ଗଜ ଉଦ୍ଧରଣ

ସଂପ୍ରତି ରାଜ୍ୟରେ ହାତୀଙ୍କ ଦୁର୍ଗତି ନେଇ ଯେଉଁ ଖବରମାନ ଆସୁଛି, ତାହା ଅତ୍ୟନ୍ତ ଉଦ୍‌ବେଗଜନକ ଓ ବେଦନାଦାୟକ

ଓଡ଼ିଶାର ଅନ୍ୟତମ ଅନନ୍ୟ ପର୍ବ ରଜ ସମୟରେ ପୁରପଲ୍ଲୀରେ ଯେଉଁ ଗୀତଟି ଶୁଭେ, ତାହା ହେଲା, ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ’। ଏଥିରୁ ଗଜ ବା ହାତୀ ନାମକ ବିରାଟକାୟ ବନ୍ୟପ୍ରାଣୀ ସହିତ ଓଡ଼ିଆ ଜନଜୀବନର ସମ୍ବନ୍ଧ କେତେ ଗଭୀର, ତା’ର ପ୍ରମାଣ ମିଳେ। ତେବେ ସଂପ୍ରତି ଆମ ରାଜ୍ୟରେ ଏହି ଐତିହ୍ୟ ପ୍ରାଣୀଟିର ଦୁର୍ଗତି ନେଇ ଯେଉଁ ଖବରମାନ ଆସୁଛି, ତାହା ଅତ୍ୟନ୍ତ ଉଦ୍‌ବେଗଜନକ ଓ ବେଦନାଦାୟକ। ଏବେ ଆଠଗଡ଼ ବନଖଣ୍ଡରେ ଗୋଟିଏ ଗୁଳିବିଦ୍ଧ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ଏହାକୁ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର କହିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି ଏବଂ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତ୍ରକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଏହି ଦଳ ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ, ଆପରାଧିକ କାର୍ଯ୍ୟକଳାପକୁ ଅଣଦେଖା ଓ ଘଟନାକୁ ଜାଣିଶୁଣି ଚାପି ଦେବାକୁ ହୋଇଥିବା ଉଦ୍ୟମର ତଦନ୍ତ କରିବା ସହ ଆଠଗଡ଼ ଡିଭିଜନରେ ଆଉ କେଉଁଠି ଏଭଳି ଘଟନା ଘଟିଛି ନା ନାହିଁ ତା’ର ଅନୁସନ୍ଧାନ କରିବ। ଏହି ଘଟନାରେ ଅାନ୍ତଃରାଜ୍ୟ ରାକେଟ୍‌ର ସମ୍ପୃକ୍ତି ଅଛି ନା ନାହିଁ, ସେ ବିଷୟରେ ମଧ୍ୟ ଦଳ ତଦନ୍ତ କରିବ। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଏସ୍‌ଆଇଟି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।
ତେବେ ରାଜ୍ୟରେ ହାତୀମୃତ୍ୟୁ ଘଟନା ପ୍ରଥମ କି ନୂଆ ନୁହେଁ। ତେଣୁ କେବଳ ଆଠଗଡ଼ ବନଖଣ୍ଡ ଘଟନାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଦେଲେ ପ୍ରକୃତ ସମସ୍ୟାର ସମାଧାନ ହୋଇପାରିବ ନାହିଁ, ଏହା କହିବା ନିଷ୍ପ୍ରୟୋଜନ। ନିକଟ ଅତୀତରେ ହିଁ ଗତ ମେ ମାସରେ ବୌଦ୍ଧ ବନାଞ୍ଚଳରେ ଦୁଇଟି ହାତୀଙ୍କୁ ଶିକାରୀମାନେ ହତ୍ୟା କରିଥିବାବେଳେ କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ମାଲବାହୀ ଟ୍ରେନ୍ ଧକ୍କାରେ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଫେବୃଆରୀ ମାସରେ କଳାହାଣ୍ଡି ଜିଲାର କର୍ଲାପାଟ ଜଙ୍ଗଲରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସେହିପରି ନିକଟ ଅତୀତରେ ନରସିଂହପୁର ବନାଞ୍ଚଳରେ ୫ଟି ହାତୀଙ୍କର ମୃତ୍ୟୁ ଚହଳ ସୃଷ୍ଟି କରିଥିଲା। ଗତ ପନ୍ଦର ଦିନ ମଧ୍ୟରେ ବଡ଼ମ୍ବା ବନାଞ୍ଚଳରେ ତିନିଟି ହାତୀର କଙ୍କାଳ ମାଟିତଳୁ ଉଦ୍ଧାର ହୋଇସାରିଛି। ହାତୀଙ୍କର ଏହି ମରଣତାଲିକା ବେଶ୍‌ ଦୀର୍ଘ। ଏକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଗତ ଦଶବର୍ଷ ଭିତରେ ୭୭୦ ହାତୀଙ୍କର ମୃତ୍ୟୁ ହୋଇଛି। ଏଥିରୁ ୨୩୮ଟି ହାତୀଙ୍କ ମୃତ୍ୟୁ ମନୁଷ୍ୟକୃତ ବୋଲି ସରକାରୀ ସ୍ତରରେ ସ୍ବୀକାର କରାଯାଇଥିବାବେଳେ ୧୬୧ଟି ହାତୀଙ୍କ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ। ବଡ଼ମ୍ବା ବନାଞ୍ଚଳରେ ହାତୀକୁ ହତ୍ୟା କରି ଯେପରି ପୋତି ଦିଆଯାଇଛି, ସେପରି ଘଟନା ଓଡ଼ିଶାର ଅନ୍ୟ ବନାଞ୍ଚଳରେ ମଧ୍ୟ ଘଟୁନଥିବ, ତାହା କହିହେଉ ନାହିଁ; ବରଂ ସେପରି ଆଶଙ୍କା ଏବେ ବଢ଼ିଲାଣି। ଶିକାରୀମାନେ ହତ୍ୟା କରି ଦାନ୍ତ ନେଇଯାଉଥିବାବେଳେ ଜଙ୍ଗଲ ବିଭାଗ ଅଧିକାରୀମାନେ ଏହା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଆଶଙ୍କାରେ ନିଜେ ହାତୀର ମୃତଦେହକୁ ପୋତି ଦେଉଥିବା ନେଇ ଯେଉଁ ଅଭିଯୋଗ ହେଉଛି, ତାହା ଅଯଥାର୍ଥ ମନେହେଉ ନାହିଁ। ଯିଏ ହାତୀଙ୍କ ରକ୍ଷକ, ସେ ନିଜେ ଯଦି ଭକ୍ଷକର ରକ୍ଷକ ପାଲଟିଲା, ତେବେ ଏ ସମସ୍ୟାର ସମାଧାନ ସମ୍ଭବ ହେବ କିପରି! ହୁଏତ ଏହି କାରଣରୁ ଅତୀତରେ କେତେକ ବନ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ହେଁ ତା’ର ସୁଫଳ ମିଳୁନାହିଁ ଏବଂ ହାତୀମୃତ୍ୟୁକୁ ରୋକାଯାଇପାରୁ ନାହିଁ।
ହାତୀଙ୍କ ମୃତ୍ୟୁର କେତୋଟି ପ୍ରମୁଖ କାରଣ ହେଲା, ଶିକାରୀଙ୍କ ଗୁଳି ବା ବିଷ ପ୍ରୟୋଗ; ବ୍ୟବସ୍ଥାଗତ ତ୍ରୁଟି ହେତୁ ବିଦ୍ୟୁତ୍‌ ଆଘାତ ଏବଂ ରେଳପଥରେ ଯାତାୟାତ ସମୟରେ ଦୁର୍ଘଟଣା। ଏସବୁ ଅଧିକ ପରିମାଣରେ ହେଉଛି ଏଇଥିପାଇଁ ଯେ ହାତୀପଲ କ୍ରମେ ନିଜର ପାରମ୍ପରିକ ବାସସ୍ଥାନ ହରାଇବା ପରେ ଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି ଏବଂ ଶିକାରୀ ହାବୁଡ଼ରେ ପଡ଼ୁଛନ୍ତି ବା ଅନ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି। ତେଣୁ ଅଧିକ ସଂଖ୍ୟକ ସ୍ବତନ୍ତ୍ର ହାତୀ ଚଲାପଥ (କରିଡର) ତିଆରି ସହ ସେମାନଙ୍କ ଯାତାୟାତ ସମୟରେ ସୁରକ୍ଷା ପାଇଁ ବନ୍ଦୋବସ୍ତ କରାଯିବା ଆବଶ୍ୟକ। ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ନେଇ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାକାରୀ ଦଳ ଗଠନ କରିପାରିବ। ବନ ବିଭାଗ ଏଥିପାଇଁ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥାକୁ ଆପଣାଇବା ଜରୁରୀ। ସର୍ବୋପରି ବନ ଅଧିକାରୀଗଣ କେବଳ ଆପଣା ସ୍ବାର୍ଥରେ ନ ମାତି ହସ୍ତୀଙ୍କ ପାଇଁ ଆସୁଥିବା ବିପଦଆପଦ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କଲେ ହିଁ ଗଜ ଉଦ୍ଧରଣ ସମ୍ଭବ ହେବ।

Comments are closed.