ତେଲେଙ୍ଗାନାରେ ଦାଦନ ଖଟିବାକୁ ଯାଇଥିଲେ ଶ୍ରମିକ, ଉଦ୍ଧାର କଲା ଶ୍ରମ ଆୟୁକ୍ତ

ନବରଙ୍ଗପୁର : ଚନ୍ଦାହାଣ୍ଡି ବ୍ଲକ ମାଲଗାଁରୁ ୨୬ ଜଣ ମହିଳା ୨୧ ଜଣ ପୁରୁଷ ଓ ୨୪ ଜଣ ଶିଶୁ ତେଲେଙ୍ଗାନାର ପେଇଦାପାଲି ଗ୍ରାମକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଆରଆରଆର ବ୍ରିକସ ଇଟା ଭାଟିରେ କାମ କରୁଥିଲେ। ମୋହରା ପଞ୍ଚାୟତର ବଇର ଗୁଡା ଗାଁର ସନ୍ତୋଷ ସାହୁ ଭିଭିନ୍ନ ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ପେଇଦାପାଲି ନେଇଥିଲେ। ସେଠାରେ ଇଟା ଭାଟି ମାଲିକ ରାଜୁଙ୍କୁ ହସ୍ତାନ୍ତର କରି ନିଜର କମିଶନ ନେଇ ଚାଲିଆସିଥିଲେ। ଶ୍ରମିକମାନେ ସେଠାରେ ମାଲିକର ଦୁର୍ବ୍ୟବହାରର ଶିକାର ହେବାସହ ଶ୍ରମର ପ୍ରାପ୍ୟ ନ ପାଇ ନିର୍ଯ୍ୟାତିତ ହୋଇଥିଲେ। ଶ୍ରମିକମାନେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଯୋଗାଯୋଗ କରି ଇଟା ଭତ୍ତାରୁ ଉଦ୍ଧାର ପାଇବା ପାଇଁ ନିବେଦନ କରିଥିଲେ। ସାଂସଦ ଶ୍ରୀ ମାଝୀ ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ସହ ଯୋଗାଯୋଗ କରି ଅତିଶୀଘ୍ର ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ନିର୍ଦେଶ ଦେଇଥିଲେ। ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ଇଟା ଭାଟିର ମାଲିକ ରାଜୁ ନିଜ ଖର୍ଚ୍ଚରେ ଏକ ଟ୍ରକ ଯୋଗେ ଶ୍ରମିକମାନଙ୍କୁ ଓଡିଶା ପଠେଇଥିଲେ। ନବରଙ୍ଗପୁର ପହଞ୍ଚିବା ପରେ ଜିଲା ଶ୍ରମ ବିଭାଗ ଓ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶ୍ରମିକମାନଙ୍କୁ ମାଲଗାଁ ପଠାଯାଇଥିଲା। ଏନେଇ ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରା କହିଛନ୍ତି ଯେ ଶ୍ରମିକମାନେ ବାହାର ରାଜ୍ୟ ଯିବା ପୂର୍ବରୁ ନିଜ ପଞ୍ଚାୟତରେ ତାଙ୍କର ସମସ୍ତ ଠିକଣା ଦାଖଲ କରିବେ। ସେମାନେ କେଉଁ ରାଜ୍ୟରେ କାମ କରିବେ, ମାଲିକଙ୍କ ଠିକଣା, କେତେଦିନ କାମ କରିବେ ତାହା ସ୍ଥାନୀୟ ପଞ୍ଚାୟତ କାର୍ୟ୍ୟାଳୟ, ପୁଲିସ ଓ ଶ୍ରମ କାର୍ୟ୍ୟାଳୟରେ ଜଣାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

kalyan agarbati

Comments are closed.