ଦ୍ୱାରିକାପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପରଲୋକ
ମଧ୍ୟପ୍ରଦେଶର ନରସିଂହପୁର ଠାରେ ଥିବା ଗଙ୍ଗା ଆଶ୍ରମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା
ଭୋପାଳ: ଦ୍ୱାରିକାପୀଠର ଶଙ୍କରାଚାର୍ୟ୍ୟ ସ୍ୱାମୀ ସ୍ବରୁପାନନ୍ଦ ସରସ୍ବତୀଙ୍କ ପରଲୋକ ହୋଇଯାଇଛି। ୯୯ ବର୍ଷ ବୟସରେ ମଧ୍ୟପ୍ରଦେଶର ନରସିଂହପୁର ଠାରେ ଥିବା ଗଙ୍ଗା ଆଶ୍ରମରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ସନାତନ ଧର୍ମର ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରଲୋକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ୨ ସେପ୍ଟେମ୍ବର ୧୯୨୪ ମସିହାରେ ମଧ୍ୟପ୍ରଦେଶର ସିଓନି ସହରରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ଧର୍ମଶାସ୍ତ୍ର ପ୍ରତି ଯଥେଷ୍ଟ ଜ୍ଞାନ ରଖୁଥିଲେ। ପରବର୍ତ୍ତୀ ସମୟରେ ସେ ହିନ୍ଦୁ ଧର୍ମର ନେତା ଭାବେ ଆବିର୍ଭାବ ହୋଇଥିଲେ। ୧୯୫୦ ମସିହାରେ ସେ ସନ୍ୟାସୀ ହୋଇଥିଲେ। ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଗୁରୁ ବ୍ରହ୍ମାନନ୍ଦଙ୍କ ଠାରୁ ସନ୍ୟାସୀ ବ୍ରତ ଗ୍ରହଣ କରିଥିଲେ।
ଦେଶର ଚାରି ଧାମରୁ ଦ୍ୱାରିକାଧାମର ଶଙ୍କରାଚାର୍ୟ୍ୟ ରହିଥିଲେ ସ୍ୱାମୀ ସ୍ୱରୂପାନନ୍ଦ। ହିନ୍ଦୁ ଧର୍ମର ସବୁଠାରୁ ବଡ ଧର୍ମଗୁରୁ ଭାବେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କୁ ଅଭିହିତ କରାଯାଇଥାଏ। ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦୀର୍ଘଦିନ ଲଢେଇ କରିଥିଲେ। ଏହା ବ୍ୟତୀତ ଦେଶକୁ ସ୍ବାଧୀନ କରିବା ପାଇଁ ସେ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।
ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜନ୍ମ ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ଦେଘୋରୀ ଗ୍ରାମରେ ହୋଇଥିଲା। ସେ ୯ ବର୍ଷ ବୟସରେ ଘରଛାଡି ଧର୍ମଯାତ୍ରା ଆରମ୍ଭ କରିଥିଲେ। ୧୯୪୨ ମସିହା ବେଳେକୁ ଯେତେବେଳେ ତାଙ୍କ ମାତ୍ର ୧୯ ବର୍ଷ ହୋଇଥିଲା ସେତେବେଳେ ସେ ଜଣେ କ୍ରାନ୍ତିକାରୀ ସାଧୁ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ।
Comments are closed.