ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା; କେତେ ପିଲା ଅଛନ୍ତି, କେତେ ଖାଉଛନ୍ତି
ବରଗଡ଼: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କେତେ ପିଲା ଅଛନ୍ତି, କେତେ ପିଲା ଖାଉଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ରହୁନାହିଁ। ସେହିପରି ଚାଉଳ ଯୋଗାଣରେ ମଧ୍ୟ ଅନିୟମିତା ଅଭିଯୋଗ ହୋଇଛି।
ବରଗଡ଼ ଜିଲା ଶିକ୍ଷାଧିକାରୀଙ୍କ ଅଧୀନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ମିଶି ୧,୨୫,୬୦୮ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଅନ୍ତର୍ଭୁକ୍ତ ଅଛନ୍ତି। ସେଥିମଧ୍ୟରୁ ପ୍ରଥମରୁ ପଞ୍ଚମ ୭୫ ହଜାର ଜଣ ଓ ଷଷ୍ଠରୁ ଅଷ୍ଟମ ୫୦,୬୦୪ ଜଣ ଛାତ୍ରଛାତ୍ରୀ ଅଛନ୍ତି। ପ୍ରଥମରୁ ପଞ୍ଚମ ପାଇଁ ପ୍ରତି ଛାତ୍ର ପାଇଁ ୫.୪୨ ପଇସା ଓ ଷଷ୍ଠରୁ ଅଷ୍ଟମ ପାଇଁ ୮.୧୦ ପଇସା ମଧ୍ୟାହ୍ନ ଭୋଜନ ପାଇଁ ଧାର୍ଯ୍ୟ କରାଯାଇଛି। ସେହିପରି ଚାଉଳ ମଧ୍ୟ ସରକାର ଯୋଗାଇ ଦେଉଛନ୍ତି। ପ୍ରଥମରୁ ପଞ୍ଚମ ପାଇଁ ୧୦୦ ଗ୍ରାମ ହିସାବରେ ଓ ଷଷ୍ଠରୁ ଅଷ୍ଟମ ପାଇଁ ୧୫୦ ଗ୍ରାମର ହିସାବରେ ଛାତ୍ରଙ୍କୁ ଚାଉଳ ଦିଆଯାଏ। ହିସାବ କଲେ ଦିନକ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୪,୦୬,୫୦୦ ଓ ଷଷ୍ଠରୁ ଅଷ୍ଟମ ପାଇଁ ୪,୦୯,୮୯୦ ଟଙ୍କା ଖର୍ଚ୍ଚ ହେଉଛି ଏବଂ ମୋଟ ଖର୍ଚ୍ଚ ହେଉଛି ୮,୧୬,୩୯୦ ଟଙ୍କା। ସେହିପରି ଚାଉଳ ଖର୍ଚ୍ଚ ହେଉଛି ପ୍ରଥମରୁ ପଞ୍ଚମ ୧୦୦ ଗ୍ରାମ ହିସାବରେ ୭,୫୦୦ କେଜି ଓ ଷଷ୍ଠରୁ ଅଷ୍ଟମ ଯାଏଁ ୭,୫୯୦ କେଜି।
ଜିଲାରେ ଯଦି ଗୋଟାଏ ଦିନ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବନ୍ଦ ହୋଇଯାଏ ତାହେଲେ ୧୫,୦୯୦.୬ କେଜି ଚାଉଳ ଓ ୮୧,୬୩୯ ଟଙ୍କା ବଳୁଛି। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପୂର୍ବରୁ କେତେଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ ଓ କେତେ ଦିନ ବନ୍ଦ ରହିଲା ତାହା ପୂର୍ବରୁ ଏସଏମଏସ ମାଧ୍ୟମରେ ଶିକ୍ଷକମାନଙ୍କୁ ଜଣାଉଥିଲେ ଓ ସମସ୍ତେ ଜାଣି ପାରୁଥିଲେ। ମାତ୍ର ଏବେ ଶିକ୍ଷକମାନେ କ୍ଳଷ୍ଟରରେ ଗ୍ରୁପ କରି ସିଆରସିସିମାନଙ୍କୁ ଜଣାଉଛନ୍ତି; ଅନ୍ୟ ଶିକ୍ଷକମାନେ ତାହା ଯେପରି ଜାଣି ନପାରିବେ। ଚାଉଳ ଯୋଗାଣକାରୀ ସଂସ୍ଥା ଓଜନ ମାପ କରି ଚାଉଳ ଦେବେ ଓ ପ୍ରଧାନ ଶିକ୍ଷକ ମାପ କରି ଚାଉଳ ରଖିବେ। ଏହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦେଶ ରହିଛି। ମାତ୍ର ଚାଉଳ ଯୋଗାଣକାରୀ ସଂସ୍ଥା ବି ମାପ କରି ଦେଉନାହାନ୍ତି କି ପ୍ରଧାନ ଶିକ୍ଷକମାନେ ମଧ୍ୟ ଓଜନ କରି ଚାଉଳ ନେଉନାହାନ୍ତି।
ଗତ କରୋନା କାଳରେ ସ୍କୁଲ ବନ୍ଦ ଥିବା ବେଳେ ଶୁଖିଲା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହି ସମୟରେ ମଧ୍ୟାହ୍ନ ଚାଉଳ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା। ଏବେ କରୋନା ସମାପ୍ତ ହେବା ପରେ ମଧ୍ୟ ଚାଉଳ ଯୋଗାଣ ଓ ପିଲାଙ୍କୁ ଚାଉଳ ବଣ୍ଟନରେ ଅନିୟମିତତା ଦେଖାଦେଉଛି। ଗତ ଏପ୍ରିଲ ମାସରେ ପଦ୍ମପୁରର ଚାରପାଲି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଚାଉଳ ଦେବା ପରିବର୍ତ୍ତେ ବିସ୍କୁଟ ଦିଆଯାଇ ପିଲାଙ୍କୁ ଭୂତାଇ ଦିଆଯାଇଥିଲା। ଏହି ଘଟଣା ‘ସମାଜ’ରେ ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗରେ ହଲ୍ଚଲ୍ ସୃଷ୍ଟି ହୋଇଥିଲା। ଯେଉଁ ସମୟରେ ପିଳାଙ୍କୁ ଚାଉଳ ଜାଗାରେ ବିସ୍କୁଟ ଦିଆଯାଉଛି ତାହାର ଭରଣା କରିବା ପାଇଁ ଯେତେବେଳେ ଚାଉଳ ଆସୁଛି ତାହା କାହାକୁ ଦିଆଯାଉ ନାହିଁ । ଯେଉଁ ଶିକ୍ଷକମାନେ ଏହା ବିରୋଧରେ କିଛି ପାଟି ଖୋଲୁଛନ୍ତି ସେମାନଙ୍କୁ ହତୋତ୍ସାହିତ କରିବା ପାଇଁ ଅନ୍ୟତ୍ର ବଦଳି କରାଯାଉଛି।
ଏପରିକି ଚାଉଳ ଦୁର୍ନୀତିରେ ଯେଉଁ ଶିକ୍ଷକମାନେ ସହଯୋଗ କରୁଛନ୍ତି ସେମାନଙ୍କୁ ଶିକ୍ଷା ବିଭାଗ ପୁରସ୍କୃତ କରୁଛି। ଏନେଇ ଜିଲା ଶିକ୍ଷାଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଦୁର୍ନୀତି ବଢ଼଼ି ବଢ଼଼ି ଚାଲିଛି। ପିଲାମାନଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଦିଆଯାଉନଥିବାରୁ ଏନେଇ ପ୍ରଚୁର ଟଙ୍କା ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି। ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଦେଉଥିବା ବେଳେ ଏହା କିଛି ଲୁଟେରାଙ୍କ ପାଇଁ ଆୟର ଉତ୍ତମ ପନ୍ଥା ହୋଇଛି।
Comments are closed.