ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ସମାଜର ରାଜ୍ୟସ୍ତରୀୟ ନୂଆଖାଇ ଭେଟଘାଟ୍

ରେଙ୍ଗାଲିକ୍ୟାମ୍ପ: ଅତାବିରା ଅଗ୍ରସେନ ଭବନଠାରେ ମଙ୍ଗଳବାର ଗୋଣ୍ଡ ସମାଜର ମହାସଭା ଜିଲ୍ଲା ଆୟୋଜକ ସମିତି ବରଗଡ ପକ୍ଷରୁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ମହାସଭାର ପ୍ରସ୍ତୁତି ବୈଠକ ସହ ନୂଆଖାଇ ଭେଟଘାଟ ବଡ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହା ସଚିବ ପ୍ୟାରୀମୋହନ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜେଡି ମହିଳା ନେତ୍ରୀ ସୁଜାତା ପଣ୍ଡା, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭୋରାସାଗର, ବରଗଡ଼ ମହିଳା ସଭାପତି ଯାଜ୍ଞସେନୀ ଭୋଇ, ଉପ ସଭାପତି ଅହଲ୍ୟା ଭୋଇ, ଜିଲ୍ଲା ମହା ସଚିବ ଧନେଶ୍ଵର ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଖାଁ ସିଂ ମାଝୀ, ରାଜ୍ୟ ସଭ୍ୟ ଓ ଗୁଡ଼ି ସଭାପତି ଯାଦବ ଭୋଇ, ବୁଗୁବୁଗା ମହା ସଚିବ ରଞ୍ଜନ ମରପାଚି, କନ୍ତଲ ଗୁଡ଼ି ସଭାପତି ରଞ୍ଜନ ଧାରୁଆ, ଜିଲ୍ଲା ସଚିବ ସରୋଜ ଧରୁଆ, ଅତାବିରା ବିଧାୟକ ପ୍ରତିନିଧି ଗଣେଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଥମେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅତିଥି ଓ ସଭ୍ୟମାନଙ୍କୁ ପାଦ ଧୌତ ଓ ଚନ୍ଦନ ଲେପନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ସମସ୍ତଙ୍କ ମିଳିତ ଉଦ୍ୟମରେ ଦୁଲଦୁଲି ବାଜା ସହ ଅତାବିରା ମା’ସମଲେଶ୍ଵରୀ ମନ୍ଦିର ଅଭିମୁଖେ ଯାତ୍ରା କରି ମା’ ସମଲେଶ୍ଵରୀଙ୍କ ମନ୍ଦିର ପୀଠରେ ଗୋଣ୍ଡମାନଙ୍କ ଇଷ୍ଟଦେବୀ ବଡଦେଓଙ୍କୁ ପୂଜାର୍ଚ୍ଚନା କରିବାପରେ ମନ୍ଦିର ସମ୍ମୁଖରେ ଖଣ୍ଡା, ଧନୁଶର ମାଧ୍ୟମରେ ଖେଳ କସରତ କରି ମା’ଙ୍କୁ ଆବାହନ କରିଥିଲେ । ପୁଣି ଏହି ଶୋଭାଯାତ୍ରାଟି ଦୁର୍ଗା ମନ୍ଦିର, ଗୋଣ୍ଡ ଜାତିର ପିତା ବୀର ସୁରେନ୍ଦ୍ର ସାଏ ଆଦି ପୀଠମାନଙ୍କରେ ପୂଜାର୍ଚ୍ଚନା କରି ଶୋଭାଯାତ୍ରାଟି ପୁଣି ଅଗ୍ରସେନ ଭବନରେ ପହଞ୍ଚିଥିଲା । ଭବନ ପରିସରରେ ଗୋଣ୍ଡ ସମାଜର ପାରମ୍ପରିକ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ସମାଜର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା ହେବା ସହ ଆସନ୍ତା ୨୪,୨୫ ଓ୨୬ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ରାଷ୍ଟ୍ରସ୍ତରୀୟ ମହାସଭା କରାଯିବ ପାଇଁ ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତି କ୍ରମେ ଗୃହୀତ କରାଯାଇଥିଲା। ଏହାପରେ ଗଁଣ ଜାତିର ନୃତ୍ୟ କଳା ପରିବେଷଣ ରେ ମଞ୍ଚ ଦୁଲୁକି ଉଠିଥିଲା। ଏହା ବ୍ୟତୀତ ନୁଆଁପଡ଼ା, ବଲାଙ୍ଗୀର, ସୋନପୁର, ବଉଦ, ଝାରସୁଗୁଡ଼ା, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଗଣ୍ଡ ସମାଜର ଲୋକ ଯୋଗ ଦେଇଥିଲେ। ଶେଷରେ ଯାଦବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.