ରାୟଗଡ଼ାରେ ବିଜୁ ପକ୍କା ଘର ଅପେକ୍ଷାରେ ୩୪ ହଜାର ଆବେଦନକାରୀ

ରାଜ୍ୟରେ ୪ ବର୍ଷ ହେଲା ବନ୍ଦ ରହିଛି ବିପିଜିୱାଇ ଯୋଜନା

ରାୟଗଡ଼ା : ଗତ ୪ବର୍ଷ ହେଲା ସମଗ୍ର ରାଜ୍ୟରେ ବିଜୁ ପକ୍କାଘର ଯୋଜନା ବନ୍ଦ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରୁ ବିପିଜିୱାଇ ଯୋଜନାରେ କୌଣସି ହିତାଧିକାରୀଙ୍କୁ ଘର ଦିଆଯାଇନି। ଏହି ଯୋଜନାରେ ଗରିବ ହିତାଧିକାରୀଙ୍କୁ ଆବାସଗୃହ ଯୋଗାଇ ଦିଆଯାଉଛି। ହେଲେ ଗତ ୪ବର୍ଷ ହେଲା ବିପିଜିୱାଇ ଓ ଏନ୍‌ଏସ୍‌ପିଜିୱାଇ ଯୋଜନା ବନ୍ଦ ରହିଥିବା ବେଳେ ୨ବର୍ଷ ହେବ ପିଏମ୍‌ଏୱାଇଜି ଯୋଜନା ବନ୍ଦ ରହିଛି। ଫଳରେ ରାୟଗଡ଼ା ଜିଲାରେ ୩୩ ହଜାର ୮୩୦ ଜଣ ହିତାଧିକାରୀ ଆବାସ ପାଇଁ ଚାହିଁ ବସିଛନ୍ତି। ସମଗ୍ର ରାଜ୍ୟରେ ଆବାସ ଯୋଜନା ପାଇଁ ଅପେକ୍ଷା କରିଛନ୍ତି ଲକ୍ଷଲକ୍ଷ ଗରୀବ ହିତାଧିକାରୀ।
ମିଳିଥିବା ସୂଚନା ପ୍ରକାରେ, ବିଷମକଟକ ବ୍ଲକରେ ୩୪୩୯, ଚନ୍ଦ୍ରପୁର ବ୍ଲକରେ ୨୩୯୦, ଗୁଡାରୀ ବ୍ଲକରେ ୧୯୮୫, ଗୁଣପୁରରେ ୩୩୫୩, କଲ୍ୟାଣସିଂହପୁରରେ ୪୧୯୧, କାଶୀପୁରରେ ୩୭୪୯,କୋଲନରାରେ ୩୩୯୪,ମୁନିଗୁଡା ବ୍ଲକରେ ୪୦୧୮, ପଦ୍ମପୁରରେ ୧୯୦୪, ରାମନାଗୁଡାରେ ୧୬୭୪, ରାୟଗଡ଼ାରେ ୩୭୩୩ ଜଣ ହିତାଧିକାରୀ ଆବାସ ଯୋଜନା ପାଇବା ଅପେକ୍ଷାରେ ଅଛନ୍ତି। ସେହିପରି ରାୟଗଡ଼ା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତ ୨୦୧୬-୧୭ ଠାରୁ ୨୦୨୦-୨୧ ଆର୍ଥୀକ ବର୍ଷରେ ୪୦ ହଜାର ୫୯୩ଟି ଆବାସ ଗୃହ ଆସିଥିଲା। ସେଥିରୁ ୩୫ ହଜାର ୫୪୯ଟି ଗୃହ ସମ୍ପୂର୍ଣ୍ଣ ହୋଇଛି, ଅର୍ଥାତ୍‍ ଜିଲାରେ ୮୭ ପ୍ରତିଶତ ସଫଳତା ମିଳିଛି। ଅବଶିଷ୍ଟ ୫ହଜାର ୪୪ଟି ଗୃହ ଅର୍ଦ୍ଧନିର୍ମିତ ଏବଂ ଘରକାମ ଆରମ୍ଭ ହୋଇ ନ ଥିବା ଜଣାଯାଇଛି। ଗତ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ କୌଣସି ଆବାସ ଘର ଏହି ଜିଲାକୁ ଆସିନାହିଁ।
ରାୟଗଡ଼ା ଜିଲାରେ ଗତ ୨୦୧୬-୧୭ ଠାରୁ ୨୦୧୮-୧୯ ଆର୍ଥୀକ ବର୍ଷରେ ବିଜୁ ପକ୍କାଘର ଯୋଜନାରେ ୧୧୬୭ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ସେଥିରୁ ୧୦୪୧ ଘର ସମ୍ପୂର୍ଣ୍ଣ ହୋଇଛି। ଗୁଣପୁର ବ୍ଲକରେ ୧୧୫ଟାରୁ ୧୧୩ଟି ଘର କାମ ଶେଷ ହୋଇଛି। ରାୟଗଡ଼ାରେ ୧୮୦ରୁ ୧୫୬ ଘର ଶେଷ ହୋଇଥିବା ବେଳେ କାଶୀପୁର ବ୍ଲକରେ ୧୮୩ ଘରରୁ ୧୫୦ ଘର ସମ୍ପୂର୍ଣ୍ଣ ହୋଇଛି। ସେଭଳି ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଜିଲାକୁ ମାତ୍ର ୧୨୭ ଘର ଆସିଥିବା ବେଳେ ସେଥିରୁ ୯୯ଟି ଘର ସମ୍ପୂର୍ଣ୍ଣ ହୋଇଛି। ଏହି ସବୁ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଗରୀବ ହିତାଧିକାରୀମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏ ଦୌଡୁଥିଲେ ବି ସେମାନଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ଆଉ କିଛି ସ୍ଥାନରେ ଛାତ ଘରର ଥିବା ଲୋକଙ୍କୁ ବି ଆବାସ ଯୋଜନାରେ ଘର ମିଳିଥିବା ଜଣାପଡ଼ିଛି। ଏପରିକି ଘରଟିଏ ପାଇବାକୁ ହାତଗୁଞ୍ଜା ଦେବାକୁ ପଡୁଥିବା କହିଛନ୍ତି କିଛି ହିତାଧିକାରୀ। ଆବାସ ଯୋଜନାରେ ଘର ନିର୍ମାଣ କରିଥିବା ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିନଥିବା ଅଭିଯୋଗ କରିଛନ୍ତି।

kalyan agarbati

Comments are closed.