୪ ଆନ୍ତଃ ଜିଲା ନିଶାବେପାରୀ ଗିରଫ: ବାଇକ୍, ସ୍କୁଟି ଓ ଟଙ୍କା ଜବତ
ପୁଲିସ ହାତରେ ନିଶା କାରବାରରେ ସଂପୃକ୍ତ ନାବାଳକ
ପିପିଲି:ନିଶା କାରବାର ରୋକିବା ସହ ନିଶା ବେପାରୀଙ୍କ ବିରୋଧରେ ପୁରୀ ପୁଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା ବେଳେ ଶନିବାର ପିପିଲି ପୁଲିସ କୋଟିଏ ଟଙ୍କାର ଧଳାଜହର ଜବତ କରିବାରେ ସଫଳ ହୋଇଛି । ଏହି କାରବାରରେ ସଂପୃକ୍ତ ୪ଜଣ ଆନ୍ତଃ ଜିଲା ନିଶା ବେପାରୀଙ୍କୁ ପୁଲିସ ଗିରଫ କରିବା ସହ ଜଣେ ବାଳ ଅପରାଧିକୁ ମଧ୍ୟ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଏକ ବାଇକ୍, ସ୍କୁଟି ଓ ନଗଦ ଟଙ୍କାକୁ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ନରସିଂହପୁର ଅଞ୍ଚଳର ମୁରାସିଦ ଖାଁ ଓରଫ ଜୁମା (୩୨), ଇମ୍ରାନ ସା (୨୯), ଜାବିଦ ସା (୨୨) ଓ ବାଲେଶ୍ୱର ଟାଉନଥାନା ସୁନହାଟ ଅଞ୍ଚଳର ସେକ୍ ସାଜିଦ ଅଲ୍ଲୀ (୨୪) । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି ପୁରୀ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିଛି । ଏହି ମାମଲାରେ ଧରାପଡିଥିବା ୧୫ ବର୍ଷୀୟ ବାଳ ଅପରାଧିକୁ ପୁରୀର ଜୁଭେନାଇଲ୍ ଜଷ୍ଟିସ ବୋର୍ଡଙ୍କ ନିକଟରେ ପୁଲିସ ହାଜର କରିଥିବା ବେଳେ ପରେ ତାକୁ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।
ପିପିଲି ଥାନା ପରିସରରେ ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଦେଇଥିବା ସୂଚନା ଅନୁଯାଇ, ଉତ୍ତରାବଜାର ଅଞ୍ଚଳରେ ଧଳାଜହର କାରବାର ଚାଲିଥିବା ସଂପର୍କରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଆଇଆଇସି ଅଭିମନ୍ୟୁ ନାୟକଙ୍କ ନେତୃତ୍ୱରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନାଙ୍କ ସମେତ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଶନିବାର ଭୋର୍ ସମୟରେ ଉତ୍ତରାବଜାର ନିକଟ କେନାଲ ରାସ୍ତାରେ ଚଢାଉ କରିଥିଲେ । ସେଠାରେ ଧଳାଜହର କାରବାର କରୁଥିବା ୫ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତଲାସି ନେବାରେ ମୁଖ୍ୟ ଅଭିଯୁକ୍ତ ମୁରାସିକ୍ ଖାଁ ଓରଫ ଜୁମାଙ୍କ ନିକଟରୁ ୫୫୦ ଗ୍ରାମ ଓ ଅଭିଯୁକ୍ତ ସେକ୍ ସାଜିଦ ଅଲ୍ଲୀଙ୍କ ନିକଟରୁ ୪୨୮ ଗ୍ରାମ ଧଳାଜହର ଜବତ କରାଯାଇଥିଲା । ସେମାନଙ୍କ ନିକଟରୁ ପୁଲିସ ନଗଦ ୩୫ଶହ ଟଙ୍କା, ଏକ ବାଇକ୍ ଓ ଏକ ସ୍କୁଟିକୁ ଜବତ କରିଛି । ଏହି କାରବାରରେ ସଂପୃକ୍ତ ଥିବା ୧୫ ବର୍ଷୀୟ ବାଳ ଅପରାଧିର ଘର ବାଲେଶ୍ୱର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ସମସ୍ତ ଅଭିଯୁକ୍ତମାନେ ଆନ୍ତଃ ଜିଲା ନିଶା ବେପାରୀ ଅଟନ୍ତି ଓ ଅଭିଯୁକ୍ତ ଜୁମା ଏହି କାରବାରର ମୁଖ୍ୟ କାର୍ପଟଦାର ହୋଇଥିବା ଏସ୍ଡିପିଓ ଶ୍ରୀବରାଳ ସୂଚନା ଦେଇଛନ୍ତି । ଏହି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଶ୍ରୀବରାଳ ସୂଚନା ଦେଇଛନ୍ତି । ଏସଂପର୍କରେ ପିପିଲିଥାନାରେ ଏନ୍ଡିପିଏସ୍ ଆକ୍ଟ ୨୧(ସି) ଓ ୨୯ ଧାରାରେ ଏକ ମୋକଦ୍ଦମା ରୁଜୁ ହେବା ସହ ତଦନ୍ତ ଜାରି ରହିଛି । ଜବତ ଧଳାଜହରର ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ଶ୍ରୀବରାଳ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ଆଇଆଇସି ଅଭିମନ୍ୟୁ ନାୟକ ଉପସ୍ଥିତ ଥିଲେ ।
Comments are closed.