ଝଂଜା ଓ ଜିଜୀବିଷା

0

ଆପଣ ଏହି ସ୍ତମ୍ଭ ପାଠକରିବା ବେଳକୁ ବୋଧହୁଏ ଓଡ଼ିଶା ଉପକୂଳରେ ସାମୁଦ୍ରିକ ତୋଫାନ ‘ତିତ୍‌ଲି’ (ପ୍ରଜାପତି) ତାଣ୍ଡବଲୀଳା ଆରମ୍ଭ କରିଦେଇଥିବ। ଏମିତି ଦିନେ ସ୍ଥିତି ଥିଲା ଯେତେ‌େବଳେ ଝଡ଼ବର୍ଷାର ଆଗୁଆ ସୂଚନା ଆମେ ପାଉନଥିଲେ। ବିଜ୍ଞାନ ସେ ଅସୁବିଧା ଦୂର କରିଛି ଏବଂ ଯଥେଷ୍ଟ ଆଗରୁ ଝଡ଼ବର୍ଷା, ତୋଫାନ, ସୁନାମି ଓ ବଢ଼ିର ସୂଚନା ଆମକୁ ମିଳୁଛି। ଏହାର ଅର୍ଥ ହେଲା ଏହି ସୂଚନା ଆମକୁ ପ୍ରାକ୍‌ ପ୍ରସ୍ତୁତି ଏବଂ ପରିସ୍ଥିତିର ମୁକାବିଲା କରିବାକୁ ଯଥେଷ୍ଟ ସମୟ, ସୁଯୋଗ ଦେଉଛି। ଭାରତର ତିନିପଟରେ ସମୁଦ୍ର ଥିବାରୁ ଏଠାରେ ବର୍ଷର ବିଭିନ୍ନ ସମୟରେ ସାମୁଦ୍ରିକ ବାତ୍ୟା ସୃଷ୍ଟିହୋଇ ସ୍ଥଳଭାଗକୁ ପ୍ରବାହିତ ହେବାସହ କ୍ଷୟକ୍ଷତି ଘଟାଇଥାଏ। ଏହା ଏକ ଭୌଗୋଳିକ ପ୍ରକ୍ରିୟା ଏବଂ ଏଥିରୁ ନିସ୍ତାର ପାଇବା ଅସମ୍ଭବ। ନିର୍ଦିଷ୍ଟ ଭାବେ ଓଡ଼ିଶା ଉପକୂଳ ଉତ୍ତର-ପୂର୍ବ ମୌସୁମିର ଆଗମନ କାଳରେ ଅକ୍ଟୋବର ମାସରେ ଅଧିକ ଝଞ୍ଜା ପ୍ରବଣ।
୧୯୯୯ ମହାବାତ୍ୟାର ଧ୍ବଂସଲୀଳାରୁ ଆମେ ବହୁତ କିଛି ଶିକ୍ଷା କରିଛୁ। ପ୍ରାକୃତିକ ବିପର୍ଯ୍ୟୟସହ ଲଢ଼େଇ କରି ସର୍ବନିମ୍ନ ଧନଜୀବନହାନି ମଧ୍ୟରେ ସମ୍ଭାଳି ହୋଇ ପୁନର୍ବାର କିପରି ଅଣ୍ଟାଭିଡ଼ି ଛିଡ଼ା ହୋଇହେବ ସେ କଥା ଆମେ ଶିଖି ପାରିଛୁ। ସେଥିପାଇଁ ୨୦୧୩ର ଫାଇଲିନ୍‌ ଓ ୨୦୧୪ର ହୁଦ୍‌ହୁଦ୍‌ ବାତ୍ୟାରେ ବି​‌େ​‌ଶଷ ଜୀବନହାନି ଘଟିନାହିଁ। ପ୍ରାକ୍‌ ପ୍ରସ୍ତୁୁତି ଓ ନିରାପତ୍ତା ବ୍ୟବସ୍ଥା ଯୋଗୁଁ ଏହା ସମ୍ଭବ ହୋଇଛି। ଏଥର ତିତ୍‌ଲି ବାତ୍ୟା ପାଇଁ ମଧ୍ୟ ସରକାରୀ କଳ ତତ୍ପର। ମହାବାତ୍ୟା ଓ ଶକ୍ତିଶାଳୀ ସାମୁଦ୍ରିକ ତୋଫାନ କେବଳ ଅବିଶ୍ରାନ୍ତ ବର୍ଷା ଓ ଅଣଚାଶ ପବନ ଆଣେ ନାହିଁ, ଏହା ମଧ୍ୟ ପ୍ରଳୟଙ୍କରୀ ପ୍ଲାବନ ସୃଷ୍ଟିକରେ। ୧୯୯୯ ମହାବାତ୍ୟା ଭଳି ପ୍ଲାବନ ଯଦି ଏଥର ଘଟେ ଯୋଗାଯୋଗ ସବୁଠୁ ଅଧିକ ବିପର୍ଯ୍ୟସ୍ତ ହେବ। ଏଭଳି ସ୍ଥିତିରେ ବ୍ୟାପକ ଅଞ୍ଚଳରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଅବଶ୍ୟ ସହଜ ହେବନାହିଁ।
ସରକାର ନିଜ ପ୍ରସ୍ତୁତି ଆପଣା ସାଧ୍ୟମତେ କରୁଛନ୍ତି; କିନ୍ତୁ ବେଳେବେଳେ ସମ୍ଭାବ୍ୟ କ୍ଷୟକ୍ଷତି ଓ ବିତ୍ପାତର ବ୍ୟାପକତା ଦୃଷ୍ଟିରୁ ଏହା ପର୍ଯ୍ୟାପ୍ତ ହୋଇ ନ’ପାରେ। ସେଥିପାଇଁ ପ୍ରଥମ ଆବଶ୍ୟକତା ହେଲା ଲୋକେ ନିଜ ହୁସିଆରିରେ ରହିବା ଓ ବ୍ୟକ୍ତିଗତ ଏବଂ ଗୋଷ୍ଠୀ, ସମୁଦାୟର ସୁରକ୍ଷାକୁ ନିଶ୍ଚିତ କରିବା। ପ୍ରାକୃତିକ ବିପତ୍ତି ମଣିଷର ବଂଚିବାର ଆଶା (ଜିଜୀବିଷା)କୁ ସହଜରେ ଦମନ କରିପାରିବ ନାହିଁ। ବାତ୍ୟାସହ ଅଭ୍ୟସ୍ତ ଆମ ଲୋକଙ୍କୁ ଏଭଳି ଉପଦେଶ ଦେବାର ଆବଶ୍ୟକତା ନାହିଁ କହିଲେ ଚଳେ; ତଥାପି ତଳିଆ ଅଞ୍ଚଳ, ବିପଜ୍ଜନକ ସ୍ଥାନ ଛାଡ଼ି ଯେତେଶୀଘ୍ର ନିରାପଦ ସ୍ଥାନକୁ ପ୍ରଭାବିତ ଅଞ୍ଚଳର ଲୋକେ ଚାଲିଯିବେ ସେତେ ମଙ୍ଗଳ। ଆମ ଦୂରଦୃଷ୍ଟି ଓ ପ୍ରସ୍ତୁତି ପାଖରେ ପ୍ରକୃତିର ଏହି ଭୀଷଣତା ଓ କ୍ରୋଧ, ଯେ ଏଥର ଥୋବରା ହେବ, ଏ ବିଶ୍ବାସ ରଖିବା।
ଗତ ପାଞ୍ଚବର୍ଷ ମଧ୍ୟରେ ଓଡ଼ିଶାରେ ଏହା ତୃତୀୟ ବଡ଼ଧରଣର ସାମୁଦ୍ରିକ ତୋଫାନ। ଆହୁରି ଦୁର୍ଭାଗ୍ୟର ବିଷୟ ହେଲା ଫାଇଲିନ୍‌, ହୁଦ୍‌ହୁଦ୍‌ ଓ ତିତ୍‌ଲି, ଏ ତିନିଟିଯାକ ଗଞ୍ଜାମ ଓ ପୁରୀ ଜିଲା ଉପକୂଳ ଅତିକ୍ରମ କରିଛି। ତେଣୁ ସ୍ବାଭାବିକ ଭାବେ ସେହି ଅଞ୍ଚଳରେ କ୍ଷୟକ୍ଷତି ଅଧିକ। ଆଗୁଆ ପ୍ରସ୍ତୁତି ଯୋଗୁଁ ଜୀବନହାନିକୁ ଅନେକାଂଶରେ ରୋକିହେବ ସତ, ଅଶିଣ ମାସରେ କ୍ଷେତରେ ଛିଡ଼ାହୋଇଥିବା ଫସଲ, ପଶୁସଂପଦ ଓ ଘରଦ୍ବାର, ବୃକ୍ଷଲତା, ବିଜୁଳିଲାଇନ ଓ ରାସ୍ତାଘାଟର କ୍ଷତିକୁ ରୋକିବା ସହଜ ନୁହେଁ। ଏସବୁ କ୍ଷତିଗ୍ରସ୍ତ ହେବାଫଳରେ ରାଜକୋଷ ଉପରେ ବିପୁଳ ବୋଝ ପଡ଼ିବାସହ ସମ୍ବଳହୀନ ମଣିଷ ଘୋର ଦୁର୍ଦଶାର ସମ୍ମୁଖୀନ ହୋଇଥା’ନ୍ତି। ଶାରଦୀୟ ଦୁର୍ଗାପୂଜା ପାଇଁ ସାରାରାଜ୍ୟ ପ୍ରସ୍ତୁତ ହେଉଥିବାବେଳେ ଏଭଳି ଦୈବୀ ବିପତ୍ତି ନିଶ୍ଚିତ ଆମ ପାଇଁ ଓ ରାଜ୍ୟର ଅର୍ଥନୀତି ପାଇଁ ଏକ ଦାରୁଣ ଧକ୍କା। ଏ କ୍ଷତ ଭରିବାକୁ ନିଶ୍ଚିତ ସମୟ ଲାଗିବ। ଦୁର୍ବିପାକ ପରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥାଏ। ଏଥର ମଧ୍ୟ ତାହା ହେବ। ଯେତେଶୀଘ୍ର ଏହି କାର୍ଯ୍ୟ ସମ୍ପନ୍ନ ହେବ ସେତେଭଲ। ଫାଇଲିନ୍‌ ଓ ହୁଦ୍‌ହୁଦ୍‌ କ୍ଷତିଗ୍ରସ୍ତ ଅନେକ ଲୋକ ଆବଶ୍ୟକ କ୍ଷତିପୂରଣ ପାଇନଥିବା ଅଭିଯୋଗ ଏବେ ମଧ୍ୟ ଉଠୁଛି। ଏଥର ତାହାର ଯେପରି ପୁନରାବୃତ୍ତି ନ’ହୁଏ ସରକାରୀ କଳ ସେ ଦିଗରେ ଦୃଷ୍ଟିଦେବାର ଆବଶ୍ୟକତା ରହିଛି। ଅପହଞ୍ଚ ଓ ଅଗମ୍ୟ ଅଞ୍ଚଳର ଲୋକେ ବିଳମ୍ବରେ ରିଲିଫ ପାଆନ୍ତି ଏବଂ ତାହା ପୁଣି ସ୍ବଳ୍ପ ହୋଇଥାଏ। ସେ କଥା ଏଥର ଯେପରି ନ’ହୁଏ ତାହାକୁ ଦେଖିବାକୁ ହେବ।
ବିପତ୍ତି ସମୟର ଆଉ ଏକ ସମସ୍ୟା ହେଲା ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଓ ମାତ୍ରାଧିକ ମୂଲ୍ୟ। ଯୋଗାଯୋଗ ପ୍ରଭାବିତ ହେବା କାରଣରୁ ସାମଗ୍ରୀ ସରବରାହ ବ୍ୟାହତ ହୋଇଥାଏ। ଜିନିଷ ମହଜୁଦ୍‌ ଥାଇ ମଧ୍ୟ ମନ୍ଦ ପ୍ରକୃତିର ଲୋକେ କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ କରନ୍ତି। ତିତ୍‌ଲି ଆସିବା ମାତ୍ରକେ ବଜାରରୁ ଆଳୁ, ପିଆଜ ଉଭାନ ହୋଇଛି। ଏଣୁ ଉଭୟ ସରକାର ଏବଂ ବ୍ୟବସାୟୀ ସଂଘ ଏହି ସମସ୍ୟା ପ୍ରତି ଦୃଷ୍ଟିଦେଇ ଯୋଗାଣ ବ୍ୟବସ୍ଥାକୁ ସ୍ବାଭାବିକ ରଖିଲେ କ୍ଷତିଗ୍ରସ୍ତ ଲୋକେ କକର୍ଥନାରୁ କିଞ୍ଚିତ ରକ୍ଷା ପାଇବେ। ପ୍ରଭାବିତ ଅଞ୍ଚଳରେ ବିଜୁଳି ଓ ପାନୀୟଜଳ ଯୋଗାଣକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ବାଭାବିକ କରିବାସହ କ୍ଷତିଗ୍ରସ୍ତ, ବିଶେଷକରି ଚାଷୀବନ୍ଦୀ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଣରେ ଯେପରି ତ୍ରୁଟି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ।

Leave A Reply