ସଂକଟ ଜର୍ଜରିତ ଶ୍ରମିକଶ୍ରେଣୀ
ଆମେ ଯେ କୌଣସି ଗାଁ ବା ସହରରେ ପରିବାରର ପ୍ରାପ୍ତବୟସ୍କମାନେ ଚାକିରି ବା ରୋଜଗାର ଖୋଜୁଥିବା ଦେଖିବାକୁ ପାଇବା। ପ୍ରାୟ ଶତ ପ୍ରତିଶତ ପରିବାରରେ ଏହି ଚିତ୍ର ଦେଖିବାକୁ ମିଳିଥାଏ। ଏ ଯୁଗରେ ତ ସବୁ ପୁଅଝିଅ ବେଶି ପାଠ ପଢ଼ନ୍ତୁ ବା କମ୍ ପାଠ ପଢନ୍ତୁ, ସେମାନେ ସମସ୍ତେ ଅଫିସ୍ ବା କମ୍ପାନୀରେ ଚାକିରି ଖୋଜୁଛନ୍ତି, ସରକାରୀ ହେଉ ବା ବେସରକାରୀ। ତେଣୁ ଚାକିରି ବା ନିଯୁକ୍ତି ପାଇଁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। ଏହି ଯେଉଁ ଯୁବକ/ଯୁବତୀମାନେ ସରକାରୀ ଓ ଘରୋଇ ସଂସ୍ଥାମାନଙ୍କରେ କାମ କରନ୍ତି, ସେଇମାନେ ହେଉଛନ୍ତି ଶ୍ରମିକ। ଯେଉଁମାନେ କାମ ପାଇନାହାନ୍ତି, ସେମାନେ ହେଉଛନ୍ତି ବେକାର ଶ୍ରମିକ। ଶ୍ରମିକ ହେଉଛି ସେହି ବ୍ୟକ୍ତି, ଯାହା ପାଖରେ ଉତ୍ପାଦନ କରିବା ପାଇଁ ଆବଶ୍ୟକ ପୁଞ୍ଜି ନଥାଏ। ସେ ଉତ୍ପାଦନର ମାଲିକ ହୋଇପାରେ ନାହିଁ କାରଣ ଉତ୍ପାଦନର ଉପକରଣ ଯଥା- ଜମି, ଖଣି, ମେସିନ୍, ଟଙ୍କା ଆଦି ନଥାଏ ଓ ସେ ପର ପାଖରେ ଖଟି ନିଜର ବେତନ ପାଏ। ସେ ହେଉଛି ଶ୍ରମିକ। ଯଦି ସେ ଅନ୍ୟ ପାଖରେ ନିଜର ଶ୍ରମଶକ୍ତିକୁ ବିକ୍ରୟ ନ କରିବ ଓ ତାହା ବଦଳରେ ଅର୍ଥ ଉପାର୍ଜନ ନ କରିବ, ତେବେ ସେ ବଞ୍ଚିବ କିପରି? ତା ପରିବାର ବଂଚିବେ କିପରି? ତେଣୁ ବଞ୍ଚିବା ପାଇଁ ତା ପାଖରେ ଆଉ କିଛି ନାହିଁ। ଯାହା ଅଛି, ତା ହେଉଛି ତା ଦେହର ଶକ୍ତି ଓ ମୁଣ୍ଡର ବୁଦ୍ଧି। ନିଜର ଶ୍ରମ ଶକ୍ତିକୁ ବିକ୍ରୟ କରିବା ବ୍ୟତୀତ ଜଣେ ଶ୍ରମିକ ପାଖରେ ଅନ୍ୟ କ’ଣ ଅଛି?
ମଣିଷ ସମାଜ ସୃଷ୍ଟି ହେବା ଦିନଠାରୁ ଶ୍ରମିକ ସୃଷ୍ଟି ହୋଇ ନଥିଲା। ଆଦିମ ମଣିଷ ଯେତେବେଳେ ଦଳଦଳ ହୋଇ ଜଙ୍ଗଲର ଗୁମ୍ଫାରେ ବସବାସ କରୁଥିଲା ସେତେବେଳେ ଶ୍ରମିକ କେହି ନଥିଲେ କି ମାଲିକ କେହି ନଥିଲେ। ଆଦିମ ମଣିଷ ଯେତେ ଆଗକୁ ଆଗକୁ ଅଗ୍ରସର ହେଲା, ମଣିଷ ଭିତରେ ବିଭେଦ ବଢ଼ିଲା। ମଣିଷ ପ୍ରଥମେ ବଞ୍ଚିବା ପାଇଁ ପ୍ରକୃତି ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିଲା। ଗଛର ପତ୍ର, ଫୁଲ, ଫଳ, ଚେର ଆଦି ଖାଇବା ସହିତ ପଶୁର ମାଂସ ଖାଉଥିଲା। ମଣିଷ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରକୃତି ସହିତ ପଶୁ ଉପରେ ମଧ୍ୟ ନିର୍ଭର କଲା ନିଜର ଜୀବନ ଧାରଣ ପାଇଁ। ଏହି ପ୍ରକ୍ରିୟାରେ ଗୋପାଳନ ହିଁ ମଣିଷର ପ୍ରମୁଖ ଜୀବିକା ଥିଲା। ପଶୁମାନଙ୍କ ପାଇଁ ଚାରଣଭୂମି ପାଇଁ ମଣିଷର ବିଭିନ୍ନ ଦଳ ବା ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହେଲା। ପରାଜିତ ଗୋଷ୍ଠୀକୁ ବିଜେତା ଗୋଷ୍ଠୀ ସଂପୂର୍ଣ୍ଣ ଭାବେ ନିପାତ କରିଦେଉଥିଲା। କାଳକ୍ରମେ ବିଜୟୀ ଗୋଷ୍ଠୀଟି ପରାଜିତ ଗୋଷ୍ଠୀକୁ ସଂପୂର୍ଣ୍ଣ ନିପାତ ନକରି, ସେମାନଙ୍କୁ ଗୋଲାମ ଭାବେ ରଖିଲା।
ମଣିଷ ଯେତେବେଳେ କୃଷିକୁ ନିଜର ମୁଖ୍ୟ ଜୀବିକା ଭାବରେ ଗ୍ରହଣ କଲା, ସେତେବେଳେ ଜଙ୍ଗଲ ସଫାକରି ତାକୁ ଚାଷ ଉପଯୋଗୀ ଜମିରେ ପରିଣତ କରିବା ପାଇଁ ବହୁ ଲୋକ ଦରକାର ହେଲେ; କାରଣ ଅଧିକାଂଶ ଅଞ୍ଚଳ ଥିଲା ଜଙ୍ଗଲରେ ପରିପୂର୍ଣ୍ଣ। ଜଙ୍ଗଲ କାଟି, ଜଙ୍ଗଲକୁ ପୋଡି, ସେହି ଜମିକୁ ଉର୍ବର ଚାଷୋପଯୋଗୀ ଜମି ମଣିଷ ତିଆରି କରିବାକୁ ଶହ ଶହ ବର୍ଷ ଏପରି କି ହଜାର ହଜାର ବର୍ଷ ଲାଗିଛି। ବୈଜ୍ଞାନିକମାନଙ୍କ ମତରେ ପ୍ରାୟ ୧୧,୫୦୦ ବର୍ଷ ତଳେ ଜଙ୍ଗଲୀ ଶସ୍ୟକୁ ଆଧାର କରି ମଣିଷ ଶସ୍ୟ ଉତ୍ପାଦନ କରିବା ଆରମ୍ଭ କରିଛି। ବିଶ୍ୱର ୧୧ଟି ଅଞ୍ଚଳରେ ଶସ୍ୟ ଉତ୍ପାଦନ ଆରମ୍ଭ ହୋଇଥିଲା। ଶସ୍ୟ ଉତ୍ପାଦନ ସହିତ ମଣିଷ ପଶୁମାନଙ୍କୁ ଗୃହପାଳିତ କରୁଥିଲା କାରଣ କୃଷି ପାଇଁ ପଶୁର ଆବଶ୍ୟକତା ମଧ୍ୟ ଯଥେଷ୍ଟ ଥିଲା। ତେବେ ମଣିଷ ଯେତେବେଳେ ଶିକାରୀ ଜୀବନ ବିତାଉଥିଲା, ସେବେଠାରୁ ମଣିଷ ପ୍ରଥମେ କୁକୁରକୁ ନିଜର ପ୍ରିୟ କରିଥିଲା। କାରଣ ମଣିଷ ଉପରେ ଆକ୍ରମଣ ପୂର୍ବରୁ କୁକୁର ସଂକେତ ଦେଉଥିଲା ଓ ଶିକାର ବେଳେ କୁକୁର ସହଯୋଗୀ ଭାବେ କାମ କରୁଥିଲା।
ଆଧୁନିକ ଶ୍ରମିକ ଶ୍ରେଣୀର ସୃଷ୍ଟି ସହିତ ଘନିଷ୍ଠ ସଂପର୍କ ରହିଛି ଶହଶହ ବର୍ଷର ଶିଳ୍ପର ବିକାଶ। ଶିଳ୍ପ କାରଖାନା ପ୍ରତିଷ୍ଠା ପୂର୍ବରୁ ଖଟିଖିଆ ଲୋକ ଥିଲେ, ମାତ୍ର ସେମାନେ ଶ୍ରମିକ ଆଖ୍ୟା ପାଇନଥିଲେ। ପୃଥିବୀରେ ୟୁରୋପ ମହାଦେଶରେ ପ୍ରଥମେ ଶିଳ୍ପ ବିକାଶ ଘଟିଥିଲା। ପୁଞ୍ଜିବାଦର ବିକାଶ ପ୍ରକ୍ରିୟା ଥିଲା ବର୍ବରତାରେ ପରିପୂର୍ଣ୍ଣ! ଚୋରି, ଡକାୟତି, ପରଧନ ଲୁଣ୍ଠନ ଓ ଶ୍ରମିକମାନଙ୍କ ଉପରେ ଅକଥନୀୟ ଶୋଷଣକୁ ଚାପି ଦେଇ ପୁଞ୍ଜିପତିମାନେ ନିଜର ସଂପତ୍ତି ବଢ଼ାଇଥିଲେ। ପୃଥିବୀର ବିଭିନ୍ନ ଦେଶରୁ ଲୁଣ୍ଠିତ ହୋଇ ୟୁରୋପକୁ ଯାଇଥିଲା ଶହଶହ ଟନ ସୁନାରୁପା। ପୁଞ୍ଜିବାଦୀ ବ୍ୟବସ୍ଥା କୌଣସି ଭଲ ଉପାୟରେ ଗଢ଼ି ଉଠିନାହିଁ। ପୁଞ୍ଜିପତିମାନେ ପୁଞ୍ଜି ପାଇଲେ କେଉଁଠୁ? କୋଠ ସଂପତ୍ତିକୁ ଦଖଲ କରି ଓ ପରର ଧନ ସଂପତ୍ତିକୁ ଚୋରିକରି, ଠକି, ପୁଞ୍ଜିପତିମାନେ ନିଜର ପୁଞ୍ଜି ବଢ଼ାଇ ପାରିଥିଲେ। ଜମିଦାରମାନେ ଯେପରି ହଜାର ହଜାର ଗରିବ କୃଷକମାନଙ୍କୁ ଋଣ ଦେଇ, କପଟ କରିି, ସେମାନଙ୍କ ଜମି ଦଖଲ କରିଥିଲେ ଓ ବହୁ ଜମିର ମାଲିକ ହୋଇପାରିଥିଲେ, ପୁଞ୍ଜିପତିମାନେ ମଧ୍ୟ ସେହି ଉପାୟରେ ପୁଞ୍ଜି ବଢ଼ାଇଛନ୍ତି।
ପୁଞ୍ଜିବାଦୀ ସମାଜ ବା ବର୍ତ୍ତମାନ ଚାଲିଥିବା ସମାଜରେ, ସବୁ ଜିନିଷର କିଣାବିକା ହେଉଛି। ମାଟି, ଗୋଡି, ଇଟା, ପଥର ଠାରୁ ଖାଦ୍ୟ, ଘର, ଗାଡି ଇତ୍ୟାଦି ଜିନିଷ ବଜାରରେ ଜଣେ ଜଣେ ବିକୁଛନ୍ତି ଓ ବହୁ ଲୋକ କିଣୁଛନ୍ତି। ଏହି ପଣ୍ୟ ବଜାରରେ ଆଉ ଗୋଟିଏ ପଣ୍ୟ ବି ବିକ୍ରି ହେଉଛି, ଯାହାକୁ କୋଟି କୋଟି ଲୋକ ବିକ୍ରି କରୁଛନ୍ତି ଓ ଅଳ୍ପ ମାଲିକମାନେ ତାକୁ କିଣୁଛନ୍ତି। ସେଇଟା ହେଉଛି ‘ଶ୍ରମ ଶକ୍ତି’ ଯାହା କେବଳ ମଣିଷ ଭିତରେ ନିହିତ ଅଛି। ଜଣେ ଶ୍ରମିକ ମାଲିକ ପାଖରେ ଯେତିକି ସମୟ କାମ କରେ, ସେହି ସମୟ ତକ ଶ୍ରମିକ ତା ଦେହର ଶକ୍ତି ବା ମୁଣ୍ଡର ବୁଦ୍ଧିକୁ ବ୍ୟବହାର କରେ। ତେଣୁ ଶ୍ରମିକ ନିଜର ‘ଶ୍ରମଶକ୍ତି’କୁ ବିକ୍ରିକରେ। ଶ୍ରମ ବିକ୍ରି କରେ ନାହିଁ। ଶ୍ରମଶକ୍ତିକୁ ବିନିଯୋଗ କରି ଉତ୍ପାଦନ କରିଥାଏ। ପୁଞ୍ଜିବାଦୀ ଯୁଗରେ ଶ୍ରମିକର ନିଜର ବଞ୍ଚିବାର କୌଣସି ଉପାୟ ନାହିଁ।
ବଞ୍ଚିବା ପାଇଁ ଜଣେ ଶ୍ରମିକ ନିଜର ଶ୍ରମଶକ୍ତିକୁ ପୁଞ୍ଜିପତି ପାଖରେ ବିକ୍ରି କରେ ଓ ମାଲିକ ତା’ର ଶ୍ରମଶକ୍ତି ପାଇଁ ତାକୁ ମଜୁରି ଦିଏ। ପୁଞ୍ଜିବାଦର ମୂଳ ଉଦ୍ଦେଶ୍ୟ ହେଲା ମୁନାଫା। ଜଣେ ମାଲିକ ଜଣେ ଶ୍ରମିକକୁ ଯେତେ କମ୍ ମଜୁରି ଦେବ, ମାଲିକର ସେତେ ଲାଭ ହେବ। ପୁଞ୍ଜିପତି ପାଖରେ ଯେଉଁ ଶ୍ରମିକମାନେ କାମ କରନ୍ତି ସେମାନଙ୍କୁ ଦୁଇ ପ୍ରକାର ଶ୍ରମ କରିବାକୁ ହୋଇଥାଏ। କାମ କରିବାର ସମୟର ଗୋଟିଏ ଅଂଶ ବାବଦକୁ ସେ ମଜୁରି ପାଏ। ଆଉ ଯେଉଁ ସମୟ ଶ୍ରମିକଟି କାମ କରେ, ସେଇଟା ମାଲିକର ଲାଭ ପାଇଁ କରେ, ଶ୍ରମର ଏହି ଅଂଶକୁ କୁହାଯାଏ ଉଦ୍ବୃତ୍ତ ଶ୍ରମ। ଯଦି ଜଣେ ଶ୍ରମିକ ଦିନକୁ ଆଠ ଘଣ୍ଟା କାମ କରୁଛି, ତେବେ ସେ ଚାରିଘଣ୍ଟା ଶ୍ରମର ମଜୁରି ଘରକୁ ଆଣୁଛି, ଆଉ ଚାରିଘଣ୍ଟା ଶ୍ରମର ମଜୁରି ମାଲିକ ନେଇଯାଉଛି। ସୁତରାଂ ପ୍ରତ୍ୟେକ ଦିନ ଶ୍ରମିକ ପୁଞ୍ଜିପତିର ମୁନାଫା ପାଇଁ ମଧ୍ୟ କାମ କରେ। ବମ୍ବେ ଶ୍ରମିକଙ୍କ ପ୍ରଥମ ରାଜନୈତିକ ଗୁରୁ ବାଲଗଙ୍ଗାଧର ତିଳକଙ୍କୁ ବ୍ରିଟିଶ୍ ସରକାର ବର୍ମାସ୍ଥିତ ମାଣ୍ଡେଲା ଜେଲକୁ ୬ ବର୍ଷ ପାଇଁ ନିର୍ବାସନ ଦଣ୍ଡ ଘୋଷଣା ପରେ ବମ୍ବେ ସହରର ପ୍ରାୟ ଏକଲକ୍ଷ ଶ୍ରମିକ ଧର୍ମଘଟ କରିଥିଲେ। ହଜାର ହଜାର ପୁଲିସ ବନ୍ଧୁକ ଧରି ଶ୍ରମିକଙ୍କ ଆଡକୁ ମାଡି ଆସିବା ଦେଖି ଶ୍ରମିକମାନେ ପ୍ରଥମେ ପଛଘୁଞ୍ଚା ଦେଲେ, ମାତ୍ର ପର ମୁହୂର୍ତ୍ତରେ ଦଳବଦ୍ଧ ହୋଇ ପୁଲିସ ଉପରକୁ ଢ଼େଲା ମାଡ କଲେ। ପୁଲିସ ଆକ୍ରମଣରେ ସେ ଦିନ ବହୁ ଶ୍ରମିକ ନିହତ ଓ ଆହତ ହୋଇଥିଲେ। ଏହି ଆନ୍ଦୋଳନ ସମୟରେ ପୁଲିସ ଗୁଳିରେ ୨୦୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ। ଆହତମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିଲା।
ନବ୍ୟ ଉଦାରବାଦୀ ନୀତି ୧୯୯୧ରୁ ଆମ ଦେଶରେ ଆରମ୍ଭ ହେବାପରେ ସରକାରୀ ଉଦ୍ୟୋଗଗୁଡିକରୁ ୨୦ ଲକ୍ଷ ଶ୍ରମିକ ବିଦା ହୋଇଛନ୍ତି। ଘରୋଇ ଶିଳ୍ପ ସଂସ୍ଥାମାନଙ୍କରେ ସ୍ଥାୟୀ ନିଯୁକ୍ତି ବଦଳରେ ଅସ୍ଥାୟୀ ଓ ଠିକା ଶ୍ରମିକମାନଙ୍କୁ ଅଧିକ ସଂଖ୍ୟାରେ ବିନିଯୋଗ କରାଯାଉଛି। ତାହା ଫଳରେ ଏକା ପ୍ରକାର କାମକୁ ୧/୩ ଅଂଶ ବା ୧/୪ ଅଂଶ ମଜୁରି ଦେଇ ମାଲିକ ମୁନାଫା ଅର୍ଜୁଛି।
ଜଣେ ଶ୍ରମିକ କେତେ ମଜୁରି ପାଇବା ଦରକାର, ଏ ସମ୍ପର୍କରେ ୧୯୪୮ ମସିହାରେ ସର୍ବନିମ୍ନ ମଜୁରି ଆଇନ କରାଗଲା। ସେତେବେଳ ପର୍ଯ୍ୟନ୍ତ ଭାରତର ସମ୍ବିଧାନ ଗୃହୀତ ହୋଇନଥାଏ। ୧୯୫୭ ମସିହାରେ ୧୫ଶ ଶ୍ରମ ସମ୍ମିଳନୀ ଗୁଲଜାରିଲାଲ ନନ୍ଦାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ତା’ପୂର୍ବରୁ ଭାରତର ସମ୍ବିଧାନ ୧୯୫୦ରେ ଗୃହୀତ ହେବା ସମୟରେ, ସମ୍ବିଧାନ ସ୍ୱୀକାର କରିଥିଲା ଯେ ରାଷ୍ଟ୍ର ଓ ସରକାର ଏପରି ଏକ ଅର୍ଥନୈତିକ ବ୍ୟବସ୍ଥା ଗ୍ରହଣ କରିବେ, ଯେଉଁଠି ପ୍ରତ୍ୟେକ ନାଗରିକ ନିଯୁକ୍ତି ପାଇବ ଓ ଉତ୍ତମ ମଜୁରି ପାଇବ। ତାପରେ ଏକ ତ୍ରିପାକ୍ଷିକ କମିଟି ଗଠିତ ହୋଇଥିଲା ଓ ଏହି କମିଟି ସୁପାରିସ କରିଥିଲା ତିନି ପ୍ରକାର ମଜୁରି। ୧- ଭଲଭାବେ ବଞ୍ଚିବା ପାଇଁ ମଜୁରି, ୨- ଉତ୍ତମ ମଜୁରି, ୩- ସର୍ବନିମ୍ନ ମଜୁରି।
୧୯୫୭ ମସିହାରେ ଅନୁଷ୍ଠିତ ଶ୍ରମ ସମ୍ମିଳନୀ ଘୋଷଣା କଲା ଯେ ଜଣେ ଶ୍ରମିକର ପରିବାର ହେଉଛି ତିନିଜଣ। ଦୈନିକ ଜଣେ ମଣିଷକୁ ୨୭୦୦ କ୍ୟାଲୋରୀ ଖାଦ୍ୟ ଦରକାର। ଏକ କ୍ୟାଲୋରୀ ହେଉଛି ଏକ ଶକ୍ତି ୟୁନିଟ। ଏକ ଗ୍ରାମ ପାଣିକୁ ଏକ ଡ଼ିଗ୍ରୀ ଗରମ କରିବା ପାଇଁ ଏକ କ୍ୟାଲୋରୀ ଶକ୍ତି ଦରକାର। ସୁତରାଂ ୨୭୦୦ କ୍ୟାଲୋରୀ ଶକ୍ତି ଉତ୍ପାଦନ କରିବା ଭଳି ଖାଦ୍ୟ ଓ ଗୋଟିଏ ପରିବାରକୁ ବର୍ଷକୁ ୭୨ ଗଜ କପଡା, ରହିବା ପାଇଁ ୧୮୦ ବର୍ଗଫୁଟ ଘର ଭଡା, ଜାଳେଣି, ବିଦ୍ୟୁତ୍ ଓ ଅନ୍ୟାନ୍ୟ ପାଇଁ ମଜୁରିର ୨୦ ଶତାଂଶ ଦିଆଯିବ। ଏହା ପରେ ୧୯୯୧ରେ ସୁପ୍ରିମ କୋର୍ଟ ରାୟଦେଲେ ଯେ ପାଠପଢ଼ା ଓ ଚିକିତ୍ସା ପାଇଁ ଆଉ ୨୫% ମୂଳ ମଜୁରି ଭାବରେ ଦିଆଯାଉ। ଏହାକୁ ହିସାବ କଲେ ଜଣେ ଶ୍ରମିକ ମାସକୁ ସର୍ବନିମ୍ନ ୨୫-୩୦ ହଜାର ଟଙ୍କା ପାଇବା ଆବଶ୍ୟକ।
ଜଣେ ଶ୍ରମିକ ପରିବାରର ମଜୁରି ବଢ଼ିଲେ, ତାହାର ପରିବାର କେବଳ ନୁହେଁ; ସମଗ୍ର ଦେଶର ଅର୍ଥନୀତି ବଢ଼ି ଚାଲିବ। ଶ୍ରମଜୀବୀଙ୍କ ମଜୁରି ବୃଦ୍ଧି ଘଟିଲେ ବଜାରରେ ଜିନିଷ ବିକ୍ରି ହେବ, ବଜାରକୁ ଜିନିଷ ଯୋଗାଇବା ପାଇଁ କାରଖାନାରେ ଉତ୍ପାଦନ ବଢ଼ିବ ଓ କାରଖାନାର ଉତ୍ପାଦନ ବଢ଼ାଇବା ପାଇଁ ନୂଆ ଲୋକ ନିଯୁକ୍ତି ହେବ। ଏହି ବିକଳ୍ପ ରାସ୍ତା ନେଲେ ଦେଶର ବିକାଶ ହେବ ଓ ଶ୍ରମଜୀବୀମାନେ ଉପକୃତ ହେବେ। ଶ୍ରମିକର କ୍ରୟଶକ୍ତି ନ ବଢିଲେ ଅର୍ଥନୀତି ଭୁଶୁଡି ପଡିବ।
Comments are closed.