା ଓ ଅଳଙ୍କାର ଆଣି ଆସିଥିଲା। ସେମାନେ ପ୍ରଥମେ ଆସ୍କା, ଖୋର୍ଦ୍ଧା ଓ କଟକର କେତେକ ବ୍ୟବସାୟୀଙ୍କୁ ବହୁ ରୁପା ଇଟା ଓ ଅଳଙ୍କାର ଯୋଗାଇ ଦେଇଥିଲେ। ଏହାକୁ କିଣିଥିବା କିଛି ବ୍ୟବସାୟୀ ଅନଲାଇନ୍ରେ ଟଙ୍କା ପଠାଇଥିବା ବେଳେ ଆଉ କେତେକ ବ୍ୟବସାୟୀ ନଗଦ ଅର୍ଥ ଦେଇଥିଲେ। ଏଜେଣ୍ଟ ଓ ଡ୍ରାଇଭର କାର ଯୋଗେ ଟଙ୍କା, ବଳକା ରୁପା ଇଟା ଓ ଗହଣା ନେଇ ପଶ୍ଚିମବଙ୍ଗ ଫେରିଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଥିବା ତଦନ୍ତ ବେେଳ ଜଣାପଡିଛି।
ସୂଚନାଥାଉ କି, ଗୁରୁବାର ସକାଳେ ମଙ୍ଗୁଳି ଟୋଲ ଗେଟ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଯାନବାହନ ଅଟକାଇ ଗଞ୍ଜେଇ ଓ ଅନ୍ୟ ନିଶାଦ୍ରବ୍ୟ ସନ୍ଦେହରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏକ ଟାଟା ନେକ୍ସନ କାରକୁ ଅବକାରୀ ଟିମ୍ ଯାଞ୍ଚ କରିଥିଲେ। ଗାଡିକୁ ଯାଞ୍ଚ ବେଳେ ଏଥିରୁ ସିଟ୍ ପଛ ପାର୍ଶ୍ବ ଓ ଡିକି ନିକଟରେ ସିକ୍ରେଟ ଚାମ୍ବର ରହିଥିବା ଦେଖିବାକୁ ମିଳିଥିଲା। ସେଥିରୁ ପ୍ରାୟ ୧୪୦ କିଲୋ ଓଜନର ୪୭ଖଣ୍ଡ ରୁପା ଇଟା ଓ ୩୮କିଲୋ ରୁପା ଅଳଙ୍କାର ଜବତ ହୋଇଥିଲା। ଏପରିକି ଏକ ବ୍ୟାଗ ମଧ୍ୟରୁ ୧୧ଲକ୍ଷ୯୦ହଜାର ଟଙ୍କା ମିଳିଥିଲା। ଅବକାରୀ ବିଭାଗ ସମସ୍ତ ସାମଗ୍ରୀ ଓ ଧରାପଡିଥିବା ଦୁଇ ଅଭିଯୁକ୍ତଙ୍କୁ ଜିଏସ୍ଟି ବିଭାଗକୁ ହସ୍ତାନ୍ତର କରିଥିଲା।
Comments are closed.