ନକଲି ବିଦେଶୀ ମଦ ଜବତ; ୨ ଗିରଫ

ଗତ ସପ୍ତାହେ ମଧ୍ୟରେ ୩ୟ ଘଟଣା, ସ୍ଥାନୀୟ ଅବକାରୀ ବିଭାଗ ସାଜିଛି ନିଦାବିଷ୍ଣୁ

ପାଟଣାଗଡ଼: ଅବକାରୀ ବିଭାଗର ଗୁଇନ୍ଦା ସଂସ୍ଥା ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ କଳାକାହ୍ନୁ ମନ୍ଦିର ନିକଟସ୍ଥ ଏକ ଭଡା ଘରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିବା ସହ ନକଲି ମଦ ପ୍ରସ୍ତୁତିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଉଛନ୍ତି ଅରୁଣ କୁମାର ସା(୩୬) ଏବଂ ସତିଶ କୁମାର(୪୫)। ଗିରଫ ଉଭୟ ବ୍ୟକ୍ତି ଝାଡଖଣ୍ଡର ହୋଇଥିବା ବେଳେ ସ୍ଥାନୀୟ ଏକ ବିଦେଶୀ ମଦ ଦୋକାନରେ କାମ କରୁଥିବା ଜଣାଯାଇଛି।

ପ୍ରକାଶ ଯେ, ସ୍ଥାନୀୟ ୧ ନମ୍ବର ବିଦେଶୀ ମଦ ଦୋକାନରେ କାମ କରୁଥିବା ଅରୁଣ ଏବଂ ସତିଶ ରହୁଥିବା ଭଡାଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗର ନିରୀକ୍ଷକ ପ୍ରମୋଦ କୁମାର ପଣ୍ଡା ଗତକାଲି ରାତି ପ୍ରାୟ ୧ ଘଣ୍ଟା ୩୦ ମିନିଟ ବେଳେ ଉକ୍ତ ଘରେ ଚଢାଉ କରିଥିଲେ। ନକଲି ମଦ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଅରୁଣ ଏବଂ ସତିଶଙ୍କୁ କାବୁ କରିନେବା ସହ ସେମାନଙ୍କ ନିକଟରୁ ୨୨.୧୪୦ ଲିଟର ନକଲି ମଦ ଜବତ କରିଥିଲେ। ଏହାବ୍ୟତୀତ ୭୫୦ ମି.ଲି. ବିଶିଷ୍ଟ ୧୫ଟି ଖାଲି ବିଦେଶୀ ମଦ ବୋତଲ, ୧୮୦ ମିଲି. ବିଶିଷ୍ଟ ୪୨ଟି ବୋତଲ, ୧୪୦ଟି ନକଲି ଷ୍ଟିକର୍‍ ଏବଂ ୧୪୦ଟି ଠିପି ଜବତ କରିଥିଲେ। ତେବେ ନକଲି ମଦ ପ୍ରସ୍ତୁତିରେ କିଛି ରାସାୟନିକ ପଦାର୍ଥ ମିଶାଯାଉଛି ନା ନାହିଁ ତାହା ନିର୍ଦ୍ଦିଷ୍ଟ ଭାବରେ ସୂଚନା ଦେଇପାରି ନଥିବା ବେଳେ ଲାବୋରାଟୋରୀ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। କିନ୍ତୁ ମଦରେ ପାଣି ମିଶାଇ ପରିମାଣକୁ ବଢ଼ାଉଥିବା ସ୍ୱୀକାର କରିଛନ୍ତି ମଦ ପ୍ରସ୍ତୁତକାରୀମାନେ। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅବକାରୀ ବିଭାଗ ଗତ ୨୫ ତାରିଖ ଦିନ ସ୍ଥାନୀୟ ୨ ନମ୍ବର ଠିପି ବନ୍ଦ ମଦ ଦୋକାନର ଜନୈକ କର୍ମଚାରୀ ନିଜ ଭଡାଘରେ ନକଲି ମଦ ପ୍ରସ୍ତୁତ କରୁଥିବା ବେଳେ ତାକୁ ଗିରଫ କରିବା ସହ ଖପ୍ରାଖୋଲର ଅଧିକୃତ ମଦ ବିକ୍ରେତାଙ୍କ କର୍ମଚରୀ ମଦ ପ୍ରସ୍ତୁତ କରୁଥିବା ବେଳେ ତାଙ୍କୁ ମଧ୍ୟ ଗିରଫ କରିଥିଲେ। ଉଭୟଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ବିଦେଶୀ ମଦ ଜବତ କରାଯାଇଥିଲା। ଏ ଅଞ୍ଚଳର ଠିପି ବନ୍ଦ ଦୋକାନ କରି ବ୍ୟବସାୟ କରୁଥିବା ମଦ ଦୋକାନୀମାନେ ଝାଡଖଣ୍ଡର କର୍ମଚାରୀମାନଙ୍କୁ ଦୋକାନରେ ନିୟୋଜିତ କରୁଥିବା ବେଳେ ସେମାନେ ନକଲି ମଦ ପ୍ରସ୍ତୁତ କରି ଗ୍ରାହକଙ୍କୁ ଠକୁଥିବା ବାରମ୍ବାର ପ୍ରମାଣିତ ହେବାରେ ଲାଗିଛି। ତେବେ ଏଭଳି ନକଲି ମଦ ପ୍ରସ୍ତୁତି ସଂପୃକ୍ତ ଦୋକାନ ମାଲିକଙ୍କ ଜ୍ଞାତସାରରେ ହେଉଛି ନା ସେମାନେ ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି। ଏହି ନକଲି କାରବାରକୁ ସଂପୂର୍ଣ୍ଣ ରୋକା ନଗଲେ ଆଗାମୀ ଦିନରେ ମଦ ମୃତ୍ୟୁ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

Comments are closed.