ମାହାଙ୍ଗା ଅଞ୍ଚଳରେ ଜଳୁଛି ବେଆଇନ ଇଟାଭାଟି, ଚଢ଼ାଉ କଲେ ଅତିରିକ୍ତ ତହସିଲଦାର
କୁଆଁପାଳ : ଦିନକୁ ଦିନ ଯେତେ ଗ୍ରୀଷ୍ମ ପ୍ରବାହ ବଢୁଛି ମାହାଙ୍ଗା ଅଞ୍ଚଳରେ ସେତେ ମାତ୍ରାରେ ବେଆଇନ ଇଟାଭାଟି ଜଳୁଛି। ଅସହ୍ୟ ତାତି ସାଙ୍ଗକୁ ଇଟାଭାଟି ଉତ୍ତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ମାହାଙ୍ଗାର କିଛି ଇଟା ବ୍ୟବସାୟୀ ଖୁଲମ ଖୁଲା ଭାବରେ ତହସିଲକୁ ଆହ୍ବାନ ଦେଇ ବେଆଇନ ଭାବେ ମାଟି ଇଟା ପୋଡିବା ସହ ମାଟି ଉଠାଉଛନ୍ତି। ଏହି ଅଭିଯୋଗ ମିଳିବା ପରେ ମାହାଙ୍ଗା ତହସିଲଦାର ଉମାକାନ୍ତ ବିଶ୍ବାଳଙ୍କ ନିର୍ଦେଶ କ୍ରମେ ନାହଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅଛୁତପୁର ଗ୍ରାମର ଇଟା ବ୍ୟବସାୟୀ ବଳରାମ ଦାସଙ୍କ ବେଆଇନ ଇଟା ଭାଟି ନିର୍ମାଣ ସ୍ଥଳରେ ଅତିରିକ୍ତ ତହସିଲଦାର ବାବୁରାମ ମୁର୍ମୁ ନେତୃତ୍ୱରେ ଏକ ଟିମ ଚଢାଉକରିଛନ୍ତି। ଗ୍ରୀଷ୍ମ ପ୍ରବାହ ସମୟରେ ଇଟା ପୋଡିବାକୁ ବାରଣ କରିବା ସହ ତହସିଲ ନିର୍ଦେଶ ଅବମାନନା କରୁଥିବାରୁ ଇଟା ବ୍ୟବସାୟୀ ବଳରାମ ଦାସଙ୍କ ବିରୋଧରେ ୧୩୩ ଧାରାରେ ମାମଲା ରୁଜୁ କରିବାକୁ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି ଚଢ଼ାଉ ପରେ ରାଜସ୍ବ ନିରୀକ୍ଷକ ଇଟା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ମାହାଙ୍ଗା ତହସିଲ ଦାରଙ୍କୁ ସୁପାରିଶ କରିଥିବା ଅତିରିକ୍ତ ତହସିଲ ଦାର ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି।
Comments are closed.