ଧାୱନଙ୍କ ୮୮* ; କିଙ୍ଗ୍ସଙ୍କ ଲଢ଼େଇରେ ପଞ୍ଜାବ ବିଜୟୀ
ମୁମ୍ବଇ : ଚଳିତ ଆଇପିଏଲ୍ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ୮ମ ମ୍ୟାଚ୍ରେ ୬ଷ୍ଠ ପରାଜୟ ଭୋଗିଛି। ଫଳରେ ସିଏସ୍କେର ପ୍ଲେଅଫ୍ ଖେଳିବା ଆଶା ସଙ୍କଟରେ ପଡ଼ିଯାଇଛି। ସୋମବାର ପଞ୍ଜାବ କିଙ୍ଗ୍ସ ୧୧ ରନ୍ରେ ସିଏସ୍କେକୁ ପରାସ୍ତ କରିଛି। ଶିଖର ଧାୱନଙ୍କ ଅପରାଜିତ ୮୮ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ କିଙ୍ଗ୍ସ ୪ ୱିକେଟ ହରାଇ ୧୮୭ ରନ୍ କରିଥିଲା। ୧୮୮ ରନ୍ର ପିଛାକରି ସିଏସ୍କେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବା ପରେ ଅମ୍ବତି ରାୟୁଡୁଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ୬ ୱିକେଟରେ ୧୭୬ ରନ୍ କରି ପାରିଥିଲା। ପଞ୍ଜାବ ୮ମ ମ୍ୟାଚ୍ରେ ୪ର୍ଥ ବିଜୟ ହାସଲକରି ୬ଷ୍ଠ ସ୍ଥାନକୁ ଉଠିଛି।
୧୮୮ ରନ୍ ବିଜୟଲକ୍ଷ୍ୟ ନେଇ ଚେନ୍ନଇ ସୁପର କିଙ୍ଗ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୭ ଓଭରରେ ସିଏସ୍କେ ୪୦ ରନ୍ରେ ୩ଟି ୱିକେଟ ହରାଇଥିଲା। ରବିନ୍ ଉଥପ୍ପା ୧ ରନ୍ କରିଥିଲେ। ମିଚେଲ ସାଣ୍ଟ୍ନର ୧୫ ବଲ୍ରୁ ୯ ରନ୍ କରିଥିଲେ। ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେ ମାତ୍ର ୮ ରନ୍କରି ଆଉଟ୍ ହୋଇଥିଲେ। ପରେ ଓପ୍ନର ଋତୁରାଜ ଗାଏକ୍ୱାଡ ଜଗିରଖି ଖେଳିଥିବା ବେଳେ ଅଭିଜ୍ଞ ଅମ୍ବତି ରାୟୁଡୁ ଆସି ସଟ୍ ଖେଳିଥିଲେ। ୪ର୍ଥ ୱିକେଟ ପାଇଁ ଋତୁରାଜ ଓ ରାୟୁଡୁ ଦ୍ରୁତ ୪୯ ରନ୍ ଯୋଡ଼ିଥିଲେ। ଋତୁରାଜ ୨୭ ବଲ୍ରୁ ୪ଟି ଚୌକା ସହ ୩୦ ରନ୍ କରିଥିଲେ। ଶେଷ ୫ ଓଭରରୁ ୭୦ ରନ୍ ଆବଶ୍ୟକ ଥିବା ବେଳେ ରାୟୁଡୁ ଆକ୍ରମଣ କରିଥିଲେ। ୧୬ଶ ଓଭରରୁ ରାୟୁଡୁ ୨୩ ରନ୍ ମାରିଥିଲେ। ୧୮ଶ ଓଭରରେ ରାୟୁଡୁ ଆଉଟ୍ ହେବା ସିଏସ୍କେ ପାଇଁ ଶକ୍ତ ଧକ୍କା ଥିଲା। ରାୟୁଡୁ ବିସ୍ଫୋରକ ବ୍ୟାଟିଂକରି ୩୯ ବଲ୍ରୁ ୬ଟି ଛକା ଓ ୭ଟି ଚୌକା ସହ ୭୮ ରନ୍ କରିଥିଲେ। ଶେଷ ଓଭରରେ ୨୭ ରନ୍ ଆବଶ୍ୟକ ଥିବା ବେଳେ ସିଏସ୍କେର ଶେଷ ଆଶା ମହେନ୍ଦ୍ର ସିଂହ ଧୋନି ପ୍ରଥମ ବଲ୍ରେ ଛକାମାରି ୩ୟ ବଲ୍ରେ ୧୨ ରନ୍କରି ଆଉଟ୍ ହୋଇ ଯାଇଥିଲେ। ଅଧିନାୟକ ରବୀନ୍ଦ୍ର ଜାଡ଼େଜା ୧୬ ବଲ୍ରୁ ୨୧ ରନ୍କରି ଅପରାଜିତ ଥିଲେ। କାଗିସୋ ରାବାଡା ଓ ଋଷି ଧାୱନ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଆଇପିଏଲ ପଏଣ୍ଟ ଟେବୁଲ
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍ସ ଫିଲ୍ଡିଂ ନେବା ପରେ ପଞ୍ଜାବ କିଙ୍ଗ୍ସର ଓପ୍ନର ଶିଖର ଧାୱନ ପୂରା ଇନିଂସ୍ ଖେଳିଥିଲେ। ୫.୫ ଓଭରରେ ପଞ୍ଜାବର ଓପ୍ନିଂ ଯୋଡ଼ି ଭାଙ୍ଗିଥିଲା। ସ୍କୋର୍ ୩୭ ରନ୍ ଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରୱାଲ ୨୧ ବଲ୍ରୁ ୧୮ ରନ୍କରି ଆଉଟ୍ ହୋଇଥିଲେ। ୨ୟ ୱିକେଟ ପାଇଁ ଧାୱନ ଓ ଭାନୁକା ରାଜପକ୍ଷଙ୍କ ମଧ୍ୟରେ ମାରାଥନ୍ ଭାଗିଦାରୀ ହୋଇଥିଲା। ଦୁହେଁ ୧୧.୩ ଓଭରରେ ୧୧୦ ରନ୍ ଯୋଡ଼ିଥିଲେ। ଶ୍ରୀଲଙ୍କାର ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ରାଜପକ୍ଷ ୩୨ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍ କରିଥିଲେ। ପରେ ଫର୍ମରେ ଥିବା ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ମାତ୍ର ୭ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୯ ରନ୍ କରିଥିଲେ। ଜନି ବେୟାରଷ୍ଟୋ ୬ ରନ୍କରି ଅପରାଜିତ ଥିଲେ। ଆଇପିଏଲ୍ ଇତିହାସରେ ଅନ୍ୟତମ ବ୍ୟାଟିଂ ମହାରଥୀ ଶିଖର ଧାୱନ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ଅର୍ଦ୍ଧଶତକ ହାସଲ କରିଥିଲେ। ବାମହାତି ଧାୱନ ଚମତ୍କାର ବ୍ୟାଟିଂକରି ୫୯ ବଲ୍ରୁ ୨ଟି ଛକା ଓ ୯ଟି ଚୌକା ସହ ୮୮ ରନ୍କରି ଅପରାଜିତ ରହିଥିଲେ। ଡ୍ବେନ୍ ବ୍ରାଭୋ ୨ଟି ୱିକେଟ ନେଇଥିବା ବେଳେ ବାମହାତି ସ୍ପିନର ମିଚେଲ ସାଣ୍ଟ୍ନର ୨ ଓଭରରୁ ମାତ୍ର ୮ ରନ୍ ଦେଇଥିଲେ। ଶିଖର ଧାୱନ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.