ଆର୍‌ଟିଆଇରେ ଭିଜିଲାନ୍ସ ତଥ୍ୟ

ହାଇକୋର୍ଟ ରଦ୍ଦ କଲେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି

୪ ସପ୍ତାହରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ ସରକାର, ବାଦ୍‌ ପଡ଼ିବ ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗ

prayash

କଟକ : ଏଣିକି ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପରିସରଭୁକ୍ତ ହେବ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)। ଏ ସମ୍ପର୍କରେ ଏକାଧିକ ଆବେଦନର ଶୁଣାଣି କରି ସୋମବାର ହାଇକୋର୍ଟ ଏପରି ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ଏସଂକ୍ରାନ୍ତ ପୂର୍ବ ବିଜ୍ଞପ୍ତି ରଦ୍ଦ ହୋଇଛି। ଆବେଦନକାରୀ ସୁବାସ ମହାପାତ୍ର, ସୁଧାଂଶୁ କୁମାର ନନ୍ଦ, ପ୍ରଦୀପ କୁମାର ପ୍ରଧାନ ପ୍ରମୁଖଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ସମ୍ବଳିତ ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‍. ମୁରଲୀଧର୍‍ ଓ ବିଚାରପତି ଆର୍‍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦେଶ ଦେଇଛନ୍ତି। ବିଶେଷ କରି ଭିଜିଲାନ୍ସ ବିଭାଗର ଗୋପନୀୟ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ଛାଡ଼ି ବାକି ଅନ୍ୟ ସମସ୍ତ ଅଂଶ ସର୍ବସାଧାରଣରେ ଅବଗତ କରାଇବାକୁ(ପବ୍ଲିକ୍‍ ଡୋମେନ୍‍ରେ ଦେବାକୁ) ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତ। ହାଇକୋର୍ଟଙ୍କ ଏପରି ନିର୍ଦେଶ ଫଳରେ ଭିଜିଲାନ୍ସ ବିଭାଗର ଅନେକାଂଶ ତଥ୍ୟ ଓ ସୂଚନା ଏଣିକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ।
ସୂଚନାଥାଉକି, ୨୦୧୬ ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଆୟୂକ୍ତ ସୂଚନା ଅଧିକାର ଆଇନ ୨୦୦୫ର ଧାରା ୨୪(ଉପଧାରା ୪)ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ଭିଜିଲାନ୍ସ ବିଭାଗ ସୂଚନା ଅଧିକାର ଆଇନରୁ ବାଦ୍‍ ନେଇ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଏପରି ବିଜ୍ଞପ୍ତିକୁ ବିରୋଧ କରି ଏକାଧିକ ବ୍ୟକ୍ତି ହାଇକୋର୍ଟରେ ଆବେଦନ କରିଥିଲେ। ରୁଜୁ ମାମଲାରେ କୁହାଯାଇଥିଲା ଯେ ସମ୍ବିଧାନର ୧୯(୧) ଧାରାରେ ସୂଚନା ହାସଲ କରିବା ହେଉଛି ବ୍ୟକ୍ତିର ଏକ ମୌଳିକ ଅଧିକାର। ଏହି ମର୍ମରେ ସର୍ବୋଚ୍ଚ ଅଦାଲତଙ୍କ ଉତ୍ତରପ୍ରଦେଶ ବନାମ ରାଜ୍‍ ନାରାୟଣ ମାମଲାରେ ପ୍ରଦାନ କରିଥିବା ରାୟର ଅବତାରଣା କରାଯାଇଥିଲା। ଏଣୁ ସୂଚନା ଅଧିକାରରୁ ବଞ୍ଚିତ କରିବା ଦ୍ୱାରା ବ୍ୟକ୍ତିର ମାନବିକ ଅଧିକାର ଉଲ୍ଲଂଘନ ହେଉଛି। ସେହିପରି ସୂଚନା ଅଧିକାର ଆଇନରୁ ଭିଜିଲାନ୍ସ ବିଭାଗକୁ ବାଦ୍‍ ଦିଆଗଲେ ଏହି ବିଭାଗର କାର୍ଯ୍ୟକାରୀତା ସମ୍ପର୍କରେ ସୂଚନା ମିଳିପାରିବ ନାହିିଁ ବୋଲି ମଧ୍ୟ ମାମଲାରେ କୁହାଯାଇଥିଲା। ଏହା ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷାର ବିରୋଧାଚରଣ କରୁଛି ବୋଲି ଦର୍ଶାଯାଇଥିଲା।
ତେବେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଯୁକ୍ତି ଦର୍ଶାଇଥିଲେ ଯେ, କେନ୍ଦ୍ର ସରକାରଙ୍କ ସିବିଆଇ ଭଳି ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ କାମ କରେ। ସିବିଆଇକୁ ସୂଚନା ଅଧିକାର ଆଇନ ପରିସରରୁ ବାଦ ଦିଆଯାଇଛି। ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ସିକିମ୍ ଆଦି ରାଜ୍ୟ ଭିଜିଲାନ୍ସକୁ ଆରଟିଆଇରୁ ବାଦ୍‌ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଭିଜିଲାନ୍ସ ବିଭାଗର ତଥ୍ୟ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ ଦିଆଗଲେ ସୁରକ୍ଷା ଓ ଜନସ୍ୱାର୍ଥ ସମ୍ପର୍କିତ ସମସ୍ୟା ଉପୁଜିବ, ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଆଶଙ୍କା ମଧ୍ୟ ରହିଛି। ତେବେ ରାଜ୍ୟ ସରକାରଙ୍କ ଯୁକ୍ତି ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଭିଜିଲାନ୍ସ ବିଭାଗର ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ସମ୍ପର୍କିତ ତଥ୍ୟ ଦେବାକୁ ସରକାର ମନା କରିପାରିବେ ନାହିଁ। ଆସନ୍ତା ୪ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ବିଜ୍ଞପ୍ତି ପ୍ରକାଶ କରିବେ। ଭିଜିଲାନ୍ସକୁ ଆରଟିଆଇରୁ ଦୂରେଇ ରଖିବା ପାଇଁ ୨୦୧୬ରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି କରିଥିଲେ ହାଇକୋର୍ଟଙ୍କ ରାୟ ପରେ ଏହାକୁ ଝଟକା ଲାଗିଛି।

kalyan agarbati

Comments are closed.