ପ୍ରଜାମଣ୍ଡଳ ସ୍ମାରକୀ ଭବନ ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ
ଆଠଗଡ ପ୍ରଜାମଣ୍ଡଳ ଆନ୍ଦୋଳନ ୮୪ତମ ପୂର୍ତ୍ତି ଉତ୍ସବ
ଗୁରୁଡିଝାଟିଆ:ଅନ୍ୟାୟ,ଅତ୍ୟାଚାର, ଶୋଷଣ ଓ କଷଣରେ ନିଷ୍ପେସିତ ରାଜଶାସନ ବିରୋଧରେ ପ୍ରଥମେ ଖୁଣ୍ଟୁଣୀରେ ହୋଇଥିଲା ଆଠଗଡ ପ୍ରଜା ମଣ୍ଡଳ ଆନ୍ଦୋଳନର ପ୍ରଥମ ବୈଠକ। ଶହଶହ ଜନସାଧାରଣ ବଞ୍ଚିବାର ଅଧିକାର ନେଇ ସଂଗ୍ରାମ ଚଳାଇଥିଲେ। ଯାହାକି ସମଗ୍ର ରାଜ୍ୟରେ ଆଠଗଡ ପ୍ରଜାମଣ୍ଡଳ ଆନ୍ଦୋଳନ ଚହଳ ପକାଇଥିଲା। ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ନେତୃତ୍ୱରେ ଗଡଜାତ ଆନ୍ଦୋଳନ ବିରୋଧରେ ବହ୍ନି ପ୍ରଜ୍ୱଳିତ ହୋଇଥିଲା ତାହା ଆଠଗଡର ବୀରତ୍ୱର ଗାଥାକୁ ବହନ କରିଥିଲା। ଆଜିର ଏ ଯୁବପିଢି ନୀତିନ୍ୟାୟ ଓ ସଂଗ୍ରାମୀ ମନୋଭାବ ନେଇ ଦେଶକୁ ଆଗକୁ ନେବା ପାଇଁ ଆଗେଇ ଆସିବା ଏକାନ୍ତ ଆବଶ୍ୟକ ବୋଲି ଆଜି ଖୁଣ୍ଟୁଣୀ ନିକଟସ୍ଥ ରାଧାଦାମୋଦରପୁର ଜମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଜା ମଣ୍ଡଳ ଆନ୍ଦୋଳନ ର ୮୪ତମ ପୂର୍ତ୍ତି ଉତ୍ସବରେ ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଥିଲେ। ଜମ୍ବେଶ୍ୱର ମିଶ୍ର ସ୍ମୃତି ସଂସଦ ଓ ଆଠଗଡ ପ୍ରଜାମଣ୍ଡଳ ଆନ୍ଦୋଳନର ଦୟାଦଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଆଇନଜୀବି ଫଣିଭୂଷଣ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଠଗଡ ପ୍ରଜାମଣ୍ଡଳ ଆନ୍ଦୋଳନ ଆଜିର ଯୁବପିଢିଙ୍କ ଭିତରେ ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢିବାପାଇଁ ଅସୀମ ସାହସ ଯୋଗାଇବ ବୋଲି କହିବା ସହ ପ୍ରଜାମଣ୍ଡଳ ଆନ୍ଦୋଳନର ଇତିହାସକୁ ଅଧ୍ୟୟନ କରିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।
ସମାଜସେବୀ ଭାଗିରଥି କର ଉତ୍ସବର ଅଧ୍ୟକ୍ଷତା କରି ରାଜଶାସନର ଅତ୍ୟାଚାରରେ ନିଷ୍ପେସିତ ଜନସାଧାରଣଙ୍କୁ ଶୋଷଣମୁକ୍ତ କରିବା ପାଇଁ ବହୁ ସ୍ୱାଧୀନତା ସଂଗ୍ରାମୀ ଜୀବନ ଉତ୍ସର୍ଗ କରିଥିଲେ। ସେମାନଙ୍କ ତ୍ୟାଗ ଓ ତପସ୍ୟାର ଫଳ ଆଜି ଆଠଗଡ ଉପଭୋଗ କରୁଛି। ଆଠଗଡରେ ପ୍ରଜାମଣ୍ଡଳ ଆନ୍ଦୋଳନର ସ୍ମାରକୀକୁ ଉଦଜୀବିତ ରଖିବା ପାଇଁ ଏକ ଭବନ ନିର୍ମାଣ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମାଧ୍ୟମରେ ଶ୍ରୀ କର ରାଜ୍ୟ ସରକାରଙ୍କ ନିକଟରେ ମଞ୍ଚ ତରଫରୁ ଦାବି ଜଣାଇଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହିମାଂଶୁ ଶେଖର ପରିଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀନତା ସଂଗ୍ରାମୀଙ୍କ ଦୟାଦ କବିରାଜ ପ୍ରତାପରୁଦ୍ର ବେଉରାୟ,ବସନ୍ତ କୁମାର ସାହାଣୀ, ବନବିଭାଗ ଅବସରପ୍ରାପ୍ତ ଆଇଏଫଏସ ଅଜୟ କୁମାର ଜେନା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆଠଗଡ ପ୍ରଜାମଣ୍ଡଳ ଆନ୍ଦୋଳନ ର ଭୂମିକା ରାଜ୍ୟର ଅନ୍ୟ ପ୍ରଜାମେଳିକୁ ଅଧିକ ଇନ୍ଧନ ଯୋଗାଇଥିଲା।
ଅତ୍ୟାଚାରୀରାଜାଙ୍କ ବିରୋଧରେ ସଂଗ୍ରାମ କରି ବହୁ ସଂଖ୍ୟାରେ ଶହୀଦ ହୋଇଥିଲେ। ପ୍ରଜା ଆନ୍ଦୋଳନର ସେନାନୀଙ୍କୁ କଖଡି ଅଞ୍ଚଳର ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଅତ୍ୟନ୍ତ ଅପାସୋରା ବୋଲି କହିବା ସହ ଏହା ଉତ୍ତରପିଢିକୁ ଗାରିମା ବୀରତ୍ୱ ଓ ସଂଗ୍ରାମର ଜାଜୁଲ୍ୟମାନ ଦୀପଶିକ୍ଷା ଭାବରେ ଉଦଭାସିତ କରୁଛି। ସାହ୍ୟିତିକ ସୁରେଶ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଇଂ ଆଶୁତୋଷ କର ଓ ରଶ୍ମୀରଞ୍ଜନ ସାହାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିବୃନ୍ଦ ହାକରା ସମ୍ବାଦପତ୍ରର ପ୍ରଜା ମଣ୍ଡଳ ଆନ୍ଦୋଳନର ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ।
Comments are closed.