ନୂଆଶାସନ ଲିକୁ ହତ୍ୟାକାଣ୍ଡ ମାମଲା-ପୋଖରୀ କୂଳରେ ଲୁଚାଇ ରଖିଥିବା ମାରଣାସ୍ତ୍ରକୁ ପୁଲିସକୁ ଦେଲା ଅଭିଯୁକ୍ତ
ପିପିଲି:ପିପିଲି ଥାନା ନୂଆଶାସନ ଗ୍ରାମରେ ମଙ୍ଗଳବାର ଘଟିଥିବା ବହୁଚର୍ଚ୍ଚିତ ଲିକୁ ବେହେରା ହତ୍ୟାକାଣ୍ଡ ମାମଲାରେ ପିପିଲି ପୁଲିସକୁ ବଡ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ରମାକାନ୍ତ ଓରଫ ରମା ବେହେରାକୁ ଅଚ୍ୟୁତପୁର ଅଞ୍ଚଳରୁ ପୁଲିସ ଗିରଫ କରିବାରେ ସଫଳ ହେବା ସହ ଘଟଣାର ପର୍ଦ୍ଧାଫାଶ କରିଛି। ପୂର୍ବ ପାରିବାରିକ ବିବାଦ ସହ ମଙ୍ଗଳବାର ଘଟିଥିବା ଏକ ମାର୍ପିଟ୍ ଘଟଣାକୁ ନେଇ ଲିକୁ ଓରଫ ଲିକୁନାକୁ ଅତି ନିର୍ମମ ଭାବେ ମୁଣ୍ଡ ଗଣ୍ଡି ଅଲଗା କରି ଅଭିଯୁକ୍ତ ରମା ହତ୍ୟା କରିଥିବା ନେଇ ପୁଲିସ ସମ୍ମୁଖରେ ସ୍ୱିକାର କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ଚାପଡକୁ ଅଭିଯୁକ୍ତ ରମା ଘଟଣାସ୍ଥଳ ନିକଟରେ ଥିବା ଏକ ପୋଖରୀ କୂଳ ବୁଦା ମୂଳରେ ଲୁଚାଇ ରଖିଥିବା ବେଳେ ତାହାକୁ ଆଜି ସେ ସର୍ବସମ୍ମୁଖରେ ଆଣି ପୁଲିସକୁ ଦେଇଛି। ଅଭିଯୁକ୍ତ ନାମରେ ପିପିଲି ସମେତ ବିଭିନ୍ନ ଥାନାରେ ୧୦ରୁ ଉର୍ଦ୍ଧ ମାମଲା ରହିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତ ୨୦୧୬ ମସିହା ଜୁନ ୧୦ ତାରିଖ ମଧ୍ୟାହ୍ନ ୨ଟା ସମୟରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ନିକଟରେ ଘଟିଥିବା ଏକ ଲୁଟ୍ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ରମାକାନ୍ତ ସତ୍ୟବାଦୀ ପୁଲିସ ଦ୍ୱାରା ଗିରଫ ହୋଇ ୩ ବର୍ଷ ଜେଲରେ ରହି ଜାମିନରେ ଆସିଥିବା ସୂଚନା ମିଳିଛି। ଅଭିଯୁକ୍ତର ଘର ଉକ୍ତ ନୂଆଶାସନ ଗ୍ରାମର ଦୋଳବେଦୀ ସାହିରେ ହୋଇଥିବା ବେଳେ ସେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ହୋଇଥିବା ପୁଲିସ କହିଛି। କଡା ସୁରକ୍ଷା ମଧ୍ୟରେ ଅଭିଯୁକ୍ତକୁ ପୁଲିସ ବୁଧବାର ସଂନ୍ଧ୍ୟାରେ ପିପିଲି କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।
ମଙ୍ଗଳବାର ଅପରାହ୍ନରେ ନୂଆଶାସନ ଗ୍ରାମରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହର ପଛପାଶ୍ୱର୍ ବାରଣ୍ଡାରେ ଦୋଳବେଦୀ ସାହିର ଲିକୁନାଙ୍କୁ ଅତି ଜଘନ୍ୟ ଭାବେ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରାଯାଇଥିଲା। ମୃତକଙ୍କ ଭାଇ ରାଜା ବେହେରାଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ପୁଲିସରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଆଇଆଇସି ଅଭିମନ୍ୟୁ ନାୟକ ନିଜେ ମାମଲାର ତଦନ୍ତଭାର ନେଇଛନ୍ତି। ଅଭିଯୁକ୍ତ ରମାକାନ୍ତ ଓରଫ ରମାକୁ ପୁଲିସ ସେହି ରାତିରେ ଧରିବାରେ ସଫଳ ହୋଇଥିଲା। ବୁଧବାର ସକାଳେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ଘଟଣାସ୍ଥଳରେ ଛାନ୍ଭିନ ତଦନ୍ତ ଚଳାଇବା ସହ ମୃତଦେହକୁ ଜବତ କରି ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିଲା। ଘଟଣାସ୍ଥଳରୁ ପୁଲିସ ମୃତକର ରକ୍ତଭିଜା ମୋବାଇଲ୍ ଫୋନ୍ ଓ ରକ୍ତଭିଜା ସାର୍ଟକୁ ଜବତ କରିଛି। ପରେ ଅଭିଯୁକ୍ତକୁ ସାଥିରେ ନେଇ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଯାଇଥିଲେ। ଘଟଣାସ୍ଥଳ ନିକଟରେ ଥିବା ଏକ ପୋଖରୀ କୂଳ ବୁଦାମୂଳରେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଧାରୁଆ ଲୁହା ଚାପଡକୁ ଅଭିଯୁକ୍ତ ଲୁଚାଇ ରଖିଥିବା ବେଳେ ଆଜି ତାହାକୁ ସେ ସର୍ବସମ୍ମୁଖରେ ବାହାର କରି ପୁଲିସକୁ ଦେଇଥିଲା।
ଏ ସଂପର୍କରେ ବୁଧବାର ସଂନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି କି, ଉଭୟ ମୃତକ ଲିକୁ ଓ ଅଭିଯୁକ୍ତ ରମାଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ପୂର୍ବ ବିବାଦ ଓ ମଙ୍ଗଳବାର ଘଟିଥିବା ମାର୍ପିଟ୍କୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏଥିରେ କେବଳ ଅଭିଯୁକ୍ତ ରମା ଏକୁଟିଆ ସଂପୃକ୍ତ ଥିବା ସଂପର୍କରେ ସେ ପୁଲିସ ସମ୍ମୁଖରେ ସ୍ୱିକାର କରିଛି। ଲିକୁର ପରିବାର ସହ ରମାକାନ୍ତର ପୂର୍ବରୁ ଶତୃତା ଥିଲା। ଉଭୟେ କିନ୍ତୁ ଏକାଠି ବୁଲାବୁଲି କରୁଥିଲେ ମଧ୍ୟ ପରସ୍ପରଙ୍କ ଉପରେ ଉଭୟେ ରାଗ ରଖିଥିଲେ। ମଙ୍ଗଳବାର ଅପରାହ୍ନ ସମୟରେ କୌଣସି ଘଟଣାକୁ ନେଇ ରମା ଓ ଲିକୁ ମଧ୍ୟରେ ଉକ୍ତ ହତ୍ୟାକାଣ୍ଡ ସ୍ଥଳ ବାରଣ୍ଡାରେ ମାର୍ପିଟ୍ ଘଟିଥିଲା। ରମା ବାରଣ୍ଡା ତଳକୁ ଖସି ପଡିଥିଲା। ପାଖରେ ଥିବା କିଛି ସ୍ଥାନୀୟ ବ୍ୟକ୍ତି ସେମାନଙ୍କୁ ମାର୍ପିଟ୍ରୁ ନିବୃତ କରାଇଥିଲେ। ରମା ଏଥିରେ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ନିକଟବର୍ତ୍ତି କେନାଲବନ୍ଧରେ ଥିବା ନିଜର ଚିକେନ୍ ଦୋକାନରୁ ଏକ ଧାରୁଆ ଲୁହା ଚାପଡକୁ ଚିରା ଗଞ୍ଜିରେ ଗୁଡାଇ ନେଇ ଆସିଥିଲା। ଅପରାହ୍ନ ୪ଟାରୁ ସାଢେ ୪ଟା ମଧ୍ୟରେ ଉକ୍ତ ବାରଣ୍ଡାରେ ଲିକୁ ଏକୁଟିଆ ବସିଥିବା ବେଳେ ରମା ତା’ ଉପରେ ଅତର୍କିତ ଆକ୍ରମଣ କରିଥିଲା। ଲିକୁର ବେକକୁ ରମା ଉକ୍ତ ଧାରୁଆ ଚାପଡ ଦ୍ୱାରା ୩ଚୋଟ ପକାଇଥିଲା ଯାହା ଫଳରେ ତାର ମୁଣ୍ଡ ଓ ଗଣ୍ଡି ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବେଳେ ତାର ଡାହାଣ କାନ୍ଧରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିଲା। ପରେ ସେ ଉକ୍ତ ରକ୍ତଲଗା ଚାପଡକୁ ଚିରା ଗଞ୍ଜିରେ ଗୁଡାଇ ନିକଟବର୍ତ୍ତୀ ପୋଖରୀ କୂଳ ବୁଦା ମୂଳରେ ଫୋପାଡି ଦେଇଥିଲା। ସେଠାରୁ ସେ ଚାଲିଚାଲି କେନାଲବନ୍ଧ ରାସ୍ତାକୁ ଆସିଥିଲା। ସେହିବାଟରେ ଯାଉଥିବା ଏକ ବାଇକ୍ରେ ବସି ସେ ହରିପୁର ବଜାରକୁ ଯାଇ ଆଖପାଖ ଅଞ୍ଚଳରେ ବୁଲାବୁଲି କରିଥିଲା। ତାକୁ ପୁଲିସ ଧରି ନିଜ ହେପାଜତକୁ ଆଣି ପଚରାଉଚୁରା କରିବାରେ ସେ ନିଜେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱିକାର କରିଥିଲା। ତେବେ ଏହି ହତ୍ୟାକାଣ୍ଡରେ ଅନ୍ୟ କାହାର ସଂପୃକ୍ତି ଅଛି ନା ନାହିଁ ସେ ସଂପର୍କରେ ପଚାରିବାରୁ ଏସ୍ଡିପିଓ କହିଥିଲେ ଯେ ଏବେ ତଦନ୍ତ ଜାରି ରହିଛି। ଏଥିରେ ଅନ୍ୟ କାହାର ସଂପୃକ୍ତି ଅଛି ନା ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି ସେ କହିଥିଲେ। ୩୦ଦିନ ମଧ୍ୟରେ ଏହି ମାମଲାର ତଦନ୍ତ କରାଯାଇ ଅଦାଲତରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯିବ ବୋଲି ଏସ୍ଡିପିଓ ସୂଚନା ଦେଇଥିଲେ।
Comments are closed.