www.samajalive.in
Monday, December 15, 2025
24.1 C
Bhubaneswar

ଅପହଞ୍ଚ ଇଲାକା: ବିକାଶଠୁ ବହୁ ଦୂରରେ ନବରଙ୍ଗପୁର ସୀମାନ୍ତରେ ଥିବା ଏହି ୪ଗାଁ

କଲମପୁର: ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧୀ ବିତି ସାରିଛି। କିନ୍ତୁ ଏବେବି ଏପରି ଗାଁ ରହିଛି ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପାଇଁ ରାସ୍ତା, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଆଲୋକିକରଣ ସାତ ସପନ ପାଲଟିଛି। ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନାହିଁ। ଡିଜିଟାଲ ଭାରତ, ବିକଶିତ ଭାରତର ନାରା ଦେଉଥିବା ସରକାରଙ୍କ କେହି ପ୍ରତିନିଧି ଏ ଅଂଚଳକୁ ଗସ୍ତ କରି ପାରି ନାହାନ୍ତି। ଏ ହେଉଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଜୟପାଟଣା ବ୍ଲକ ଅଂଲାଭଟା ପଂଚାୟତ ଅଧିନସ୍ଥ ପଟାକୁସୁମୀ, ଦାବରୀଘାଟି, କରାଘାଟି, ଟେଣକାଚୁଆଁ ଓ କର୍ଲକୋଟ ପ୍ରମୁଖ ଆଦିବାସୀ ଅଧ୍ୟୁଷିତ ଜନବସତିର ଚିତ୍ର। ପଂଚାୟତ ମୁଖ୍ୟାଳୟ ସହ କୌଣସି ରାସ୍ତାର ସୁବିଧା ନଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ୧୫ କିଲୋମିଟର ପାଦ ଚଲା ରାସ୍ତାରେ ଯାତାୟତ କରିଥାନ୍ତି। ଯେତେବେଳେ ପଂଚାୟତରୁ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଗଣ୍ଡାକ ହେଉକି ସାମାଜିକ ସୁରକ୍ଷା ଯୋଜନାର ଭତା ଗଣ୍ଡାକ ଆଣିବା ପାଇଁ ହିତାଧିକାରୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ିଥାଏ। ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ନବରଙ୍ଗପୁର ଜିଲ୍ଲା ଅଧିନସ୍ତ ମଇଦଲପୁରକୁ ଯାଇ ଆମପାଣି ଘାଟି ଦେଇ ପ୍ରାୟ ଏକ ଶହ କିଲୋମିଟର ବୁଲିବାକୁ ହେଇଥାଏ। ରାସ୍ତାର ଅଭାବ ପାଇଁ ଗ୍ରାମବାସୀ ଅତ୍ୟନ୍ତ ଦୟନୀୟ ଜୀବନ ବିତାଉଛନ୍ତି। ସେଭଳି ସ୍ଥିତିରେ ରାସ୍ତା ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପାଇ ପାରୁ ନାହାନ୍ତି ଗ୍ରାମର ଶିଶୁ।

ଏବେବି ଗ୍ରାମର ଶିଶୁ କିଏ ଗାଈ ଜଗୁଛି ତ କିଏ ଛେଳି ମେଣ୍ଢା ପୁଣି କିଏ ଜଙ୍ଗଲରୁ ଜାଳେଣି ସଂଗ୍ରହ କରୁଛନ୍ତି। ସ୍ୱାସ୍ଥ୍ୟ ସେବା ଅପହଞ୍ଚ। ଜ୍ୱର ହେଉ କି ଝାଡା ବାନ୍ତି ଗ୍ରାମର ଗୁଣିଆ ଉପରେ ନିର୍ଭର କରନ୍ତି ଗ୍ରାମବାସୀ। ଅନେକ ସମୟରେ ନବରଙ୍ଗପୁର ଅଞ୍ଚଳର କିଛି କ୍ୱାକ ସ୍ୱାସ୍ଥ୍ୟ ସେବା ଯୋଗାଇଥାନ୍ତି। ବିଶୁଦ୍ଧ ପାନୀୟ ଜଳ ଏହି ଅଞ୍ଚଳବାସୀଙ୍କ ପାଇଁ ସପନ ପାଲଟିଛି। କିଏ ଝରଣା ପାଣିକୁ ନିଜର ପାନୀୟ ଜଳଠାରୁ ସ୍ନାନ ଶୌଚାଦି ପାଇଁ ବ୍ୟବହାର କରୁଛିତ କିଏ କିଏ ପୁଣି ସେହି ଝରଣା ପାଣିକୁ ପଥର ବନ୍ଧ ଦେଇ ଅଟକାଇ ବ୍ୟବହାର କରୁଛନ୍ତି। ବିଦ୍ୟୁତ ଆଲୋକ ସାତ ସପନ। ସରକାରଙ୍କ ଉଜ୍ଜଳା ଯୋଜନା ଏହି ଅଞ୍ଚଳ ପାଇଁ ବାଟବଣା। ସରକାର ଏହି ଆଦିବାସୀ ବନବାସୀଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ସେହି ସମସ୍ତ ଯୋଜନା ଏହି ୫ ଖଣ୍ଡ ଜନ ବସତି ପାଇଁ ଅପହଞ୍ଚ। ଜଙ୍ଗଲ ହେଉଛି ଏମାନଙ୍କ ବଞ୍ଚିବାର ମାଧ୍ୟମ। ଜଙ୍ଗଲଜାତ ଦ୍ରବ୍ୟକୁ ବାହାର ବଜାରରେ ଅତି ଅଳ୍ପ ମୂଲ୍ୟରେ ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ନିର୍ବାଚନ ପରେ ନିର୍ବଚନ ଆସୁଛି କିନ୍ତୁ ନେତାମନ୍ତ୍ରୀ ଏହି ଗାଁ ସବୁର ବିକାଶ ପାଇଁ ନିଳ ନକ୍ସା ଆଙ୍କୁଛନ୍ତି। ପ୍ରତିଶୃତି ଦେଉଛନ୍ତି କିନ୍ତୁ ଆଜି ମଧ୍ୟ ଅନେକ ପ୍ରତିଶୃତି ଏବେ ବି ପ୍ରତିଶୃତି ହେଇ ରହିଯାଇଛି। ଏନେଇ ଜୟପାଟଣା ବିଡିଓ ପ୍ରଣବ କୁମାର ଚାନ୍ଦଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ନିଜେ ଏହି ସମସ୍ତ ଗାଁ ଗସ୍ତ କରିଥିଲେ। ନିଜେ ଦେଖିଥିଲେ ଏମାନଙ୍କ ଦୟନୀୟ ଅବସ୍ଥା। ସ୍ୱୀକାର କରିଥିଲେ ପାନୀୟ ଜଳ ସମେତ ଅନ୍ୟ ସମସ୍ତ ସମସ୍ୟା ସମ୍ବନ୍ଧରେ। ଏପରିକି ବିଦ୍ୟାଳୟର ବ୍ୟବସ୍ଥା କରିବା ପାଇଁ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି। ପାନୀୟ ଜଳ ପାଇଁ ନଳକୁପ ଖନନ ହେଲେ ମଧ୍ୟ ସଫଳ ହେଉନଥିବା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଅନ୍ୟପଟେ ଏଭଳି ଦୁର୍ଗମ ଅଂଚଳବାସୀଙ୍କ ସୁବିଧା ପାଇଁ ସେମାନଙ୍କୁ ସ୍ଥାନାନ୍ତରର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବେ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories