ଆମେ ନିକମା, ଫାଇଦାରେ ଆନ୍ଧ୍ର
ନାଗାବଳୀ ତୋଟାପାଲିରେ ବ୍ୟାରେଜ ନିର୍ମାଣ
ଜଳକଷ୍ଟରେ ସନ୍ତୁଳିତ ରାୟଗଡ଼ା ଜିଲାବାସୀ, ପାଣି ଉଠାଇବା କ୍ଷମତା ହରାଇଛି ୩୮ପ୍ରକଳ୍ପ
ଜେମାଦେଇପେଣ୍ଠ : ରାଜ୍ୟର ପ୍ରମୁଖ ନଦୀ ଭିତରେ ରାୟଗଡ଼ା ଜିଲାର ନାଗାବଳୀ ଓ ଝଞ୍ଜାବତୀ ଅନ୍ୟତମ। ରାୟଗଡା ଜିଲାର ଜୀବନ ରେଖା କୁହାଯାଉଥିବା ଏହି ଦୁଇ ନଦୀର ଜଳ ପ୍ରବାହ ଗତ ୨୦ ବର୍ଷ ଭିତରେ ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ମୌସୁମୀ ପ୍ରବାହ, ରାଜ୍ୟ ସରକାରଙ୍କ ନୀରବତାରୁ ପଡୋଶୀ ଆନ୍ଧ୍ର ପ୍ରଦେଶର ମାତ୍ରାଧିକ ବ୍ୟାରେଜ ନିର୍ମାଣ ଏହାର ମୁଖ୍ୟ କାରଣ। ନଦୀଗୁଡ଼ିକର ଜଳ ପ୍ରବାହ ହ୍ରାସ ପାଇଥିବାରୁ ଶଯ୍ୟା ଶୁଖିଲା ପଡ଼ିଛି। ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ନାଗାବଳୀ ଅବବାହିକାରେ ରହିଥିବା ଗ୍ରାମର ଲୋକ ଜଳକଷ୍ଟରେ ସନ୍ତୁଳିତ ହେଉଛନ୍ତି। ସେହି ଅଞ୍ଚଳରେ ଚାଷ କାମ ତ ଦୂରର କଥା ପାଣି ଟୋପାଏ ମିଳି ପାରୁନି। ଘଣ୍ଟା ଘଣ୍ଟା ଧରି ନଳକୂପ ପାଖରେ ଛିଡ଼ା ହେବାକୁ ପଡୁଛି। ସରକାରୀ ତଥ୍ୟ ଆକଳନ ଅନୁସାରେ ଅଣ ମୌସୁମୀ ସମୟରେ ନାଗାବଳୀ ନଦୀର ଜଳଧାରଣ କ୍ଷମତା ୧,୬୧୪,୮୧ ନିୟୁତ ଘନ ମିଟର ଥିଲା ବେଳେ ଝଞ୍ଜାବତୀର କ୍ଷମତା ୧,୦୨୫,୩୧ ନିୟୁତ ଘନମିଟର ରହିଛି। ଏହି ଜଳକୁ ବ୍ୟବହାର କରିବା କିମ୍ବା ଜଳକୁ ନିୟନ୍ତ୍ରଣ ପାଇଁ କୌଣସି ଭିତ୍ତିଭୂମି ନ ଥିବାରୁ ଆନ୍ଧ୍ର ପ୍ରଶାସନ ଏହାର ଭରପୁର ସୁଯୋଗ ନେଉଛି।
ସ୍ମରଣଯୋଗ୍ୟ କି କିଛିଦିନ ତଳେ ଆନ୍ଧ୍ରର ବିଜୟନଗରମ ଜିଲା ପାର୍ବତୀପୁରମର ନାଗାବଳୀ ନଦୀର ତୋଟାପଲିଠାରେ ସେଠାକାର ପ୍ରଶାସନ ଦ୍ୱିତୀୟ ନଦୀବନ୍ଧ (ବ୍ୟାରେଜ) ନିର୍ମାଣ କରିବା ଆରମ୍ଭ କରିଛି। ସୂଜଳା ଶ୍ରୀବନ୍ତୀ ତୋଟାପାଲି-୨ ନାମରେ ଜଳ ସେଚନ ପ୍ରକଳ୍ପ କରାଯାଉଛି। ଏହା ଦ୍ବାରା ଗୁଣ୍ଡାପୁ ରେଡ୍ଡୀ ଓ ପଶୁପତ୍ତି ରେଗା ମଣ୍ଡଳ ତଥା ଉତ୍ତର ଆନ୍ଧ୍ରର ପ୍ରାୟ ୫୭ ହଜାର ଏକର ଜମିରେ ଜଳସେଚନ ହୋଇପାରିବ ବୋଲି ଆନ୍ଧ୍ର ଜଳସେଚନ ବିଭାଗ ମନ୍ତ୍ରୀ ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତକାର ଦେଇ କହିଛନ୍ତି। ପୂର୍ବରୁ ତୋଟାପାଲି ବ୍ୟାରେଜରୁ ୧୧୭,୯୩ କୋଟି ବ୍ୟୟରେ ଏକ ଶାଖା କେନାଲ ନିର୍ମାଣ ହୋଇଛି। ଏହା ମାଧ୍ୟମରେ ସୀମାନ୍ତ ଆନ୍ଧ୍ରର ୯୧ଟି ଗ୍ରାମର ଚାଷ ଜମି ଜଳ ସେଚିତ ହୋଇପାରିଛି। ଅନ୍ୟପଟେ ସୀମାନ୍ତ ରାୟଗଡ଼ା ଜିଲାରେ ନାଗାବଳୀ ଅବବାହିକାରେ ଥିବା ଉଠା ଜଳସେଚନ ପ୍ରକଳ୍ପ ନିଜର କ୍ଷମତା ହରାଇଛି। ନଦୀରୁ ଜଳ ଉଠାଇବା ପାଇଁ ଅକ୍ଷମ ହୋଇପଡ଼ିଛି। ହଜାର ହଜାର ହେକ୍ଟର ଜମି ପଡ଼ିଆ ପଡ଼ିଛି। ରାୟଗଡା ଜିଲାର ବୈରାଗୀ ହାଲୁଆରେ ୪, ଉମାର ବାଲିରେ୨, କଣ୍ଟୁଆରେ ୧, ଗୁରୁରାଜଗୁଡାରେ ୧, ବଡ ରାଇସୀଙ୍ଗିରେ ୩, ସାନରାଇସିଂରେ ୨, ଅତଡ଼ାରେ ୩, ବୋରହାଲୁଆରେ ୧, ପେଣ୍ଠାରେ ୩, ମାଳିଗଁାରେ ୩, ସିନ୍ଦିବାଡ଼ିରେ ୧, ଆଡପତିଗୁଡାରେ ୩ ଓ କେମାଳି ଗାଁରେ ୨ ଉଠା ଜଳ ସେଚନ ପ୍ରକଳ୍ପ ନାଗାବଳୀରୁ ପାଣି ଉଠାଇବା ପାଇଁ ଅସମର୍ଥ ହୋଇପଡିଛି। ଅନ୍ୟପଟେ ରାଜ୍ୟରେ ଜଳ ସଂରକ୍ଷଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଭିନ୍ନ ନଦୀ ଗର୍ଭରେ ଜଳାଶୟ ନିର୍ମାଣ ପାଇଁ ୧୧,୭୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ରାୟଗଡ଼ା ଜିଲାର ନାଗାବଳୀ ନଦୀ ପାଇଁ ଆଖି ବୁଜି ଦେଇଛନ୍ତି। ରାଜ୍ୟର ଜଳସମ୍ପଦ ବିଭାଗର ଉଦାସୀନତା ପାଇଁ ଆନ୍ଧ୍ର ପ୍ରଶାସନ ଓଡ଼ିଶା ଜଳକୁ ବୋହି ନେଉଛି। ରାୟଗଡା ଜିଲା ନଦୀ ଉଠା ଜଳସେଚନ ପ୍ରକଳ୍ପର ବିଭାଗୀୟ ଯନ୍ତ୍ରୀ ଜିଟି ରାଓଙ୍କୁ ପଚାରିବାରୁ ନାଗାବଳୀ ଜଳ ଧାରଣ କ୍ଷମତା ତଥା ଜଳସ୍ତର କମି ଯିବାରୁ ଅନେକ ଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। ପୁନର୍ବାର ନଦୀର ଗଭୀରତାକୁ ଅାକଳନ କରି ପୁଣି ନିର୍ମାଣର ଆବଶ୍ୟକତା ଅଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରାଯିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।
Comments are closed.