ଓଡିଶୀ ନୃତ୍ୟ ଓ ସଂଗୀତ ଆଜି ଭକ୍ତକବି ଜୟଦେବଙ୍କ ପାଇଁ ବଞ୍ଚି ରହିଛି

କେନ୍ଦୁଲିରେ ଭକ୍ତକବି ଜୟଦେବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡିଶୀ ନୃତ୍ୟ ଓ ସଂଗୀତ ଆଜି ଭକ୍ତକବି ଜୟଦେବଙ୍କ ପାଇଁ ବଞ୍ଚି ରହିଛି। ଜୟଦେବଙ୍କ ଦ୍ୱାରା ରଚିତ ଗୀତଗୋବିନ୍ଦ ଆମ ଜାତିକୁ ପରିଚୟ ଦେଇଛି। ଗୀତଗୋବିନ୍ଦର ରଚନା ଶୈଳୀ, ତାଳ ଓ ରାଗ ସୃଷ୍ଟିର ସ୍ୱତନ୍ତ୍ରତା ରହିଛି। ଆମ୍ଭେମାନ ଗୀତଗୋବିନ୍ଦ ଓ ଆମ ସଂସ୍କୃତି ସଂପର୍କରେ ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି ବୋଲି ଆଜି ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଭକ୍ତ କବି ଜୟଦେବଙ୍କ ପୀଠ କେନ୍ଦୁଲି(କେନ୍ଦୁବିଲ୍ୱ) ଠାରେ ଅନୁଷ୍ଠିତ ଜୟଦେବ ଜୟନ୍ତୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି । ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ, ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଉପଜିଲାପାଳ , ଭୁବନେଶ୍ୱରଶ୍ରୀ ଦେବବ୍ରତ ସହୁ, ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କର ପରମ ପ୍ରିୟ ଭକ୍ତକବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଏବଂ ଓଡିଶା ତଥା ଅଞ୍ଚଳର ସାଂସ୍କୃତିକ ଐତିହ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ମିଶ୍ର ଜୟଦେବ ପୀଠର ଉନ୍ନତି ପାଇଁ ଆବଶ୍ୟକ ସହଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗ, ଜିଲା ପ୍ରଶାସନ, ଖୋର୍ଦ୍ଧା, ପଞ୍ଚାୟତ ସମିତି, ବାଲିଅନ୍ତା, ଜୟଦେବ ପଞ୍ଚାୟତର ମିଳିତ ଆୟୋଜନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜୟଦେବ ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ, ସମିତି ସଭ୍ୟ ଭାବଗ୍ରାହୀ ମୁଖୀ ଓ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତ୍ତା ଓ ଅଞ୍ଚଳର ବହୁ ଜନସାଧାରଣ ଏହି କାର୍ୟ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଖୋର୍ଦ୍ଧା ଓ ଭୁବନେଶ୍ୱର ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯଥାକ୍ରମେ ପୁଷ୍ପାଞ୍ଜଳି ପାଇକରାୟ ଓ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

 

kalyan agarbati

Comments are closed.