ବ୍ରଜରାଜନଗର ଉପନିର୍ବାଚନ: ଅବାଧରେ ଚାଲିଛି ଟଙ୍କା ବଣ୍ଟନ ଓ ପ୍ରଚୁର ମଦ ଗଚ୍ଛିତ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ- ବିଜେପି
ବ୍ରଜରାଜନଗର: ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆଜି ଥିଲା ପ୍ରଚାରର ଶେଷ ଦିନ। ସମସ୍ତ ଦଳ ପକ୍ଷରୁ ମତଦାତାଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଗାଁ ଓ ଗଳି କନ୍ଦିରେ ବୁଲି ବୁଲି ପ୍ରଚାର କରିଥିଲେ। ହେଲେ ଏହା ମଧ୍ୟରେ ଶାସକ ବିଜେଡି ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେପି। ମଦ, ମାଂସ ଓ ଅର୍ଥ ବଳରେ ଉପନିର୍ବାଚନ ଜିତିବାକୁ ବିଜେଡି ଲକ୍ଷ୍ୟ ରଖିଥିବା ନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ ଆସିଛି। ବିଗତ ଦୁଇ ଦିନ ହେଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରି ଟଙ୍କା ବଣ୍ଟା ଚାଲିଛି ଓ ବିଭିନ୍ନ ସ୍ଥାନରେ ପ୍ରଚୁର ମାତ୍ରାରେ ମଦ ଗଛିତ କରାଯାଇଛି। ତେବେ ଏନେଇ ବାରମ୍ବାର ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବିଜେପି ନେତା ସୁଶୀଲ ପୁରୋହିତ କହିଛନ୍ତି। ସେହିପରି ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଥିବା ଗାଁଗୁଡିକ ଚାଷ ଜମି ଉପରେ ରାଜ୍ୟ ସରକାରଙ୍କ କେତେକ ନେତା ଓ ମନ୍ତ୍ରୀ କାରଖାନା ନିର୍ଗତ ପାଉଁଶ ପକାଇ ମରୁଭୂମିରେ ପରିଣତ କରିବାକୁ ଯୋଜନା ରଖିଛନ୍ତି, ତାକୁ ଆମେ ପୂର୍ଣ୍ଣ ବିରୋଧ କରୁଛୁ।
ଅନ୍ୟପକ୍ଷରେ ସେହି ଚାଷ ଜମି ଗୁଡିକରେ କିଭଳି ପ୍ରଦୂଷଣ ମୁକ୍ତ ଉଭୟ ରବି ଓ ଖରିଫ ଚାଷ ହୋଇପାରିବ ସେଥିପାଇଁ ଆମେ ଯୋଜନା ପ୍ରସ୍ତୁତ କରିଛୁ ଓ ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ଜିତିଲେ ଜିଲ୍ଲା ଖଣିଜ ପାଣ୍ଠିରୁ ତାହା କରାଯିବ ବୋଲି ଶ୍ରୀ ପୁରୋହିତ କହିଥିଲେ। ଅନ୍ୟପକ୍ଷରେ କୋଭିଡ କାରଣରୁ ବ୍ରଜରାଜନଗର ଷ୍ଟେସନରେ ଅନେକ ଟ୍ରେନର ରହଣି ବାତିଲ ହୋଇଯାଇଥିଲା। ତେବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ, ବିଜେପି ପ୍ରାର୍ଥନୀ ରାଧାରାଣୀ ପଣ୍ଡାଙ୍କ ପ୍ରୟାସରେ ପୁଣି ଚଳାଚଳ କରିଛି। ବେଳପାହାଡ଼ରେ ମଧ୍ୟ ଆଗାମୀ ୧୫ ଦିନ ମଧ୍ୟରେ ରହଣି ହେବ। ତେଣୁ ଏଥି ପାଇଁ ସମସ୍ତଙ୍କୁ ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତିଶ ବୋହିଦାର, ବ୍ରଜରାଜନଗର ନାଗରିକ କମିଟି ସଭାପତି ପ୍ରକାଶ ଜୈନ, ବ୍ରଜରାଜନଗର ବିଜେପି ମିଡିଆ ପ୍ରଭାରୀ ଶ୍ଳୋକ ସରନା ଉପସ୍ଥିତ ଥିଲେ।
Comments are closed.