ବିପର୍ଯ୍ୟୟ ଏଡାଇବା ପାଇଁ ମକଡ୍ରିଲ
ସମ୍ବଲପୁର : ଚଳିତ ବର୍ଷର ବର୍ଷା ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ସମ୍ବଲପୁରରେ ବିଗତ ବର୍ଷ ଗୁଡିକରେ ଅନେକ ସମୟରେ ବନ୍ୟା ପରିସ୍ଥିତି ହେବାର ସମ୍ଭାବନା ରହିଛି । ଏଥି ପାଇଁ ଶନିବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି କ୍ରମରେ ସମ୍ବଲପୁରର ମନ୍ଦଲିଆ ଠାରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳରେ ସ୍ୱତନ୍ତ୍ର ମକଡ୍ରିଲର ଆୟୋଜନ ହୋଇଯାଇଛି। ରବିବାର ଜିଲା ପ୍ରଶାସନ ତରଫରୁ ଆୟୋଜିତ ଏହି ମକଡ୍ରିଲରେ ଅଗ୍ନିଶମ ବିଭାଗର ଦଳ ଙ୍କ ସହିତ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ସମ୍ବଲପୁର ସହରରେ ଅସରାଏ ବର୍ଷା ହେବା ମାତ୍ରେ ସେହି ବର୍ଷା ଜଳ ତୁରନ୍ତ ମହାନଦୀକୁ ନିଷ୍କାସନରେ ସମସ୍ୟା ହେଉଥିବାରୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ଧନଜୀବନ ବିପଦରେ ପଡି ଯାଉଥିବାର ଦେଖାଯାଇଛି। ଏଣୁ ଚଳିତ ବର୍ଷ ବର୍ଷା ଋତୁର ପ୍ରାରମ୍ଭରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷଙ୍କ ତରଫରୁ ସମ୍ବଲପୁର ଠାରେ ଯେପରି କୌଣସି ଧନଜୀବନ କ୍ଷୟକ୍ଷତି ନ ହୁଏ ସେଥିପାଇଁ ସମସ୍ତଙ୍କୁ ସାଥିରେ ନେଇ ଏହି ମକଡ୍ରିଲ କରାଯିବା ସହିତ ସଚେତନ କରାଯାଇଥିଲା। ଏଥି ସହ ବିନାଖଣ୍ଡି ଠାରେ ଥିବା ଆପତ୍ତକାଳୀନ ବନ୍ୟା ଆଶ୍ରୟସ୍ଥଳ ଠାରେ ମଧ୍ୟ ମକଡ୍ରିଲର ଆୟୋଜନ ହୋଇଥିଲା।
ଏହି ଅବସରରେ ଆସ୍କା ଲାଇଟ, ଟାୱାର ଲାଇଟ, ଚେନସଅ ଆଦି ବିଭିନ୍ନ ରକ୍ଷା ଉପକରଣ ଗୁଡିକର ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ମକଡ୍ରିଲ ସମୟରେ ବରିଷ୍ଠ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଜିଲାପାଳ ଅଜମ୍ବର ମହାନ୍ତି, ମହାନଗର ନିଗମ କମିଶନର ପ୍ରଦୀପ ସାହୁ, ଆପାଦକାଳୀନ ଅଧିକାରୀ ଜୟଶ୍ରୀ ପାଢ଼ୀ ଙ୍କ ସମେତ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ, ଜିଲା ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଷ୍ଟାର କ୍ଲବ, ସମ୍ବଳ ଓ ଆଖପାଖର ଅଞ୍ଚଳବାସୀ ଏହି ମକଡ୍ରିଲରେ ସାମିଲ ହୋଇଥିଲେ।
Comments are closed.