ମନପ୍ରୀତ ଅଧିନାୟକ; ଓଡ଼ିଶାରୁ କେବଳ ଅମିତ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

ନୂଆଦିଲ୍ଲୀ : ଇଂଲଣ୍ଡର ବର୍ମିଂହାମ୍‌ରେ ଆୟୋଜନ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏହି କ୍ରୀଡ଼ା ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ପାଇଁ ହକି ଇଣ୍ଡିଆ ସୋମବାର ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଏହି ୧୮ ଜଣିଆ ଦଳର ନେତୃତ୍ବ ନେବା ପାଇଁ ଦଳକୁ ଫେରିଛନ୍ତି ମିଡ୍‌ଫିଲ୍‌ଡର ମନପ୍ରୀତ ସିଂହ। ଅଭିଜ୍ଞ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂହ ଉପଅଧିନାୟକ ଦାୟିତ୍ବ ସମ୍ଭାଳିବେ। ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ ଭାରତ ପାଇଁ ସର୍ବାଧିକ ଗୋଲ୍‌ ସ୍କୋର୍ କରିଛନ୍ତି। ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଡିଫେଣ୍ଡର ଅମିତ ରୋହିଦାସ ରହିଛନ୍ତି। ୟୁରୋପ୍‌ରେ ଭାରତୀୟ ପୁରୁଷ ହକି ଦଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳିଥିବା ବେଳେ ଅମିତ ଦଳର ନେତୃତ୍ବ ନେଇଥିଲେ। ହେଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପୂର୍ବତନ ଅଧିନାୟକ ମନପ୍ରୀତ ଫେରିଛନ୍ତି। ଗତବର୍ଷ ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟପଦକ ଜିତିବା ପରେ ଭାରତୀୟ ପୁରୁଷ ଦଳର ଏହା ସବୁଠାରୁ ବଡ଼ ପ୍ରତିଯୋଗିତା ହେବ।
ସୂଚନାଯୋଗ୍ୟ; ଅଧିକାଂଶ ପ୍ରମୁଖ ଖେଳାଳିଙ୍କୁ ବାଦ୍‌ଦେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ୨ୟ ଶ୍ରେଣୀର ଦଳ ପଠାଇବ ବୋଲି ହକି ଇଣ୍ଡିଆ ପୂର୍ବରୁ ଘୋଷଣା କରିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅପେକ୍ଷା ହ୍ବାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାକୁ ହକି ଇଣ୍ଡିଆ ଅଧିକ ଗୁରୁତ୍ବ ଦେଉଥିଲା। କାରଣ ଏସୀୟ କ୍ରୀଡ଼ା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍‌ସ ପାଇଁ ଯୋଗ୍ୟତା ଇଭେଣ୍ଟ ଥିଲା। ତେଣୁ ଏସୀୟ କ୍ରୀଡ଼ା ପୂର୍ବରୁ ପ୍ରଥମ ପସନ୍ଦର ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ନ ପଠାଇବା ଲାଗି ହକି ଇଣ୍ଡିଆ ଠିକ୍ କରିଥିଲା। ହେଲେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ହ୍ବାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ପୂର୍ଣ୍ଣ ଶକ୍ତିରେ ଦଳ ଘୋଷଣା କରିଛି ହକି ଇଣ୍ଡିଆ। ଘୋଷିତ ଦଳରେ ସମସ୍ତ ପ୍ରମୁଖ ଖେଳାଳି ସ୍ଥାନ ପାଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଗ୍ରୁପ୍‌ ‘ବି’​‌େ​‌ର ସ୍ଥାନପାଇଛି। ଏହି ଗ୍ରୁପ୍‌ରେ ଥିବା ଅନ୍ୟ ଦଳମାନେ ହେଲେ ଇଂଲଣ୍ଡ, କାନାଡା, ୱେଲ୍‌ସ ଓ ଘାନା। ତେଣୁ ଏହି ଗ୍ରୁପ୍‌ରୁ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ଭାରତ ପାଇଁ ସେତେ କଷ୍ଟକର ହେବନାହିଁ। ଜୁଲାଇ ୩୧ରେ ଘାନା ବିପକ୍ଷରେ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିବ। ଦଳ ଘୋଷଣା ହେବା ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍ ରିଡ୍‌ କହିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଆମେ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳିଥିବା ଖେଳାଳିଙ୍କୁ ରଖିବାର ନିଷ୍ପତ୍ତି ନେଇଛୁ। ଏହି ଖେଳାଳିମାନେ ଏକାଧିକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଖେଳିବା ସହ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ବିଶ୍ବର ଶ୍ରେଷ୍ଠ ଦଳମାନଙ୍କ ବିପକ୍ଷରେ ଖେଳି ଅଭିଜ୍ଞତା ହାସଲ କରିଛନ୍ତି। ନେଦରଲାଣ୍ଡ୍‌ସରୁ ଭାରତୀୟ ଖେଳାଳି ଫେରିବା ପରେ ଘୋଷିତ ୧୮ ଜଣିଆ ଦଳକୁ ନେଇ ଆମେ ବେଙ୍ଗାଲୁରୁର ସାଇ ସେଣ୍ଟରରେ ଏକ ସଂକ୍ଷିପ୍ତ ଶିବିରର ଆୟୋଜନ କରିବୁ। ପ୍ରୋ ଲିଗ୍ ଟୁର୍ଣ୍ଣାମେଣ୍ଟ ଖେଳିଥିବା ଗୋଲ୍‌ରକ୍ଷକ ସୂରଜ କେର୍‌କେରା, ଓଡ଼ିଆ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଓ ସୁଖଜିତ ସିଂହ ଦଳରୁ ବାଦ୍‌ ପଡ଼ିଛନ୍ତି। ସୂଚନାଯୋଗ୍ୟ; ୨୦୧୮ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ୪ର୍ଥ ସ୍ଥାନରେ ରହି ପଦକ ଜିତିବାରୁ ବଞ୍ଚିତ ହୋଇଥିଲା। ଏଥର ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ଭାରତୀୟ ଦଳ ରହିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭାରତର ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହୋଇପାରନ୍ତି।

prayash

ଭାରତୀୟ ପୁରୁଷ ହକି ଦଳ
(ଗୋଲ୍‌ରକ୍ଷକ) ପି.ଆର୍‌. ଶ୍ରୀଜେଶ ଓ କ୍ରିଷନ୍ ବାହାଦୁର ପାଠକ; (ଡିଫେଣ୍ଡର) ବରୁଣ କୁମାର, ସୁରେନ୍ଦର କୁମାର, ହରମନପ୍ରୀତ ସିଂହ (ଉପ ଅଧିନାୟକ),  ଅମିତ ରୋହିଦାସ, ଯୁଗରାଜ ସିଂହ ଓ ଜର୍ମନ୍‌ପ୍ରୀତ ସିଂହ; (ମିଡ୍‌ଫିଲ୍‌ଡର) ମନପ୍ରୀତ ସିଂହ (ଅଧିନାୟକ), ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ସମ୍‌ଶେର ସିଂହ, ଆକାଶଦୀପ ସିଂହ ଓ ନୀଳକାନ୍ତ ଶର୍ମା; (ଫର୍‌ୱାର୍ଡ) ମନଦୀପ ସିଂହ, ଗୁରଜାନ୍ତ ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ଅଭିଷେକ।

ଭାରତର ଲିଗ୍ ଖେଳସୂଚୀ
୩୧।୭ : ବନାମ ଘାନା
୦୧।୮ : ବନାମ ଇଂଲଣ୍ଡ
୦୩।୮ : ବନାମ କାନାଡା
୦୪।୮ : ବନାମ ୱେଲ୍‌ସ

kalyan agarbati

Comments are closed.