ଶିଶୁର ଯତ୍ନ ନିଅନ୍ତୁ ଓ ନିଜ ପିଲାଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ ଶ୍ରମିକ
ଫୁଲବାଣୀ:ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲା ପ୍ରଶାସନ ଓ ଜିଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଶ୍ରମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ବିସ୍ତୃୁତ ଆଲୋଚନା କରିଥିଲେ। ଶ୍ରମିକମାନଙ୍କର ଶିଶୁ ସନ୍ତାନଠାରୁ ଆରମ୍ଭ କରି ଝିଅ ବାହାଘର, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ କାଳୀନ ସହାୟତା ବିଷୟରେ ବିଷଦଭାବରେ ଆଲୋଚନା କରିଥିଲେ। ସମ୍ମାନୀତ ଅତିଥିଭାବେ ଯୋଗଦେଇ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି କହିଥିଲେ ଯେ, ଆଜି ଯାହାବି ବିକାଶ ହୋଇଛି ତାହା ଶ୍ରମିକ ଭାଇ ଭଉଣୀମାନଙ୍କର ଦାନ କହିଲେ ଭୁଲ ହେବ ନାହିଁ। ଆପଣମାନଙ୍କର ଶ୍ରମ ଦାନ ଓ ତ୍ୟାଗର ତୁଳନା ନାହିଁ। ତେଣୁ, ଶ୍ରମିକ ଭାଇ ଭଉଣୀମାନଙ୍କର ସୁସ୍ଥ ଓ ସ୍ୱଚ୍ଛନ୍ଦରେ ରହିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ମହାନ୍ତି ନିଜ ବ୍ୟକ୍ତବ୍ୟରେ କହିଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଶ୍ରମିକ ଭାଉଣୀମାନେ ନିଜ ନିଜର ଶିଶୁମାନଙ୍କୁ ଯତ୍ନର ସହିତ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ପଠାଇବା ସହିତ ବଡ଼ ପିଲାମାନଙ୍କର ଶିକ୍ଷାପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସମନ୍ୱିତ ଶ୍ରମିକ ସଂଗଠନର ସଭାପତି ପ୍ରଫୁଲ୍ଲ କୁମାର ବେହେରା ଓଡ଼ିଶା ଅଣସଙ୍ଘଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଅଣସଙ୍ଘଠିତ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା, ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ମିଳୁଥିବା ସହାୟତା, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ(ନିଯୁକ୍ତ ନିୟନ୍ତ୍ରଣ ଓ ସେବାସର୍ତ୍ତ) ଆଇନ୍୧୯୭୯ରେ ଥିବା ସୁବିଧା ସୁଯୋଗ ଓ ଅଧିକାର, ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ଉପରେ ବିସ୍ତୃୁତ ଆଲୋଚନା କରିଥିଲେ। ଜିଲା ଶ୍ରମ ଅଧିକାରୀ ତେଜ୍ କୁମାର ବାଗେ ଅନୁଷ୍ଠିତ ଦିବସରେ ଓଡ଼ିଶା କୋଠବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ଶ୍ରମିକମାନଙ୍କୁ ଶିକ୍ଷା ସହାୟତା ବାବଦକୁ୧୦୦ ଜଣଙ୍କୁ ୫ଲକ୍ଷ୫ହଜାର୪ଶହ ଟଙ୍କା, ବିବାହ ସହାୟତା ବାବଦକୁ ୧୩୯ ଜଣଙ୍କୁ ୬୮ଲକ୍ଷ ଟଙ୍କା, ମାତୃତ୍ୱ ସହାୟତା ବାବଦକୁ ୧୪୮ ଜଣଙ୍କୁ ୧୪ଲକ୍ଷ ୮୦ ହଜାର ଟଙ୍କା, ମୃତ୍ୟୁ ସହାୟତା ବାବଦକୁ ୧୨୧ଜଣଙ୍କୁ ୨କୋଟି ୨୩ଲକ୍ଷ ଟଙ୍କା ଏବଂ ଅନ୍ତିମ ସଂସ୍କାର ସହାୟତା ବାବଦକୁ ୧୨୧ ଜଣଙ୍କୁ ୬ଲକ୍ଷ୫ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ସୂଚନାଦେଇଥିଲେ। ଜିଲା ଶ୍ରମ ଅଧିକାରୀ ସଭା ପରିଚାଳନା କରିଥିବାବେଳେ ସହକାରୀ ଶ୍ରମ ଅଧିକାରିଣୀ ଶୁଭଦର୍ଶିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲାର ବିିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବହୁ ମହିଳା ଓ ପୁରୁଷ ଶ୍ରମିକମାନେ ଯୋଗଦେଇଥିଲେ।
Comments are closed.