www.samajalive.in
Monday, December 15, 2025
16.1 C
Bhubaneswar

‘ଏକଲା ଚଲୋ’ ରାସ୍ତାରେ ଅପରାଜିତା

ଭୁବନେଶ୍ୱର : ରାଜ୍ୟ ବିଜେପି ପାଇଁ ଅପରାଜିତା ଅଲୋଡ଼ା ? ଏମିତି ଏକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଉଙ୍କି ମାରୁଛି। ସାଧାରଣ ଜନତା ବି ଏହା ଅନୁଭବ କରୁଛନ୍ତି। ହେଲେ କେହି ମୁହଁ ଖୋଲିବାକୁ ନାରାଜ। ବିଭିନ୍ନ ପ୍ରସଙ୍ଗରେ ଦଳର ଏହି ତୁଙ୍ଗ ନେତ୍ରୀଙ୍କ କାର୍ଯ୍ୟଧାରା ଗୋଟିଏ ଦିଗରେ ତ ଦଳ ଅନ୍ୟପଟରେ। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରସଙ୍ଗରେ ଏହି ଘଟଣା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଶ୍ରୀମନ୍ଦିରର ସୁରକ୍ଷା, ରାଜନୀତିଠାରୁ ଊର୍ଦ୍ଧ୍ବରେ ବୋଲି ଅପ​‌ରାଜିତା କହୁଥିବାବେଳେ​‌ ସେପଟେ ବିଜେପି କହିଛି ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ।
ଭୁବନେଶ୍ବର ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରାକ୍ତନ ପ୍ରଶାସିକା ଅପରାଜିତା ତାଙ୍କ କାର୍ଯ୍ୟଶୈଳୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି। ପ୍ରଶାସକ ଭାବେ ବିଭିନ୍ନ ବିଭାଗରେ ​‌େ​‌ସ ସଂସ୍କାର ଆଣିଥିବା ନଜିର ବି ରହିଛି। ଯାହାର ଫଳସ୍ବରୂପ ସେ ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପରାଜିତ କରି ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ। ଅପରାଜିତାଙ୍କ ବିଜୟ ପରେ ଭୁବନେଶ୍ବର ସମେତ ରାଜ୍ୟ ବିଜେପିରେ ତାଙ୍କୁ ନେଇ ଅନେକ ସମ୍ଭାବନା ଉଙ୍କି ମାରିଥିଲା ସମୟକ୍ରମେ ବିଭିନ୍ନ ନିର୍ବାଚନରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ପ୍ରଚାର କରିବା ତାଙ୍କ ଲୋକପ୍ରିୟତାକୁ ପ୍ରମାଣିତ କରିଥିଲା। ଏପରିକି ଦଳର ତୁଙ୍ଗ ନେତାମାନେ ଅପରାଜିତାଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ଶଙ୍କିତ ଥିଲେ ମଧ୍ୟ କେହି ମୁହଁ ଖୋଲୁନଥିଲେ। ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଯୋଗଦାନ ସେପରି ରହୁନଥିଲେ ମଧ୍ୟ ସେ ନିଜସ୍ବ ଶୈଳୀରେ କାର୍ଯ୍ୟ କରିବାକୁ ଭଲ ପାଉଥିଲେ। ଯୁବ ଓ ମହିଳାକୁ ନେଇ ସେ ସ୍ବତନ୍ତ୍ର ଅଭିଯାନ ଜାରି ରଖିଥିଲେ। କେତେକ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ଟାର୍ଗେଟ୍‌ କରୁଥିଲେ। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଫଳାଫଳକୁ ନେଇ ଅପରାଜିତା ରାଜ୍ୟ ନେତୃତ୍ବ ଉପରେ ବର୍ଷିଥିଲେ। ଯାହାକୁ ଅନେକ ସହଜରେ ହଜମ କରିପାରିନଥିଲେ। ରାଜ୍ୟ ନେତୃତ୍ବ ଏଥିପାଇଁ ଦାୟୀ ବୋଲି ଗଣମାଧ୍ୟମକୁ କହି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ଅପରାଜିତା। କେବଳ ଏହି ପ୍ରସଙ୍ଗ ନୁହଁ ଏନ୍‌ଏମ୍‌ଏ ଉପନିୟମ ପ୍ରସଙ୍ଗରେ ପୂର୍ବରୁ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଥିବାବେଳେ ଅପରାଜିତା ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରି ଅଡୁଆରେ ପକାଇଥିଲେ। ସେତେବେଳେ ବିଜେପିର ଅନ୍ୟତମ ତୁଙ୍ଗ ନେତା ଓ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ତାଙ୍କର ମଦଭେଦ ହୋଇଥିଲା।
ଏବେ ପୁଣି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରସଙ୍ଗକୁ ସଂସଦରୁ ଶ୍ରୀକ୍ଷେତ୍ରକୁ ଆଣି ଏକପ୍ରକାର ଝଡ଼ ସୃଷ୍ଟି କରିଛନ୍ତି ଏହି ତୁଙ୍ଗ ନେତ୍ରୀ। ସଂସଦରେ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ସହ ବାକ୍‌ ବିତଣ୍ଡା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ଥିବାବେଳେ ଅପରାଜିତାଙ୍କ ପୁରୀ ଗସ୍ତ ଏହି ପ୍ରସଙ୍ଗରେ ଅଧିକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପୁରୀରେ ୨୭ ତାରିଖରେ ଅପରାଜିତାଙ୍କ ପଦଯାତ୍ରା ନେଇ ବହୁ ପୂର୍ବରୁ ପ୍ରଚାର ହୋଇଥିବାବେଳେ ଶେଷ ମୁହୂର୍ତ୍ତରେ ହିଂସା ଆଶଙ୍କାରେ ଅନୁମତି ବାତିଲ କରି ଦିଆଯିବା ପରେ ଅପରାଜିତା ବୁଧବାର ପୁରୀ ଆସିବା ନେଇ ଜିଲାପାଳଙ୍କୁ ଚିଠି ଲେଖିଥିଲେ। ତେବେ ବୁଧବାର ​‌େ​‌ସ ପୁରୀ ଯିବା ରାସ୍ତାରେ ପ୍ରଶାସନର ବିରୋଧ ଓ ସେ ବଡ଼ଦାଣ୍ଡରେ ପଦଯାତ୍ରା ଘଟଣା ଭିନ୍ନ ମୋଡ଼ ନେଲା। ତାଙ୍କ ସପକ୍ଷରେ ସ୍ବତଃ ଜନସମର୍ଥନ ଦେଖିବାକୁ ମିଳିଥିଲା। ‘ଶ୍ରୀମନ୍ଦିରର ସୁରକ୍ଷା ରାଜନୀତିର ଊର୍ଦ୍ଧ୍ବରେ। ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ବ’ ବୋଲି ସେ କହିଥିଲେ। ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରୁଛନ୍ତି ହେଲେ ଆଇନ ପରିସରରେ ରହି ସରକାର କାମ କରିବା ଉଚିତ ବୋଲି କହିଥିଲେ ସାଂସଦ।
ସବୁଠାରୁ ବଡ଼ କଥା ହେଉଛି ଶ୍ରୀମନ୍ଦିରର ପରିକ୍ରମା ମାର୍ଗ ପ୍ରସଙ୍ଗ ସଂସଦରୁ ଶ୍ରୀକ୍ଷେତ୍ରକୁ ଆଣିଥିବା ଏହି ବିଜେପି ସାଂସଦଙ୍କ ପଛରେ ଦଳର କୌଣସି ତୁଙ୍ଗ ନେତୃତ୍ବଙ୍କ ସମର୍ଥନ ନଥିଲା କି କେହି ସାଥ୍‌ ମଧ୍ୟ ଦେଇନଥିଲେ। ବରଂ କିଛି ଦଳୀୟ ନେତା ଏହା ତାଙ୍କର ବ୍ୟକ୍ତିଗତ କଥା, ଏଥିରେ ଦଳର ସମ୍ପୃକ୍ତି ନାହିଁ ବୋଲି ଗଣମାଧ୍ୟମକୁ କହିବା ଅନେକଙ୍କୁ ବିସ୍ମିତ କରିଛି। ଏଠାରେ ପ୍ରଶ୍ନ ଉଠୁଛି ଅପରାଜିତା ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରୁଥିବାବେଳେ ଦଳର ତୁଙ୍ଗ ନେତୃତ୍ବଙ୍କ ମୁହଁ ବନ୍ଦ କାହିଁକି? ସରକାର ଭୟ କରୁଛନ୍ତି କାହିଁକି ବୋଲି ଅପରାଜିତା ସିଧା ସରକାରଙ୍କୁ ପ୍ରଶ୍ନ କରୁଥିବାବେଳେ, ଏଥିନେଇ ଦଳର ନେତୃବୃନ୍ଦ ମୁହଁ ବନ୍ଦ ରଖିଛନ୍ତି। ଏହା ଅପରାଜିତାଙ୍କୁ ଯେତିକି ପୀଡ଼ା ନଦେଇଛି ତାଙ୍କ ସମର୍ଥକଙ୍କୁ ସେତିକି ମର୍ମାହତ କରିଛି। ଗୋଟିଏ କଥା ସ୍ପଷ୍ଟ ହେଉଛି, ଅପରାଜିତା ଦଳ ପାଇଁ ଅଲୋଡ଼ା ନା ତାଙ୍କୁ ଜାଣିଶୁଣି ଏକଘରକିଆ କରାଯିବାର ପ୍ରୟାସ କରାଯାଉଛି। ଆଜିର ପୁରୀ ଘଟଣାରୁ ସ୍ପଷ୍ଟ ହୋଇଛି। ଗୋଟିଏ ପଟେ ଦଳର ସାଂଗଠନିକ ଦୁର୍ବଳତାକୁ ନେଇ ଦିଲ୍ଲୀ ଦରବାରରେ ରୀତିମତ ମାନସମନ୍ଥନ ହେଉଥିବାବେଳେ ଅନ୍ୟ ପଟେ ରାଜ୍ୟ ବିଜେପିରେ ଅପରାଜିତାଙ୍କ ‘ଏକଲା ଚଲୋରେ’ ମନ୍ତ୍ର ଆଗାମୀ ଦିନରେ କି ରୂପ ନେଉଛି ତା’ ଉପରେ ଏବେ ସମସ୍ତଙ୍କ ନଜର। କିନ୍ତୁ ଏକଥା ସ୍ପଷ୍ଟ ଯେ, ଅପରାଜିତାଙ୍କୁ ଯେତେ ଯେତେ ବିରୋଧ ହେଉଛି ତାଙ୍କ ଲୋକପ୍ରିୟତା ସେତେସେତେ ବଢ଼ି ଚାଲିଛି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories