www.samajalive.in
Tuesday, December 9, 2025
15.1 C
Bhubaneswar

ବ୍ୟାଙ୍କ କ୍ଷତି ଓ ଜନସାଧାରଣ

ଶ୍ୟାମସୁନ୍ଦର ଅଗ୍ରୱାଲା

ଆଶ୍ଚର୍ଯ୍ୟ ଲାଗେ ଯେ ଗତବର୍ଷ ଯେଉଁ ବ୍ୟାଙ୍କ ସମୂହ ଅତ୍ୟନ୍ତ ଲାଭଜନକ ସ୍ଥିତିରେ ଥିଲେ ବୋଲି ଘୋଷଣା କରିଥିଲେ, ଏ ବର୍ଷ ଏମିତି କ’ଣ ହୋଇଗଲା ଯେ ପ୍ରାୟ ସମସ୍ତେ କ୍ଷତିକୁ ଚାଲିଆସିଲେ? ଟିକେ ଭିତରକୁ ଯାଇ ଅନୁସନ୍ଧାନ କଲେ ରହସ୍ୟଟା ବୁଝିବାକୁ ବେଶୀ ସମୟ ଲାଗିବ ନାହିଁ। ଗତବର୍ଷ ପର୍ଯ୍ୟନ୍ତ ଏହି ବ୍ୟାଙ୍କ ସମୂହ ନିଜର ଅନାଦାୟ ଋଣରାଶି ବାର୍ଷିକ ଆର୍ଥିକ ବିବରଣୀରେ ପ୍ରକାଶ ନକରି ତାକୁ ଏଣେତେଣେ ବିଭିନ୍ନ ନଁାରେ ଲୁଚେଇକି ରଖୁଥିଲେ। ଏ ବର୍ଷ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କଡ଼ା ତାଗିଦ ଯୋଗୁଁ ଏ ସବୁ ତଥ୍ୟକୁ ପ୍ରକାଶ କରି ଦିଆଗଲା ଓ ତା’ପରେ ଫଳ ଯାହା ହେବା କଥା ସେଇୟା ହେଲା।
ସଦାବେଳେ ଯେ ଦୁଇ ଯୁକ୍ତ ଦୁଇ ଚାରି ହେବ ଏମିତି କିଛି ବାଧ୍ୟବାଧକତା ନାହିଁ। ବୁଦ୍ଧିଥିଲେ ଏହାକୁ ତିନ କି ପାଞ୍ଚ ବୋଲି ମଧ୍ୟ ପ୍ରମାଣ କରିଦେଇହେବ। ଥରେ ଗୋଟେ ବ୍ୟାଙ୍କ ଆକାଉଣ୍ଟାଣ୍ଟ୍‌ମାନଙ୍କର ସାକ୍ଷାତକାରରେ ମୁଖ୍ୟ ନିର୍ଦେଶକ ଦରଖାସ୍ତକାରୀମାନଙ୍କୁ ଦୁଇଯୁକ୍ତ ଦୁଇ କେତେ ହୁଏ ବୋଲି ପଚାରିବାରୁ ସମସ୍ତେ ଚାରି ହୁଏ ବୋଲି ଉତ୍ତର ଦେଇଥିଲେ। ଏ ଉତ୍ତରରେ କିନ୍ତୁ ମୁଖ୍ୟ ନିର୍ଦେଶକ ସନ୍ତୁଷ୍ଟ ନଥିଲେ। ଶେଷକୁ ଜଣେ ଦରଖାସ୍ତକାରୀ ତାଙ୍କ କାନପାଖକୁ ଯାଇ ଧୀରକିନା କହିଲା ‘ସାର୍‌ ଦୁଇ ଯୁକ୍ତ ଦୁଇ ଅବଶ୍ୟ ଚାରି, କିନ୍ତୁ ଆପଣ କେତେ ଚାହୁଁଛନ୍ତି କହନ୍ତୁ? ଆପଣ ଯେତିକି ଚାହୁଁଛନ୍ତି ମୁଁ ସେତିକି କହିଦେବି ଆଉ ପ୍ରମାଣ ବି କରିକି ଦେଖାଇଦେବି। ମୋତେ ଖାଲି ଆପଣଙ୍କ ସେବା କରିବାର ଥରେ ସୁଯୋଗ ଦିଅନ୍ତୁ। ୟା’ ପରେ ଯେ ସେହି ଦରଖାସ୍ତକାରୀ ସାକ୍ଷାତକାରରେ ନିଶ୍ଚୟ ଉତ୍ତୀର୍ଣ୍ଣ ହୋଇଥିବେ, ଏକଥା ଲେଖିବା ନିଷ୍ପ୍ରୟୋଜନ। ସେ ଯାହା ହେଉ, ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଅନାଦାୟଜନିତ କ୍ଷତିକୁ ଭରଣା କରାଯିବ କେମିତି? ଏଥିପାଇଁ ପ୍ରଥମେ ସରକାରଙ୍କ ତରଫରୁ ଏକ ‘ବେଲ ଇନ୍‌’ ପ୍ରସ୍ତାବ ଆସିଲା। ଆଜିଯାଏ ‘ବେଲ ଆଉଟ’ ଶୁଣିଥିଲୁ। ଏ ‘ବେଲ ଇନ୍‌’ ପୁଣି କ’ଣ? ଟଳମଳ ହେଉଥିବା ବ୍ୟକ୍ତିମାନଙ୍କୁ ବାହାରୁ, ଅର୍ଥାତ ସରକାରଙ୍କ ତରଫରୁ ଯେଉଁ ସାହାଯ୍ୟ ଦିଆଯାଇ ସମ୍ଭାଳି ନିଆଯାଇଥାଏ ତାକୁ ‘ବେଲ ଆଉଟ’ କୁହନ୍ତି। ସରକାର ଏମିତି ଦେଇଦେଇ ଦେବାଳିଆ ହୋଇଯିବାର ସମ୍ଭାବନା ଥିବାରୁ ତାଙ୍କ ମୁଣ୍ଡକୁ ଏକ ଦୁର୍ବୁଦ୍ଧି ଜୁଟିଲା। କ’ଣ ନା, ‘ବେଲ ଇନ୍‌’, ଅର୍ଥାତ୍‌ ଏଣିକି ବ୍ୟାଙ୍କ କ୍ଷତିକୁ ବାହାରୁ ସରକାର ଭରଣା ନ କରି ବ୍ୟାଙ୍କ ଭିତରେ ଥିବା ପୁଞ୍ଜିନିବେଶକାରୀ ଓ ଜମାକାରୀମାନଙ୍କ ଅର୍ଥରୁ ଭରଣା କରାଯିବ। ବହୁତ ହୋ ହାଲ୍ଲା ହେଲା। ଶେଷକୁ ଏଭଳି ପ୍ରସ୍ତାବକୁ ସ୍ଥଗିତ କରାଯାଇ କେବଳ କାଗଜପତ୍ରରେ ରଖାଗଲା।
ବ୍ୟାଙ୍କମାନେ କିନ୍ତୁ ଛାଡ଼ିବା ଜନ୍ତୁ ନୁହନ୍ତି। ହାତୀମାନେ ପଳେଇଯିବା ପରେ ଏମାନେ ବର୍ତ୍ତମାନ ଆମଭଳି ପିମ୍ପୁଡ଼ିମାନଙ୍କୁ ଧରିଛନ୍ତି। ଆପଣ ଜାଣିପାରୁ ନାହାନ୍ତି ଯେ ସେମାନେ ଆପଣଙ୍କ ଜାଣତରେ ଓ ଅଜାଣତରେ ଆପଣଙ୍କ ପକେଟ କ’ଣା କରି ଚାଲିଛନ୍ତି। ଗତବର୍ଷ ଏକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମାତ୍ର ଆଠମାସ ଭିତରେ ଅଠରଶହ କୋଟିଟଙ୍କା ଆମ୍ଭମାନଙ୍କ ସଞ୍ଚୟ ଖାତାରୁ ମାସିକ ସର୍ବନିମ୍ନ ରାଶି ନଥିବା ହେତୁ ଜୋରିମାନା ବାବଦରେ ଆଦାୟ କରିଛି। ଏହି ଧନରାଶି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସେହିବର୍ଷ ତ୍ରୈମାସିକ ଲାଭଠାରୁ ମଧ୍ୟ ଅଧିକ ଓ ଆଗକୁ ଏହା ଆହୁରି ଚଢ଼ିବାର ସମ୍ଭାବନା ଅଛି। ଥରେ ଭାବନ୍ତୁ, ଆପଣଙ୍କ ସଞ୍ଚୟ ଖାତାର ଜମା ଟଙ୍କା ଉପରେ ବ୍ୟାଙ୍କ ଆପଣଙ୍କୁ ତିନିରୁ ଚାରି ପ୍ରତିଶତ ସୁଧ ଦେଉଛି ଏବଂ ଏହି ଧନରାଶିକୁ ବଜାରରେ ଖଟେଇ ଦଶରୁ ବାରପ୍ରତିଶତ ସୁଧ ଟାଣୁଛି; କିନ୍ତୁ ସେ ବାବଦ ଚେକଟିଏ ନେଲେ ଟଙ୍କା ଦେବାକୁ ପଡ଼ୁଛି, ଏସଏମଏସ ଆଲର୍ଟ ପାଇଁ ଟଙ୍କା ଦେବାକୁ ପଡ଼ୁଛି, ଷ୍ଟେଟମେଣ୍ଟଟିଏ ମାଗିଲାବେଳକୁ ଟଙ୍କା ଦେବାକୁ ପଡ଼ୁଛି। ଏପରିକି ବିରକ୍ତ ହୋଇ ଆକାଉଣ୍ଟଟିଏ ବନ୍ଦ କରିଦେଲେ ମଧ୍ୟ ଟଙ୍କା ଦେବାକୁ ପଡ଼ୁଛି।
ପରୀକ୍ଷା କରିବା ପାଇଁ ଆପଣ ଥରେ ବ୍ୟାଙ୍କରୁ ଋଣ ନେଇକି ଦେଖନ୍ତୁ। ପ୍ରତିମାସ ପୂର୍ବ ନିର୍ଦ୍ଧାରିତ ଇ.ଏମ.ଆଇ ଆପଣ ଜମା କରି ଚାଲିଥିବେ। ବର୍ଷକ ପରେ ଗୋଟେ ଷ୍ଟେଟମେଣ୍ଟ ଆସିବ। ଆପଣ ନେଇଥିଲେ ଏତେ, ଏ ବର୍ଷ ଦେଲେ ଏତେ, ବଳକା ଏତେ ରହିଲା। ଆଉ ତା’ଉପରେ ଲୋନ ରନ ଡାଉନ ଚାର୍ଜ ହେଲା ଦଶ କି ପନ୍ଦର ହଜାର ଟଙ୍କା। ଆପଣଙ୍କୁ ବୁଝେଇ ଦିଆଯିବ ଯେ ଏହା ଧୀରେଧୀରେ ଧନରାଶି ଶୁଝିବା ଅନୁଯାୟୀ କମିକମି ଆସିବ। କିହୋ, ମୁଁ ଯେତିକି ନେଇଥିଲି ସୁଧ ସମେତ ସେତିକି ଫେରେଇଲି, ଆଉ ଇଏ ପୁଣି ନୂଆ ଚକମା କ’ଣ? କିନ୍ତୁ କେହି ଶୁଣିବାକୁ ନାହାନ୍ତି। ଏ ସବୁକଥା ଶୁଣିଲା ପରେ ପୁରୁଣା-କାଳିଆ ଗାଁ ମହାଜନ ଓ ଉଧାର ନେଇଥିବା ସରଳ ବିଶ୍ବାସୀ ଆଦିବାସୀ ଲୋକଟିଏ କଥା ମନେପଡ଼େ। ମହାଜନ ପଚାରିବ ‘ତୁ ମୋଠୁ ନେଇଥିଲୁ ଶହେ ଟଙ୍କା, ହଁ କି ନାହିଁ?’ ଲୋକଟି ‘ହଁ କହିଲା ପରେ ସେ ପୁଣି ପଚାରିବ ‘ମୁଁ ତତେ ଦେଇଥିଲି ଶହେଟଙ୍କା, ହଁ କି ନାହିଁ?’ ସେ ପୁନଶ୍ଚ ହଁ କରିବା ପରେ ମହାଜନ କହିବ ‘ସମୁଦାୟ କେତେ ହେଲା?’ ଲୋକଟି ‘ଦୁଇଶହ’ କହିଲାପରେ ମହାଜନ କହିବ ‘ଦୁଇଶହ ଆଉ ସୁଧ ଶହେ, ଏମତି ହେଲା ତିନିଶହ, ବୁଝିଲୁ?’ ବର୍ତ୍ତମାନ ଆମ ବ୍ୟାଙ୍କମାନେ ଏମିତି ବିିଭିନ୍ନ ନୂଆନୂଆ କଥାକହି ଆମଠୁ ଶହେଟଙ୍କା ଜାଗାରେ ତିନିଶହ ଟଙ୍କା ଆଦାୟ କରୁ ନାହିଁକି?
ଏଇଥିପାଇଁ ବୋଧହୁଏ ଯେତେବେଳେ ଜଣେ ସରଳ ବିଶ୍ବାସୀ ଲୋକଟିଏ ବ୍ୟାଙ୍କରେ ନୂଆ ଆକାଉଣ୍ଟ ଖୋଲିବାକୁ ଫର୍ମ ଭର୍ତ୍ତି କରୁଥିଲା ସେଥିରେ ଶେଷକୁ ପ୍ରଶ୍ନଟିଏ ଦେଖିଲା ‘ଆପଣ ଦୁଇଜଣ ବ୍ୟକ୍ତିଙ୍କ ନାଁ ଲେଖନ୍ତୁ ଯାହାଙ୍କୁ ବ୍ୟାଙ୍କ ଭଲ ଭାବରେ ଜାଣିଥିବ’, ଆଉ ସେ ସରଳ ବିଶ୍ବାସୀ ଲୋକଟି ଲେଖିଦେଲା ‘ବିଜୟ ମାଲ୍ୟା ଓ ନୀରବ ମୋଦି’। ତା’ପରେ ସେ ବୁଝିପାରିଲା ନାହିଁ ଯେ କାହିଁକି ତାକୁ ଧକ୍କାମାରି ବ୍ୟାଙ୍କ ଭିତରୁ ବାହାର କରିଦିଆଗଲା?
୯୭, ଜନପଥ, ଭୁବନେଶ୍ବର

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories