ଆଠଗଡରେ ଜିଲାପାଳଙ୍କ ଜନଶୁଣାଣି ଶିବିର, ୧୪୨ ଅଭିଯୋଗରୁ ୫୮ଟି ତତ୍କାଳ ସମାଧାନ

ଆଠଗଡ : ଆଠଗଡ ବ୍ଲକ ସଭାଗୃହରେ ସୋମବାର କଟକ ଜିଲାପାଳଙ୍କର ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଯୋଗଦେଇ ମୋଟ ୧୪୨ଟି ଅଭିଯୋଗର ଶୁଣାଣି କରିବା ସହିତ ୫୮ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ୧୪୨ଟି ଅଭିଯୋଗ ପତ୍ର ମଧ୍ୟରୁ ୧୩୦ଟି ବ୍ୟକ୍ତିଗତ ଓ ୧୨ଟି ସାମୂହିକ ସମସ୍ୟା ସଂପର୍କିତ ଅଭିଯୋଗ ରହିଥିଲା। କନ୍ତୋଲର ସନାତନ ସାହୁ, ବୀରକିଶୋରପୁରର ଅଭିରାମ ପ୍ରଧାନ ଓ ରାଧାଦାମୋଦରପୁରର ମାନସୀ ପୁହାଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସେମାନଙ୍କର ଚିକିତ୍ସା ନିମନ୍ତେ ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୩୦୦୦ଟଙ୍କା ଲେଖାଏଁ ଜିଲାପାଳ ପ୍ରଦାନ କରିଥିଲେ। ଏଥିସହିତ ୧୨ଟି ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଭତ୍ତା ସଂପର୍କୀତ ଆବେଦନକୁ ଜିଲାପାଳ ମଞ୍ଜୁର କରି ସେମାନଙ୍କୁ ଯଥାଶୀଘ୍ର ଭତ୍ତା ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ।

prayash

ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ବିଶ୍ୱନାଥ ବିଦ୍ୟାପୀଠର ନୂଆ ହଷ୍ଟେଲ ସଂଲଗ୍ନ ଜମି ଜବରଦଖଲ ସମ୍ପର୍କରେ ପୁରାତନ ଛାତ୍ରମାନେ ଜିଲାପାଳଙ୍କୁ ଅବଗତ କରାଇବା ସହ ସେଠାରୁ ଜବରଦଖଲ ଉଚ୍ଛେଦ କରିବାକୁ ଦାବି କରିଥିଲେ। ସେହିପରି ରାଧାକିଶୋରପୁର ହାଇସ୍କୁଲରେ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାି ଏହି ଜନଶୁଣାଣି ଶିବିରରେ ସ୍କୁଲର ବିଦ୍ୟାର୍ଥୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଧାଗୋବିନ୍ଦପୁର ଗ୍ରାମର ଶଶ୍ମାନ ଲାଗି ଜମି ଯୋଗାଇ ଦେବା ଲାଗି ଗ୍ରାମବାସୀ ଜିଲାପାଳଙ୍କୁ ନିବେଦନ କରିଥିଲେ। ମୋଟ ୧୪୨ଟି ଅଭିଯୋଗ ମଧ୍ୟରୁ ୫୮ଟି ଅଭିଯୋଗ ଶୁଣାଣି କରି ସେଗୁଡିକର ତତ୍କାଳ ସମାଧାନ କରାଯାଇଥିଲା। ଏହି ଶିବିରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମ୍ବର କୁମାର କର, କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର ବାନୋଥ, ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ତହସିଲଦାର ପ୍ରିୟବ୍ରତ ଦାସ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନା, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ, ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି, ବିଧାୟକ ତଥା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ, ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

kalyan agarbati

Comments are closed.