ସୁବର୍ଣ୍ଣ ଓ ବାସନ୍ତୀ ମହିଳା ବିଜେଡି ରାଜ୍ୟ ଉପସଭାପତି ହେଲେ

ଆଠଗଡ: ଆଠଗଡର ମହିଳା ବିଜେଡି ନେତ୍ରୀ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ଏବଂ ବାସନ୍ତୀ ରାଉଳ ରାଜ୍ୟ ମହିଳା ବିଜେଡି ଉପସଭାପତି ଭାବେ ମନୋନୀତ ହୋଇଥିବା ଜଣାପଡିଛି। ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟ ମହିଳା ବିଜେଡିର ପୁର୍ନଗଠନ କରିଥିବାବେଳେ ଏହି ଦୁଇ ନେତ୍ରୀଙ୍କୁ ଉପସଭାପତି ଭାବେ ମନୋନୀତ କରିଥିବାରୁ ଆଠଗଡ ବିଜେଡି ମହଲରେ ଆନନ୍ଦ ପ୍ରକାଶ ପାଇଛି। ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ ୨୦୦୮-୧୩ ପର୍ଯ୍ୟନ୍ତ ଆଠଗଡ ଏନଏସିର ନଗରପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଏଥି ସହିତ ସେ କଟକ ଜିଲା ମହିଳା ବିଜେଡି ଉପସଭାପତି ଓ ସାଧାରଣ ସଂପାଦକ ଦାୟିତ୍ୱ ମଧ୍ୟ ଦକ୍ଷତାର ସହିତ ତୁଲାଇଥିଲେ। ସେହିପରି ବାସନ୍ତି ରାଉଳ ୨୦୦୭ରୁ ୧୨ ପର୍ଯ୍ୟନ୍ତ ଆଠଗଡ ବ୍ଲକ ଉପାଧ୍ୟକ୍ଷା ଭାବେ ଦାୟିତ୍ୱ ନିର୍ବାହ କରିବା ସହିତ ପରେ ଆଠଗଡ ବ୍ଲକ ବିଜେଡି ସଭାନେତ୍ରୀ ଦାୟିତ୍ୱ ତୁଲାଇବା ସଙ୍ଗେ ସଙ୍ଗେ ରାଜ୍ୟ ମହିଳା ବିଜେଡି ଯୁଗ୍ମ ସଂପାଦକ ହୋଇଥିଲେ। ଉଭୟ ଏବେ ରାଜ୍ୟ ମହିଳା ବିଜେଡି ଉପସଭାପତି ପଦବୀ ଲାଗି ମନୋନୀତ ହେବା ଜଣାପଡିବା ପରେ ଆଠଗଡ ମହିଳା ବିଜେଡି ସଭାନେତ୍ରୀ ତଥା ଜିଲ୍ଲାପରିଷଦ ସଦସ୍ୟା ଶାନ୍ତିଲତା ବେହେରା, ନଗରପାଳ ସସ୍ମିତା ରାଉତ, ନଗର ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତାଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ନେତା ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉଭୟ ସୁବର୍ଣ୍ଣ ଏବଂ ବାସନ୍ତୀ ତାଙ୍କୁ ଏହି ପଦବୀ ପାଇଁ ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଦଳକୁ ଏବଂ ବିଶେଷ କରି ମହିଳା ମାନଙ୍କୁ ତୃଣମୂଳସ୍ତରରେ ସଂଗଠିତ କରି ଦଳକୁ ମଜବୁତ୍‍ କରିବା ପାଇଁ ସେମାନେ ନିରନ୍ତର ଉଦ୍ୟମ କରିବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

kalyan agarbati

Comments are closed.