ହନ୍ତାହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ବନରକ୍ଷୀ ନିଲମ୍ବିତ
ଆଠଗଡ: ନରସିଂହପୁର ପଶ୍ଚିମ ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ଓ ବଡ଼ମ୍ବାରୁ ମାଟି ତଳୁ ୩ଟି ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ । ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ସେକ୍ସନ୍ ଜାନିପଦର ବିଟ୍ରୁ ଗଲା ୧୪ ତାରିଖରେ ଏକ ହନ୍ତାହାତୀର କଙ୍କାଳ ମିଳିବା ଘଟଣାରେ ଆଉ ଜଣେ ବନରକ୍ଷୀଙ୍କୁ ବନବିଭାଗ ନିଲମ୍ବିତ କରିଛି।
ନିଲମ୍ବିତ ବନରକ୍ଷୀଙ୍କ ସମେତ ୨ଜଣ ହାତୀ ଜୁଗୁଆଳୀଙ୍କୁ ବନବିଭାଗ ରବିବାର ଅପରାହ୍ଣରେ ଗିରଫ କରିଛି । ସେହିପରି ନରସିଂହପୁର ପଶ୍ଚିମ ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନବିଭାଗ ୩ଜଣ ଶିକାରୀଙ୍କୁ ମଧ୍ୟ ରବିବାର ଗିରଫ କରିଛି। ସେମାନଙ୍କଠାରୁ ଏକ ହାତ ତିଆରି ବନ୍ଧୁକ ଜବତ ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବାରୁ ତାକୁ ପୁଲିସ ସହାୟତାରେ ଗିରଫ କରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ଆଠଗଡ଼ ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଧବ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବଡ଼ମ୍ବାରେ ମାଟି ତଳୁ ହାତୀକଙ୍କାଳ ଓ ହାତୀଙ୍କ ଗଳିତ ମୃତଦେହ ଜବତ ହେବା ଘଟଣାରେ ଆଜି ସୁଦ୍ଧା ବନବିଭାଗ ୭ଜଣଙ୍କୁ ଗିରଫ କରିଛି । ଯେଉଁଥିରେ ୨ଜଣ ବନରକ୍ଷୀ, ୩ଜଣ ହାତୀ ଜଗୁଆଳୀ ଓ ୨ ଜଣ ପୋତାଯାଇଥିବା ଜମି ମାଲିକ ରହିଛନ୍ତି। ଅନ୍ୟପଟେ ଗିରଫ ହୋଇଥିବା ନିଲମ୍ବିତ ବନରକ୍ଷୀ ପ୍ରଭାତ କୁମାର ପ୍ରଧାନ, ହାତୀ ଜଗୁଆଳି ତଥା ଖୋରଡ଼ ଗ୍ରାମର ବ୍ରଜ ବେହେରା ଓ ମାଳତୀପୁରର ଅଶୋକ ବେହେରାଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ବନରକ୍ଷୀ ଓ ଅନ୍ୟମାନଙ୍କୁ ବନବିଭାଗ ପକ୍ଷରୁ ଜେରା କରାଯାଉଥିବାବେଳେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେହି ସୂଚନା ସେ ଆଧାରରେ ବନବିଭାଗ ଅଧିକ ଖୋଳତାଡ଼ ଜାରି ରଖିଛି।
ଏତଦଭିନ୍ନ ନରସିଂହପୁର ପଶ୍ଚିମ ବନାଞ୍ଚଳର ଜୟପୁର ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀକୁ ଠାବ କରାଯାଇଥିଲା। ଏହାର ଚିକିତ୍ସା ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ୮ଦିନର ଚିକିତ୍ସା ପରେ ଗତ ୧୪ତାରିଖରେ ଉକ୍ତ ହାତୀର ମୃତ୍ୟୁ ଘଟିଥିଲା। ଦନ୍ତାହାତୀ ଦେହରେ ୫ଟି ଗୁଳି ବାଜିଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର୍ ଅଛି। ତେବେ ହାତୀ ଶିକାର ଘଟଣାରେ ବନବିଭାଗ ନରସିଂହପୁର ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ସୂର୍ଯ୍ୟମଣି ନାୟକ(୪୨), ନୂଆଭୂଇଁ ଗ୍ରାମର ଗଙ୍ଗାଧର ନାୟକ(୬୨) ଓ ଅନନ୍ତପ୍ରସାଦ ଗ୍ରାମର ଦିବାକର ସାହୁ(୩୫) ପ୍ରଭୃତି ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
Comments are closed.