ଆନ୍ଧ୍ର ଜମି ମାଫିଆଙ୍କ କବ୍ଜାରେ ସରକାରୀ ଜମି; ତହସିଲଦାରଙ୍କୁ ଦାବିପତ୍ର
ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ସାରା ଆନ୍ଧ୍ର ପ୍ରଦେଶର ଜମି ମାଫିଆମାନେ ଶାଗମାଛ ଦରରେ ସରଳ ନିରୀହ ଆଦିବାସୀଙ୍କଠାରୁ ଜମି ହାତେଇ ନେଉଥିବା ଦେଖିବାକୁ ମିଳୁଛି। ଲାଞ୍ଜିଗଡ ବ୍ଲକର ୨୬ ଗୋଟି ପଞ୍ଚାୟତରେ ଆନ୍ଧ୍ର ଜମି ମାଫିଆମାନେ ସରଳ ନିରୀହ ମଣିଷକୁ ବୋକା ବନେଇ ଜମି ନେଇ ଯାଉଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ସହଯୋଗ କରୁଛନ୍ତି। ବର୍ତ୍ତମାନ ଯେଉଁ ଜାଗାରେ ସରକାରୀ ଜମି ଅଛି ସେହି ଜାଗାମାନଙ୍କୁ ଟାର୍ଗେଟ କରି ରାଜସ୍ୱ ବିଭାଗକୁ ହାତକରି ଜମି ଜବରଦଖଲ କରୁଥିବା ନଜରକୁ ଆସିଛି।
ସୂଚନା ଅନୁସାରେ, ବାତେରଲିମା ପଞ୍ଚାୟତର ବୋରିଙ୍ଗପଦର ଗାଁରେ ଜଣେ ବ୍ୟକ୍ତିଙ୍କଠାରୁ ଆନ୍ଧ୍ର ଜମି ମାଫିଆ ୩୪ ଏକର ଜମି କିଣିଥିବା ବେଳେ ଆରପାଖରେ ଥିବା ସମସ୍ତ ସରକାରୀ ଗୋଚର, ଅନାବାଦି ଓ ଗ୍ରାମ୍ୟଜଙ୍ଗଲକୁ ଜବରଦଖଲ କରି ଜେସିବି ଲଗାଇ ସମତଳ କରିଦେଇଛି। ସେହି ଜାଗାରେ ବୋରିଙ୍ଗପଦର ଗାଁର ପାଞ୍ଚଜଣଙ୍କୁ ଗ୍ରାମ୍ୟଜଙ୍ଗଲ ଯୋଜନାରେ ସରକାର ପଟ୍ଟା ପ୍ରଦାନ କରିଛି। ସେମାନଙ୍କ ଜାଗାକୁ ମଧ୍ୟ ଜୋର ଜବରଦସ୍ତି ଜେସିବି ଲଗାଇ ସମତଳ କରିଛି। ଏହାକୁ ନେଇ ଗ୍ରାମବାସୀମାନେ ପ୍ରତିବାଦ କରିଥିଲେ ସୁଦ୍ଧା ଭୃକ୍ଷେପ କରିନଥିଲା ଜମି ମାଫିଆ। ଫଳରେ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। ଆଜି ବାତେରଲିମା ସରପଞ୍ଚ କରୁଣା ମାଝୀ, ସମିତିସଭ୍ୟ ଗୋବିନ୍ଦ ନାଏକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଆସି ଲାଞ୍ଜିଗଡ ସହସିଲଦାର ମୁନିନ୍ଦ୍ର ହୁନ୍ନାଗାଁଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସଂପର୍କରେ ଲାଞ୍ଜିଗଡ ତହସିଲଦାର ହୁନ୍ନାଗାଁଙ୍କୁ ପଚାରିବାରୁ ଲଙ୍ଗଳବେଡା ରାଜସ୍ୱ ନୀରିକ୍ଷକଙ୍କୁ ତଦନ୍ତ ନିର୍ଦେଶ ଦିଆଯାଇଛି ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।
Comments are closed.