ସରକାରୀ ଧାନ ମଣ୍ଡି କାହା ସ୍ବାର୍ଥରେ?

ଓଡ଼ିଶାରେ ସରକାରୀ ମଣ୍ଡି (ବଜାର ପ୍ରାଙ୍ଗଣ) କହିଲେ କୃଷକଙ୍କ ଦ୍ବାରା ଉତ୍ପାଦିତ ଖରିଫ ଓ ରବି ଋତୁର କେବଳ ଧାନ ଫସଲ ବିକ୍ରି ଉଦ୍ଦିଷ୍ଟ ସରକାରୀ ବ୍ୟବସ୍ଥିତ ବଜାର ବ୍ୟବସ୍ଥାକୁ ବୁଝାଇଥାଏ। ଓଡ଼ିଶାରେ ଧାନ ଚାଷ ମୁଖ୍ୟ, ଅନ୍ୟ ଚାଷ ଗୌଣ। ଏଣୁ ପନିପରିବା, ଡାଲି, ତୈଳବୀଜ, ଆଳୁ ଆଦିର ବିକ୍ରିପାଇଁ ସରକାରୀ ନିୟନ୍ତ୍ରିତ ବଜାରର ପ୍ରଶ୍ନ ଉଠେନାହିଁ। ଏ ସବୁର ଉତ୍ପାଦନ ଅତି ନଗଣ୍ୟ ହୋଇଥିବାରୁ ଚାଷୀ ଏହାର ସରକାରୀ ବଜାର ଅଭାବ ଅନୁଭବ କରନ୍ତି ନାହିଁ, କି ଏଥିପାଇଁ ବିଚଳିତ ମଧ୍ୟ ହୁଅନ୍ତି ନାହିଁ। ଧାନ ଫସଲ ଉତ୍ପାଦନ, ଆମ ରାଜ୍ୟରେ ଗତ କେତେ ବର୍ଷ ଧରି କେତେକ କାରଣ ଯେପରି ବୈଜ୍ଞାନିକ ଚାଷୀ ପ୍ରଣାଳୀ, ଉନ୍ନତ ମାନର ଧାନବିହନ, ରାସାୟନିକ ସାର ପ୍ରୟୋଗ ଆଦିରୁ ଯଥେଷ୍ଟ ବୃଦ୍ଧି ପାଇଛି। ଚାହିଦାଠାରୁ ଯୋଗାଣ ବୃଦ୍ଧିପାଇଲେ ଦ୍ରବ୍ୟମୂଲ୍ୟ ହ୍ରାସ ଘଟିବା ସ୍ବାଭାବିକ।

ଧାନ ଉତ୍ପାଦନରେ ଓଡ଼ିଶା ବର୍ତ୍ତମାନ ଏକ ବଳକା ରାଜ୍ୟ। ଚାଷୀଠାରୁ ସମସ୍ତ ଧାନ କିଣିବାପାଇଁ ଏବେ ସରକାର ପ୍ରସ୍ତୁତ ନୁହନ୍ତି। ଏଣୁ ଧାନମଣ୍ଡି ବ୍ୟବସ୍ଥା ଥିଲେ ହେଁ ସମାନ୍ତରାଳରେ ଖୋଲାବଜାର ମଧ୍ୟ ଚାଲିଛି। ଖୋଲାବଜାର ବିକ୍ରି ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଓ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣର ବିଧି ବ୍ୟବସ୍ଥା ଗୃହୀତ ହୋଇ ନଥିବାରୁ ଧାନ ଖୋଲାବଜାରରେ କ୍ବିଣ୍ଟାଲ ପ୍ରତି ଏଗାର ଶହରୁ ଚଉଦଶହ ଟଙ୍କା ଦରରେ ବିକ୍ରି ହେଉଛି। ଧାନ ଉତ୍ପାଦନରେ ହେଉଥିବା ଖର୍ଚ୍ଚ, ହଳ, ଖତସାର ପ୍ରୟୋଗ, ବିହନ ବୁଣା, ତଳିପକା, ରୁଆ, ବିହୁଡ଼ା, କତିକଟା, ଆଡ଼ିଧରା, ଘାସବଛା, ସାର ଔଷଧ ପ୍ରୟୋଗ, ଧାନକଟା, ବିଡ଼ାବନ୍ଧା, ପିଟାଝଡ଼ା ଆଦି ଅମଳ ପ୍ରକ୍ରିୟା ଓ ରକ୍ଷଣାବେକ୍ଷଣ ଆଦି ବିଭିନ୍ନ ପର୍ଯ୍ୟାୟରେ ହେଉଥିବା ଖର୍ଚ୍ଚର ହିସାବ କଲେ ଧାନର ବିକ୍ରିମୂଲ୍ୟ ଅତି ନିରୁତ୍ସାହ ଜନକ। ଏଥିରେ ଚାଷୀର ଅାର୍ଥନୀତିକ ଉନ୍ନତି ଘଟିବ କିପରି?

ବୁଡ଼ି ଯାଉଥିବା ଲୋକର କୁଟା ଖଣ୍ଡକ ଆଶ୍ରାପରି ହତାଶାର ଅନ୍ଧାରି ଗହ୍ବର ମଧ୍ୟରେ ସରକାରୀ ମଣ୍ଡି ବ୍ୟବସ୍ଥା ଆଶାର କ୍ଷୀଣ ଆଲୋକ ସଦୃଶ ଆଶ୍ବାସନାର ବିଷୟ ହେବା ସ୍ବାଭାବିକ। ସରକାରୀ ତଥ୍ୟ ଅନୁସାରେ ଏ ବର୍ଷ ଧାନ ମଣ୍ଡିରେ ଧାନ ବିକ୍ରିପାଇଁ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ଚଉଦ ଲକ୍ଷରୁ ଊର୍ଦ୍ଧ୍ବ। ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସ୍ବାଭାବିକ, କାରଣ ଖୋଲାବଜାରରେ ଧାନଦର ଚଉଦ ଶହ ଟଙ୍କା ଥିବାବେଳେ ମଣ୍ଡିରେ ଘୋଷିତ ଦର କ୍ବିଣ୍ଟାଲ ପ୍ରତି ୧୯୪୦ ଟଙ୍କା। ଗୋଟାଏ କ୍ବିଣ୍ଟାଲ ଧାନରେ ପାଞ୍ଚଶହ ଟଙ୍କାର ବ୍ୟବଧାନ କିଛି କମ୍‌ କଥା ନୁହେଁ। ସରକାର ମଣ୍ଡିରେ ଚାଷୀଙ୍କ ସଂଖ୍ୟାବୃଦ୍ଧିକୁ ମଣ୍ଡିର ଆକର୍ଷଣ ବୋଲି ସାବ୍ୟସ୍ତ କରୁଛନ୍ତି। ଏଇଠି ପ୍ରଶ୍ନଉଠେ ମଣ୍ଡିବ୍ୟବସ୍ଥା ଯଦି ଆକର୍ଷଣୀୟ, ସୁବ୍ୟବସ୍ଥିତ ତେବେ ମଣ୍ଡି ପରିଚାଳନାକୁ ବିରୋଧ କରି ଚାଷୀମାନେ ଜିଲାପାଳଙ୍କ ଅଫିସ୍‌ ଘେରାଉ, ରାସ୍ତା ଅବରୋଧ, ବିକ୍ଷୋଭ କରୁଥିବାର ସମ୍ବାଦ ପ୍ରତ୍ୟହ ପ୍ରକାଶ ପାଉଛି କାହିଁକି? ମଣ୍ଡିରେ ପଡ଼ି ଧାନବସ୍ତା ବର୍ଷା ମାଡ଼ ଖାଉଥିବାର ଚିତ୍ର ଆସୁଛି କାହିଁକି?

ସତ୍ୟ ଓ ବାସ୍ତବତା ମଧ୍ୟରେ ବ୍ୟବଧାନ କାଳେକାଳେ ଅମାପ। କଥାରେ ଅଛି ‘ନିଜେ ନ ମଲେ ଯମ ଦର୍ଶନ ହୁଏ ନାହିଁ।’ ମଣ୍ଡି ବ୍ୟବସ୍ଥା ସହ ନିଜେ ଜଡ଼ିତ ନହେଲେ ଏହାର ଠିକ୍‌ ଚିତ୍ର ଲାଭ ସମ୍ଭବ ନୁହେଁ। ଯେଉଁମାନେ ମଣ୍ଡି ବ୍ୟବସ୍ଥାର ଗୁଣ ଗାଉଛନ୍ତି ସେମାନେ ପ୍ରକୃତରେ କୃଷକ ନୁହନ୍ତି। ନିଜେ ଚାଷ କରନ୍ତି ନାହିଁ କି ଚାଷର ଧାର ଧାରନ୍ତି ନାହିଁ।

ଆମ ବ୍ୟବସ୍ଥା ଭିତରେ ରହିଥିବା ଅବ୍ୟବସ୍ଥାଗୁଡ଼ିକ କେବଳ ବ୍ୟବସ୍ଥାଗତ ତ୍ରୁଟିର ସୂଚକ ମାତ୍ର ନୁହେଁ; ଏହା ଆମର ଦୁରଭିସନ୍ଧି, କୂଟବୁଦ୍ଧିର ପରିଚାୟକ ମଧ୍ୟ। ଧାନମଣ୍ଡି ବ୍ୟବସ୍ଥା ଏହାର ଏକ ଉଳ ନମୁନା। ଯେଉଁ ବ୍ୟବସ୍ଥା ସହ ଚଉଦଲକ୍ଷ ଚାଷୀ ପରିବାର ଜଡ଼ିତ ତା’ଠାରୁ ଗୁରୁତ୍ବପୂର୍ଣ୍ଣ ଧ୍ୟେୟ ବ୍ୟବସ୍ଥା ଅନ୍ୟ କିଛି ହୋଇନପାରେ, ଏଣୁ ଏହାକୁ ଉପେକ୍ଷା କରାଯାଇନପାରେ। ଉତ୍ତମଭାବେ ନିରୀକ୍ଷଣ ଓ ପର୍ଯ୍ୟାଲୋଚନା କଲେ ସ୍ପଷ୍ଟ ହୁଏ, ମଣ୍ଡି ବ୍ୟବସ୍ଥା ଚାଷୀକୁଳର ଆର୍ଥିକ ଉନ୍ନତିର ଲକ୍ଷ୍ୟକୁ ଯେତିକି ସାଧନ ନ କରୁଛି, ଚାଷୀକୁ କେନ୍ଦ୍ରକରି ଏ ବ୍ୟବସ୍ଥା ସହ ଜଡ଼ିତ ଅନେକ ସରକାରୀ କର୍ମଚାରୀ, ମିଲ୍‌ମାଲିକ, ନେତାମନ୍ତ୍ରୀ, ଧାନ ବେପାରୀ ଆଦିଙ୍କୁ ଫାଇଦା ଦେବାରେ ଅଧିକ ସାହାଯ୍ୟ କରୁଛି। ସରକାରୀ କ୍ରୟମୂଲ୍ୟ ଯାହା ନିର୍ଦ୍ଧାରିତ ହେଉଛି, ଚାଷୀ ପ୍ରକୃତରେ ତାହା ପାଉନାହିଁ। ମଣ୍ଡିରେ ଧାନ ବିକ୍ରିପାଇଁ ଚାଷୀକୁ ବହନ କରିବାକୁ ପଡ଼ୁଥିବା ଖର୍ଚ୍ଚ ହଇରାଣ ହରକତକୁ ଦେଖିଲେ ମନେହୁଏ, ସତେଯେପରି ମଣ୍ଡିବ୍ୟବସ୍ଥା ଧର୍ମକୁ ଆଖିଠାର। ଏଠି ଚାଷୀ ଗୌଣ; ଅନ୍ୟର ଦୟାର ପାତ୍ର; ସୋସାଇଟି ପଦାଧିକାରୀ (ଏମ୍‌.ଡି) ଯୋଗାଣ ବିଭାଗ ଅଧିକାରୀ, ମିଲର ଆଦି ମୁଖ୍ୟ।

prayash

ମଣ୍ଡି ବ୍ୟବସ୍ଥା ପ୍ରକୃତରେ ଏକ ନିର୍ଭରଯୋଗ୍ୟ, ଗ୍ୟାରେଣ୍ଟିକୃତ ବ୍ୟବସ୍ଥା ନୁହେଁ। ପଞ୍ଜିକୃତ ଚାଷୀକୁ ଦିଆଯାଉଥିବା ଟୋକନ୍‌, ସେଥିରେ ଉଲ୍ଲେଖଥିବା ଧାନର ପରିମାଣ (ଚାଷୀଠାରୁ କେତେ ଧାନ ସରକାର କିଣିବେ) ତାରିଖ (କେବେ କିଣିବେ) ସବୁ ମୂଲ୍ୟହୀନ। କଥା ଓ କାମ ସମ୍ପୂର୍ଣ୍ଣ ଓଲଟା। ନିର୍ଦ୍ଧାରିତ ତାରିଖରେ ଧାନ କିଣାଯିବାର ନଜିର ନାହିଁ। ଟୋକନରେ ଉଲ୍ଲେଖ ଥିବା ଧାନ ପରିମାଣ ଓ ମଣ୍ଡିରେ ଚାଷୀଠାରୁ ନିଆଯାଉଥିବା ଧାନର ପରିମାଣ ମଧ୍ୟରେ ବ୍ୟବଧାନ ଅନେକ। ଜାନୁଆରୀ ମାସରେ କିଣାଯିବାକୁ ଥିବା ଧାନ ଫେବୃଆରୀ ମାସରେ ଅର୍ଥାତ୍‌ ଠିକ୍‌ ମାସେ ପରେ କିଣାଯାଉଛି। ସେମିତି ଧାନର ପରିମାଣ ଯାହା ଟୋକନ୍‌ରେ ରହୁଛି ତାହାର ପଚାଶ ପ୍ରତିଶତ କିମ୍ବା ଚାଳିଶ ପ୍ରତିଶତ ମାତ୍ର କିଣାଯାଉଛି। ଏହା ଯଦି ହୁଏ, ଜଳସେଚିତ ଜମି ପାଇଁ ଏକର ପିଛା ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମି ପାଇଁ ଏକର ପିଛା ୧୨ କୁଇଣ୍ଟାଲ ଧାନ କିଣାଯିବାର ଟାର୍ଗେଟ ନିର୍ଦ୍ଧାରଣର ଅର୍ଥ କ’ଣ?

ପୂର୍ବ ନିର୍ଦ୍ଧାରିତ ନୀତି ନିୟମର ପରିପାଳନରେ ବିଶୃଙ୍ଖଳା ରହିଲେ ଚାଷୀ ଉପରେ ତାର କ’ଣ ପ୍ରଭାବ ପଡ଼ୁଛି ତାହା ଦେଖିବା ଉଚିତ। ପ୍ରଥମ ସମସ୍ୟା ହେଲା ଧାନ ସଂରକ୍ଷଣ ସମସ୍ୟା। ନଭେମ୍ବର ମାସରେ ଅମଳ ହୋଇଥିବା ଧାନକୁ ଫେବୃଆରୀ ପର୍ଯ୍ୟନ୍ତ ସାଇତି ରଖିବା ଅନେକ ଚାଷୀପାଇଁ ଏକ ଦୁରୂହ ସମସ୍ୟା। ମୂଷାଙ୍କ ଉପଦ୍ରବ ବୃଦ୍ଧିପାଇ ଧାନ କେବଳ ନଷ୍ଟ ହୁଏନାହିଁ। ଘରର ଚଟାଣ, କାନ୍ଥ ମଧ୍ୟ ଖୋଳିହୋଇ ଅନ୍ୟ ଏକ ସମସ୍ୟା ସୃଷ୍ଟି ହେଉଛି। ଧାନ ଅଧିକ କାଳ ରହିବା ଫଳରେ ତା’ର ଆର୍ଦ୍ରତା ନିର୍ଦ୍ଧାରିତ ମାନଠାରୁ ମଧ୍ୟ ଅଧିକ କମିଯାଉଛି, ଯାହା ଫଳରେ ଧାନର ଓଜନ ଯଥେଷ୍ଟ ହ୍ରାସ ପାଉଛି। ଦ୍ବିତୀୟ ସମସ୍ୟାଟି ହେଲା, ସରକାର ଚାଷୀଠାରୁ ଯେଉଁ ପରିମାଣର ଧାନ କିଣିବାର ପ୍ରତିଶ୍ରୁତି ଦେଉଛନ୍ତି, ତାହା କିଣା ନଯାଇ ଅଧା ପରିମାଣର ଧାନ କିଣାଗଲେ, ବାକି ଅଧା ଧାନ ବିକିବ କେଉଁଠି? ପ୍ରଶାସନର ସ୍ବଚ୍ଛତା ଉପରେ ଏ କ୍ଷେତ୍ରରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଟୋକନ୍‌ ଠିକ୍‌ ରୂପେ କାର୍ଯ୍ୟକାରୀ ନହେବାରୁ ମଣ୍ଡି ଅଧିକାରୀ ଓ ପରିଚାଳନାରେ କର୍ମଚାରୀମାନଙ୍କ ମନମୁଖି କାରବାର ପାଇଁ ପଥ ଆପେଆପେ ଫିଟିଯାଉଛି। ସାସ୍‌ (ସୋସାଇଟି ଅଥୋରିଟି ସ୍ଲିପ୍‌), ମାସ୍‌ (ମିଲର ଅଥୋରିଟି ସ୍ଲିପ୍‌), ଟାର୍ଗେଟ ଅଭାବ ଆଦିର ଦ୍ବାହି ଦେଇ ସେମାନେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି, ଯେଉଁ ବ୍ୟୂହକୁ ଭେଦ କରିବା ଚାଷୀ ପକ୍ଷେ ସହଜ ନୁହେଁ। କିଣା ଯିବାକୁ ଥିବା ଧାନ ପରିମାଣ କେତେ ହେବ ଏହାର ନିଷ୍ପତ୍ତି ମଣ୍ଡି ଅଧିକାରୀ ହାତକୁ ଚାଲିଆସୁଥିବାରୁ ଏଥିରେ ସେମାନଙ୍କ ପକ୍ଷପାତିତା ବୃଦ୍ଧି ପାଉଛି; କେଉଁ ଚାଷୀଠାରୁ କେତେ ଧାନ କିଣାଗଲା, ନିରପେକ୍ଷତା ଅବଲମ୍ବନ କରାଗଲା କି ନାହିଁ ଏହା ଚାଷୀ ଜାଣି ପାରୁନାହିଁ।

ଟୋକନ୍‌ରେ ଉଲ୍ଲିଖିତ ତାରିଖ ପରିବର୍ତ୍ତନ ହେବାର ଆଉ ଏକ ଅସୁବିଧା ହେଲା ଚାଷୀ ଅନିଶ୍ଚିତତା ଓ ଆଶଙ୍କା ମଧ୍ୟରେ ଝୁଲିରହିବା। ପ୍ରାୟତଃ ଦେଖାଯାଉଛି, ନୂତନ ଧାର୍ଯ୍ୟ ତାରିଖର ଶେଷଦିନ, ଶେଷ ମୁହୂର୍ତ୍ତରେ ଚାଷୀ ଧାନ ଆଣିବାକୁ ଡାକରା ପାଉଛି। ମାତ୍ର କେଇ ଘଣ୍ଟାର ସମୟସୀମା ମଧ୍ୟରେ ମାଲବୁହାଗାଡ଼ି, କୁଲି ଆଦିର ବନ୍ଦୋବସ୍ତ କରି ଦଶ-ବାର କିଲୋମିଟର ଦୂରରେ ଥିବା ମଣ୍ଡିରେ ଧାନ ପହଞ୍ଚାଇବା ଏକ କାଠିକର ପାଠ। ଚାଷୀମାନେ ଏ ପରିସ୍ଥିତିରେ ବାଧ୍ୟ ହୋଇ ବେପାରିଙ୍କ ସାହାରା ଲୋଡ଼ୁଛନ୍ତି, ଟୋକନ୍‌ ବାବଦକୁ କିଛି ଟଙ୍କାନେଇ ଧାନତକ ଖୋଲାବଜାର ଦରରେ ବିକ୍ରି କରିଦେଉଛନ୍ତି। ସରକାରଙ୍କ ସଦିଚ୍ଛା ଥିଲେ, ପଞ୍ଚାୟତ ସ୍ତରରେ ମଣ୍ଡିଖୋଲି ଚାଷୀଙ୍କୁ ସାହାଯ୍ୟ କରିପାରନ୍ତେ। ଅଥଚ ଏହା ହେଉନଥିବାରୁ ସ୍ଥଳ ବିଶେଷରେ ଚାଷୀଙ୍କ ଟୋକନ୍‌ ଅଚଳ ହୋଇଯାଉଛି।

ବ୍ୟବସ୍ଥାର କୌଣସି ଗୋଟିଏ ସ୍ଥାନରେ ତ୍ରୁଟି ରହିଲେ ଅନ୍ୟ ସବୁ ସ୍ଥାନରେ ମଧ୍ୟ ତ୍ରୁଟି ଉପୁଜିବା ସ୍ବାଭାବିକ। ଅବ୍ୟବସ୍ଥା ରହିବାରୁ ମିଲରମାନେ ବିଶେଷଭାବେ ଚାଷୀଙ୍କୁ ଶୋଷଣ କରିବାର ସୁଯୋଗ ପାଉଛନ୍ତି। ତ୍ରୁଟି ମଧ୍ୟରେ ଏକ ମୁଖ୍ୟ ତ୍ରୁଟି ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମାନ। ମାନ ପରୀକ୍ଷାର କୌଣସି ଉନ୍ନତ ଯାନ୍ତ୍ରିକ କୌଶଳ ସରକାରଙ୍କ ନାହିଁ। ହାତରେ ସବୁ ଚାଷୀଙ୍କ ଧାନର ମାନ ପରୀକ୍ଷା ଅତି ସମୟ ସାପେକ୍ଷ। ଏହା ପୁଣି ମାନ ନିର୍ଦ୍ଧାରଣ ପାଇଁ ନିଯୁକ୍ତ ବ୍ୟକ୍ତିର ଅଙ୍ଗୀକାରବଦ୍ଧତା, ସଚ୍ଚୋଟପଣିଆ ନିର୍ଭର। ଏମାନେ ମିଲର ଦ୍ବାରା କିଣା ହେଉଥିବାରୁ ସବୁପ୍ରକାର ଧାନକୁ ନିମ୍ନମାନର ଦର୍ଶାଇବାରେ ବେଶ୍‌ ସିଦ୍ଧହସ୍ତ। ଧାନର ମାନ ଏକ ବାହାନା। ପ୍ରକୃତରେ ମାନ ପରୀକ୍ଷା ହୁଏନା, କାଁ ଭାଁ ହୁଏ, କିନ୍ତୁ ବାଧ୍ୟତା ମୂଳକ ନୁହେଁ। ଫଳରେ ମିଲରମାନେ ମନଇଚ୍ଛା ଚାଷୀମାନଙ୍କଠାରୁ ଅଧିକ ଧାନ ଲୁଟ୍‌ କରୁଛନ୍ତି। କୁଇଣ୍ଟାଲ ପିଛା ସର୍ବନିମ୍ନ ସାତ କେଜିରୁ ଆରମ୍ଭ ହୋଇ ବାରକେଜି ପର୍ଯ୍ୟନ୍ତ କଟାଯିବାର ନଜିର ରହିଛି। ଏହା ‘କଟନିଛଟନି’(କାଟଛାଣ୍ଟ୍‌) ନାମରେ ସୁପରିଚିତ। ଏହାର କୌଣସି ପ୍ରାମାଣିକ କାଗଜପତ୍ର ରଖାଯାଏନାହିଁ। ସରକାରୀ କାଗଜରେ ଧାନର ମାନ ଠିକ୍‌ ଦର୍ଶାଯାଏ; ଅଥଚ ଚାଷୀ ନିରବରେ ମିଲର ଦ୍ବାରା ଶୋଷିତ ହୁଏ। ଏ କଥା ମଣ୍ଡି ଅଧିକାରୀଙ୍କ ଜ୍ଞାତସାରରେ, ଉପସ୍ଥିତିରେ ଘଟୁଛି। ତାଙ୍କ ପକ୍ଷରୁ ଏହାର ପ୍ରତିବାଦ ଆସିବା ତ ଦୂରର କଥା, ବରଂ ମିଲର ପ୍ରତି ସେମାନଙ୍କ ସମର୍ଥନ ରହୁଛି, କାରଣ ସ୍ପଷ୍ଟ, ପ୍ରାଞ୍ଜଳ କରିବାର ଆବଶ୍ୟକତା ନାହିଁ। ଧାନର ମାନ ଅନୁସାରେ ପ୍ରାମାଣିକ ହିସାବ ସହ ‘କଟନିଛଟନି’ କରାଯାଇ ଯଦି ସରକାରଙ୍କ ଦ୍ବାରା ଚାଷୀ ଉପରେ ଅଧିକ ଦେୟର ବ୍ୟବସ୍ଥା ହୁଅନ୍ତା ଓ ତାହା ସରକାରୀ ହିସାବ ଖାତାକୁ ଯା’ନ୍ତା ତେବେ ଚାଷୀର ଆପତ୍ତି ଉଠନ୍ତା ନାହିଁ। ମାତ୍ର ତାହା ହେଉନାହିଁ। ବ୍ରିଟିଶ୍‌ ଯୁଗରେ ଏପରି ଶୋଷଣ ପ୍ରକ୍ରିୟା ଥିଲା। ଆଜି ଯଦି ତାହା ରହେ ତେବେ ସ୍ବାଧୀନତାର ଅର୍ଥ କ’ଣ?

କେବଳ କଟନିଛଟନି ନୁହେଁ, ମିଲରମାନେ ନାନାଦି ବାଟରେ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି। ଧାନ ଓଜନବେଳେ ଭଗ୍ନାଂଶ ୫୦୦ ଗ୍ରାମ, ୬୦୦ ଗ୍ରାମର ହିସାବ ଖାତାକୁ ଯାଉନାହିଁ। ଚାଷୀ ଦେଉଥିବା ଧାନବସ୍ତାର ମୂଲ୍ୟ ପାଉନାହିଁ। ଧାନମଣ୍ଡିରେ ଓଜନ ସରିବା ପରେ ମିଲରର ଟ୍ରକ୍‌କୁ ଉଠାଇବାର କୁଲିଖର୍ଚ୍ଚ ମଧ୍ୟ ଚାଷୀଙ୍କୁ ବହନ କରିବାକୁ ପଡ଼ୁଛି। ମଣ୍ଡିକୁ ଧାନ ଆଣିବା ପାଖରୁ ମିଲରର ଟ୍ରକରେ ଲଦା ହେବା ପର୍ଯ୍ୟନ୍ତ ଚାଷୀ ବହନ କରୁଥିବା ସମସ୍ତ ଖର୍ଚ୍ଚ ହିସାବକଲେ ସରକାରୀ ୧୯୪୦ ଟଙ୍କାରୁ ଚାଷୀ କେତେଟଙ୍କା ପାଉଛି ତାହା ଯେ କେହି ବ୍ୟକ୍ତି ବେଶ୍‌ ବୁଝିପାରିବ।
ଏସବୁ କଥା ସ୍ପଷ୍ଟ ଦିବାଲୋକରେ ଘଟୁଛି; ଅଥଚ ଆମେ କହୁଛୁ ଆମ ପ୍ରଶାସନ ସ୍ବଚ୍ଛ। ଆଜି ଆମ ଦେଶ ଯଦି ଧନଧାନ୍ୟରେ ପରିପୂର୍ଣ୍ଣ, ତା’ର ଶ୍ରେୟ କେବଳ ଚାଷୀମାନଙ୍କର। ଏହା କୌଣସି ସରକାର, ରାଜନୈତିକ ଦଳ ବା ବ୍ୟକ୍ତିବିଶେଷର ନୁହେଁ। ଚାଷୀମାନଙ୍କୁ ନେଇ ରାଜନୀତି କରାନଯାଉ। ପ୍ରକୃତରେ ଚାଷୀମାନେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ପାଆନ୍ତୁ, ରାଜନୀତି, ପଦପଦବୀର ଊର୍ଦ୍ଧ୍ବକୁ ଯାଇ ମାନବିକତା ସହ ଏହା ସମସ୍ତେ ଚାହିଁବା ଉଚିତ୍‌।

kalyan agarbati

Comments are closed.