୯୭୦ଟି ନିଶା କଫ ସିରଫ ଜବତ : ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିବାରୁ ପୁଲିସ ପକ୍ଷରୁ ଏହା ଉପରେ ରୋକ ଲଗାଇବା ନିମନ୍ତେ ମଝିରେ ମଝିରେ ଉଦ୍ୟମ କରାଯାଇଥାଏ। ଏହି କ୍ରମରେ ସମ୍ବଲପୁର ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ନିଶା କଫ ସିରଫ କାରବାର ଉପରେ ନଜର ରଖାଯାଇଥିଲା। ବିଶ୍ୱସ୍ତସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରି ବିପୁଳ ମାତ୍ରାରେ ବେଆଇନ ଭାବରେ ମହଜୁଦ ରଖାଯାଇଥିବା ନିଶା କଫ ସିରଫ ଗୁଡିକୁ ଜବତ କରିଛି। ଶନିବାର ୨ଟି ସ୍ଥାନରେ ଚଢ଼ଉ ସମୟରେ ପୁଲିସ ସାହୁ କଲୋନୀରୁ ୧୦୦ଟି ଏବଂ ବୁର୍ଲା ଅଞ୍ଚଳରୁ ୮୬୦ଟି ନିଶା କଫ ସିରଫ ସମେତ ସମୁଦାୟ ୯୬୦ଟି ନିଶା କଫ ସିରଫ ଜବତ କରିଛି। ଏହି ଚଢ଼ଉ ସମୟରେ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ୨ ଜଣ ଅଭିଯୁକ୍ତ ଠେଲକୋପଡା ନିବାସୀ ରୋହନ ମୁଖୀ (୨୧) ଏବଂ ବୁର୍ଲାର ତିଅରପଡା ନିବାସୀ ପୂର୍ଣ୍ଣଚନ୍ଦ୍ର ବେହେରା (୨୨) ଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ବିପୁଳ ନିଶା କଫ ସିରଫ ସମେତ ଏକ ମୋଟର ସାଇକେଲ ଜବତ କରିଛି। ଏହି ଘଟଣାରେ ପୁଲିସ ଟାଉନ ଥାନାରେ ମାମଲା ସଂଖ୍ୟା ୧୨୪/୨୦୨୨ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ନିଶା କଫ ସିରଫ ଓ ମୋଟର ସାଇକେଲ ଜବତ କରିଛି। ଅପରପକ୍ଷରେ ବିପୁଳ ମାତ୍ରାରେ ନିଶା କଫ ସିରଫ ଗୁଡିକର ସ୍ରୋତ ସର୍ମ୍ପକରେ ପୁଲିସ ଅଧିକ ତଦନ୍ତ ଚଳାଇଛି ବୋଲି କହିଛି। ତେବେ ଏତେ ପରିମାଣରେ ନିଶା କଫ ସିରଫ ଜବତ ହେବାର ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥି ସହ ଟାଉନ ଥାନା ସମ୍ମୁଖରେ ଥିବା ସାହୁ କଲୋନୀ ଓ ବୁର୍ଲା ଥାନାଞ୍ଚଳରୁ ବାରମ୍ବାର ବିପୁଳ ମାତ୍ରାରେ ନିଶା କଫ ସିରଫ ଜବତ ହେବାର ନଜୀର ରହିଥିବା ବେଳେ କିନ୍ତୁ ବର୍ଷ ବର୍ଷ ବିତିଯିବା ସତ୍ୱେ ଆଜି ପର୍ଯ୍ୟନ୍ତ ଏହା ଉପରେ ଲଗାମ ଲଗାଇବାରେ ପୁଲିସ ସମ୍ପୁର୍ଣ୍ଣ ବିଫଳ ରହିଛି।

kalyan agarbati

Comments are closed.