ରୁଷ-ୟୁକ୍ରେନ ଯୁଦ୍ଧ ଓ ଭାରତ

୧୯୯୧ ମସିହାରେ ସୋଭିଏତ ରୁଷିଆ ଖଣ୍ଡ ଖଣ୍ଡ ହୋଇଯିବା ପରେ, ୟୁକ୍ରେନକୁ ସ୍ୱୀକୃତି ଦେଇଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଭାରତ ୧୯୯୨ ମସିହାରେ ୟୁକ୍ରେନରେ ତାର ଦୂତାବାସ ସ୍ଥାପନ କରି କୂଟନୈତିକ ସଂପର୍କ ଆରମ୍ଭ କରିଥିଲା। ୟୁକ୍ରେନ ୧୯୯୩ ମସିହା ଫେବୃଆରୀ ମାସରେ ତାର ଦୂତାବାସ ପ୍ରତିଷ୍ଠା କଲା ନୂଆଦିଲ୍ଲୀରେ ଏବଂ ଦ୍ୱିତୀୟ ସର୍ବବୃହତ୍‍ ବାଣିଜ୍ୟ ସହଯୋଗୀର ସ୍ଥାନ ନେଇ ଆସୁଛି ସେହିଦିନଠାରୁ ରୁଷିଆ ପ୍ରଥମସ୍ଥାନ ଅଳଙ୍କୃତ କରିବା ପରେ। ୨୦୦୫ ମସିହାରେ ଭାରତର ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କାଲାମ ମଧ୍ୟ ଗସ୍ତ କରିଥିଲେ ୟୁକ୍ରେନକୁ ଦୁଇ ଦେଶର ସହଯୋଗରେ ମହାକାଶ ଗବେଷଣା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ।

ତେବେ ଋଷିଆ ସହିତ ଭାରତର ସଂପର୍କ ସ୍ଥାପନ ହୋଇଥିଲା ୧୯୭୧ ମସିହାରୁ ଯେତେବେଳେ କି ଦୁଇଦେଶ ସ୍ୱାକ୍ଷର କରିଥିଲେ ଶାନ୍ତି, ବନ୍ଧୁତା ଓ ସହଯୋଗିତାର ଏକ ଚୁକ୍ତି। ଦୁଇ ଦେଶଙ୍କର ପରସ୍ପର ପ୍ରତି ଭାବପ୍ରବଣତାର କଳନା ନାହିଁ। ପ୍ରତ୍ୟେକ ବିପଦଆପଦରେ ଠିଆ ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନା କରିବାରେ କେବେ ଦ୍ୱିଧା ପ୍ରକାଶ କରନ୍ତିନି ପରସ୍ପର ପ୍ରକୃତ ବନ୍ଧୁ ହିସାବରେ। ରୁଷିଆ ଯେବେ କ୍ରିମିଆକୁ ଅଧିକାର କରିଥିଲା ୨୦୧୪ ମସିହାରେ, ଭାରତ ଅନୁପସ୍ଥିତ ଥିଲା ମିଳିତ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଗତ ହେବା ସମୟରେ। ଭାରତ ସମର୍ଥନ କଲାନି ରୁଷିଆ ବିରୁଦ୍ଧରେ ସାରା ବିଶ୍ୱର ଆର୍ଥିକ କଟକଣାକୁ।

ରୁଷିଆ ମଧ୍ୟ ଭାରତର ପ୍ରତ୍ୟେକ ଯୁଦ୍ଧରେ ୧୯୬୨ ମସିହା ଚୀନ-ଭାରତର ହେଉ,୧୯୬୫ ମସିହାର ଭାରତ-ପାକିସ୍ତାନ ହେଉ ଅବା ୧୯୭୧ ମସିହାର ବାଙ୍ଗଲାଦେଶର ସୃଷ୍ଟି ସମୟରେ ହେଉ, ସାହାଯ୍ୟ କରି ଆସିଛି ମାନସିକ ସ୍ତରରେ ଏବଂ ଯୁଦ୍ଧାସ୍ତ୍ର ଯୋଗାଇଦେଇଛି ଠିକ୍‍ ସମୟରେ।

ଅବଶ୍ୟ ୟୁକ୍ରେନବାସୀ ଅଧୁନା ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତର ନିଷ୍କ୍ରିୟତାକୁ ନେଇ ସଂପୂର୍ଣ୍ଣ ଅସୁଖୀ। ୟୁକ୍ରେନବାସୀ ଦୁଃଖ କରନ୍ତି ଅତୀତକୁ ମନେ ପକେଇ, ଯେତେବେଳେ ୧୯୯୮ ମସିହାରେ ୟୁକ୍ରେନ ଭାରତକୁ ସମର୍ଥନ ଜଣାଇପାରି ନଥିଲା ପରମାଣୁ ପରୀକ୍ଷଣ ସମୟରେ। ମ୍ୟାକୋଲା ମେମେସ୍କୁଲ, ମିଳିତ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ୟୁକ୍ରେନର ‘କନ୍‍ଫରେନ୍‍ସ୍‍ ଅଫ୍‍ ଡିସ୍କାର୍ମାମେଣ୍ଟ’ରେ ନିନ୍ଦା କରିଥିଲେ ଭାରତର ପରମାଣୁ ପରୀକ୍ଷଣକୁ ନିଜର ଜାତୀୟ ସ୍ୱାର୍ଥରକ୍ଷା ପାଇଁ। ଭାରତର ପାରମାଣବିକ ପରୀକ୍ଷଣକୁ ସମର୍ଥନ ନକରି ସେମାନେ ପ୍ରତିଶ୍ରୁତି ପାଇଥିଲେ ତାଙ୍କ ଦେଶର ଭବିଷ୍ୟତ ଭୌଗୋଳିକ ଅଖଣ୍ଡତାର; ଯାହା ଏବେର ଯୁଦ୍ଧ ଆରମ୍ଭ ପରେ କ୍ଷୁଣ୍ଣ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

prayash

ଅଧୁନା ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ମଧ୍ୟ କାହାରିକୁ ଖୋଲାଖୋଲି ଭାବରେ ସମର୍ଥନ ନକରିବାକୁ ପ୍ରତିଶ୍ରୁତିବଦ୍ଧ, ତାର ଭୌଗୋଳିକ ସୀମା, ସୁରକ୍ଷା ଓ ସାର୍ବଭୌମତ୍ୱ ବଜାୟ ରଖିବାକୁ। ଯୁଦ୍ଧ ଆରମ୍ଭରେ ପ୍ରଥମେ ଭାରତକୁ ଭାବିବାକୁ ପଡିଥିଲା ୟୁକ୍ରେନରେ ଥିବା ତାର ଦେଶର ନାଗରିକଙ୍କ ସୁରକ୍ଷା ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ବିଷୟରେ ଏବଂ ନିଜ ନାଗରିକଙ୍କ ସୁରକ୍ଷା, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ। ସେଥିପାଇଁ ହିଁ କେବଳ ଏ ପର୍ଯ୍ୟନ୍ତ ଆନ୍ତର୍ଜାତିକ ନିନ୍ଦା ପ୍ରସ୍ତାବରେ ରୁଷିଆ ବିରୁଦ୍ଧରେ ଭାରତ ତାର ସମ୍ମତି ପ୍ରଦର୍ଶନ କରିନି ଏବଂ ଅନୁପସ୍ଥିତ ରହି ଆସୁଛି ମିଳିତ ଜାତିସଂଘର ନିରାପତ୍ତା ପରିଷଦ/ମାନବିକ ଅଧିକାର ପରିଷଦ/ସାଧାରଣ ପରିଷଦର ରୁଷିଆ-ୟୁକ୍ରେନ ଯୁଦ୍ଧର ନିନ୍ଦା ପ୍ରସ୍ତାବ ବୈଠକରୁ। ସମର୍ଥନ କରୁଛି କୂଟନୈତିକ ସ୍ତରରେ ଆଲୋଚନା ଏବଂ ମିଳିତ ଜାତିସଂଘର ନୀତିନିୟମ ସହିତ ସବୁ ଦେଶର ଭୌଗୋଳିକ ଅଖଣ୍ଡତା ଓ ସାର୍ବଭୌମତାକୁ।

ସାରା ବିଶ୍ୱ ସଂପୂର୍ଣ୍ଣ ଭାବେ ଅବଗତ ଯେ, ଭାରତ ରୁଷିଆର ଯୁଦ୍ଧ ହତିଆର ଓ ଯନ୍ତ୍ରପାତି ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭରଶୀଳ ଓ ତୈଳ ମଧ୍ୟ କ୍ରୟ କରିଥାଏ ରିଆତି ମୂଲ୍ୟରେ। ପ୍ରାୟ ୬୦% ଯୁଦ୍ଧାସ୍ତ୍ର ଆମଦାନୀ କରେ ରୁଷିଆରୁ। ଏସ-୪୦୦ କ୍ଷେପଣାସ୍ତ୍ର ଛଡା ଏ.କେ-୨୦୩ ରାଇଫଲସ୍‍ ଏବଂ କାମୋଭ୍‍-୨୨୬ଟି ରାଇଫଲସ୍‍ ମଧ୍ୟ। ଦୁଇଦେଶ ପରସ୍ପର ସହ ସହଯୋଗର ହାତ ବଢାନ୍ତି ଗବେଷଣା ସମୟରେ ପରମାଣୁ ଶକ୍ତି ଉପରେ, ହାଇଡ୍ରୋକାର୍ବନ ଉପରେ ଅଥବା ମହାକାଶ ଉପରେ। ଏବେ ଭାରତର ଅନ୍ୟ ଏକ ଚାପ ହେଲା ଋଷିଆ-ଚୀନ ସମ୍ପର୍କ, ଯାହାକି ଭବିଷ୍ୟତରେ ଦେଶ ପାଇଁ ବିପଦ ସୃଷ୍ଟି କରିପାରେ। ପ୍ରତିରକ୍ଷା ଓ ନିରାପତ୍ତା ବିଶେଷଜ୍ଞ ସମୀର ଲାଲ୍‍ୱାଜିଙ୍କ ମତରେ କିଣାଯାଇଥିବା ରୁଷିଆର ଏସ-୪୦୦ ଭୂମିରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ବ୍ୟବସ୍ଥାର କେବଳ କିଛି ଅଂଶ କିଣାଯାଇଛି ୨୦୧୮ ମସିହାରେ, କିନ୍ତୁ ମୂଳ ଅଂଶ ସବୁ ବାକି ରହିଯାଇଛି ଆମଦାନୀ ହେବା ପାଇଁ। ଭାରତ ମଧ୍ୟ ଲୋଡିପାରେ ଅତିରିକ୍ତ ଯନ୍ତ୍ରାଂଶ ରୁଷିଆରୁ ଭବିଷ୍ୟତରେ ତାର ଯୁଦ୍ଧାସ୍ତ୍ରକୁ ଚଳନଯୋଗ୍ୟ କରିବା ପାଇଁ ଓ ସବୁବେଳେ ସଜାଗ ରହିବାକୁ; କାରଣ ସୀମାରେ ଉପସ୍ଥିତ ଦୁଇ ଦେଶ ଚୀନ ଏବଂ ପାକିସ୍ତାନ ସବୁବେଳେ ତାର ମୁଣ୍ଡବିନ୍ଧାର କାରଣ ହୋଇଥାନ୍ତି।

ବିଶ୍ୱର ଅଧୁନା ପରିସ୍ଥିତକୁ ଅନୁଧ୍ୟାନ କରି ଭାରତ ମଧ୍ୟ ନିର୍ମାଣ କରିବାକୁ ଚେଷ୍ଟିତ ପ୍ରତିରକ୍ଷା ଶିଳ୍ପ ପ୍ରତିଷ୍ଠାନ ଅନ୍ୟଦେଶମାନଙ୍କ ସହଯୋଗରେ ମେକ୍‍-ଇନ୍‍-ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ। ସେଥିପାଇଁ ସେ ରୁଷିଆ ବ୍ୟତୀତ ଆମେରିକା ଓ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ସଂପର୍କ ବଳବତ୍ତର ରଖିଆସୁଛି। ‘କ୍ୱାଡ’ର ସଦସ୍ୟ ହୋଇ ଲକ୍ଷ୍ୟ ରଖିଛି ଖୋଲା, ମୁକ୍ତ, ସମୃଦ୍ଧିଶାଳୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସ୍ଥାପନା, ଚୀନ୍‍ର ପ୍ରତିପତ୍ତିକୁ ବିରୋଧ, ଭାରତ ମହାସାଗରର ସୁରକ୍ଷା ଇତ୍ୟାଦି।

ଯେଉଁଦେଶ ଅହଂଭାବ ପୂର୍ଣ୍ଣ ହୋଇ ଯୁଦ୍ଧ କରେ ଓ ଅନ୍ୟକୁ ଯନ୍ତ୍ରଣା ଦିଏ, ସେ ବିଶ୍ୱ ଦରବାରରେ କେବେ ବି ପଥ ପ୍ରଦର୍ଶକ ହୋଇପାରିବନି। ନିରୀହ ଲୋକମାନଙ୍କୁ ମାରିବା କେବେବି ସଭ୍ୟତା ଓ ବିକାଶଶୀଳତାର ନିଦର୍ଶନ ନୁହେଁ। ଯୁଦ୍ଧରେ କୌଣସି ଦେଶ ଯେତିକି ସାଧନ ବ୍ୟର୍ଥ କରେ, ସେତିକିକୁ ବିନିଯୋଗ କରିଥିଲେ ପୃଥିବୀରେ ଅନେକ ଗରିବ ଦେଶ ଉପକୃତ ହୋଇପାରିଥାନ୍ତେ। ବାସ୍ତବରେ ଯୁଦ୍ଧପରେ କିଏ ଜିତିଲା, ଏ ସମଗ୍ର ବିଶ୍ୱବାସୀ ମଧ୍ୟ ଚେଷ୍ଟା କରି କହିପାରିବେନି। ଆଜି ଯୁଗରେ ଅନ୍ୟ ଦେଶକୁ ଜିତିବାର ଏକମାତ୍ର ଉପାୟ, କୌଶଳ କରି ନାଗରିକମାନଙ୍କ ହୃଦୟକୁ ଜିତ, କିନ୍ତୁ କ୍ଷେପଣାସ୍ତ୍ର ମାଡ଼ କରି ନୁହେଁ କିମ୍ବା କାହାର ବାପା/ଭାଇ/ପୁଅ/ସ୍ୱାମୀଙ୍କୁ ହତ୍ୟାକରି ନୁହେଁ; କୌଣସି ଦେଶର ଭିତ୍ତିପ୍ରସ୍ତର/ଯୋଜନା/ସାଧନକୁ ନଷ୍ଟ କରି ନୁହେଁ। ଏ କ୍ଷେତ୍ରରେ ଆନ୍ତର୍ଜାତିକ ସଂସ୍ଥା ମିଳିତ ଜାତିସଂଘର କିଂକର୍ତ୍ତବ୍ୟମୁଢତା ଚିନ୍ତା ଓ ପରିତାପର ବିଷୟ।

kalyan agarbati

Comments are closed.