www.samajalive.in
Tuesday, December 9, 2025
16.1 C
Bhubaneswar

ବାପୁଙ୍କ ସ୍ବପ୍ନ ସାକାର ପାଇଁ ଭାରତ ଏକଜୁଟ

ଆଜି ଆମେ ଆମର ପ୍ରିୟ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନର ଶୁଭାରମ୍ଭ କରୁଛୁ। ସମଗ୍ର ବିଶ୍ବର କୋଟିକୋଟି ଜନତା ଯେଉଁମାନେ ସମାନତା, ସମ୍ମାନବୋଧ, ସମାବେଶୀ ଏବଂ ସଶକ୍ତ ଜୀବନ ପାଇଁ ପ୍ରୟାସୀ ସେମାନଙ୍କ ସକାଶେ ବାପୁ ଆଶାର ଆଲୋକବର୍ତ୍ତିକା ହୋଇ ରହିଆସିଛନ୍ତି ଓ ରହିଥିବେ। କାରଣ ସେ ମାନବ ସମାଜ ଉପରେ ଯେଉଁ ପ୍ରଭାବ ଛାଡ଼ି ଯାଇଛନ୍ତି ତା’ର ପଟାନ୍ତର ନାହିଁ।
ମହାତ୍ମାଗାନ୍ଧୀ ଭାରତକୁ କଥାରେ ଏବଂ ଆତ୍ମାରେ, ଚିନ୍ତନରେ ଏବଂ କାର୍ଯ୍ୟରେ ସଂଯୋଗ କରିଥିଲେ। ସେଥିପାଇଁ ସର୍ଦାର ପଟେଲ ଯଥାର୍ଥରେ କହିଥିଲେ, ‘ଭାରତ ଏକ ବିବିଧତାର ଭୂମି। ଆମ ଭଳି ଅନ୍ୟ କୌଣସିଠାରେ ଏପରି ବିବିଧତାରେ ଭରା ଦେଶ ନାହିଁ। ଯଦି କୌଣସି ଜଣେ ବ୍ୟକ୍ତି ଆମ ସମସ୍ତଙ୍କୁ ଏକତ୍ର କରିପାରିଛନ୍ତି, ଲୋକମାନଙ୍କୁ ସେମାନଙ୍କର ବିିବିଧତାର ଚିନ୍ତନରୁ ଊର୍ଦ୍ଧ୍ବକୁ ଉଠାଇ ପାରିଛନ୍ତି, ଉପନିବେଶବାଦ ବିରୋଧରେ ସଂଗ୍ରାମ କରିବାକୁ ପ୍ରେରିତ କରିପାରିଛନ୍ତି, ବିଶ୍ବ ଦରବାରରେ ଭାରତର ମର୍ଯ୍ୟାଦାକୁ ଶୀର୍ଷରେ ପହଞ୍ଚାଇ ପାରିଛନ୍ତି, ସେ ହେଉଛନ୍ତି ମହାତ୍ମା ଗାନ୍ଧୀ ଏବଂ ସେ ଏହା କେବଳ ଭାରତରେ କରିନଥିଲେ, ସୁଦୂର ଦକ୍ଷିଣ ଆଫ୍ରିକାରୁ ହିଁ ସେ ଏହା ଆରମ୍ଭ କରିଥିଲେ। ବାପୁ ଭବିଷ୍ୟତକୁ ଦେଖି ପାରୁଥିଲେ ଏବଂ ତାହାର ବୃହତ୍ତର ଚିତ୍ରକୁ ମଧ୍ୟ ପରିକଳ୍ପନା କରିପାରୁଥିଲେ। ଜୀବନର ଶେଷ ନିଃଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଏହି ଆଦର୍ଶ ପ୍ରତି ପ୍ରତିବଦ୍ଧ ଥିଲେ।’
ଆଜି ଏକବିଂଶ ଶତାବ୍ଦୀରେ, ମହାତ୍ମାଗାନ୍ଧୀଙ୍କ ଚିନ୍ତନ ସେତିକି ପ୍ରାସଙ୍ଗିକ ହୋଇ ରହିଛି ଯାହା ତାଙ୍କର ଜୀବଦ୍ଦଶାରେ ଥିଲା ଏବଂ ସେ ବିଶ୍ବ ସାମ୍ନା କରୁଥିବା ଅନେକ ସମସ୍ୟାର ସମାଧାନ ସୂତ୍ର ପ୍ରଦାନ କରିଥିଲେ। ଯେ​‌େ​‌ତବେଳେ ବିଶ୍ବକୁ ଆତଙ୍କବାଦ, ଉଗ୍ରବାଦ, ଅତିବାଦ, ଚିନ୍ତାହୀନ ଭାବେ ଘୃଣା ସମାଜକୁ ବହୁଧା ବିଭକ୍ତ କରିଚାଲିଛି, ମହାତ୍ମା ଗାନ୍ଧୀ ସେତେବେଳେ ଶାନ୍ତି ଓ ଅହିଂସା ବଳରେ ମାନବ ସମାଜକୁ ଏକତ୍ର କରିବା ସକାଶେ ବଜ୍ର ଆହ୍ବାନ ଦେଇଥିଲେ।
ଯେତେବେଳେ ଅସମାନତା ସର୍ବତ୍ର ସାଧାରଣ ଘଟଣାରେ ପରିଣତ ହେବାରେ ଲାଗିଛି, ବାପୁ ସେହି ସମୟରେ ସମାନତା ଏବଂ ସମାବେଶୀ ବିକାଶ ଉପରେ ପ୍ରାଧାନ୍ୟ ଦେଇ ସମାଜର ତଳସ୍ତରରେ ବସବାସ କରୁଥିବା କୋଟିକୋଟି ଜନତାଙ୍କ ଉତ୍‌ଥାନ ସକାଶେ ଚିନ୍ତା କରିଥିଲେ। ଯେତେବେଳେ ଜଳବାୟୁ ପରିବର୍ତ୍ତନ ଏବଂ ପର୍ଯ୍ୟାବରଣରେ ଅବନତି ଏବେ ବିଶ୍ବବ୍ୟାପୀ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲିଟିଛି, ସେତେବେଳେ ବିଶ୍ବ ଗାନ୍ଧିଜୀଙ୍କ ଚିନ୍ତନ ଆଡ଼େ ସହାୟତା ସକାଶେ ଚାହୁଁଛି। ଆଜକୁ ପ୍ରାୟ ଶହେବର୍ଷ ତଳେ ୧୯୦୯ ମସିହାରେ ଗାନ୍ଧିଜୀ ମାନବୀୟ ଆବଶ୍ୟକତା ଏବଂ ମାନବୀୟ ଲୋଭ ଭିତରେ ଥିବା ପାର୍ଥକ୍ୟକୁ ଦର୍ଶାଇଥିଲେ। ପ୍ରାକୃତିକ ସଂପଦର ଉପଯୋଗ ଦୃଷ୍ଟିରୁ ସେ ସଭିଙ୍କୁ ସଂଯମ ଏବଂ ଅନୁକମ୍ପା ଆଚରଣ ସକାଶେ ନିବେଦନ କରିିଥିଲେ। କେବଳ ନିବେଦନ କରିନଥିଲେ, ଏପରିକି ସେ ନିଜ ଆଚରଣରେ ତାହା ସାକାର କରି ଅନ୍ୟମାନଙ୍କ ସକାଶେ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଥିଲେ। ଗାନ୍ଧିଜୀ ନିଜ ଶୌଚାଗାରକୁ ନିଜେ ସଫା କରୁଥିଲେ, ଯଦ୍ଦ୍ବାରା ସେ ବସବାସ କରୁଥିବା ପରିବେଶ କିଭଳି ସ୍ବଚ୍ଛ ରହିବ ତାହା ସେ ସୁନିଶ୍ଚିତ କରିଥିଲେ। ଏପରିକି ଜଳର ସୀମିତ ଉପଯୋଗକୁ ସୁନିଶ୍ଚିତ କରିବାସହ ସର୍ବନିମ୍ନ ଜଳ ଯେଭଳି ବର୍ଜ୍ୟ ରୂପେ ବାହାରିବ ଏବଂ ତାହାକୁ କିଭଳି ଅନ୍ୟ ଉପାୟରେ ଉପଯୋଗ କରାଯିବ ସେଥିପାଇଁ ପରାମର୍ଶ ଦେଉଥିଲେ। ଅହମ୍ମଦାବାଦରେ ଅବସ୍ଥାନ କାଳରେ ସେ ଏକଥା ପ୍ରତି ସଦାବେଳେ ଯତ୍ନଶୀଳ ଥିଲେ ଯେ ବର୍ଜ୍ୟଜଳ ଯେଭଳି ସାବରମତୀ ନଦୀକୁ କଳୁଷିତ ନକରେ।
କିଛିବର୍ଷ ପୂର୍ବେ ମହାତ୍ମା ଗାନ୍ଧୀ ଏକ ସହଜ, ବୋଧଗମ୍ୟ ଏବଂ ସଂକ୍ଷିପ୍ତ ନଥି ପ୍ରସ୍ତୁତ କରିଥିଲେ ଯାହା ମୋ ନଜରକୁ ଆସିଥିଲା। ୧୯୪୧ ମସିହାରେ ବାପୁ ‘ଗଠନମୂଳକ କାର୍ଯ୍ୟକ୍ରମ: ଏହାର ଅର୍ଥ ଓ ସ୍ଥାନ’ ଶୀର୍ଷକର ଏହି ନଥି ଯାହାକୁ ସେ ପରବର୍ତ୍ତୀ ସମୟରେ ୧୯୪୫ ମସିହାରେ ଯେତେବେଳେ କି ସ୍ବାଧୀନତା ଆନ୍ଦୋଳନ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଥିଲା, ସେଥିରେ ସେ ପୁନଃସଂଶୋଧନ କରିଥିଲେ। ସେହି ନଥିରେ ବାପୁ ଅନେକ ପ୍ରସଙ୍ଗରେ, ଯଥା- ଗ୍ରାମ ବିକାଶ, କୃଷିର ଉନ୍ନତିକରଣ, ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ, ଖଦିର ପ୍ରସାର, ମହିଳା ସଶକ୍ତୀକରଣ, ଆର୍ଥିକ ସମାନତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ମୁଁ ମୋର ଭାରତର ସମସ୍ତ ଭାଇଭଉଣୀମାନଙ୍କୁ ନିବେଦନ କରିବି ଯେ ସେମାନେ ଗାନ୍ଧିଜୀଙ୍କ ‘ରଚନାତ୍ମକ କାର୍ଯ୍ୟକ୍ରମ’ (ଏହା ଉଭୟ ଅନଲାଇନ ଏବଂ ଅଫଲାଇନରେ ବହୁଳ ଭାବେ ଉପଲବ୍ଧ) ଆଡ଼େ ଦୃଷ୍ଟିପାତ କରନ୍ତୁ ଏବଂ ଏହାକୁ ଆଲୋକବର୍ତ୍ତିକା ଭାବେ ଗ୍ରହଣ କରି କିଭଳି ବାପୁଙ୍କ ସ୍ବପ୍ନର ଭାରତବର୍ଷ ଗଢ଼ାଯାଇ ପାରିବ ସେ ଦିଗରେ ଚିନ୍ତା କରନ୍ତୁ। ‘ରଚନାତ୍ମକ କାର୍ଯ୍ୟକ୍ରମ’ର ଅନେକ ପ୍ରସଙ୍ଗ ଆଜିମଧ୍ୟ ସଂପୂର୍ଣ୍ଣ ଭା​‌େ​‌ବ ପ୍ରାସଙ୍ଗିକ। ଏହି କ୍ରମରେ ବାପୁ ଆଜିକୁ ସାତ ଦଶନ୍ଧି ତଳେ ଯେଉଁସବୁ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ଓ ଯାହା ଏଯାଏଁ ହାସଲ ହୋଇପାରିନାହିଁ, ତାହାକୁ ସାକାର କରିବା ଦିଗରେ ଭାରତ ସରକାର ପ୍ରୟାସ କରୁଛନ୍ତି।
ଗାନ୍ଧିଜୀଙ୍କ ବ୍ୟକ୍ତିତ୍ବର ସବୁଠାରୁ ବଡ଼ ଗୁଣଟି ହେଲା ଏହା ଯେ ସେ ଦେଶର ପ୍ରତ୍ୟେକ ପୁରୁଷ ଓ ନାରୀଙ୍କୁ ଦେଶର ସ୍ବାଧୀନତା ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ କରିପାରିଥିଲେ। ସେ ସେମାନଙ୍କ ମନରେ ଆତ୍ମ ବିଶ୍ବାସ ଭରିଦେଇଥିଲେ ଯେ ଜଣେ ଶିକ୍ଷକ ହୁଅନ୍ତୁ ଅଥବା ଆଇନଜୀବୀ, ଡାକ୍ତର ବା କୃଷକ ଅବା ଶ୍ରମିକ, ଉଦ୍ୟୋଗୀ ହୁଅନ୍ତୁ ବା ଅନ୍ୟ କିଛି, ସେମାନେ ସଭିଏଁ ଦେଶର ସ୍ବାଧୀନତା ସଂଗ୍ରାମ ପାଇଁ ନିଜନିଜର କର୍ମ ଦ୍ବାରା ଅବଦାନ ଦେଇପାରିବେ।
ସେହିଭଳି ଆଜି, ପୂଜ୍ୟ ବାପୁଙ୍କ ସେହି ଆଦର୍ଶ ପରାମର୍ଶକୁ ସ୍ମରଣ କରି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ତାଙ୍କର ସ୍ବପ୍ନକୁ ସାକାର କରିବାକୁ ପଡ଼ିବ। ଏହାକୁ ଅତି ସରଳ ଏକ କାର୍ଯ୍ୟ, ଯଥା- କୌଣସି ଖାଦ୍ୟ ନଷ୍ଟ ନକରିବାଠାରୁ ଆରମ୍ଭ କରାଯାଇ ପାରିବ। ସେହିଭଳି ଅହିଂସା ଏବଂ ଏକତ୍ରବୋଧକୁ ଆପଣାଇ ପାରିବ।
ଏବେ ଆମେମାନେ ଚିନ୍ତା କରିବା ଯେ ଆମମାନଙ୍କ ଆଚରଣ କିଭଳି ଭାବେ ଏକ ସ୍ବଚ୍ଛ ଏବଂ ସବୁଜ ପରିବେଶ ଯାହାକି ଆମ ଭବିଷ୍ୟତ ବଂଶଧରମାନଙ୍କ ସକାଶେ ଏକାନ୍ତ ଜରୁରୀ ତାହା ସୃଷ୍ଟି କରାଯାଇପାରିବ। ଆଜକୁ ପ୍ରାୟ ଆଠ ଦଶନ୍ଧି ତଳେ ଯେତେବେଳେ କି ପ୍ରଦୂଷଣର ବିପଦ ଦୁନିଆକୁ ଏତେ ମାତ୍ରାରେ ଆକ୍ରାନ୍ତ କରିନଥିଲା, ସେତେବେଳେ ମହାତ୍ମାଗାନ୍ଧୀ ସାଇକଲକୁ ନିଜର ଯାତାୟାତର ସାଧନ ଭାବେ ଗ୍ରହଣ କରିଥିଲେ। ସେତେବେଳର ସ୍ମୃତିକୁ ମନେପକାଇ ଅହମ୍ମଦାବାଦବାସୀ କହନ୍ତି ଯେ ସେମାନେ ଗାନ୍ଧିଜୀଙ୍କୁ ଗୁଜରାଟ ବିଦ୍ୟାପୀଠଠାରୁ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ପ୍ରତିଦିନ ସାଇକଲ ଚଳାଇ ଯାତାୟାତ କରୁଥିବାର ଦେଖିଛନ୍ତି। ବସ୍ତୁତଃ, ମୁଁ ପଢ଼ିଛି ଯେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ଯେଉଁ ପ୍ରଥମ ପ୍ରତିବାଦ କରିଥିଲେ ତାହା ଥିଲା ସେତେବେଳେ ପ୍ରଚଳିତ ନିୟମ ବିରୋଧରେ ଏବଂ ତାହା ଥିଲା କୃଷ୍ଣକାୟ ଲୋକଙ୍କୁ ସାଇକଲ ଚଳାଇ ଯାତାୟାତ କରିବାର ବାରଣ। ସେଠାରେ ସେ ଓକିଲାତି ବ୍ୟବସାୟରୁ ବେଶ ରୋଜଗାର କରୁଥିଲେ ସୁଦ୍ଧା ଗାନ୍ଧିଜୀ ଜୋହାନ୍ସବର୍ଗରେ ସାଇକଲ ବ୍ୟବହାର କରି ହିଁ ଯାତାୟାତ କରୁଥିଲେ। କୁହାଯାଏ ଯେ ଯେତେବେଳେ ଜୋହାନ୍ସବର୍ଗରେ ପ୍ଲେଗ ରୋଗ ଅତି ବ୍ୟାପକ ଭାବେ ବ୍ୟାପିଥିଲା, ସେତେବେଳେ ଗାନ୍ଧିଜୀ ସାଇକଲ ଚଳାଇ ସବୁଠାରୁ ଅଧିକ ଆକ୍ରାନ୍ତ ଇଲାକାରେ ତୁରନ୍ତ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଥିଲେ ଓ ସେମାନଙ୍କୁ ସକଳ ପ୍ରକାର ରିଲିଫ ସାମଗ୍ରୀ ଯୋଗାଇ ଦେଉଥିଲେ। ଆଜି ତାଙ୍କର ସେଇ ଭାବନାକୁ ଆମେମାନେ କ’ଣ ନିଜ ଭିତରେ ଜାଗ୍ରତ କରିପାରିବା ନାହିଁ?
ଏବେ ଦେଶରେ ଉତ୍ସବର ଋତୁ ନିକଟତର ହେବାରେ ଲାଗିଛି ଏବଂ ସାରା ଦେଶର ଜନତା ନୂଆ ଲୁଗାପଟା, ଖାଦ୍ୟ ସାମଗ୍ରୀ, ଉପହାର ଏବଂ ଅନ୍ୟାନ୍ୟ ଜିନିଷପତ୍ର କିଣାକିଣିରେ ବ୍ୟସ୍ତ। ଆମେ ଯେତେବେଳେ ଏପରି କରୁଛେ, ଆମକୁ ସଦାବେଳେ ଗାନ୍ଧିଜୀଙ୍କ ପରାମର୍ଶକୁ ଆପ୍ତବାକ୍ୟ ଭାବେ ସ୍ମରଣ ରଖିବାକୁ ହେବ। ଆମକୁ ଚିନ୍ତା କରିବାକୁ ପଡ଼ିବ ଯେ ଆମର କାର୍ଯ୍ୟ କିଭଳି ଭାବେ ଦେଶବାସୀଙ୍କ ଜୀବନରେ ସୁଖ ଓ ସମୃଦ୍ଧିର ଆଲୋକବର୍ତ୍ତିକାକୁ ପ୍ରଜ୍ବଳିତ କରିପାରିବ। ତାହା ଏପରି ଭାବେ କରାଯାଇପାରିବ ଯେତେବେଳେ ସେମାନେ ଯେଉଁସବୁ ଦ୍ରବ୍ୟ ଉତ୍ପାଦନ କରୁଛନ୍ତି, ତାହା ଖଦି ଉତ୍ପାଦ ହେଉଥାଉ ଅବା ଅନ୍ୟକିଛି ସାମଗ୍ରୀ ବା ସୁସ୍ବାଦୁ ଖାଦ୍ୟ ପଦାର୍ଥ, ତାହା ସେମାନଙ୍କଠାରୁ କ୍ରୟ କଲେ, ଆମେ ସେମାନଙ୍କୁ ଏକ ଉତ୍ତମ ଜୀବନ ବଞ୍ଚିବା ସକାଶେ ସାହାଯ୍ୟ କରିପାରିବା।
ଗତଚାରିବର୍ଷ ମଧ୍ୟରେ, ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ୧୩୦ କୋଟି ଭାରତୀୟ ମହାତ୍ମା ଗାନ୍ଧୀଙ୍କ ପ୍ରତି ସେମାନଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ କଠିନ ଶ୍ରମ ଦ୍ବାରା, ସ୍ବଚ୍ଛ ଭାରତ ଅଭିଯାନ ଯାହାକି ଆଜି ଚାରିବର୍ଷ ପୂରଣ କରିଛି ତାହା ଏକ ଚଳଚଞ୍ଚଳ ଗଣ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ସେଥିରୁ ଅବିଶ୍ବସନୀୟ ସୁଫଳ ମିଳିଛି। ଏହା ଫଳରେ ଦେଶର ପ୍ରାୟ ୮୫ ନିୟୁତ ପରିବାରଙ୍କ ସକାଶେ ଶୌଚାଳୟ ଉପଲବ୍ଧ ହୋଇପାରିଛି। ୪୦କୋଟିରୁ ଅଧିକ ଭାରତୀୟଙ୍କୁ ଆଉ ମୁକ୍ତାକାଶ ତଳେ ପ୍ରତ୍ୟହ ଶୌଚକାର୍ଯ୍ୟ ସଂପାଦନ କରିବାକୁ ପଡ଼ୁନାହିଁ। ମାତ୍ର ଚାରି ବର୍ଷ ମଧ୍ୟରେ ଦେଶର ପରିମଳ ବ୍ୟାପ୍ତି ୩୯ ପ୍ରତିଶତରୁ ବୃଦ୍ଧିପାଇ ୯୫ ପ୍ରତିଶତ ଛୁଇଁଛି। ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୪.୫ ଲକ୍ଷ ଗ୍ରାମ ଅଧୁନା ମୁକ୍ତକାଶ ଶୌଚମୁକ୍ତ ହେବାର ସୌଭାଗ୍ୟ ହାସଲ କରିଛନ୍ତି।
ସ୍ବଚ୍ଛ ଭାରତ ଅଭିଯାନ ହେଉଛି ଆତ୍ମମର୍ଯ୍ୟାଦା ଏବଂ ଏକ ଉତ୍ତମ ଭବିଷ୍ୟତ ଗଠନର କଥା। ଦେଶର କୋଟିକୋଟି ମହିଳାଙ୍କ ପାଇଁ ମର୍ଯ୍ୟାଦାର କଥା। ସେମାନଙ୍କୁ ପ୍ରତିଦିନ ସକାଳେ ଶୌଚ ପାଇଁ କେଉଁଠି ମୁକ୍ତାକାଶ ତଳେ ବଣବୁଦା ଆଢ଼ୁଆଳରେ ମୁହଁ ଲୁଚାଇବାକୁ ପଡ଼ୁଥିଲା। ଏବେ ତାହା ଇତିହାସରେ ପରିଣତ ହୋଇଛି। ଦେଶର ଅଧିକାଂଶ ଗ୍ରାମାଞ୍ଚଳର ଶିଶୁମାନେ ଏଭଳି ମୁକ୍ତାକାଶ ଶୌଚ ଯୋଗୁଁ ପରିମଳ ଅବ୍ୟବସ୍ଥା କାରଣରୁ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଥିଲେ।
କିଛିଦିନ ତଳେ, ‘ମନ କୀ ବାତ’ କାର୍ଯ୍ୟକ୍ରମବେଳେ ରାଜସ୍ଥାନର ଜଣେ ଦିବ୍ୟାଙ୍ଗ ଭାଇ ମୋତେ ଫୋନ କରିଥିଲେ। ଦୁଇ ଆଖିରେ ତାଙ୍କୁ ଭଲ ଭାବେ ଦୃଶ୍ୟ ହୁଏନାହିଁ। ସେ ମୋ ଆଗରେ ବଖାଣିଥିଲେ କିଭଳି ନିଜର ଗୋଟିଏ ଶୌଚାଳୟ ହେବାଦ୍ବାରା ତାଙ୍କ ଜୀବନରେ ପର୍ଯ୍ୟାପ୍ତ ସକାରାତ୍ମକ ପରିବର୍ତ୍ତନ ସମ୍ଭବପର ହୋଇପାରିଛି। ଏହିଭଳି ଅସଂଖ୍ୟ ଦିବ୍ୟାଙ୍ଗ ଭଉଣୀ ଓ ଭାଇ ଅଛନ୍ତି ଯେଉଁମାନଙ୍କୁ ନିଜସ୍ବ ଶୌଚାଗାର ପ୍ରତିିଦିନ ଏଭଳି ଅସୁବିଧାରୁ ସବୁଦିନ ପାଇଁ ରକ୍ଷା କରିପାରିଛି। ସେମାନଙ୍କ ଆଉ ମୁକ୍ତାକାଶ ତଳେ ଶୌଚ ହେବାକୁ କୌଣସି ସ୍ଥାନ ଖୋଜିବାକୁ ପଡ଼ୁନାହିଁ। ରାଜସ୍ଥାନରେ ସେହି ଭାଇଙ୍କଠାରୁ ମୋତେ ମିଳିଥିବା ଆଶୀର୍ବାଦ ସାରା ଜୀବନ ମୋ ସ୍ମୃତିରେ ସତେଜ ହୋଇରହିବ।
ଆଜିର ସକ୍ରିୟ ଭାରତୀୟଙ୍କ ମଧ୍ୟରୁ ଅନେକଙ୍କୁ ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗୀଦାର ହେବାକୁ ସୁଯୋଗ ମିଳିନଥିଲା। ହୁଏତ ସେତେବେଳେ ଆମେ ହସିହସି ଦେଶ ପାଇଁ ପ୍ରାଣବଳି ଦେଇପାରିଥାନ୍ତୁ; କିନ୍ତୁୁ ଏବେ, ଆମକୁ ଦେଶପାଇଁ ବଞ୍ଚି ରହିବାକୁ ପଡ଼ିବ ଏବଂ ଦେଶର ସ୍ବାଧୀନତା ପାଇଁ ପ୍ରାଣବଳି ଦେଇଥିବା ସହିଦମାନଙ୍କ ସ୍ବପ୍ନକୁ ସାକାର କରିବା ସକାଶେ ଯାହାକିଛି ଆବଶ୍ୟକ ତାହା ସାକାର କରିବାକୁ ପଡ଼ିବ।
ଆଜି ବାପୁଙ୍କ ସ୍ବପ୍ନକୁ ସାକାର କରିବା ନିମ​‌େ​‌ନ୍ତ ଆମ ନିକଟରେ ବିରାଟ ସୁଯୋଗ ରହିଛି। ସେ ଦିଗରେ ଆମେ ଅନେକ ପଥ ଅତିକ୍ରମ କରିସାରିଛୁ ଏବଂ ମୋର ପୂର୍ଣ୍ଣବିଶ୍ବାସ ଯେ ଆଗାମୀ ଦିନରେ ଆମେମାନେ ଏ ଦିଗରେ ଆହୁରି ଦୀର୍ଘ ପଥ ଅତିକ୍ରମ କରିପାରିବୁ। ବାପୁଙ୍କର ଏକ ପ୍ରିୟ ଭଜନ ହେଉଛି, ‘ବୈଷ୍ଣବ ଜନ ତୋ ତେନେ କହିୟେ ଜେ, ପୀର ପରାୟୀ ଜାନେ ରେ….’। ଏହାର ଅର୍ଥ ହେଉଛି ‘ ସେଇ ହେଉଛି ଏକ ମହାନ ଆତ୍ମା ଯିଏ ଅନ୍ୟର କଷଣକୁ ଅନୁଭବ କରିପାରେ’। ଏହି ଚିନ୍ତାଧାରା ଓ ଆଦର୍ଶରେ ହିଁ ବାପୁ ଅନ୍ୟମାନଙ୍କ ସକାଶେ ଜୀବନ ବଞ୍ଚିଥିଲେ। ଆଜି, ଆମେ ୧୩୦ କୋଟି ଭାରତୀୟ ବାପୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବାକୁ ପଡ଼ିବ। ଯେଉଁ କାରଣ ସକାଶେ ସେ ନିଜର ଜୀବନକୁ ସୁଦ୍ଧା ଉତ୍ସର୍ଗ କରିଥିଲେ, ତାହାକୁ ସାକାର କରିବାକୁ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories