ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ପ୍ରଶାସନର ପ୍ରସ୍ତୁତି: ବିଭିନ୍ନ କ୍ରୀଡ଼ା ସଙ୍ଗଠନ ଓ ବରିଷ୍ଠ ଖେଳାଳିଙ୍କ ମତାମତ ଏବଂ ସହଯୋଗ ଲୋଡ଼ିଲେ ଜିଲାପାଳ

ରାଉରକେଲା: ୨୦୨୩ ଜାନୁଆରି ମାସରେ ଓଡ଼ିଶା ପୁରୁଷ ହକି ବିଶ୍ୱକପର ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଏକପ୍ରକାର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ତେଣୁ ଏହି ଅବସରରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବାକୁ ପ୍ରଶାସନ ପଦକ୍ଷେପ ନେଉଛି। ଏଥିପାଇଁ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜିଲ୍ଲାର ପ୍ରମୁଖ କ୍ରୀଡ଼ା ଅନୁଷ୍ଠାନ ଓ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା କରି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।
ଆଗାମୀ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତେଣୁ ବର୍ତ୍ତମାନଠାରୁ କିପରି ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଖସଡ଼ା ପ୍ରସ୍ତୁତ କରାଯାଉଛି। ଜନସାଧାରଣଙ୍କ ସହଭାଗିତାରେ ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି।

ରାଉରକେଲା ମହାନଗର ନିଗମର କାଉନସିଲ ହଲଠାରେ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ରାଉରକେଲା ତଥା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀଡ଼ା ସଙ୍ଗଠକ ଏବଂ ଭେଟେରାନ ଖେଳାଳିମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲାପାଳ କହିଥିଲେ ଯେ, ହକି ମହାପର୍ବରେ ଜିଲାର ସବୁ ବର୍ଗର ଜନସାଧାରଣ କିଭଳି ଯୋଡ଼ି ହେବେ ସେ ଦିଗରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଏଥିପାଇଁ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ସେହିପରି କ୍ରୀଡ଼ାବିତ ଏବଂ ଜନସାଧାରଣଙ୍କୁ ଯୋଡ଼ି ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତାର ଆୟୋଜନ କରାଯିବ। ସ୍କୁଲ ଏବଂ କଲେଜସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ ଓ କ୍ରୀଡ଼ା ଆଦି ବିଭିନ୍ନ ପ୍ରତିଯୋଗିତା ଲାଗି ଯୋଜନା କରାଯାଇଛି। ସେହିପରି ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ସବୁ ବର୍ଗର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜିଲାର ବିଭିନ୍ନ କ୍ରୀଡ଼ା, ସାଂସ୍କୃତିକ ଏବଂ ସାମାଜିକ ସଙ୍ଗଠନମାନଙ୍କୁ ଏଥିପାଇଁ ସହଯୋଗ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।

prayash

ଏହି ବୈଠକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସମ୍ଭାବ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ କ୍ରୀଡ଼ା ସଙ୍ଗଠକମାନଙ୍କୁ ସୂଚନା ଦିଆଯାଇଥିଲା। ପରେ ପରେ ସେମାନେ ନିଜ ଆଡୁ ବିଭିନ୍ନ ପ୍ରସ୍ତାବ ଓ ମତାମତ ରଖିଥିଲେ। ଆଗାମୀ ଦିନରେ ଏ ସମ୍ପର୍କରେ ଅଧିକ ପ୍ରସ୍ତାବ ଥିଲେ ପ୍ରଶାସନକୁ ଲିଖିତ ଆକାରରେ ଦେବା ପାଇଁ ଜିଲାପାଳ ସେମାନଙ୍କୁ ଅନୁରୋଧ କରିଛନ୍ତି।
ସୁନ୍ଦରଗଡ଼ ହେଉଛି ଭାରତୀୟ ହକିର ଅନ୍ତୁଡ଼ିଶାଳ। ତେଣୁ ଏହି ବିଶ୍ୱକପ ସମୟକୁ ଆକର୍ଷଣୀୟ କରିବା ପାଇଁ ଏକ ଥିମ୍ ସଙ୍ଗ ପ୍ରସ୍ତୁତି, ଅଡିଓ ଭିଜୁଆଲ ଭ୍ୟାନ ମାଧ୍ୟମରେ ଜିଲାବ୍ୟାପି ହକି ସମ୍ପର୍କରେ ସଚେତନତା ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହକି ଖେଳର ବିଭିନ୍ନ କଳା କୌଶଳ ଶିକ୍ଷା ଦେବା ଆଦି ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

ସେହିପରି ଏହିସବୁ କାର୍ଯ୍ୟକ୍ରମକୁ ଫଟୋ ଏବଂ ଅଡିଓଭିଜୁଆଲ ମାଧ୍ୟମରେ କଏଦ କରି ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଶେଷ କ୍ୟାମ୍ପେନ କରିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ୨୦୨୩ ହକି ବିଶ୍ୱକପ୍ ପ୍ରସ୍ତୁତି ଅବସରରେ ଜନସାଧାରଣ ଚାହିଁଲେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସୋସିଆଲ ମିଡିଆ ପେଜରେ ସେମାନଙ୍କର ମତାମତ ଓ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଅନୁରୋଧ କରିଛନ୍ତି।
ଏହି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ଜିଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.