ଆଦର୍ଶ ଆଚରଣ ବିଧି
ବିଳମ୍ବରେ ହେଉ ପଛେ ନିର୍ବାଚନ କମିସନ ଆଉ ଏକ ଭଲ ପଦକ୍ଷେପ ନେଇଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭାକୁ ଭାଙ୍ଗି ଦେଇ କେତେକ ସରକାର ନିର୍ବାଚନ ପର୍ଯ୍ୟନ୍ତ କାମଚଳା ଦାୟିତ୍ବରେ ରହି ଯେଉଁ ରାଜନୈତିକ ଫାଇଦା ଉଠାଉଥିଲେ ତାହାର ବସ୍ତୁତଃ ଅବସାନ ଘଟିଛି। ଏଭଳି ପରିସ୍ଥିତିରେ ବିଧାନସଭା ଭାଙ୍ଗିବା ମାତ୍ରେ ସଂପୃକ୍ତ ରାଜ୍ୟରେ ଏଣିକି ତତ୍କାଳ ନିର୍ବାଚନ ଆଚରଣବିଧି ଲାଗୁହେବ। ଏହା ଫଳରେ ଦାୟିତ୍ବରେ ଥିବା ସରକାର କ୍ଷମତାର ଦୁରୁପଯୋଗ କରିବାର ସୁଯୋଗ ପାଇବେ ନାହିଁ ଏବଂ ବସ୍ତୁତଃ ପଙ୍ଗୁ ଭଳି ରହିେବ। ନିର୍ବାଚନ କମିସନଙ୍କ ଏହି ନିର୍ଦେଶ ଫଳରେ ଏବେ ତେଲଙ୍ଗାନା ସରକାର ସିଧାସଳଖ ପ୍ରଭାବିତ ହେବେ। ଆଗୁଆ ବିଧାନସଭାକୁ ଭାଙ୍ଗି ସେଠାକାର ଚନ୍ଦ୍ରଶେଖର ରାଓ ସରକାର କାମଚଳା ଦାୟିତ୍ବରେ ରହି ଯେଉଁ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରୁଥିଲା ତାହା ଉପରେ ଅଙ୍କୁଶ ଲାଗିଛି।
ଏହି ଘଟଣାକୁ କାକତାଳୀୟ କୁହାଯାଇପାରିବ ନାହିଁ; ବରଂ ଏହା ନିର୍ବାଚନ କମିସନଙ୍କ ସୁଚିନ୍ତିତ ପଦକ୍ଷେପ। ଆଗୁଆ ବିଧାନସଭା ଭାଙ୍ଗି ନିର୍ବାଚନ ପର୍ଯ୍ୟନ୍ତ କ୍ଷମତାରେ ରହିବା (କାମଚଳା ହେଉପଛେ) ଏବଂ ରାଜନୈତିକ ଫାଇଦା ଗୋଟାଇବା ଭାରତରେ ଏକ ପୁରୁଣା ପରମ୍ପରା ହୋଇଥିଲା। ଏହା କ୍ଷମତାରେ ଥିବା ଦଳ ପାଇଁ ନାନାଭାବେ ଲାଭଜନକ ସାବ୍ୟସ୍ତ ହେଉଥିବା ପର୍ଯ୍ୟବେକ୍ଷକ, ବିଶେଷଜ୍ଞ ବିଭିନ୍ନ ଦଳ ଓ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିବା ପରେ କମିସନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ କମିସନ ଧନ୍ୟବାଦର ପାତ୍ର। ଏଭଳି ପଦକ୍ଷେପ ନିର୍ବାଚନକୁ ସ୍ବଳ୍ପ, ନିରପେକ୍ଷ ଓ ଅବାଧ କରିବା ଦିଗରେ ଅବଶ୍ୟ ଅନେକାଂଶରେ ସହାୟକ ହେବ। ଆଶା କରିବା ନିର୍ବାଚନ କମିସନ, ଏଭଳି ଯେତେସବୁ ପୁରୁଣା ବିଧିବ୍ୟବସ୍ଥା ଅଛି ସେ ସବୁକୁ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।
ନିର୍ବାଚନକୁ ଅବାଧ, ନିରପେକ୍ଷ, ଅର୍ଥବଳ ଓ ବାହୁବଳରୁ ମୁକ୍ତ କରିବାପାଇଁ କମିସନଙ୍କ ପାଖରେ କ୍ଷମତା ସୀମିତ। ଅଭିଯୁକ୍ତ ବା ଗୁରୁତର ଅପରାଧରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରାର୍ଥୀ ହେବାରୁ ରୋକିବାର କ୍ଷମତା କମିସନଙ୍କର ନାହିଁ। ଏଥିପାଇଁ ଲୋକପ୍ରତିନିଧି ଆଇନରେ ସଂଶୋଧନର ଆବଶ୍ୟକତା ରହିଛି। ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଏହି ପ୍ରସଙ୍ଗକୁ ସଂସଦ ଉପରେ ଛାଡ଼ି ଦେଇଛନ୍ତି; କାରଣ ଏ ନେଇ ଆଇନ ପ୍ରଣୟନ ବା ସଂଶୋଧନ କାମ ସଂସଦର। ତେଣୁ ସଂସଦ ଯଦି ଏହି ପ୍ରସଙ୍ଗରେ ଉପଯୁକ୍ତ ପଦକ୍ଷେପ ନ’ନେବ, କିଛି ହେବ ନାହିଁ।