ବାରବାଟୀ ଟି୨୦ ଆଉ ୪ ଦିନ; ପହଞ୍ଚିଲେ ସିଏବି କ୍ୟୁରେଟର, ୪୦ ଗ୍ରାଉଣ୍ଡସମ୍ୟାନ୍‌

କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବର୍ଷା ହେଲେ ପିଚ୍ ଓ ପଡ଼ିଆକୁ ଆବୃତ୍ତ କରିବା ଲାଗୁ ଉଦ୍ଦି​‌ଷ୍ଟ ସୁପର କଭରର ବ୍ୟବହାର ଲାଗି ସୋମବାର କଟକରେ କଲକାତାରୁ ବିଶେଷଜ୍ଞ ଦଳ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିକେଟ୍‌ ଆସୋସିଏସନ୍ ଅଫ୍‌ ବେଙ୍ଗଲ (ସିଏବି) ତଥା ବିସିସିଆଇର ପୂର୍ବାଞ୍ଚଳ ମୁଖ୍ୟ କ୍ୟୁରେଟର ସୁୁଜନ ମୁଖାର୍ଜୀ ଏବଂ ଇଡେନ୍‌ ଗାର୍ଡେନ୍‌ସରେ କାର୍ଯ୍ୟରତ ପ୍ରାୟ ୪୦ ଜଣ ଗ୍ରାଉଣ୍ଡ୍‌ସମ୍ୟାନ୍‌। ମ୍ୟାଚ୍‌ରେ ବର୍ଷା ଯୋଗୁଁ ଯେପରି ବ୍ୟାଘାତ ନ ଘଟେ; ସେଥିପାଇଁ ଯତ୍ନବାନ ହୋଇଛି ଓସିଏ। ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ବିଶାଳ ସୁପର କଭର୍ ଇଂଲଣ୍ଡରୁ ମଗାଯାଇଛି। ଏହା ସମ୍ପୂର୍ଣ୍ଣ ପଡ଼ିଆକୁ ଘୋଡ଼ାଇ ପାରିବ। ଏହା କେବଳ ଇଡେନ୍ ଗାର୍ଡେନ୍‌ସରେ ରହିଛି। ଏହି କଭର୍ ଘୋଡ଼ାଇଲେ ବର୍ଷା ଛାଡ଼ିବାର କିଛି ମିନିଟ​‌ରେ ମ୍ୟାଚ୍‌ ଆରମ୍ଭ ହୋଇପାରିବ।

ଏହି କଭର୍‌ର ପକାଇବା ଏବଂ କାଢ଼ିବା ପାଇଁ ସ୍ବତନ୍ତ୍ର ଅଭିଜ୍ଞତା ଥିବା ସିଏବିର କ୍ୟୁରେଟର ସୁଜନ ମୁଖାର୍ଜୀ ଓ ଗ୍ରାଉଣ୍ଡସମ୍ୟାନ୍‌ ଆସି ମଙ୍ଗଳବାର ଏହି ନୂତନ କଭର୍ ଖୋଲି ଏହାକୁ ଗ୍ରାଉଣ୍ଡରେ ବିଛାଇଥିଲେ। ସେମାନଙ୍କୁ ଏହି କାମରେ ଓସିଏର କ୍ୟୁରେଟର ପଙ୍କଜ ପଟ୍ଟନାୟକ ଓ ଓସିଏ ଗ୍ରାଉଣ୍ଡସମ୍ୟାନ୍ ସହାୟତା ଦେଇଥିଲେ। ସେମାନ ଏହି ସୁପର କଭର୍‌ ପକାଇବା ଓ କାଢ଼ିବା ବିଷୟରେ ବାରବାଟୀର ଗ୍ରାଉଣ୍ଡଷ୍ଟାଫ୍‌ଙ୍କୁ ବୁଝାଇଥିଲେ। ମ୍ୟାଚ୍‌ ସରିବା ପର୍ଯ୍ୟନ୍ତ ସେମାନେ କଟକରେ ରହିବେ। ଓସିଏର ଅନୁରୋଧରେ ସିଏବି ସଭାପତି ଅଭିଷେକ ଡାଲମିୟା ତାଙ୍କ କ୍ୟୁରେଟର ଓ ଗ୍ରାଉଣ୍ଡସମ୍ୟାନଙ୍କୁ ସ୍ବତନ୍ତ୍ର ନିର୍ଦେଶ ଦେଇଥିଲେ।

prayash

ଗ୍ୟାଲେରୀରେ ଅଗ୍ନି ନିରାପତ୍ତା ପାଇଁ ବ୍ୟାପକ ବ୍ୟବସ୍ଥା

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ ଗ୍ୟାଲେରୀରେ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ନାନା ଅଭିଯୋଗ ହୋଇଥିବା ବେଳେ ମଙ୍ଗଳବାର ରାଜ୍ୟ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ବାରବାଟୀ ଷ୍ଟାଡିୟମ୍‌ ବୁଲି ଏହାର ବ୍ୟବସ୍ଥା ନେଇ ତଦାରଖ କରିଥିଲେ। ବିଶେଷକରି ଗ୍ୟାଲେରୀରେ ଯଦି ଅକସ୍ମାତ ଅଗ୍ନିକାଣ୍ଡ ଘଟେ; ଅଗ୍ନିଶମ ବିଭାଗର କର୍ମଚାରୀ ଏହାର କିପରି ମୁକାବିଲା କରିପାରିବେ; ତାହା ଉପରେ ଅଗ୍ନିଶମ ଡିଜି ବେଶ୍‌ ଗୁରୁତ୍ବ ଦେଇଥିଲେ। ସୂଚନାଯୋଗ୍ୟ; କିଛିଦିନ ତଳେ ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ୟାଲେରୀରେ ଅଗ୍ନିକାଣ୍ଡ ଘଟିଲେ; କିପରି ଏହାର ମୁକାବିଲା କରା ଯାଇପାରିବ ଏବଂ ଦର୍ଶକଙ୍କୁ ନିରାପଦ ସହ କିପରି ବାହାରକୁ ଅଣା ଯାଇପାରିବ; ତାହାକୁ ନେଇ ଏକ ମକ୍‌ ଡ୍ରିଲ୍‌ ହୋଇଥିଲା।

ଆୟୋଜକ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଜାଣିବାକୁ ମିଳିଛି। ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍ ପରିସରରେ ଏକ ଦମକଳ ପ୍ରସ୍ତୁତ ହୋଇ ରହିବ। ଗ୍ୟାଲେରୀରେ ମୋଟ ୨୦ଟି ୬ କିଲୋ ଶୁଖିଲା ରାସାୟନିକ ପଦାର୍ଥ ବିଶିଷ୍ଟ ଏବଂ ୬୦ଟି ୪.୫ କିଲୋ ବିଶିଷ୍ଟ ଅଙ୍ଗାରକାମ୍ଳ ଗ୍ୟାସ୍ ଥିବା ଅଗ୍ନି ନିର୍ବାପକ ଲାଗିବ। ପୁଣି ଗ୍ୟାଲେରୀରେ ୧୦ଟି ଜଳବାହୀ ଅଗ୍ନି ନିର୍ବାପକ ରହିବ। ଅଗ୍ନି ନିର୍ବାପକ କେଉଁଠାରେ ଅଛି; ତାହା ଦର୍ଶାଇବା ପାଇଁ ଗ୍ୟାଲେରୀରେ ୫୦ଟି ପୋଷ୍ଟର ଲଗାଯିବ। ତୁରନ୍ତ ନିଆଁ ଲିଭାଇବା ପାଇଁ ୩୦ଟି ଫାୟର ବଲ୍‌ ରହିବ। ଏହି ବଲ୍‌କୁ ନିଆଁ ଉପରକୁ ଫିଙ୍ଗିଲେ ଏହା ଲିଭିଯିବ। ୧୧୭ଟି ଏପରି ଅଗ୍ନି ନିର୍ବାପକ ରହିବ; ଯାହାକୁ ପୁଣି ଫିଲିଙ୍ଗ୍‌ କରିହେବ। ଅଗ୍ନି ନିର୍ବାପନ ବ୍ୟବସ୍ଥା ତଦାରଖ ପାଇ ୨୦ ଜଣ ଫାୟରମ୍ୟାନ୍ ଓ ୧୦ ଜଣ ସୁପରଭାଇଜର ରହିବେ।

kalyan agarbati

Comments are closed.