୯୨ କୋଟିରେ ଝଟକିବ ଆଖଣ୍ଡଳମଣି ପୀଠ
ବିସ୍ଥାପିତ ହେବେ ୧୩୦ ପରିବାର
ଭଦ୍ରକ/ଆରଡି : ରାଜ୍ୟରେ ଥିବା ପ୍ରମୁଖ ମନ୍ଦିରଗୁଡ଼ିକର ସମ୍ପ୍ରତି ହେଉଛି ନବକଳେବର। ଏହି ପରିପ୍ରେକ୍ଷୀରେ ପ୍ରମୁଖ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ପ୍ରାୟ ୯୨ କୋଟି ଟଙ୍କାରେ ଏହି ପୀଠକୁ ଝଟକାଇବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତୁରନ୍ତ କାର୍ଯ୍ୟକାରୀ ପାଇଁ ଭଦ୍ରକ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲିକ, ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପାଳ ତ୍ରିଲୋଚନ ମାଝୀ, ଉପଜିଲାପାଳ ତଥା ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଅଧିକାରୀ ଅମ୍ବିକା ସ୍ବାଇଁ, ସେବାୟତ ପ୍ରତିନିଧି ଅରବିନ୍ଦ ପାଢୀ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସ୍ଥପତି, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯୋଜନାରେ ଆଗନ୍ତୁକ ଭକ୍ତଙ୍କ ସୁବିଧା ନିମନ୍ତେ ଗାଡ଼ି ପାର୍କିଂ, ଆନନ୍ଦ ବଜାର, ଉପାସନା ସ୍ଥଳୀ, ଶିଶୁ ଉଦ୍ୟାନ, ମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ, ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ବଜାର ରାସ୍ତାର ପ୍ରଶସ୍ତିକରଣ ଆଦି ରହିଛି। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ମନ୍ଦିର ଚତୁଃପାର୍ଶ୍ବ, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବ ଓ ମୁଖ୍ୟ ବଜାର ରାସ୍ତାର ଉଭୟ ପାର୍ଶ୍ବରୁ ୧୩୦ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ କରାଯାଇ ବିସ୍ଥାପିତ କରାଯିବ। ପର୍ବପର୍ବାଣୀରେ ବାବାଙ୍କ ଆଶିଷ ଲାଭ ପାଇଁ ବିଭିନ୍ନ ପ୍ରାନ୍ତରୁ ଆସିଥାନ୍ତି ହଜାରହଜାର ଭକ୍ତ। ଯାହା ପୀଠର ମହିମା ବୃଦ୍ଧି ସହ ଶ୍ରୀ ବର୍ଦ୍ଧନ କରିଥାଏ। ହେଲେ ପୀଠର ସଂକୀର୍ଣ୍ଣ ପରିସର ଯୋଗୁଁ ଜାଗରଯାତ୍ରା, ଶ୍ରାବଣୀ ଓ ଶିବବିବାହ ଆଦି ଉତ୍ସବରେ ଆସୁଥିବା ଭକ୍ତ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏବେ ପୀଠକୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ପରିକଳ୍ପନା କରାଯାଇଛି ତାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
Comments are closed.